Unknown

 

 

 

 

 

 

 

 

 

 

 

ଆସନ୍ତା କାଲିର ଚିନ୍ତା

ନବକିଶୋର ମହାପାତ୍ର

 

ଉତ୍ସର୍ଗ

 

ଏ ଦେଶର ଅର୍ଥ, ଅସ୍ତ୍ର, ଆଇନ ଏବଂ କ୍ଷମତାର ଅଧିକାରୀ ମାତ୍ର ୫% ଲୋକ ଯେଉଁମାନେ ଆଜି ଏ ଦେଶର ବାକି ୯୫% ଗରିବ, ଦୁଃସ୍ଥ, ନିରସ୍ତ୍ର, ଅସହାୟ ଏବଂ ଅକ୍ଷମ ଲୋକଙ୍କ ପାଇଁ ପ୍ରକୃତ ନକ୍‌ସଲି ଓ ସାକ୍ଷାତ୍‌ ଟେରୋରିଷ୍ଟ ରୂପରେ ଦଣ୍ଡାୟମାନ, ସେମାନଙ୍କ କରକମଳରେ ନୁହେଁ–ବଜ୍ରତୁଲ୍ୟ କଠିନ ହସ୍ତରେ । –ଲେଖକ

 

ଦୀପାବଳି ଅମାବାସ୍ୟା ତା ୬ । ୧୧ । ୯୧ ବୁଧବାର

 

କିଛି କହିବାର ଅଛି

 

ମହାମୁନି ମନୁଙ୍କ ପ୍ରଣୀତ କାନୁନ୍‌ ଅନୁସାରେ ସାରା ଜଗତ୍‌ବାସୀ ଦିନେ ରାଜତନ୍ତ୍ରରେ ବିଶ୍ଵାସ କରୁଥିଲେ । ସେହିପରି ମହର୍ଷି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ମୁକାବିଲା କଲାଭଳି ଅର୍ଥଶାସ୍ତ୍ର ପୃଥିବୀରେ ଅଛି କି ନା ସନ୍ଦେହ । ମୁନି ଋଷିମାନଙ୍କର ସେହି ଆଦର୍ଶ ରାଜା ଓ ପ୍ରଜା ତଥା ଅର୍ଥ ଦାୟିତ୍ଵରେ ଥିବା ମୁଖ୍ୟ ବ୍ୟକ୍ତିଗଣ କ୍ରମେ ବିଚ୍ୟୁତ ହେବାରୁ ଜନ ଅଶାନ୍ତି ସୃଷ୍ଟି ହୋଇ ରାଜତନ୍ତ୍ରର ପତନ ଘଟିଲା ।

 

ଅଧୁନା ଜଗତ୍‌ବାସୀ ଗଣତନ୍ତ୍ର ପଛରେ ଧାଇଁଛନ୍ତି । ତେଣୁ ଆମ ସ୍ଵାଧୀନ ହିନ୍ଦୁସ୍ଥାନ ସେଥିରୁ ବା ବାଦ୍‌ପଡ଼ନ୍ତା କେମିତି ? ମାତ୍ର ଯେଉଁ ତନ୍ତ୍ର ହେଉନା କାହିଁକି, ଯଦି ନୀତି ନିୟମ, ବିଚାର ଏବଂ ଅର୍ଥ ବ୍ୟବସ୍ଥାରେ କିଛି ବିଚ୍ୟୁତି ଘଟେ ତେବେ ଜନ ଅଶାନ୍ତି ସୃଷ୍ଟି ହୋଇ ପୁଣି ସେଇ ତନ୍ତ୍ରର ପତନ ଘଟିବା ସ୍ଵାଭାବିକ୍‌ ।

 

ମୁଷ୍ଟିମେୟ ନେତୃବୃନ୍ଦ କେବଳ ଭୋଟ ବେଳେ ମାତ୍ର ୫ମିନିଟ୍‌ ପାଇଁ ନାଗରିକମାନଙ୍କ ହାତରେ ଖଣ୍ଡିଏ ରସହୀନ ଶୁଖିଲା ଛାପା ବାଲାଟ ପେପର ଖଣ୍ଡେ ଧରାଇ ଦେଇ ‘ତୁମକୁ ନାଗରିକ ଅଧିକାର ଏବଂ ଭୋଟ ଦେବାର ଅଧିକାର ମିଳିଗଲା’ ବୋଲି କହି ଭଣ୍ଡାଇ ଚାଲିଛନ୍ତି ।

 

ଆମେ ନାଗରିକଗଣ ପ୍ରତି ୫ବର୍ଷରେ ମାତ୍ର ୫ ମିନିଟ୍‌ ପାଇଁ ସେହି ନିରସ ଶୁଖିଲା ବାଲାଟ ପେପର ଖଣ୍ଡିକର ଅସ୍ଥାୟୀ ମାଲିକାନାକୁ ନେଇ ଯେଉଁ ଗର୍ବ କରୁଥିଲୁ, ଆଜି ସେ ଗର୍ବ ଖର୍ବ ହୋଇଯାଇଛି । ରାଜା ମହାରାଜାଙ୍କ ଶାସନ ଚାଲିଯାଇ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିବାରୁ ଆମେ ଯେଉଁ ଉତ୍‌ଫୁଲ୍ଲ ହୋଇ ଉଠୁଥିଲୁ ଏବେ ତାହା ମଉଳି ଯାଇଛି । ଦେଶର ଆର୍ଥିକ ମାନଦଣ୍ଡ ନିମ୍ନଗାମୀ ହୋଇ ଯାଇଛି । ବେକାର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜନସଂଖ୍ୟା ନିୟନ୍ତ୍ରଣ ହୋଇ ପାରୁନି । ଧର୍ମ, ଜାତି, ବର୍ଣ୍ଣ, ସମ୍ପ୍ରଦାୟ, ସଂଖ୍ୟାଲଘୁ ରୂପକ ଅତି କଦର୍ଯ୍ୟ ନୀତିରୀତି ଭାରତବାସୀଙ୍କୁ କର୍କଟ ରୋଗଗ୍ରସ୍ତ କରି ପକାଇଛି । ଅନ୍ୟ ପକ୍ଷରେ ଆମ ଦେଶର ଅର୍ଥବଳ, କ୍ଷମତା ବଳର ଅଧିକାରୀ ହୋଇଥିବା ମୁଷ୍ଟିମେୟ ଗୋଷ୍ଠୀ ଓ ବ୍ୟକ୍ତି ରାଜତନ୍ତ୍ର ଯୁଗର ସେହି ରାଜା ମହାରାଜାଙ୍କଠାରୁ ବଳି ଯାଇଛନ୍ତି ।

 

କୋର୍ଟ କଚେରିରେ ନ୍ୟାୟ ଗାଧେଇ ଗଲାଣି । କିଏ କାହାର ପୁଅ, କିଏ କାହାର ସମ୍ପର୍କୀୟ, କିଏ କେଉଁ ଦଳ ବା ଗୋଷ୍ଠୀର ଲୋକ ସେକଥା ନ୍ୟାୟାଳୟର ପରିସର ମଧ୍ୟକୁ ପ୍ରବେଶ କଲାଣି । ଏହାଛଡ଼ା ଆମର ରାଜନୈତିକ ନେତୃବୃନ୍ଦ ନିଜର ଧର୍ମ ହେତୁ ଏବଂ ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କଠାରୁ ବିଶ୍ୱାସ ହରାଇଥିବା ହେତୁ ଅନ୍ୟ ଉପାୟ ନପାଇ ଏବେ ସଂଖ୍ୟାଲଘୁ ସମ୍ପ୍ରଦାୟ, ହରିଜନ, ଆଦିବାସୀମାନଙ୍କ ଶରଣାପନ୍ନ ହୋଇଛନ୍ତି ।

 

ସ୍ୱୟଂ କୌଟିଲ୍ୟ ରାଜକାର୍ଯ୍ୟ ତୁଲାଇଲାବେଳେ ରାଜାଙ୍କ ଦୀପରେ ରାଜକୋଷରୁ ଖର୍ଦ୍ଦି ତେଲ ପକାଇ ଜାଳୁଥିଲେ; ମାତ୍ର ବ୍ୟକ୍ତିଗତ କାର୍ଯ୍ୟ କଲାବେଳେ ରାଜ ଦୀପକୁ ଲିଭାଇ ଦେଇ ନିଜ ଦୀପ ଜଳାଉଥିଲେ । ଏ ଥିଲା ରାଜତନ୍ତ୍ରପାଇଁ କୌଟିଲ୍ୟଙ୍କର ଅର୍ଥନୀତିର ହଜାର ହଜାର ଆଦର୍ଶ ମଧ୍ୟରୁ ଗୋଟିଏ ମାତ୍ର ।

 

ଆଜି ଗଣତନ୍ତ୍ର ରାଷ୍ଟ୍ରରେ ଖୋଲାଖୋଲି ଭାବେ ସମାଜର ଅଧିକାଂଶ ପ୍ରଭାବଶାଳୀ ବ୍ୟକ୍ତି ସରକାରୀ କର୍ମଚାରୀ, ଅନୁଷ୍ଠାନ, ରାଜନୈତିକ ଦଳ, ଗୋଷ୍ଠୀ, ସାମ୍ବାଦିକ ଆଦି ନିଜକୁ ସରକାରୀକରଣ ବୋଲି ବିଚାରି, ସରକାରୀ ତେଲରେ ନିଜ ଦୀପ ଜାଳୁଛନ୍ତି ଓ ସରକାରୀ ପଇସାରେ ଅର୍ଥାତ୍‌ କୋଟି କୋଟି ଜନତାଙ୍କଠାରୁ ଆଦାୟ ହେଉଥିବା ଖଜଣା, ଟିକସ, ଡିଉଟି ଟଙ୍କାରୁ ବ୍ୟକ୍ତିଗତ ଫାଇଦା ଉଠାଉ ଅଛନ୍ତି ।

 

ଏ ଦେଶର ସର୍ବମୋଟ ପ୍ରାୟ ୫% ଲୋକ ବାକି ୯୫% ଲୋକଙ୍କୁ ନାନାଭାବରେ ପଦଦଳିତ କରି ଚିରକାଳ ପାଇଁ ସେମାନଙ୍କୁ ଆଉ ଉପରକୁ ଉଠିବାକୁ ବା ତାଙ୍କର ସମକକ୍ଷ ହେବାକୁ ନ ଦେବାର ଚକ୍ରାନ୍ତ କରି ଚାଲିଛନ୍ତି ।

 

ତେଣୁ ଆମ ଦେଶରେ ନକ୍‌ସାଲ ପନ୍ଥୀ ଓ ସ୍ଵଦେଶୀ ଉଗ୍ରବାଦୀମାନେ ସତେ ଅବା ମ୍ଳେଚ୍ଛ ସଂହାର ଉଦ୍ଦେଶ୍ୟରେ ସେହି ପଦଦଳିତ ଅସହାୟ ୯୫% ଜନସାଧାରଣଙ୍କ ଉଦ୍ଧାର ନିମିତ୍ତ ଦେଶର ସେହି ୫% ଶକ୍ତିଶାଳୀ ଲୋକଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆବିର୍ଭାବ ହୋଇ ଅଛନ୍ତି ।

 

ଯେ ପର୍ଯ୍ୟନ୍ତ ଆର୍ଥିକ ଦୃଷ୍ଟିରୁ ଜଣେ ନାଗରିକ ଦେଶର ଅନ୍ୟ ଜଣେ ନାଗରିକର ସମକକ୍ଷ ନ ହେଲେ ମଧ୍ୟ ଅନ୍ତତଃପକ୍ଷେ ପାଖାପାଖି ହୋଇ ନ ପାରିଛି, ଯେ ପର୍ଯ୍ୟନ୍ତ ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ ନ ହୋଇଛି, ଯେ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଳ୍ପ ସମୟ ମଧ୍ୟରେ ସମାନ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମଣିଷକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ ନ କରି (General Public, V.I.P., V.V.I.P etc.) ଶ୍ରେଣୀହୀନ ସମାଜ ଗଠିତ ନ ହୋଇଛି, ସେ ପର୍ଯ୍ୟନ୍ତ ଦୁର୍ବଳମାନବ ସମାଜର, ପତିତ ଜନସାଧାରଣଙ୍କର ଉଦ୍ଧାର ନିମନ୍ତେ ସ୍ଵଦେଶୀ ଟେରୋରିଷ୍ଟ ଓ ନକ୍‌ସଲପନ୍ଥୀଙ୍କ କାର୍ଯ୍ୟକଳାପ ଚାଲୁରହିବ ଏବଂ ଦେଶବାସୀଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରୁଥିବା କବି ଓ ଲେଖକମାନଙ୍କର କଲମ ଲେଖି ଚାଲିବ–ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ଏପରିକି ଆବଶ୍ୟକ ହେଲେ ଗଣତନ୍ତ୍ର ପଦ୍ଧତିର ପତନ ଘଟି ହୁଏତ ଅନ୍ୟ କୌଣସି ତନ୍ତ୍ର ପ୍ରତିଷ୍ଠା ହୋଇପାରେ । ମାତ୍ର ଶତକଡ଼ା ୫ ଜଣଙ୍କ ଚକ୍ରାନ୍ତ ଓ କ୍ଷମତା କବଳରୁ ଶତକଡ଼ା ୯୫ ଜଣ ନିରସ୍ତ୍ର, ଅକ୍ଷମ, ଦୁର୍ବଳ, ପଶୁପରି ଜୀବନଯାପନ କରୁଥିବା ଶୋଷିତ ଜନସାଧାରଣଙ୍କର ମୁକ୍ତି ଏ ଲେଖକର ପ୍ରଧାନ କାମ୍ୟ ।

 

ଶେଷରେ ଦେଶ ଓ ଦଶର ଭବିଷ୍ୟତ ତଥା ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଏହି ପୁସ୍ତକରେ କେତେକ ଅପ୍ରିୟ ସତ୍ୟ, କେତେକ ସମସ୍ୟା ଓ ତା’ର ସମାଧାନ ବିଷୟରେ ଏକାଧିକବାର ଲେଖାଯାଇଛି । ପାଠ କଲାବେଳେ ତାହା ଯଦି ମନରେ କଷ୍ଟଦିଏ ବା ବିରକ୍ତି ଆଣିଦିଏ, ତେବେ ସହୃଦୟତାର ସହିତ ସେଥିପାଇଁ କ୍ଷମା ଦେବାକୁ ଅନୁରୋଧ ରହିଲା ।

 

ତା ୬ । ୧୧ । ୯୧

ନବକିଶୋର ମହାପାତ୍ର (ସୁଦର୍ଶନ)

ଦୀପାବଳି, ଶ୍ୟାମାପୂଜା (ବୁଧବାର)

 

 

ସୂଚୀ,ସୂଚନା ଓ ବାର୍ତ୍ତା

 

(୧) ସୁରକ୍ଷା ଓ ନିରାପତ୍ତା :

 

କୋଟି କୋଟି ସଂଖ୍ୟାର ସୈନ୍ୟବଳ ଏବଂ ଅସୁମାରି ବନ୍ଧୁକ ଓ ଗୁଳି ଏ ବିଜ୍ଞାନ ଯୁଗରେ ଆଦୌ କୌଣସି ‘ବଳ’ରେ ଗଣା ନୁହେଁ ।

 

ଯେ ପର୍ଯ୍ୟନ୍ତ ଉନ୍ନତ ରାଷ୍ଟ୍ରଗୁଡ଼ିକ ନିଜ ନିଜ ହାତରେ ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ‘ଭୋଟୋ’ ରୂପକ ଅମୋଘ ପ୍ରତିରୋଧକ ବ୍ୟବସ୍ଥା ରଖି ଅଛନ୍ତି, ତାଙ୍କର ସମକକ୍ଷ ନ ହେବା ପର୍ଯ୍ୟନ୍ତ ଆମେ କୌଣସି ଚୁକ୍ତିରେ ଦସ୍ତଖତ୍‌ ନଦେବା ଉଚିତ ।

 

ମୁଁ ସଂକ୍ଷେପରେ କହିବି ଯେ, ସ୍ଵଦେଶୀ ସନ୍ତ୍ରାସବାଦୀତା ପାଇଁ ମୁଖ୍ୟତଃ ଆମ ସମାଜ ଓ ସରକାର ହେଉଛନ୍ତି ଦାୟୀ ।

 

(୨) ଖାନା, କପଡ଼ା, ମକାନ୍‌ :

 

ସେମାନେ କେବଳ ସହରର ସେହି ବହୁତଳ ପ୍ରାସାଦ ଏବଂ ରାଜରାସ୍ତାର ଦୁଇପାଖରେ ଥିବା ପାଦଚଲା ରାସ୍ତା ବା ଫୁଟପାଥରେ ଜନ୍ମରୁ ମୃତ୍ୟୁଯାଏ ଜୀବନ କଟାନ୍ତି । ରାଷ୍ଟ୍ରପତି, ମନ୍ତ୍ରୀ, ବିଧାୟକ, ଜଜ୍‌, ଆଇନ କର୍ତ୍ତା ଏବଂ ସର୍ବସାଧାରଣ ସମସ୍ତେ ପ୍ରତିଦିନ ସେମାନଙ୍କୁ ଦେଖନ୍ତି । କାହିଁ ସେମାନଙ୍କର ତ ଆଜିଯାଏ କୌଣସି ପରିବର୍ତ୍ତନ ହୋଇନି ।

 

ଗାଁରେ ବସବାସ କରୁଥିବା ନରନାରୀଙ୍କ ଲଙ୍ଗଳା ଦେହ ସାଙ୍ଗକୁ ତାଙ୍କ ହାଡ଼ ଉପରେ ମାଂସ ବିହୀନ ଚମଟାକୁ ଦେଖିଲେ ଯାଇ କଥାଟିର ମର୍ମ ଠିକ୍‌ ରୂପେ ବୁଝିହେବ ।

ସରକାର କ’ଣ କେବଳ ଆଇନ କରି ଥୋଡ଼େ ଲୋକଙ୍କୁ ଚିରକାଳ ପଦଦଳିତ ଗୋଲାମ୍‌ କରି ରଖିଥିବେ, ଆଉ ମୁଷ୍ଟିମେୟ ଲୋକଙ୍କୁ ନାନାଦି ସୁବିଧା ସୁଯୋଗ ଦେଇ ରାଜା ରାଣୀ କରାଉଥିବେ ?

(୩) ପ୍ରତ୍ୟେକଙ୍କୁ ମାଗଣାରେ ଉପଯୁକ୍ତ ଶିକ୍ଷା ପ୍ରଦାନ :

ପିତାମାତାଙ୍କ ଇଚ୍ଛା ଅନୁସାରେ ନୁହେଁ ବରଂ ସେମାନଙ୍କ ଅନ୍ତର୍ନିହିତ ‘ପାରଙ୍ଗମତା’ ଓ ‘ରୁଚି’ ଅନୁସାରେ ଶିକ୍ଷା ଲାଭ କରିବେ । ଯଥା–ପିଲାଟି ଦିନରୁ ଯେଉଁମାନଙ୍କଠାରେ ଅସୀମ ସାହସ ପରିଲକ୍ଷିତ ହେବ, ସେମାନଙ୍କୁ ଏପରି ଶିକ୍ଷା ଦିଆଯିବ, ଯେପରି ସେମାନେ ଭବିଷ୍ୟତରେ ଟେରୋରିଷ୍ଟ ବା ଡକାୟତ ନ ହୋଇ ସୈନ୍ୟ ବିଭାଗରେ ଭର୍ତ୍ତି ହୋଇ ପାରିବେ ।

ମାତ୍ର ମନେରଖିବା ଉଚିତ ଯେ, ଯେଉଁ ପାଠ ପଢ଼ୁ ବା ଯେଉଁ ଯୋଗ୍ୟତା ହାସଲ କରି ଯେଉଁ କର୍ମ କରୁ ପଛେ ଯେପରି ତା’ର ଆୟ ସହିତ ଅନ୍ୟ ଜଣକର ଆୟରେ ବିଶେଷ ପାର୍ଥକ୍ୟ ନ ରହିବ ।

(୪) ଜାତୀୟ ଆୟର ସମବଣ୍ଟନ :

ଯଦି ଏ ଦେଶରେ କେହି ଗରିବ ହୋଇଥାଏ, ତେବେ ତାହା କେବେହେଲେ ତା’ର ଦୁର୍ଭାଗ୍ୟର ଫଳ ନୁହେଁ । ଯଦି କେହି ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥାଏ, ତେବେ ତାହା କେବେହେଲେ ତା’ର ସୌଭାଗ୍ୟର ଫଳ ନୁହେଁ । ଏସବୁ ଆଦୌ ଈଶ୍ୱରକୃତ ନୁହେଁ; ସବୁ ହେଉଛି ମୁଷ୍ଟିମେୟ ଶାସକ ତଥା ହୃଦୟହୀନ ରାକ୍ଷସ ରୂପୀ ମନୁଷ୍ୟକୃତ । ସବୁ ହେଉଛି ତ୍ରୁଟିପୂର୍ଣ୍ଣ ଆଇନ ଯୋଗୁ ।

 

ଈଶ୍ଵର ଅଛନ୍ତି ଏବଂ ସେ ତାଙ୍କର ପ୍ରତିନିଧି ରୂପେ ବୋଧହୁଏ ଏ ଦେଶକୁ ବହୁ ସଂଖ୍ୟାରେ ଟେରୋରିଷ୍ଟ ପଠାଇ ଦେଇଛନ୍ତି ।

 

ଜାତୀୟ ଆୟର ସମବଣ୍ଟନ ସାଙ୍ଗକୁ ଜାତି, ଧର୍ମ ନିର୍ବିଶେଷରେ ବାଧ୍ୟତାମୂଳକ ଜନ୍ମନିୟନ୍ତ୍ରଣ ଦରକାର । ତା’ ନହେଲେ ଧର୍ମର ଦ୍ୱାହି ଦେଇ କେହି କେହି ଏକାଧିକ ନାରୀ ଗ୍ରହଣ କରି, ଡଜନେ ଦୁଇଡଜନ ସନ୍ତାନ ସନ୍ତତିଙ୍କର ପିତା ପାଲଟି ସମସ୍ତଙ୍କୁ ଆୟର ସମବଣ୍ଟନ ହେଉ ବୋଲି ଦାବି କରି ପାରନ୍ତି ।

 

(୫) ଜାତି, ଧର୍ମ, ସମ୍ପ୍ରଦାୟ ଭିତ୍ତିକ ଆଇନର ମୂଳୋତ୍ପାଟନ :

 

ସମ୍ପ୍ରଦାୟ ଭିତ୍ତିରେ ଜନ୍ମନିୟନ୍ତ୍ରଣ ବ୍ୟବସ୍ଥାକୁ କୋହଳ କରାଗଲେ, ସମୟ ଆସିବ ଯେତେବେଳେ ଏହି ହିନ୍ଦୁସ୍ଥାନରେ ହିନ୍ଦୁଙ୍କ ସଂଖ୍ୟା କମି ସେମାନେ ସଂଖ୍ୟାଲଘୁ ହୋଇଯିବେ ।

 

ସରକାର କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ, ବା ସମ୍ପ୍ରଦାୟର ନୁହେଁ । ଭାରତମାତାଙ୍କ ପାଖରେ ସମସ୍ତେ ସମାନ । ମାତ୍ର ଆଇନକର୍ତ୍ତାମାନେ ତାକୁ ବସି ବେଆଇନ ଭାବେ ଅସମାନ କରିବାରେ ବ୍ୟସ୍ତ ।

 

(୬) କେବଳ ଆର୍ଥିକ ଅବସ୍ଥାକୁ ଚାହିଁ ସଂରକ୍ଷଣ ବ୍ୟବସ୍ଥା ରଖାଯାଇପାରେ :

 

କୋଟାରେ ନିଯୁକ୍ତ ଅଯୋଗ୍ୟ ଡାକ୍ତରଙ୍କ ହାତରେ ରୋଗୀର ଅକାଳ ବିୟୋଗ ଘଟିବ; କୋଟାରେ ନିଯୁକ୍ତ ଅଯୋଗ୍ୟ ଇଞ୍ଜିନିୟର ଯେଉଁ କୋଠାବାଡ଼ି ଓ ପୋଲ ନିର୍ମାଣ କରିବେ ତାହା ବିନା ଭୂମିକମ୍ପରେ ଭୁଶୁଡ଼ି ପଡ଼ିବ; କୋଟାରେ ଯାହାଙ୍କୁ ବୈଜ୍ଞାନିକ ବୋଲି ସ୍ୱୀକୃତି ମିଳିବ ସେ ପରୀକ୍ଷାଗାରରେ ପଟାସିୟମ ସାଇନାଇଡ୍‍କୁ ମିଶ୍ରି ବୋଲି ଭାବି ଚାଖିଲା ବେଳେ ନିଜ ହାତରେ ପ୍ରାଣ ହରାଇବେ କିମ୍ବା ତାଙ୍କ ଦ୍ୱାରା ତିଆରି ପରମାଣୁ ବୋମା ଆବଶ୍ୟକ ବେଳେ ଫୁଟିବ ନାହିଁ । କୋଟାରେ ନିଯୁକ୍ତ ଅଧିକାଂଶ ସରକାରୀ କର୍ମଚାରୀ ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ବା ନିର୍ବୋଧ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି ।

 

(୭) ଶିଳ୍ପ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଲୋଡ଼ା :

 

ଇଣ୍ଡଷ୍ଟ୍ରିଆଲ ପଲିସି ଏପରି ହେଉ ଯେପରି ସ୍ମଲ ଓ କଟେଜ ଇଣ୍ଡଷ୍ଟ୍ରିଗୁଡ଼ିକ ଦେଶର ସମସ୍ତ ଖାଉଟି ଦ୍ରବ୍ୟ ତିଆର କରିବେ ।

 

ସ୍ମଲ ଏବଂ କଟେଜ ଇଣ୍ଡଷ୍ଟ୍ରିଗୁଡ଼ିକ ଯେଉଁ ଯେଉଁ ଶିଳ୍ପଜାତଦ୍ରବ୍ୟ ଉତ୍ପାଦନ କରିବେ ତାହା ମଧ୍ୟମ ଏବଂ ବଡ଼ ବଡ଼ ଇଣ୍ଡଷ୍ଟ୍ରିମାନେ କରିପାରିବେ ନାହିଁ ।

 

ଶିଳ୍ପଜାତ ସମସ୍ତ ଦ୍ରବ୍ୟର ମୂଲ୍ୟ ଏକ୍ସପାର୍ଟ ବଡ଼ିଙ୍କ ଦ୍ୱାରା ହିଁ ସ୍ଥିର ହେବା ବାଞ୍ଛନୀୟ ।

 

ପ୍ରତିବର୍ଷ ବଜେଟରେ ଶିଳ୍ପଜାତ ଦ୍ରବ୍ୟମାନଙ୍କ ଉପରେ ନୂଆ ନୂଆ ଟିକସ ବସିବା ହେତୁ କୌଣସି ଖାଉଟି ଦ୍ରବ୍ୟର ଦର ସ୍ଥିର ରହୁନି । ତେଣୁ ବଜେଟକୁ ଟିକସ ଭିତ୍ତିକ କରା ନ ଯାଇ ଖାଉଟି ଭିତ୍ତିକ କରାଯିବା ଉଚିତ ।

 

(୭ଖ) ଶିଳ୍ପ ସବ୍‌ସିଡରେ ହେଉଥିବା କାରସାଦିର ଉଚ୍ଛେଦ

 

(୮) ଋଣ ସଂସ୍ଥା, ଏବଂ ବ୍ୟାଙ୍କ ବ୍ୟବସାୟ ନୀତିର ପରିବର୍ତ୍ତନ

 

ରିଜର୍ଭବ୍ୟାଙ୍କ ଦ୍ୱାରା ଅଧିକ ସୁଧ ନେବା ଓ ଅଧିକ ସୁଧ ଦେବା ନୀତି ଯୋଗୁ ସରକାର ଓ ଋଣକର୍ତ୍ତାମାନେ କିପରି ଦେବାଳିଆ ହେଉଛନ୍ତି ତା’ ଲକ୍ଷ୍ୟ କରିବା କଥା ।

 

ଅଥଚ, ସରକାରଙ୍କୁ ନିର୍ଦ୍ଦେଶ ଦେଉଥିବା, ଚଳାଉଥିବା, ନୀତିନିୟମ ପ୍ରଣୟନ କରୁଥିବା ଏମ୍‌.ପି. ଓ ମନ୍ତ୍ରୀମାନେ ସବୁ ଜାଣି ମଧ୍ୟ ଓଲଟା କାମ କରୁଛନ୍ତି ।

 

ଯା ପାଖରେ ଉଦ୍‌ବୃତ୍ତ ଟଙ୍କା ଅଛି ସେ ତାକୁ ନିଜ ବାକ୍ସରେ ରଖନ୍ତା । ନାଇଁ ଯଦି ସରକାରଙ୍କ ବିଭିନ୍ନ ଡିପୋଜିଟ୍‌ ସ୍କିମରେ ରଖିବ ତେବେ କମ୍‌ ହାରରେ ସୁଧ ପାଇଲେ ମଧ୍ୟ ତା’ର କୌଣସି କ୍ଷତି ହୁଅନ୍ତା ନାହିଁ । ମାତ୍ର ଯେ ଋଣ କରୁଛି, ସେ ଅଧିକ ସୁଧ ଦେଲେ ଦେବାଳିଆ ହୋଇଯିବା ସ୍ଵାଭାବିକ । ଟଙ୍କା ଲଗାଣକାରୀ ତ କେବେହେଲେ ଦେବାଳିଆ ହୋଇ ଯିବନି ।

 

ଲୋକଙ୍କ ବଳକା ଧନ ଉପରେ ଅଧିକ ସୁଧ ଦେବା ଅର୍ଥ ଝିଣ୍ଟିକା ମାରି ବଣି ପୋଷିବା ନୀତି ।

ଶିଳ୍ପ ଓ ବ୍ୟବସାୟ-ବାଣିଜ୍ୟ ବିଦେଶୀ ଲୋକଙ୍କ ହାତରେ ରହିଲେ ସେମାନେ ମଧ୍ୟ ଦିନେ ଏ ଦେଶର ଶାସନ କ୍ଷମତା ଦଖଲ କରି ନେଇ ପାରିବେ, ଯେପରି ଇଷ୍ଟ ଇଣ୍ଡିଆ କମ୍ପାନୀ କରିପାରିଥିଲା ।

 

(୯) ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ ଏବଂ କୃଷି ଜାତ ଦ୍ରବ୍ୟର ମୂଲ୍ୟ ମଧ୍ୟରେ ଭାରସାମ୍ୟ ରକ୍ଷା :

 

ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ସରକାର ଦେଶର ପ୍ରବୀଣ ଲୋକଙ୍କୁ ନିଯୁକ୍ତ କରି ପ୍ରତ୍ୟେକ ଛୋଟ ଓ ବଡ଼ ଶିଳ୍ପଜାତ ଦ୍ରବ୍ୟର ଦର ଠିକ୍‌ କେତେ ହେବା ଉଚିତ ତା’ ସ୍ଥିର କରି ଦିଅନ୍ତୁ ।

 

ଫ୍ୟାକ୍ଟରୀରେ ଉତ୍ପାଦିତ ଜିନିଷ ଉପରେ ଉତ୍ପାଦନକାରୀ (ମାଲିକ ବା କମ୍ପାନୀ) ମାତ୍ର ୧% ଲାଭ ରଖିବେ ଏବଂ ବ୍ୟବସାୟୀ ବା ଏଜେଣ୍ଟମାନେ ସମସ୍ତେ ମିଶି ମାତ୍ର ୨% ଲାଭ ନେଇପାରିବେ । ୟାଠୁ ଅଧିକ ନେଲେ ଦଣ୍ଡ ପାଇବେ ।

 

ଖୋଦ୍‌ ସରକାର ଖଣ୍ଟଗିରି ବା ତଣ୍ଟିଚିପା ନୀତି ପ୍ରତ୍ୟାହାର କରି ନେଇ ଖାଉଟିଙ୍କୁ ବଞ୍ଚାନ୍ତୁ ।

 

ରାଜନୈତିକ ଦଳ ଓ ବ୍ୟକ୍ତିଙ୍କୁ କମ୍ପାନୀମାନେ ସିଧାସଳଖ ଯେଉଁ ଚାନ୍ଦା ଦେଉଛନ୍ତି, ସେ ଚାନ୍ଦା ବାବଦ ଟଙ୍କାକୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଜିନିଷ ଉପରେ ଯୋଡ଼ି ବିକ୍ରୟ କରିବା ଫଳରେ ପ୍ରକୃତରେ ଉକ୍ତ ଚାନ୍ଦା ବାବଦ ଟଙ୍କାକୁ ଖାଉଟିମାନଙ୍କ ଠାରୁ ଆଦାୟ କରାଯାଉଛି ।

 

(୧୦) ରପ୍ତାନୀ ନୀତି ପ୍ରଣୟନ ଏବଂ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ର ଜିନିଷ ଉତ୍ପାଦନ :

 

ଆମେ ଯଦି ଖଣିଜ ଦ୍ରବ୍ୟକୁ ବିଦେଶକୁ ରପ୍ତାନୀ କରି ବାହାଦୁରି ନେଉ, ତେବେ ସେ ପ୍ରକାର ରପ୍ତାନୀକୁ ମୂର୍ଖାମି ବା ବୋକାମି ବୋଲି କୁହାଯିବ ।

 

ଯେଉଁଠୁ ଲୁହାପଥର ପରି ମୂଲ୍ୟବାନ୍‍ ଧାତୁ କିମ୍ବା କୌଣସି ମୂଲ୍ୟବାନ୍‍ ଖଣିଜ ସମ୍ପଦ ଥିବା ପଥର ଖୋଳା ହୋଇଗଲା ସେ ସ୍ଥାନଟି ଚିରଦିନ ପାଇଁ ଖାଲି ରହିଲା । ସୁତରାଂ ଖଣିଜ ଦ୍ରବ୍ୟକୁ ଦେଶ ବାହାରକୁ ରପ୍ତାନୀ କରିବା ଦେଶବାସୀଙ୍କ ନିମନ୍ତେ ଏକ ମହାନ୍‌ ଧୋକାବାଜି ଓ ପ୍ରତାରଣା । ଲକ୍ଷ୍ମୀଛଡ଼ା ନ ହେଲେ ଏପରି କୌଣସି ଦେଶର ଲୋକେ କରନ୍ତି ନାହିଁ ।

 

ଖଣିଜ ପଦାର୍ଥକୁ ଜମିର ଫସଲ ବିଚାରିବା ହେଉଛି ଗଜ-ମୂର୍ଖାମି ।

 

ଖଣି ତ ଜମି ବା ଜଙ୍ଗଲ ନୁହେଁ ଯେ, ସେଠୁ ଆଜି ଯା ବାହାରିଗଲା କାଲି ପୁଣି ସେହି ଖାଲି ଜାଗାରେ ନୂଆ ଫସଲ, ନୂଆ ଫଳ ଫଳିବ ?

 

ଭାରତୀୟ ଷ୍ଟାଣ୍ଡାର୍ଡ଼ କହିଲେ ପୃଥିବୀ ବଜାରରେ ହାସ୍ୟାସ୍ପଦ ହେବାକୁ ପଡ଼ିଥାଏ । ଆମ ଦେଶବାସୀ ମଧ୍ୟ Made in India ଲେଖାଥିବା ଜିନିଷ କିଣନ୍ତି ନାହିଁ ।

 

ଆମ ଦେଶରେ ଯେଉଁ କାଗଜର ଦାମ କିଲୋପ୍ରତି ଟ୨୩ ରୁ ଟ୩୨ ସେଇ କାଗଜର ଦର ବାହାର ଦେଶରୁ ଆଣିଲେ କିଲୋପ୍ରତି ଟ୧୩ ରୁ ୧୫ଟଙ୍କା ମଧ୍ୟରେ ।

 

କାଗଜ ରିମ୍‌ ଉପରେ ଲେଖା ହୋଇଥିବ White Print; ମାତ୍ର ଦେଖାଯାଉଥିବ କସରା ମାଟିଆ ରଙ୍ଗ ।

 

ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟମାନେ ଏ ଦେଶର ଲୋକଙ୍କୁ ଆଉ ମଣିଷ ଜ୍ଞାନ କରୁ ନାହାନ୍ତି-। ସତେ ଅବା ଦେଶବାସୀ ତାଙ୍କ କ୍ରୀତଦାସ ଓ ଦୟାର ପାତ୍ର । ଆମେମାନେ ମଧ୍ୟ ଆଇନର ଅଙ୍କୁଶ ଭୟରେ ଗଧ ପାଲଟି ଯାଇଛୁ ।

 

ଦେଶର ସମସ୍ତ ଟେରୋରିଷ୍ଟ ମିଶି ସାରା ବର୍ଷ ଭିତରେ ୩୦୦୦ ରୁ ୪୦୦୦ ଲୋକଙ୍କୁ ମାରି ପାରୁଛନ୍ତି; ମାତ୍ର ଯେଉଁମାନଙ୍କ କଥା କହିଲି ସେମାନେ ପ୍ରତି ମୁହୂର୍ତ୍ତରେ କୋଟି କୋଟି ଲୋକଙ୍କ ତଣ୍ଟିରେ ଛୁରି ଭୁଷୁଛନ୍ତି ।

 

ବଡ଼ ବଡ଼ ଇଣ୍ଡଷ୍ଟ୍ରିୟାଲିଷ୍ଟମାନେ ଦେଶ ସ୍ଵାଧୀନ ହେବା ପରଠାରୁ ଏକ ଟଙ୍କାକୁ ଏକକୋଟି ଟଙ୍କାରେ ପରିଣତ କରି ପାରିଛନ୍ତି । ମାତ୍ର ସେ ସବୁ ଟଙ୍କା ଆମ ଦେଶର ଗରିବ, ନିରସ୍ତ୍ର, ଗଧ ସଦୃଶ ମୂକ ମାନବର ଲୁହ ଲହୁ ଓ ରକ୍ତ ମାଂସର ସାରାଂଶ ମାତ୍ର ।

 

(୧୧) ସରକାରୀକରଣ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ :

 

ସରକାରୀକରଣ ଶିଳ୍ପ, ବ୍ୟବସାୟରେ ହେଉଥିବା କ୍ଷତି ଭରଣା ପାଇଁ ସରକାର ଲୋକଙ୍କ ଉପରେ ଟିକସ ବସାଇ ସେ ଟିକସ ଟଙ୍କାକୁ ନେଇ କ୍ଷତି ଘଟାଉଥିବା ଧବଳ ଚୋରଙ୍କୁ ପୋଷୁଛନ୍ତି ।

 

(୧୨) ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା :

 

ଶୁଦ୍ଧ ପାନୀୟ ଜଳର ବ୍ୟବହାର କରା ନ ଯିବା ହେତୁ ପ୍ରାୟ ଶତକଡ଼ା ୯୦ ଭାଗ ଲୋକଙ୍କୁ ଜଳଜାତ ରୋଗର ଶିକାର ହେବାକୁ ପଡ଼ିଥାଏ ।

 

(୧୩) ପରିବେଶ ସୁରକ୍ଷା :

 

‘ଜଳ’ ପରି ‘ବାୟୁ’ ମଧ୍ୟ ଆମର ଜୀବନ ଅଟେ । ପରିବେଶ ନିର୍ମଳ ରହିଲେ ବିଶୁଦ୍ଧ ବାୟୁ ମିଳିଥାଏ । ଏପରି ଶିକ୍ଷା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ ।

 

(୧୪) ଆମଦାନୀ କମ୍‌ କରିବା ଏବଂ ରପ୍ତାନୀ ବଢ଼ାଇବା :

 

ପେଟ୍ରୋଲ ଖର୍ଚ୍ଚ କମାଇବାକୁ ହେଲେ ଦେଶରେ ପେଟ୍ରୋଲ ଗାଡ଼ି ତିଆରି କମାଇବା ବା କିଛି ଦିନ ପାଇଁ ଗାଡ଼ି ତିଆରି ବନ୍ଦ କରାଯିବା ଉଚିତ ।

 

କେବଳ ରାଜଧାନୀ ଦିଲ୍ଲୀ ସହରରେ ଯେତିକି ପେଟ୍ରୋଲ ଖର୍ଚ୍ଚ (ଅପବ୍ୟୟ) ହେଉଛି ତାକୁ ନିୟନ୍ତ୍ରଣ କରାଯାଇ ପାରିଲେ ଆଶାତୀତ ଭାବେ ପେଟ୍ରୋଲ ବଞ୍ଚି ପାରନ୍ତା ।

 

ଯାତାୟତର ସୁବିଧା ପାଇଁ ପ୍ରଚୁର ବସ୍‌ ଚଳାଚଳ ଏବଂ ସହର ଭିତରେ ଥିବା ଲମ୍ବା ଲମ୍ବା ରାସ୍ତାରେ ଟ୍ରାମ ଚାଲନ୍ତା । ଟ୍ରାମ ଚାଲିଲେ ପେଟ୍ରୋଲ ଖର୍ଚ୍ଚ ବନ୍ଦ ହୋଇ ଯାଆନ୍ତା । ରାସ୍ତାରେ ଅଯଥା କାର୍‌, ସ୍କୁଟର ଭିଡ଼ ହୁଅନ୍ତା ନାହିଁ । ଏବଂ ପରିବେଶ ପ୍ରଦୂଷଣ ହୁଅନ୍ତା ନାହିଁ ।

 

(୧୫) ଟଙ୍କାର ମୂଲ୍ୟ ବଢ଼ାଇବା :

 

ଦେଶ ସ୍ଵାଧୀନ ହେବାବେଳେ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ୪ ଟଙ୍କା ଥିଲା ଏବଂ ପାଉଣ୍ଡର ମୂଲ୍ୟ ପ୍ରାୟ ୭ ଟଙ୍କା ଥିଲା । ମାତ୍ର ଦେଶ ସ୍ଵାଧୀନ ହେବା ପରେ ଆଜି ଡଲାରର ମୂଲ୍ୟ ଟ୨୬ ଓ ପାଉଣ୍ଡର ମୂଲ୍ୟ ଟ୪୦ ।

 

ବିଦେଶୀ ଶାସନବେଳେ ଟଙ୍କାର ମୂଲ୍ୟ ବରଂ ଭଲ ଥିଲା । ଦେଶ ସ୍ଵାଧୀନ ହେବା ପରେ ଆମର ଆର୍ଥିକ ମାନଦଣ୍ଡ ନିମ୍ନଗାମୀ ହୋଇଯାଇଛି ।

 

ଦେଶର ଋଣଭାର ଚରମ ସୀମାରେ ପହଞ୍ଚି ଯାଇଛି । ଏପରିକି ସୁଧ ପରିଶୋଧ କରିବା ପାଇଁ ପଇସା ନଥିବା ହେତୁ ପୁନରାୟ ଅପମାନ ସୂଚକ ଋଣ ଆଣି ସୁଧ ଦିଆଯାଉଛି । ଲକ୍ଷ୍ମୀଛଡ଼ା ନୀତି ଧରି ସରକାର ବାରମ୍ବାର ସୁନା ବିକୁଛନ୍ତି ଓ ବନ୍ଧା ପକାଉ ଅଛନ୍ତି ।

 

ମୋ ମତରେ ପୃଥିବୀ ଶ୍ରେଷ୍ଠ ଟେରୋରିଷ୍ଟମାନଙ୍କ ସହିତ ଆମ ଦେଶର ଅତି ବିଦ୍ୱାନ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ତୁଳନା କରାଯାଇ ପାରେ ।

 

ମୋ ମତରେ ‘ଟେରୋରିଷ୍ଟ’ର ସଂଜ୍ଞା ଏବେ ବଦଳି ଗଲାଣି । ରିଜର୍ଭବ୍ୟାଙ୍କ କର୍ମକର୍ତ୍ତା ଏବଂ ଅର୍ଥମନ୍ତ୍ରୀ ଏମାନେ ବର୍ତ୍ତମାନ ଦେଶର ୮୪ କୋଟି ଲୋକଙ୍କ ପାଇଁ ପ୍ରକୃତ ଟେରୋରିଷ୍ଟ ଅଟନ୍ତି ।

 

ଆଜି ଆମେ ଚିନ୍ତାଶୀଳ ବ୍ୟକ୍ତିମାନେ ଲେଖୁଛୁ ବା କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କୁ କଟୁ ସମାଲୋଚନା କରୁଛୁ କାହିଁକି ? ଯେହେତୁ ତ୍ରୁଟିପୂର୍ଣ୍ଣ ଆଇନ ଓ ବ୍ୟବସ୍ଥାକୁ ବଦଳାଇବା ପାଇଁ ଲୋକଙ୍କ ହାତରେ ପିସ୍ତଲ ନାହିଁ କିମ୍ବା ଲୋକେ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆବଶ୍ୟକୀୟ ଉପଦେଶ ଦେବାର ତାକତ୍‌ ମଧ୍ୟ ନାହିଁ ।

 

ଏପରିକି ନିଜେ ମନ୍ତ୍ରୀ ନିଜର ଟି.ଏ. ବିଲ ପାସ୍‍ କରାଇବା ପାଇଁ ଆକାଉଣ୍ଟସ୍‌ କ୍ଲର୍କଙ୍କୁ ଟିପ୍‌ସ୍‌ ଦେଇଥାନ୍ତି । ଏହାଠାରୁ ବଳି ଲଜ୍ଜାଜନକ କଥା କ’ଣ ବା ଥାଇପାରେ ?

 

(୧୬) ଦେଶରକ୍ଷା ପାଇଁ ଉପଯୁକ୍ତ ଶକ୍ତି ସଂଗ୍ରହ :

 

ଦେଶରକ୍ଷା ପାଇଁ ଲୋକେ ସବୁକିଛି ତ୍ୟାଗ ସ୍ଵୀକାର କରିବାକୁ ପ୍ରସ୍ତୁତ ହେବେ ଏଥିରେ ସନ୍ଦେହ ନାହିଁ । ମାତ୍ର ଆମକୁ ଦରକାର ପରମାଣୁ ଅସ୍ତ୍ର ।

 

(୧୭) ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରିବା :

 

ଶିଳ୍ପପତିମାନେ ପଲିଟିକାଲ ଲୋକଙ୍କୁ ଚାନ୍ଦା ଦେଇ ତାଙ୍କ ଜିନିଷ ଦାମ ମନକୁ ମନ ବଢ଼ାଇ ଚାଲୁଛନ୍ତି ।

 

ଶିଳ୍ପପତିମାନେ ତାଙ୍କ ଦ୍ୱାରା ଉତ୍ପାଦିତ ୫ ଟଙ୍କାର ଜିନିଷ ଉପରେ ୨୫ ଟଙ୍କା ଦାମ ଛପାଇ ଦେଉଛନ୍ତି ।

 

ପ୍ରତ୍ୟେକ ଇଣ୍ଡଷ୍ଟ୍ରିୟାଲ ପ୍ରଡ଼କ୍ଟର ମୂଲ୍ୟ ସରକାରୀ ଏବଂ ବେସରକାରୀ ଏକ୍ସପାର୍ଟମାନେ ମିଶି ଯା ସ୍ଥିର କରିବେ ତାହାହିଁ ଦ୍ରବ୍ୟଉପରେ ଛପାଯିବ । ମିଲ ମାଲିକମାନେ ମନକୁ ମନ କୌଣସି ଜିନିଷର ଦର ଛପାଇ ପାରିବେ ନାହିଁ ।

(୧୮) ବାର୍ଷିକ ବଜେଟ ନୀତି :

ତ୍ରୁଟିପୂର୍ଣ୍ଣ ବଜେଟ କଳାବଜାରୀଙ୍କୁ ସାହାଯ୍ୟ କରୁଛି । ତେଣୁ ଖୋଦ୍‌ ସରକାର ବା ବଜେଟ୍‌ ମନ୍ତ୍ରୀ ନିଜେ ହେଉଛନ୍ତି କଳାବଜାରୀମାନଙ୍କର ପୃଷ୍ଠପୋଷକ, ସହାୟକ ଏବଂ ଉତ୍ସାହ ଦାତା ।

ସରକାର ଲୋକଙ୍କ ଦ୍ୱାରା ଗଠିତ ସତ; ମାତ୍ର ସରକାର ଆଉ ଲୋକଙ୍କର ହୋଇ ରହିନି । କେବଳ ମୂର୍ଖ, ନୀତିହୀନ, ବୋକା ନେତା ଓ ସେହିପରି କେତେକ ସରକାରୀ କର୍ମଚାରୀ ତଥା ବଡ଼ ବଡ଼ ପୁଞ୍ଜିପତି ଏବଂ ବ୍ୟବସାୟୀଙ୍କର ସରକାର ଏ ଦେଶରେ ଚାଲିଛି ।

(୧୯) ପେଟ୍ରୋଲିୟମ ପଦାର୍ଥ ବ୍ୟବହାରରେ ସଞ୍ଜମ ଏବଂ ଆତ୍ମନିର୍ଭରଶୀଳ ହେବା :

ଜଣେ ଲୋକ ଯଦି ପ୍ରତି ୧୦/୧୫ କିଲୋମିଟର ରାସ୍ତା ଯିବା ପାଇଁ ୧ ଲିଟର ପେଟ୍ରୋଲ ପୋଡ଼େ ତା’ ଦେଶବାସୀଙ୍କ ପାଇଁ ଗୋଟିଏ ଆତ୍ମଘାତୀ କାର୍ଯ୍ୟ ନୁହେଁ କି ?

ଜଣେ ପଇସା ବଳରେ ବାରେଲ୍‌ ବାରେଲ୍‌ ପେଟ୍ରୋଲ ତା’ ଜୀବଦ୍ଦଶାରେ କିଣି ପୋଡ଼ି ଦେଇ ପାରେ; ମାତ୍ର ସେ ତା’ ଜୀବଦ୍ଦଶାରେ ବୁନ୍ଦାଏ ପେଟ୍ରୋଲ ତା’ ଜମିରୁ ବା ତା’ କାରଖାନାରୁ ଅର୍ଜନ କରିପାରିବାର ଶକ୍ତି ନାହିଁ ।

 

(୨୦) ଭୋଟ ପ୍ରଥା ଓ ରାଜନୈତିକ ଦଳଙ୍କୁ କମ୍ପାନୀ ଚାନ୍ଦା :

 

ପଲିଟିକାଲ ଦଳର କୌଣସି ବ୍ୟବସାୟ ବାଣିଜ୍ୟ ବା ଶିଳ୍ପକାରଖାନା ନାହିଁ । ମାତ୍ର ଭୋଟ ପ୍ରଚାର ପାଇଁ ତାଙ୍କ ହାତକୁ ଏତେ ଧନ ଆସେ କେଉଁଠୁ ?

 

ପଲିଟିକାଲ ପାର୍ଟିଙ୍କୁ କମ୍ପାନୀମାନେ ଯେଉଁ ମୋଟା ଅଙ୍କରେ ଚାନ୍ଦାଭେଦା, ଦାନ ଦକ୍ଷିଣା ଦିଅନ୍ତି, ସବୁ ପରୋକ୍ଷରେ ଆଦାୟହୁଏ ଆମରିମାନଙ୍କ ଭଳି ନିରୀହ ଖାଉଟିମାନଙ୍କଠାରୁ ଶିଳ୍ପଜାତ ଦ୍ରବ୍ୟ ଉପରେ ଅତିରିକ୍ତ ଦରବୃଦ୍ଧି କରାଯାଇ ।

 

ସର୍ବସାଧାରଣଙ୍କ ତରଫରୁ ଆମର ପ୍ରଥମ ଦାବି ହେଲା ପ୍ରଥମେ ପାର୍ଟିଚାନ୍ଦା ବେଆଇନ କରାଯାଉ ।

 

ଅନ୍ୟ ଦାବି ହେଲା, ଇଲେକ୍‌ସନ ନୀତି ବଦଳୁ, ଯେପରି କୌଣସି ପ୍ରାର୍ଥୀଙ୍କୁ ଏବଂ କୌଣସି ଦଳଙ୍କୁ ଭୋଟ ଲଢ଼େଇରେ ପଇସାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ନପଡ଼େ ।

 

(୨୧) ଅକ୍‌ଟ୍ରାଇ ଏବଂ ସେଲ୍‌ଟ୍ୟାକ୍ସ ଆଦାୟ ବନ୍ଦ କରିବା :

 

ସେଲ୍‍ଟ୍ୟାକ୍ସ ଆଦାୟରେ ଡିଲର ଅର୍ଥାତ୍‌ ବ୍ୟବସାୟୀଙ୍କୁ ସମ୍ପୃକ୍ତ କରାଯିବା ହେତୁ ଉଭୟେ ବ୍ୟବସାୟୀ ଏବଂ ସେଲ୍‌ଟ୍ୟାକ୍ସ ଡିପାର୍ଟମେଣ୍ଟର ଲୋକମାନେ ମିଳିମିଶି ଟିକସ୍‌ର ଅର୍ଦ୍ଧାଧିକ ମାରି ନେଉଛନ୍ତି ।

 

ଗୋଟିଏ ଦେଶ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ଜିନିଷ ଉପରେ ଓଡ଼ିଶାରେ ୧୬% ବିକ୍ରିକର ହେଉଥିବା ବେଳେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ୩% । ଏହା ଫଳରେ ଓଡ଼ିଶା ଖରଦିଦାର ଯାଇ ଆନ୍ଧ୍ରରୁ ଜିନିଷ କିଣି ଆଣୁଛି ।

(୨୨) ଏମ୍‌.ପି. ଏବଂ ଏମ୍‌.ଏଲ୍‌.ଏ.ଙ୍କ ଦରମା ଭତ୍ତା ଓ ପେନ୍‌ସନ୍‌ ନୀତି :

ଲୋକ ପ୍ରତିନିଧିମାନଙ୍କୁ ଉଚ୍ଚ ହାରରେ ଦରମା ମିଳିବା ଉଚିତ; ମାତ୍ର ଜଣକୁ ଅତି କମରେ ୫୫ ବର୍ଷ ନହେବାଯାଏ ସେ ପେନ୍‌ସନ୍‌ ପାଇବା ଅନୁଚିତ ।

ଜଣେ ଜଣେ ଲୋକ ପ୍ରତିନିଧି ପାଞ୍ଚବର୍ଷ ସର୍ଭିସ ଦେବା ପରେ ପେନ୍‌ସନ୍‌ ପାଇଲେ ସେମାନେ ପ୍ରାୟ ୩୦ ରୁ ୫୦ ବର୍ଷ ଧରି ପେନ୍‌ସନ୍‌ ପାଇ ଚାଲିବେ । ଫଳରେ ୫୦ ବର୍ଷ ବେଳକୁ ପେନ୍‌ସନ୍‌ ଖାତାରେ ୫୦,୦୦୦ ପଲିଟିକାଲ୍‌ ପେନ୍‌ସନଭୋଗୀଙ୍କ ନାମ ତାଲିକାଭୁକ୍ତ ହୋଇଯାଇଥିବ ।

ବିଧାୟକମାନେ ଗୃହରେ ନିଜର ଦରମା ନିଜେ ଏବଂ ନିଜର ପେନ୍‌ସନ୍‌ ନୀତି ନିଜେ ସ୍ଥିର କରାଇ ନେବା ଏକାବେଳେକେ ଅନ୍ୟାୟ ।

(୨୩) ଚାକିରିରେ ସଂରକ୍ଷଣ ବ୍ୟବସ୍ଥା :

ଚାକିରିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କେବଳ ଆର୍ଥିକ ଦୁର୍ବଳ ଲୋକଙ୍କୁ ଦିଆଯିବା ଉଚିତ ହେବ । ମାତ୍ର ପ୍ରମୋସନ୍‍ ବା ପଦୋନ୍ନତିବେଳେ ସଂରକ୍ଷଣ ବ୍ୟବସ୍ଥା ଆଦୌ ଲାଗୁ ନ ହେବା ଦରକାର ।

 

ସେହି ‘ଜାତି ପ୍ରଥା’ ଆଜି ଦେଶରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ଦୁଇଟା ଶ୍ରେଣୀ ସୃଷ୍ଟି କଲାଣି । ଏହା କିନ୍ତୁ ଦେଶର ଭବିଷ୍ୟତ ପାଇଁ ଆଦୌ ଶୁଭଜନକ ନୁହେଁ । ଉଚ୍ଚ ଜାତିରେ ଜନ୍ମ ହେବାଟା କ’ଣ ପାପ ? ବିଧାୟକମାନଙ୍କ ହୃଦୟ ଥିଲେ, ହୃଦୟରେ ସ୍ପନ୍ଦନ ଥିଲେ, ବୁଦ୍ଧି ଓ ବିବେକ ଘରେ ତାଲା ପଡ଼ି ନଥିଲେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ ।

 

(୨୪) ସମ୍ବିଧାନ ସଂଶୋଧନ ଏବଂ ସଂଶୋଧିତ ସମ୍ବିଧାନ :

 

ଏପରି ବ୍ୟବସ୍ଥା ରଖା ଯାଆନ୍ତା ଯେପରି ସମ୍ବିଧାନ ସଂଶୋଧନର ଚିଠା ପ୍ରସ୍ତାବ ପ୍ରଥମେ ସର୍ବସାଧାରଣଙ୍କ ଅନୁମୋଦନ ବିନା ଗ୍ରହଣ କରାଯାଇ ପାରନ୍ତା ନାହିଁ ।

 

ଆଜିକାଲି ବିଲ୍‌ ପାସ୍‍ ହୋଇ ତାହା କାର୍ଯ୍ୟକାରୀ ହେଲାବେଳକୁ ଲୋକେ ତା’ର ଭଲମନ୍ଦ ବିଷୟ ଉପଲବ୍ଧି କରୁଛନ୍ତି, ଯେତେବେଳେ କାହାରି କିଛି କହିବାର ବା କରିବାର ଉପାୟ ନଥାଏ ।

 

ବାସ୍ତବିକ୍‌ ପାର୍ଲାମେଣ୍ଟ ଏବଂ ଆସେମ୍ଲିମାନଙ୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେଉଛି ତାହା ଗୃହୀତ ହେବା ଆଗରୁ ଜନ ସମର୍ଥନ ହାସଲ କରିପାରୁନି, ଏହା ହିଁ ଅତି ଦୁଃଖର କଥା ।

 

କେବଳ ଜଣେ ମନ୍ତ୍ରୀଙ୍କ ହୁଇମ୍‌ ହିଁ ଗୃହରେ ଗୃହୀତ ହୋଇ ଯାଉଛି ଏବଂ ତାକୁ ଦେଶର ୮୪ କୋଟି ଲୋକଙ୍କ ମୁଣ୍ଡରେ ଜବରଦସ୍ତ ଲଦି ଦିଆଯାଉଛି ।

 

ଏକଥା ବିଚାରିବା ଉଚିତ ନୁହେଁ ଯେ, କେବଳ ଏମ୍‌.ଏଲ୍‌.ଏ. ଏବଂ ଏମ୍‌.ପି.ଙ୍କୁ ବାଦ୍‌ ଦେଲେ ଏ ଦେଶରେ ତାଙ୍କଠୁ ଆଉ ଅଧିକ ଜ୍ଞାନୀ, ବୁଦ୍ଧିମାନ୍‌ ବ୍ୟକ୍ତି କେହି ନାହାନ୍ତି ।

 

ହେ, ଗଣତନ୍ତ୍ର ରାଷ୍ଟ୍ରର ଗଣଜୟୀ ମନ୍ତ୍ରୀବର ! ତୁମେ ପୂର୍ବକାଳର ଜବନ ରାଜାଙ୍କ ଭଳି ଯେପରି କେତେବେଳେ ଚମଡ଼ାରେ ଟଙ୍କା ପ୍ରଚଳନ ନକର ବା ରାଜଧାନୀକୁ ଦିଲ୍ଲୀରୁ ଦୌଲତାବାଦକୁ ଉଠାଇ ନ ନିଅ ।

 

(୨୫) ରାଜ୍ୟମାନଙ୍କୁ ଅଧିକ କ୍ଷମତା ପ୍ରଦାନ ଏବଂ କେନ୍ଦ୍ରର କ୍ଷମତା ସଂକୋଚନ :

 

ଦେଶବାସୀଙ୍କ ଉପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟଙ୍କର ଜୁଲମ୍‌ ଚାଲିଛି ।

 

ମାଟିତଳୁ ଯଦି ସୁନା ବାହାରେ ବା ମୂଲ୍ୟବାନ୍‌ ଦ୍ରବ୍ୟ ବାହାରେ ତେବେ ତାକୁ କେନ୍ଦ୍ର ସରକାର ନେଇ ଯାଆନ୍ତି । ରାଜ୍ୟର ଅଧିକାର ସୀମିତ । କେବଳ କୁକୁରକୁ ଶୁଖିଲା ରୁଟି ଦେଲାପରି କିଛି ସାମାନ୍ୟ ରୟେଲ୍‌ଟି ଦିଆଯାଏ ।

 

(୨୬) ସନ୍ତ୍ରାସବାଦ କାର୍ଯ୍ୟକ୍ରମର ମୂଳୋତ୍ପାଟନ :

 

ପ୍ରଚଳିତ ଆଇନ, ପ୍ରଚଳିତ ଶାସନ ବ୍ୟବସ୍ଥାରେ ଯଦି କେହି ଅସନ୍ତୁଷ୍ଟ ହୁଏ ଏବଂ ବିଚାରାଳୟରୁ ଅଳ୍ପ ସମୟ ମଧ୍ୟରେ ନ୍ୟାୟ ନ ପାଏ ତେବେ ସେ ଅନ୍ୟ ଉପାୟ ନ ଦେଖି ସନ୍ତ୍ରାସବାଦୀ ସାଜେ ।

 

‘ସନ୍ତ୍ରାସବାଦ’ଟି ହେଉଛି ଅନ୍ୟାୟ, ଅବିଚାର, ଅତ୍ୟାଚାର ଏବଂ କୁଶାସନ ବିରୁଦ୍ଧରେ ସଚେତନ ମାନବର ଏକ ‘ସାମାନ୍ୟ ବିସ୍ଫୋରଣ’ ମାତ୍ର ।

 

ଦେଶ ଶାସନରେ ଓ ଶାସନ କଳରେ ଦୁର୍ନୀତି, ଅନ୍ୟାୟ, ତ୍ରୁଟିପୂର୍ଣ୍ଣ ଆଇନ, ତ୍ରୁଟିପୂର୍ଣ୍ଣ ଅର୍ଥ ବ୍ୟବସ୍ଥା, ବିଚାର ବିଳମ୍ବ, ସଂରକ୍ଷଣ ବ୍ୟବସ୍ଥା, ସରକାରୀ କର୍ମଚାରୀଙ୍କୁ ଅଧିକ କ୍ଷମତା ପ୍ରଦାନ, ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିମାନଙ୍କୁ ଅଧିକ ସ୍ଵାତନ୍ତ୍ର୍ୟତା ପ୍ରଦାନ ଏବଂ ସେମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ, ଏକା ଦେଶର ନାଗରିକ ହୋଇ ପରସ୍ପରର ଆୟରେ ଅତ୍ୟଧିକ ତାରତମ୍ୟ, ବଡ଼ ବଡ଼ ବ୍ୟବସାୟୀ ଓ ଇଣ୍ଡଷ୍ଟ୍ରିୟାଲିଷ୍ଟମାନଙ୍କର ମନମୁଖୀ ଲାଭଖୋର ନୀତି ଯେତିକି ଯେତିକି ବଢ଼ିବ, ଉଗ୍ରପନ୍ଥୀଙ୍କ ସଂଖ୍ୟା ବି ସେତିକି ସେତିକି ବଢ଼ୁଥିବ ।

 

(୨୭) ଶ୍ରମିକ ନୀତି :

 

ଆମ୍ଭର ପ୍ରସ୍ତାବିତ ଶ୍ରମିକନୀତି କାର୍ଯ୍ୟକାରୀ ହେଲେ କୌଣସି କାରଖାନାରେ ଧର୍ମଘଟ ହେବନାହିଁ କିମ୍ବା କାରଖାନାରେ ତାଲା ପଡ଼ିବ ନାହିଁ । ଫଳରେ ଟ୍ରେଡ଼ ଇଉନିୟନର କାର୍ଯ୍ୟକଳାପ ସୀମିତ ହୋଇଯିବ ।

 

(୨୮) ପରିବେଶ ନଷ୍ଟିକରଣରେ ଆଇନକର୍ତ୍ତାଙ୍କ ଯୋଗଦାନ ୧୦୯

 

ପାର୍ଲାମେଣ୍ଟ ମେମ୍ବରମାନଙ୍କ ତ୍ରୁଟି ଯୋଗୁ ଜଙ୍ଗଲ ନଷ୍ଟ

 

ସରକାରୀ ପ୍ରକାଶନ ସଂସ୍ଥା ତଥା ସମ୍ବାଦପତ୍ର ସଂସ୍ଥାମାନଙ୍କ ଦ୍ୱାରା ପରିବେଶ କ୍ଷୟ

 

ପରିବେଶ ଓ ମାନସିକ ସ୍ଥିତି

 

ମାନସିକ ପରିସ୍ଥିତିକୁ କଳୁଷିତ କରିବା ଦିଗରେ T.V., ସିନେମା ଏବଂ କଂସେଇଙ୍କ ଭୂମିକା

 

ବଣିଆମାନଙ୍କ ଦ୍ୱାରା ସହରର ସାଇ ବସ୍ତି ପ୍ରଦୂଷଣ

 

(୨୯) ମତାମତ :

 

ଏ ପୁସ୍ତକର ଲେଖକ ଶ୍ରୀ ନବକିଶୋର ମହାପାତ୍ରଙ୍କ ସଂକ୍ଷିପ୍ତ ପରିଚୟ ଲେଖିଛନ୍ତି ଚୌଧୁରୀ ବିମ୍ବାଧର ଦକ୍ଷିଣରାୟ ମହାପାତ୍ର ବୀରବର୍ମା ।

 

ବଂଶ ପରିଚୟ

 

ଦୂରଦ୍ରଷ୍ଟା, ଚିନ୍ତକ, ଲେଖକ ଓ ସଂସ୍କାରକ, ସାମ୍ବାଦିକ, ବିଜ୍ଞାନ ଏବଂ କାରିଗରୀ କଳା ।

 

ଆସନ୍ତା କାଲିର ଚିନ୍ତା

 

ଗୋଟିଏ ଜେନେରାଲ ଇଲେକ୍‌ସନ୍ ଜିଣିବା ପାଇଁ ସାରା ଦେଶର ରାଜନୈତିକ ଦଳ ସମୂହ ଯେତିକି ସମୟ, ଶ୍ରମ, ବୁଦ୍ଧି-ବିବେକ ଏପରିକି ନୀତି ଅନୀତିର ଆଶ୍ରୟ ନେଉଛନ୍ତି ଏବଂ କେତେଜଣ ନେତାଙ୍କୁ ବାଛିବା ପାଇଁ ଦେଶବାସୀ ଯେପରି ପ୍ରାୟ ମାସଟିଏ ପାଇଁ କର୍ମତତ୍ପର ହୋଇପଡ଼ୁଛନ୍ତି, ଯଦି ସେହିପରି ଭାବରେ ଦେଶର ବିଭିନ୍ନ ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ମନଧ୍ୟାନ ଦେଇ କାମ କରନ୍ତେ, ତେବେ ମୋର ମନେହୁଏ ମାତ୍ର ୫ବର୍ଷ ଭିତରେ ଭାରତ ଜଗତ୍‌ବାସୀଙ୍କ ପାଖରେ ନିଜକୁ ପୃଥିବୀର ଏକ ‘ନମ୍ବର ଓ୍ୱାନ୍‌’ ଦେଶ ରୂପେ ପ୍ରତୀୟମାନ କରିପାରନ୍ତା ।

 

ମାତ୍ର ଦୁଃଖର କଥା, ଦେଶ ଆଗରେ ଦିନକୁ ଦିନ ସମସ୍ୟାମାନ ଜଟିଳରୁ ଜଟିଳତର ହୋଇ ଉଠୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ କେବଳ କ୍ଷମତା ପାଇଁ ଲଢ଼େଇ କରୁଛନ୍ତି । ଆଜି ଦେଶର ରାଜନୀତି ରାଜନୈତିକ ନେତୃବୃନ୍ଦଙ୍କ ନିମନ୍ତେ ସତେ ଯେପରି ଗୋଟିଏ ବ୍ୟବସାୟରେ ପରିଣତ ହୋଇଯାଇଛି । ରକ୍ତପାତ, ପ୍ରିୟାପ୍ରୀତି, ବ୍ୟକ୍ତିଗତ ସୁବିଧା, ସାମ୍ପ୍ରଦାୟିକତା, ଜାତିଆଣାନୀତି ବର୍ତ୍ତମାନ ରାଜନୀତିର ମୁଖ୍ୟ ଧାରା ରୂପେ ଦଣ୍ଡାୟମାନ ।

 

ତେଣୁ, ନିର୍ବାଚିତ ସମସ୍ତ ଲୋକପ୍ରତିନିଧିଙ୍କୁ ଏତଦ୍ୱାରା ଅନୁରୋଧ କରିବି ଯେ, ସେମାନଙ୍କୁ ଲୋକେ ଯେଉଁ ଭାବରେ ଆଶାୟୀ ହୋଇ ନିର୍ବାଚିତ କରି ଅଛନ୍ତି, ସେହିପରି ସେମାନେ ଦିଲ୍ଲୀର ପାର୍ଲାମେଣ୍ଟ ଗୃହ ଏବଂ ଦିଲ୍ଲୀର ବିଶାଳତା ପାଖରେ ନିଜକୁ ହୀନ କରି ନ ଦେଇ, ଥରେ ନୁହେଁ ବାରମ୍ବାର ନିଜ ନିଜର ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅବସ୍ଥାକୁ ସେହି ଦିଲ୍ଲୀ ନଗରବାସୀଙ୍କ ସହିତ ତୁଳନା କରନ୍ତୁ ଏବଂ ସାଧାରଣ ଲୋକଙ୍କର ଦୁରବସ୍ଥା କିପରି ସୁଧୁରିପାରିବ ସେ ବିଷୟରେ ଦିନରାତି ଚିନ୍ତା କରନ୍ତୁ । କାରଣ ଆପଣ ଶାସନ ଚେୟାରରେ ବସନ୍ତୁ ବା ବିରୋଧୀଦଳ ଚେୟାର ଗ୍ରହଣ କରନ୍ତୁ ପ୍ରଥମେ ଆପଣ ହେଉଛନ୍ତି ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରାୟ ୧୫ ଲକ୍ଷ ଲୋକଙ୍କର ପ୍ରତିନିଧି । ଅନ୍ୟ ସମୟରେ ନହେଲେ ମଧ୍ୟ ଏଇ ନିର୍ବାଚନ ସମୟରେ ତ ଥରେ ହେଲେ ଆପଣଙ୍କ ପାଦ ସେ ଭୂଇଁରେ ପଡ଼ୁଥିବ । ଜନ ଜୀବନ ଓ ସେମାନଙ୍କର ନାନା ସମସ୍ୟା ଏବଂ ଆର୍ଥିକ ଦୁରବସ୍ଥା ବିଷୟରେ ତ ଆପଣଙ୍କର ନିଶ୍ଚୟ ପ୍ରତ୍ୟକ୍ଷ ଧାରଣା ରହିଥିବ । ଆପଣ ସେଇମାନଙ୍କ ବିଷୟରେ ଦିନରାତି ଚିନ୍ତା କରନ୍ତୁ ଏବଂ ସେମାନଙ୍କ ଅବସ୍ଥାର ଉନ୍ନତି ଓ ସମସ୍ୟାର ସମାଧାନ କିପରି ହୋଇ ପାରିବ ସେ ବିଷୟରେ ଉପାୟ ଚିନ୍ତା କରନ୍ତୁ । ଦେଖିବେ ଆପଣଙ୍କୁ ମଧ୍ୟ ତା’ର ସମାଧାନ ରାସ୍ତା ଦେଖା ଦେବ ।

 

ଥରେ ମନ୍ତ୍ରୀ ହୋଇଗଲେ ବାସ୍ତବିକ୍‌ ଦୈନିକ ଏତେଗୁଡ଼ିଏ ଫାଇଲ କାମ କରିବାକୁ ପଡ଼ିଥାଏ ଯେ ସେ ସତେ ଯେପରି ଲକ୍ଷେ କିରାଣିଙ୍କର ହେଡ଼କିରାଣି ପାଲଟି ଯାଆନ୍ତି । କେବଳ କେତେକ ବ୍ୟୁରୋକ୍ରାଟ ଏବଂ ସୁବିଧାବାଦୀଙ୍କ ମେଳରେ ରହି ନିଜର କାର୍ଯ୍ୟକାଳ ବିତାଇ ଦିଅନ୍ତି । ପରେ ପୁଣି ମନ୍ତ୍ରୀପଦ ଚାଲିଗଲେ ନିଜ ଅଞ୍ଚଳର ଲୋକଙ୍କ କଥା ମନେ ପଡ଼େ । ଥରେ ଏମ.ପି. ହୋଇଗଲେ ଦୈନିକ ଏପରି ଗୁଡ଼ିଏ ଲୋକ ଆସି ଚାରିପାଖରେ ଘେରନ୍ତି ଯେପରି ରାଣୀ ମହୁମାଛି ରହୁଥିବା ମହୁଫେଣା ପାଖରେ ନପୁଂସକ ମହୁମାଛିମାନଙ୍କର ଭିଡ଼ ।

 

ଥରେ ଏମ.ପି. ହୋଇଗଲେ ଦେଶର ଓ ଦେଶବାସୀଙ୍କର ଶୁଭକାମନା କରିବା ଉଦ୍ଦେଶ୍ୟରେ ଯଦି ତାଙ୍କ ପାଖକୁ ଗୋଟିଏ ପରସେଣ୍ଟ ଲୋକ ଆସନ୍ତି, ଦେଶ ଓ ଦଶର କ୍ଷତି ଘଟାଇ ନିଜର ସ୍ଵାର୍ଥ ଏବଂ ସୁବିଧା ହାସଲ କରିବା ଓ ଫାଇଦା ଉଠାଇବାପାଇଁ ପ୍ରାୟ ୯୯ ପରସେଣ୍ଟ ଲୋକ ଆସି ତାଙ୍କ ଚାରିପଟେ ରୁଣ୍ଡ ହୁଅନ୍ତି ।

 

ମହୁମାଛି ମହୁସଂଗ୍ରହ କରି ଆଣି ମହୁଫେଣାରେ ରଖେ । ମାତ୍ର ଏମ୍‌.ପି. ଏବଂ ମନ୍ତ୍ରୀଙ୍କ ପାଖକୁ ଆସୁଥିବା ଲୋକେ ନିଜ ନିଜର ସ୍ଵାର୍ଥପାଇଁ ଏବଂ ନିଜର ସୁବିଧା ହାସଲ କରିବା ଉଦ୍ଦେଶ୍ୟରେ ଆସନ୍ତି । ବାସ୍ତବରେ ସେମାନେ ସଞ୍ଚୟ ନୁହେଁ ଶୋଷଣ ପାଇଁ ଆସିଥାନ୍ତି ।

 

ଯେପର୍ଯ୍ୟନ୍ତ ଆମର ଲୋକପ୍ରତିନିଧିମାନେ ଆମ ଲୋକଙ୍କର ଓ ଏ ଦେଶର ନାନାଦି ସମସ୍ୟା ପ୍ରତି ଧ୍ୟାନ ଦେଇ କାର୍ଯ୍ୟ ନ କରିବେ ଦେଶର ଅବସ୍ଥା ଦିନକୁଦିନ ରସାତଳକୁ ଯିବ ସିନା ଉନ୍ନତିର ଆଶା ନାହିଁ । ଦେଶବାସୀଙ୍କର ବହୁତ କିଛି ସମସ୍ୟା ରହିଛି । ମାତ୍ର ତା’ ମଧ୍ୟରୁ କେତୋଟି ପ୍ରଧାନ ସମସ୍ୟା ହେଲା:

 

(୧) ସୁରକ୍ଷା ଓ ନିରାପତ୍ତା (୨) ଖାନା, କପଡ଼ା, ମକାନ୍‌ ଅର୍ଜ୍ଜନପାଇଁ ଆର୍ଥିକ ସ୍ଵାଧୀନତା (୩) ପ୍ରତ୍ୟେକଙ୍କୁ ମାଗଣାରେ ଶିକ୍ଷା ଏବଂ ପାରଙ୍ଗମତାକୁ ପରୀକ୍ଷା କରି ଉପଯୁକ୍ତରୂପେ ଯୋଗ୍ୟ କରିବା ଓ କର୍ମନିଯୁକ୍ତି ବା ଆତ୍ମନିଯୁକ୍ତି ଦେବା । (୪) ଜାତୀୟ ଆୟର ସମବଣ୍ଟନ (୫) ଜାତି, ଧର୍ମ, ସମ୍ପ୍ରଦାୟ ଭିତ୍ତିକ ଆଇନର ମୂଳୋତ୍ପାଟନ (୬) କେବଳ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ (୭) ଶିଳ୍ପ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ (୮) ଋଣସଂସ୍ଥା ଓ ବ୍ୟାଙ୍କ ବ୍ୟବସାୟ ନୀତିର ପରିବର୍ତ୍ତନ (୯) ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ ଏବଂ କୃଷିଜାତ ଦ୍ରବ୍ୟର ମୂଲ୍ୟ ମଧ୍ୟରେ ଭାରସାମ୍ୟ ରକ୍ଷା (୧୦) ରପ୍ତାନୀ ଉପଯୋଗୀ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ର ଜିନିଷ ଉତ୍ପାଦନ ସାଙ୍ଗକୁ ପୃଥିବୀ ବଜାରରେ ତାହା ଯେପରି ଶସ୍ତା ହୋଇ ପାରିବ ସେ ଦିଗରେ କଡ଼ା ନଜର ଦେବା (୧୧) ସରକାରୀ କରଣ ବ୍ୟବସାୟ ବାଣିଜ୍ୟ ଏବଂ ଶିଳ୍ପ ଆଦିରେ କ୍ଷତି ହେଲେ ସେହି ଅନୁଷ୍ଠାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏବଂ କର୍ମକର୍ତ୍ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ଆଇନ ପ୍ରଣୟନ (୧୨) ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଏବଂ ଜଳର ବ୍ୟବହାର ଶିକ୍ଷା (୧୩) ପରିବେଶ ସୁରକ୍ଷା (୧୪) ଆମଦାନୀ କମ୍‌ କରିବା ଏବଂ ରପ୍ତାନୀ ବଢ଼ାଇବା । (୧୬) ଦେଶରକ୍ଷା ପାଇଁ ଉପଯୁକ୍ତ ଶକ୍ତି ସଂଗ୍ରହ କରିବା (୧୭) ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ କଡ଼ାକଡ଼ିଭାବେ ଏକ୍ସପାର୍ଟଙ୍କ ଦ୍ଵାରା ସ୍ଥିର କରିବା ଓ ନିୟନ୍ତ୍ରଣ କରିବା (୧୮) ବାର୍ଷିକ ବଜେଟ ନୀତି (୧୯) ପେଟ୍ରୋଲିୟମ ପଦାର୍ଥ ବ୍ୟବହାରରେ ସଂଯମ ଏବଂ ଆତ୍ମନିର୍ଭରଶୀଳ ହେବା । (୨୦) ରାଜନୈତିକ ଦଳଙ୍କୁ କମ୍ପାନୀ ଚାନ୍ଦା ଦେବା ବେଆଇନ ଘୋଷିତ ହେବା ଏବଂ ଇଲେକସନ ନୀତି ବଦଳାଇବା (୨୧) ଅକଟ୍ରାଇ ଓ ସେଲଟ୍ୟାକସ ଆଦାୟ ବନ୍ଦକରିବା । (୨୨) ଏମ୍‌.ପି. ଏବଂ ଏମ୍‌.ଏଲ.ଙ୍କ ଦରମା, ଭତ୍ତା ଓ ପେନ୍‍ସନ୍‌ ନୀତି ସ୍ଥିର କରିବା (୨୩) ଚାକିରିରେ ସୁରକ୍ଷା ବ୍ୟବସ୍ଥା (୨୪) ସମ୍ବିଧାନ ସଂଶୋଧନ ଏବଂ ସଂଶୋଧିତ ସମ୍ବିଧାନରେ ଥିବା ତ୍ରୁଟିକୁ ସୁଧାରିବା (୨୫) ରାଜ୍ୟମାନଙ୍କୁ ଅଧିକ କ୍ଷମତା ପ୍ରଦାନ ଏବଂ କେନ୍ଦ୍ରର କ୍ଷମତା ସଂକୋଚନ । (୨୬) ସନ୍ତ୍ରାସବାଦ କାର୍ଯ୍ୟକ୍ରମର ମୂଳୋତ୍ପାଟନ (୨୭) ଶ୍ରମିକ ନୀତି ପ୍ରଣୟନ ଇତ୍ୟାଦି ।

 

(୧)

ସୁରକ୍ଷା ଓ ନିରାପତ୍ତା

 

ଦେଶବାସୀଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ବାହାର ଶତ୍ରୁଠାରୁ ସ୍ଵଦେଶକୁ ରକ୍ଷା କରି ସ୍ୱାଧନତା ବଜାୟ ରଖିବା ।

 

ତେଣୁ ଏଠାରେ ଦେଶବାସୀଙ୍କ ଦ୍ୱାରା ଗଠିତ ସରକାରର ପ୍ରଧାନ କାର୍ଯ୍ୟ ହେଉଛି ସ୍ଵଦେଶର ସୁରକ୍ଷା । ବିଜ୍ଞାନ ଯୁଗରେ ସ୍ଵଦେଶର ସୁରକ୍ଷା ପାଇଁ ଦେଶବାସୀ ବ୍ୟକ୍ତିଗତ ଭାବେ ସେପରି କିଛି କରିପାରିବେ ନାହିଁ । ତେଣୁ ଦେଶରକ୍ଷା ବିଭାଗ ଓ ବିଭାଗୀୟ ମନ୍ତ୍ରୀ ହିଁ କେବଳ ଦେଶର ସ୍ଵାଧୀନତା ଅକ୍ଷୁଣ୍ଣ ରଖିବାପାଇଁ ଯୋଜନା କରିପାରନ୍ତି ।

 

ହଜାର ହଜାର, ଲକ୍ଷ ଲକ୍ଷ ବା କେତେ କୋଟି ସୈନ୍ୟସାମନ୍ତଙ୍କୁ ନେଇ ଏ ଯୁଗରେ ଦେଶରକ୍ଷା ସମ୍ଭବପର ନୁହେଁ । ବିଜ୍ଞାନର ଅଗ୍ରଗତି ସହିତ ତାଳ ଦେଇ ଆମକୁ କିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବାକୁ ପଡ଼ିବ । ଏଥିପାଇଁ ଦେଶରେ ଥିବା ବୈଜ୍ଞାନିକମାନଙ୍କୁ ରିସର୍ଚ୍ଚ କାମରେ ଲଗାଇ ଏପରି ସୂକ୍ଷ୍ମ ମାରଣାସ୍ତ୍ର ତିଆରି କରାଯିବ ଯେପରି ଶତ୍ରୁ ପକ୍ଷର ମାରଣାସ୍ତ୍ରକୁ ତାହା ପ୍ରତିହତ କରିପାରୁଥିବ । ଏପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରି ଦେଶରେ ଗଚ୍ଛିତ କରି ରଖାଯିବ ଯେପରି ପୃଥିବୀର ଯେ କୌଣସି ଶକ୍ତିଶାଳୀ ଦେଶ ମଧ୍ୟ ଆମ ଦେଶ ସହିତ ଶତ୍ରୁତା ଆଚରଣ କରିବାପାଇଁ ଭୟ କରିବ । ଆମେ ହିଂସା ପ୍ରଦର୍ଶନ କରିବୁନାହିଁ ସତ; ମାତ୍ର ହିଂସ୍ରକ ଯେତେବେଳେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆମ ଉପରକୁ ଲମ୍ଫ ପ୍ରଦାନ କରିବ ସେତେବେଳେ ତାକୁ ଉଚିତଶିକ୍ଷା ଦେବାପାଇଁ ତ ଆମକୁ ଏପରି କିଛି କରିବାକୁ ପଡ଼ିବ, ଯେପରି ଆକ୍ରମଣକାରୀ ପରାସ୍ତ ହୋଇଯିବ ? ନା ଚୁପ୍‌ ରହି ମାଡ଼ ଖାଉଥିବା ?

 

କୋଟି କୋଟି ସଂଖ୍ୟାର ସୈନ୍ୟବଳ ଏବଂ ଅସୁମାରି ବନ୍ଧୁକ ଓ ଗୁଳି ଏ ବିଜ୍ଞାନ ଯୁଗ ପାଇଁ ଆଦୌ କୌଣସି ‘ବଳ’ରେ ଗଣା ନୁହନ୍ତି । ସେଥିପାଇଁ ସବୁବେଳେ ଦରକାର ନୂଆ ନୂଆ ଅସ୍ତ୍ରଶସ୍ତ୍ର, ଯାହା କ୍ଷଣକ ମଧ୍ୟରେ ଲକ୍ଷ ଲକ୍ଷ ଆକ୍ରମଣକାରୀଙ୍କୁ ସ୍ତମ୍ଭିଭୂତ କରାଇ ପଛଘୁଞ୍ଚା ଦେବାକୁ ବାଧ୍ୟ କରାଇ ପାରିବ ।

 

ଇତିହାସ ପୃଷ୍ଠାକୁ ଥରେ ଲେଉଟାନ୍ତୁ । ଏକ ସମୟରେ ଅଳ୍ପ ସଂଖ୍ୟକ ଯାଯାବର କାସ୍ପିୟାନ ହ୍ରଦ ନିକଟରୁ ଆସି ଭାରତରେ ପ୍ରବେଶ କଲେ । ସେମାନେ ସେତେବେଳ ଯାଏ ପଶୁପାଳନ ଓ ପଶୁ ହତ୍ୟାକରି ତା’ର ମାଂସ ଖାଉଥିଲେ I ଚାଷ ଓ ବାସ ତାଙ୍କୁ ଜଣା ନଥିଲା । ଭାରତରେ ପହଞ୍ଚି ସେମାନେ ଦେଖିଲେ ଯେ ଭାରତୀୟ ଲୋକେ ପଶୁକୁ ନ ମାରି ପଶୁ ଶରୀରରେ ଥିବା ବଳ ବା ଶକ୍ତିକୁ ଉପଯୋଗ କରି ଅର୍ଥାତ୍‌ କୃଷି କାର୍ଯ୍ୟରେ ପଶୁ ବଳକୁ ପ୍ରୟୋଗ କରି (ହଳ କରିବା, ଫସଲ ଆମଦାନୀ କରି ପଶୁ ପିଠିରେ ଲଦି ଘରକୁ ଆଣିବା ଏବଂ ପଶୁକୁ ବାହାନ ରୂପେ ବ୍ୟବହାର କରିବା) କ୍ଷେତରୁ ଶସ୍ୟ ଉତ୍ପାଦନ କରୁଛନ୍ତି । ସେହି ଶସ୍ୟକୁ ନିଜେ ଖାଉଛନ୍ତି ଏବଂ ଶସ୍ୟର କିଛି ଅଂଶ ପାଳିତ ପଶୁଙ୍କୁ ଖୁଆଇ ବଞ୍ଚାଇ ରଖୁଛନ୍ତି ।

 

ଓଡ଼ିଆ କବି ଶ୍ରୀ ଜୟଦେବଙ୍କ ଦ୍ୱାରା ଲିଖିତ ଗୀତ ଗୋବିନ୍ଦର ଦଶ ଅବତାର ମଧ୍ୟରୁ ଭଗବାନଙ୍କର ‘ହଳଧର ରୂପ’ ହେଉଛି ଆଦି ମାନବର ଏକ ଉଲ୍ଲେଖଯୋଗ୍ୟ ବିବର୍ତ୍ତନ । କୃଷିଥିଲା ଆଦି-ମାନବର ପ୍ରଧାନ ବୃତ୍ତି । କୃଷିରୁ ଶିଳ୍ପର ବିକାଶ । କୃଷି ଯୋଗୁ ମଣିଷ ଫସଲ ଲଗାଇ ତା’ ଅମଳ ହେବାଯାଏ ସେଠାରେ ରହି, ତାକୁ ଜଗା ରଖା କରି, ତା’ର ବେଉଷଣ କରି, ଅମଳ କରି ଏବଂ ତାକୁ ବହୁସମୟ ଯାଏ ସାଇତି ରଖିବା ପାଇଁ ଉପାୟ ଖୋଜିଲା । ତେଣୁ ସେ ଯାଯାବର ବୃତ୍ତି ଛାଡ଼ି ଘରଦ୍ଵାର ତିଆରି କରି ସ୍ଥାୟୀଭାବେ ବସବାସ କଲା । ଗୃହପାଳିତ ପଶୁର ଯତ୍ନ ନେଲା । ଫସଲର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କଲା । ସୁତରାଂ ସେହି ବିବର୍ତ୍ତନ ଫଳରେ ‘ଚାଷ’ ଓ ‘ବାସ’ ମାନବ ଜାତି ପାଇଁ ଏକ ମହାନ୍‌ ଅବଦାନ ହୋଇ ରହିଲା । ଏ ବିଜ୍ଞାନ ଯୁଗରେ ସେହି ବିସ୍ମୃତ ଇତିହାସକୁ ଫେରିଯିବାର ଉଦ୍ଦେଶ୍ୟ ହେଲା–

 

ଆମ ଦେଶବାସୀ ‘ସିନ୍ଧୁ ସଭ୍ୟତା’ ନାମରେ ନାମିତ ଏତେ ଉନ୍ନତ ଜୀବନ ଯାପନ ପଦ୍ଧତି ଅନୁସରଣ କରୁଥିଲେ ମଧ୍ୟ ଅଳ୍ପ ସଂଖ୍ୟକ ଯାଯାବର କୁହନ୍ତୁ ବା ଆର୍ଯ୍ୟ କୁହନ୍ତୁ କିପରି ଆସି ଆଦିମ ଭାରତୀୟମାନଙ୍କୁ ପରାସ୍ତ କରି ଉତ୍ତର ଭାରତରୁ ଦକ୍ଷିଣ ଭାରତ ଯାଏ ତଡ଼ିଦେଲେ ? ସାଧାରଣତଃ ଯାଯାବରମାନେ ନାନା ଆଡ଼େ ବୁଲନ୍ତି । ତେଣୁ ବିଭିନ୍ନ ଜଳବାୟୁ ଓ ପରିସ୍ଥିତିରେ ଆତ୍ମରକ୍ଷା ପଦ୍ଧତି ସେମାନଙ୍କୁ ବେଶ୍‌ ଜଣାଥାଏ । ସେଥିପାଇଁ ଅଳ୍ପସଂଖ୍ୟକ ବିଦେଶୀ ଯାଯାବର ହେଲେ ମଧ୍ୟ ଆତ୍ମରକ୍ଷା କୌଶଳ ଜଣା ନଥିବା ଆଦିମ ଭାରତୀୟମାନଙ୍କ ଉପରେ ତାଙ୍କର ପ୍ରଭାବ ବିସ୍ତାର କରିପାରିଥିଲେ ।

 

ଆଲେକ୍‌ଜାଣ୍ଡର ମଧ୍ୟ ଖୁବ୍‌ କମ୍‌ ସଂଖ୍ୟକ ସୈନ୍ୟ ଆଣି ଏ ଦେଶର ପୁରୁ ରାଜାଙ୍କୁ ପରାସ୍ତ କରିପାରିଲେ ।

 

ବାବର ବାରୁଦ ବିଜ୍ଞାନ ପ୍ରୟୋଗକରି ବା ତୋପ ଫୁଟାଇ ଖଣ୍ଡା ବାଡ଼ିଧାରୀ ହଜାର ହଜାର ସୈନ୍ୟଙ୍କୁ ଭୟଭୀତ କରାଇ ଛତ୍ରଭଙ୍ଗ କରାଇ ଦେଇ ପାରିଲେ । ଆମ ଦେଶବାସୀଙ୍କ ହାତରେ ଠେଙ୍ଗାବାଡ଼ି ଓ ତରଓ୍ୟାଲ ଏବଂ ତାଙ୍କ ହାତରେ କେତୋଟି ତୋପ ଓ ବାରୁଦ ଅସ୍ତ୍ର । ଲକ୍ଷେ ସୈନ୍ୟ ଯଦି ତରବାରି ଧରି ଯୁଦ୍ଧକୁ ଆସନ୍ତି ତେବେ ସେମାନଙ୍କୁ ମାତ୍ର କେତୋଟି ବନ୍ଧୁକ ଗୁଳିରେ ପରାସ୍ତ କରି ଦିଆଯାଇପାରିବ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବାପାଇଁ ଆମେରିକା ମାତ୍ର ୨ଟି ପରମାଣୁ ବୋମା ଜାପାନର ନାଗାସାକି ଏବଂ ହିରୋସୀମା ସହର ଉପରେ ନିକ୍ଷେପ କରିଥିଲା । ସେହି ୨ଟି ପରିମାଣୁ ବୋମାରେ ଲକ୍ଷ ଲକ୍ଷ ଲୋକ ମଲେ ସତ; ମାତ୍ର ତା’ ଦ୍ୱାରା ହିଁ ବିଶ୍ଵଯୁଦ୍ଧ ବନ୍ଦ ହେଲା ଏବଂ ୧୯୪୫ରୁ ଅଦ୍ୟାବଧି ସାରା ପୃଥିବୀବାସୀ ଆଉ ୩ୟ ବିଶ୍ଵଯୁଦ୍ଧ ଯେପରି ନଘଟେ ସେଥିପ୍ରତି ସତର୍କ ଅଛନ୍ତି ।

 

ଶ୍ରୀ ରାମକୃଷ୍ଣ ପରମହଂସଙ୍କ ବାଣି ଅନୁସାରେ ‘‘ହିଂସା ପ୍ରଦର୍ଶନ କରି କାହାକୁ ଦଂଶନ ନକର ପଛେ, ହିଂସ୍ରକକୁ ହିଂସାର ଭୟ ପ୍ରଦର୍ଶନ କରିବା ଉଚିତ ।’’

 

ତେଣୁ ଦେଶରକ୍ଷା ବିଭାଗର ମୁଖ୍ୟ ଏବଂ ବିଭାଗୀୟ ମନ୍ତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ ହେଉଛି ଦେଶର ସ୍ଵାଧୀନତା ରକ୍ଷା କରିବା ଓ ସେଥିପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବାହାରୁ ନ କିଣି ନିଜ ଦେଶ ବୈଜ୍ଞାନିକମାନଙ୍କୁ ନେଇ ରିସର୍ଚ୍ଚ କରି ନୂଆ ନୂଆ ଧରଣର ଅସ୍ତ୍ରଶସ୍ତ୍ର ନିର୍ମାଣ କରି ରଖିବା । ସୈନ୍ୟ ସଂଖ୍ୟା କମାଇ ସେ ଦିଗରେ ଖର୍ଚ୍ଚ ହେଉଥିବା ଅର୍ଥକୁ ରିସର୍ଚ୍ଚରେ ଲଗାଇ ପରମାଣୁ ବୋମା ଏବଂ ତା’ଠାରୁ ଉନ୍ନତ ପ୍ରତିରକ୍ଷା ଓ ଶତ୍ରୁର ଆକ୍ରମଣକୁ ପ୍ରତିହତ କରିପାରୁଥିବା ଅସ୍ତ୍ରଶସ୍ତ୍ର ମାନ ନିର୍ମାଣ କରିବା ।

 

ଦେଶର ସ୍ଵାର୍ଥରକ୍ଷା ଦୃଷ୍ଟିରୁ କାହାରି କଥା ନଶୁଣି, କୌଣସି ବୈଦେଶିକ ଶକ୍ତିର ପ୍ରଭାବରେ ପ୍ରଭାବିତ ନହୋଇ ପ୍ରଥମେ ଦେଶରକ୍ଷା ଦିଗଟିକୁ ଅତ୍ୟାଧୁନିକ ପ୍ରଣାଳୀରେ ମଜଭୁତ କରାଯିବା ବିଧେୟ । ଯେ ପର୍ଯ୍ୟନ୍ତ ଉନ୍ନତ ରାଷ୍ଟ୍ରଗୁଡ଼ିକ ନିଜ ନିଜ ହାତରେ ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ‘ଭେଟୋ’ ରୂପକ ଅମୋଘ ପ୍ରତିରୋଧକ ରଖି ଅଛନ୍ତି, ତାଙ୍କର ସମକକ୍ଷ ନହେବା ପର୍ଯ୍ୟନ୍ତ ଆମେ କୌଣସି ନିରସ୍ତ୍ରୀକରଣ ଚୁକ୍ତିରେ ଦସ୍ତଖତ୍‌ ନଦେବା ଉଚିତ ।

 

ନିରାପତ୍ତା

 

ଦେଶରେ ଆମର ବର୍ତ୍ତମାନ ସାମ୍ପ୍ରଦାୟିକତା ଯେତେ କ୍ଷତି ନକରୁଛି ତା’ଠୁ ବେଶି କ୍ଷତି ଘଟାଉଛି ଟେରୋରିଜିମ୍‍ । ସେ ଯୁଗର ନକ୍‌ସ୍‌ଲାଇଟ୍‌କୁ ଏ ଯୁଗର ଟେରୋରିଜିମ୍‍ ଟପି ଗଲାଣି ।

 

ଦେଶ ସ୍ଵାଧୀନ ହେବା ପରଠାରୁ ଅଦ୍ୟାବଧି ୧୦ ଥର ଲୋକସଭା ନିର୍ବାଚନ ହେଲାଣି-। ମାତ୍ର ୧୦ମ ଲୋକସଭା ନିର୍ବାଚନରେ ନିର୍ବାଚନକାଳୀନ ରାଜନୈତିକ ହତ୍ୟାକାଣ୍ଡ ସବୁଠୁ ବେଶି-। ଅବସ୍ଥା ଏପରି ରୂପ ଧାରଣ କଲାଣି ଯେ ଆଗାମୀ ନିର୍ବାଚନଗୁଡ଼ିକରେ ହୁଏତ ପ୍ରାର୍ଥୀ ହେବାପାଇଁ କୌଣସି ଭଦ୍ର ତଥା ଶାନ୍ତିପ୍ରିୟ ଲୋକ ରାଜି ହେବେନାହିଁ । କାରଣ ପ୍ରାର୍ଥୀ ହେବା ଅର୍ଥ ରଣକ୍ଷେତ୍ରକୁ ଯିବା । ରଣ କ୍ଷେତ୍ରକୁ ଯିବା ଅର୍ଥ ଜୟ ବା ମରଣ ଦୁଇଟିରୁ ଗୋଟିଏ ନିଶ୍ଚିତ ।

 

ଏହାଛଡ଼ା ନିରୀହ ବସ୍‌ଯାତ୍ରୀଙ୍କୁ, ରେଳ ଯାତ୍ରୀଙ୍କୁ ଗ୍ରାମ ଘେରାଉ କରି ଆବାଳ ବୃଦ୍ଧ ବନିତାଙ୍କୁ, ଘରେ ପଶି ସବଂଶ ଲୋପ କରିବା ଭାରତରେ ଏକ ଦୈନନ୍ଦିନ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଆଗରୁ ଏପରି କାଁ ଭାଁ ମୃତ୍ୟୁକୁ ଖବରକାଗଜମାନେ ଯେପରି ଗୁରୁତ୍ଵ ଦେଇ ବଡ଼ ବଡ଼ ଅକ୍ଷରରେ ଛାପୁଥିଲେ ଏବେ ତା’ ଦୈନନ୍ଦିନ ଘଟଣା ହୋଇଯାଇଥିବାରୁ ସେପରି ଗୁରୁତ୍ଵ ଦେଉନାହାନ୍ତି । ଆମ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜିବ ଗାନ୍ଧୀଙ୍କ ପରି ବ୍ୟକ୍ତିମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ନିଜ ସରକାରର ଶକ୍ତି ନଥିବା ବେଳେ, ଦେଶବାସୀ କିପରି ବା ବିଶ୍ଵାସ କରିବେ ଯେ ସରକାର ତାଙ୍କର ସୁରକ୍ଷା କରିବ ଓ ସେମାନଙ୍କୁ ନିରାପତ୍ତା ଯୋଗାଇ ଦେବ ? ପ୍ରବାଦ ଅଛି–‘‘ନିଜ ରକ୍ଷଣ ଅସମ୍ଭବ, ସେ କାହୁଁ ଅନ୍ୟକୁ ରଖିବ ?’’

 

ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି । ମୋର ହୃଦ ବିଶ୍ଵାସ ଯେପରି ଈଶ୍ଵର ସୃଷ୍ଟିରେ ପ୍ରଥମେ ଔଷଧ ଓ ପରେ ରୋଗର ଉତ୍ପତ୍ତି, ଠିକ୍‍ ସେହିପରି ସାମାଜିକ ଜୀବନରେ ପ୍ରଥମେ ସମାଧାନର ଉପାୟ ଏବଂ ପରେ ସମସ୍ୟାର ଉତ୍ପତ୍ତି ହୋଇଥାଏ ।

 

ତେଣୁ କେଉଁ କାରଣରୁ କେତେକ ଲୋକ ଡକାୟତ ସାଜିଛନ୍ତି, କେଉଁ କାରଣରୁ କେତେକ ହିଂସାପରାୟଣ ହୋଇ ଉଠୁଛନ୍ତି, କେଉଁ କାରଣରୁ କେତେକଙ୍କ ହୃଦୟରେ ଦୟାର ଚିହ୍ନବର୍ଣ୍ଣ ନାହିଁ ଯା ଫଳରେ ଉଦ୍ଦେଶ୍ୟହୀନଭାବେ ଆଖିବୁଜା ଗୁଳି ଚଳାଇ ନିରୀହ ନିର୍ଦ୍ଦୋଷ ଜନତାଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରୁଛନ୍ତି, ତା’ର ପ୍ରକୃତ କାରଣ ବାହାର କରିବାପାଇଁ ମନୋବିଜ୍ଞାନୀମାନଙ୍କର ଏବଂ ଆବଶ୍ୟକତା ମୁତାବକ ସମାଜ ବିଜ୍ଞାନୀମାନଙ୍କର ସାହାଯ୍ୟ ନେଇ ମିଳିତ କମିଶନ ନିଯୁକ୍ତ କରି ସେ ବିଷୟରେ ଅନୁଧ୍ୟାନ ପୂର୍ବକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ହେବ । ସମାଧାନ ଦମନ ଦ୍ୱାରା ନୁହେଁ, ବରଂ ହିଂସ୍ରମାନବ ପ୍ରତି ଉପଯୁକ୍ତ ଦରଦ୍‍ ପ୍ରଦର୍ଶନ ଦ୍ୱାରା ସମ୍ଭବ ହୋଇପାରେ । କିନ୍ତୁ ଯେଉଁଠି ପଡ଼ୋଶୀ ବା ବାହାର ଦେଶର ପ୍ରେରଣାରୁ ହିଂସାର ଉତ୍ପତ୍ତି ତାକୁ ପ୍ରତିହତ କରିବା ପାଇଁ ପ୍ରତିହିଂସାହିଁ ଉଚିତ ବିଧାନ ।

 

ସର୍ବୋପରି ଆମକୁ ହୃଦୟଙ୍ଗମ କରିବାକୁ ହେବ ଯେ, ଏ ସବୁ ଘଟିବା ମୂଳରେ କ’ଣ ଅଛି ? ଯଦି ତାହା ବିଦେଶୀ ପ୍ରରୋଚନାରେ ହେଉଥାଏ, ତେବେ ତାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଭୟ ପ୍ରଦର୍ଶନ କରି ଜବତ୍‌ କରିବାକୁ ପଡ଼ିବ । ମାତ୍ର ଯଦି ସ୍ଵଦେଶୀ ପ୍ରରୋଚନାରେ ତା’ ହେଉଥାଏ, ତେବେ ସେମାନଙ୍କର ପ୍ରକୃତ ସମସ୍ୟାଗୁଡ଼ିକୁ ସହୃଦୟତାର ସହିତ ବିଚାରକୁ ନେଇ ଦମନ ମନୋଭାବ ପରିତ୍ୟାଗ କରି ଅନୁକୂଳ ପଦ୍ଧତିରେ (positive way) ସମସ୍ୟାର ସମାଧାନ କରି ଉଗ୍ରବାଦୀମାନଙ୍କର ମନୋଭାବ ବଦଳାଇବାକୁ ପଡ଼ିବ । ଆବଶ୍ୟକ ହେଲେ ସେମାନଙ୍କର ମାନସିକ ଚିକିତ୍ସା କରି ତାଙ୍କର ଉଗ୍ରଭାବ କମାଇ, ହିତାହିତ ଜ୍ଞାନ ଫେରାଇ ଆଣିବାକୁ ପଡ଼ିବ ।

 

ବାହାର ଅଗ୍ନିକୁ ଜଳ ଦ୍ଵାରା ଲିଭାଇ ଦିଆଯାଇପାରେ । ମାତ୍ର ମଣିଷ ହୃଦୟର ବେଦନାକୁ ବଳ ପ୍ରୟୋଗ ଦ୍ୱାରା ପ୍ରଶମିତ ଅନ୍ତର ଆତ୍ମାର ଅଗ୍ନିକୁ କୌଣସି ଦମନ ମୂଳକ କାର୍ଯ୍ୟ ଦ୍ୱାରା ନିର୍ବାପିତ କରି ହୁଏନା । କେବଳ ତା’ ମନର ଦୁଃଖକୁ ସମବେଦନା ପ୍ରଦର୍ଶନ ପୂର୍ବକ ଲାଘବ କରାଯାଇପାରେ ଓ ଜଣକର ଦୁଃଖକୁ ମଧ୍ୟ ସମବେଦନା ପ୍ରଦର୍ଶନ ପୂର୍ବକ ଅପହରଣ କରାଯାଇପାରେ । ତେଣୁ ବାହାର ଶତ୍ରୁକୁ ଅସ୍ତ୍ରଦ୍ଵାରା ଦମନ କରିବା ଓ ଭିତର ଶତ୍ରୁକୁ ସହୃଦୟତା ସହକାରେ ଜୟ କରିବା ଉଚିତ ।

 

ସରକାର ଏହାର ତର୍ଜମା କରି ଦେଖନ୍ତୁ । ମାତ୍ର ମୁଁ ସଂକ୍ଷେପରେ କହିବି ଯେ ସ୍ଵଦେଶୀ ସନ୍ତ୍ରାସବାଦୀତା ପାଇଁ ମୁଖ୍ୟତଃ ଆମ ସମାଜ ଓ ସରକାର ହେଉଛନ୍ତି ଦାୟୀ । ଯଥା–

 

(୧) ସମାଜରେ ସାମ୍ୟତାର ଅଭାବ (୨) ସରକାରୀ କଳରେ ଅଧିକାଂଶ ପିଅନଠାରୁ ଆରମ୍ଭ କରି ମନ୍ତ୍ରୀ ଯାଏ ସମସ୍ତେ ନିଜ ଦରମା ଛାଡ଼ି ଉପୁରି ଆୟ କରିବାରେ ବ୍ୟସ୍ତ । (୩) ଜଟିଳ ଅର୍ଥନୀତି ଓ କୁଟିଳ ଶାସନ ପଦ୍ଧତି (୪) ନ୍ୟାୟ ପାଇବାରେ ବିଳମ୍ବ (୫) ଜାତୀୟ ଆୟର ଅସମ ବଣ୍ଟନ (୬) ଗୋଟିଏ ଦେଶରେ ଜଣକର ଆୟ ମାସିକ ୧୦୦ ଟଙ୍କାରୁ କମ୍‌ ଥିଲାବେଳେ ଅନ୍ୟ କେତେକଙ୍କର ମାସିକ ଆୟ ୧୫୦୦୦ ଟଙ୍କା ଓ ଆଉ କେତେକଙ୍କର ଆୟ ଏହାଠାରୁ ବହୁତ ଅଧିକ । (୭) ଗୋଟିଏ ଦେଶରେ ଜଣେ ନର୍ଦ୍ଦମା କଡ଼ରେ ଝୁମ୍ପୁଡ଼ିରେ ଫୁଟପାଥରେ ସାରା ଜୀବନ କଟାଉଥିବା ବେଳେ କେତେକଙ୍କର ଏକାଧିକ ବହୁତଳ ବିଶିଷ୍ଟ କୋଠାବାଡ଼ି ଓ ମଟରଗାଡ଼ି (୮) ହୋଟେଲରେ ପ୍ରତ୍ୟହ ଯେତିକି ଖାଦ୍ୟ ନଷ୍ଟ ହୁଏ, ଫୋପଡ଼ା ଯାଏ ସେତକ ସଞ୍ଚୟ ହୋଇ ପାରିଲେ ଦେଶର ଜଣେ ବି ଭୋକରେ ମରନ୍ତେ ନାହିଁ (୯) ତ୍ରୁଟିପୂର୍ଣ୍ଣ ଭାରତୀୟ ସମ୍ବିଧାନ ଯୋଗୁ ଆଜି ଏ ଦେଶରେ କୋଟି କୋଟି ଲୋକ କ୍ଷୁଧା ପ୍ରପୀଡ଼ିତ, ଅର୍ଦ୍ଧ ନଗ୍ନ ଓ ବାସହୀନ । (୧୦) ସେହି ତ୍ରୁଟି ଯୋଗୁ ଦେଶର ଏକଚାଟିଆ ବ୍ୟବସାୟ, ଏକଚାଟିଆ କାରବାର, ଏକଚାଟିଆ ନୀତିରୀତି ଓ ରାଜନୀତି ତିଷ୍ଠି ରହିଛି, ଯା ଫଳରେ ମାତ୍ର କେତେକ କ୍ଷମତାଶାଳୀ ଲୋକଙ୍କ ପାଖରେ ଧନ ଧାନ୍ୟର ଠୁଳୀକରଣ ଘଟି ଚାଲିଛି । (୧୧) ସର୍ବୋପରି ‘ନ୍ୟାୟ’ ଆଉ ନ୍ୟାୟାଳୟରେ ନାହିଁ । ନ୍ୟାୟ ବର୍ତ୍ତମାନ ଏମ୍‌.ଏଲ.ଏ., ଏସ୍‌.ପି., ମନ୍ତ୍ରୀ, ସରକାରୀ କଳର କର୍ମଚାରୀଙ୍କ କ୍ଷମତା ଏବଂ କେତେକ ଏକଚାଟିଆ ଶିଳ୍ପପତି ଓ ବ୍ୟବସାୟୀଙ୍କ ଅର୍ଥବଳ ପାଖରେ ହାର୍‌ ମାନିଛି । ଏ ସବୁ ମୂଳରେ ରହିଛି ତ୍ରୁଟିପୂର୍ଣ୍ଣ ସମ୍ବିଧାନ । (୧୨) ଆଇନ ଦ୍ୱାରା ଯଦି କେହି ବେଆଇନ ଓ ନୃଶଂସ କାମ କରୁଥାଏ ସେ ହେଉଛି ‘ସରକାର’, ଆମର ଏଇ ଗଣତାନ୍ତ୍ରିକ ସରକାର ।

 

ଗୋଟିଏ ଛୋଟିଆ ଦୃଷ୍ଟାନ୍ତ ଦେଲେ ଏହାର ମର୍ମ ବୁଝି ହେବ । ଜଣେ ପେଟ ବିକଳରେ ଖାଇବାକୁ ନ ପାଇ ଯଦି କୌଣସି ଦୋକାନରୁ ଗୋଟିଏ ପାକେଟ ବିସ୍କୁଟ ଚୋରି କରି ନେଇଯାଏ, ସେ ଆଇନ ଅନୁସାରେ ଚୋର । ମାତ୍ର ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟମାନେ ୫ଟଙ୍କାର ଜିନିଷକୁ ୨୫ ଟଙ୍କାର ଲେବୁଲ ମାରି ବଜାରକୁ ଛାଡ଼ିଲେ ମଧ୍ୟ ସେମାନେ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ସାଧୁ ଅଟନ୍ତି ।

 

ସେହିପରି ଅୟେଲ ମିଲ୍‌ରୁ ପ୍ୟାକିଂହୋଇ ଆସୁଥିବା ଖରାପ ତେଲ ଯେତେବେଳେ ଗାଁର ମଳିମୁଣ୍ଡିଆ ବ୍ୟବସାୟୀ ମାଲଗୋଦାମରୁ କିଣି ଆଣି ବିକେ ସେତେବେଳେ ଆମ ଦେଶର ଆଇନ କୋଟିପତି ମିଲ ମାଲିକକୁ ଦଣ୍ଡ ନ ଦେଇ ସେହି ମଳିମୁଣ୍ଡିଆ ଗାଁ ଦୋକାନୀକୁ ବାନ୍ଧି ନିଅନ୍ତି-। ଏ ହେଉଛି ଆମ ଦେଶର ଆଇନ ।

 

ନ୍ୟାୟ ପାଇବାପାଇଁ ଅତିରିକ୍ତ ବିଳମ୍ବ ମଧ୍ୟ ଅସନ୍ତୋଷର ପ୍ରଧାନ କାରଣ । ଏଇପରି ନାନାଦି କାରଣରୁ ଆମ ଦେଶରେ ବର୍ତ୍ତମାନ ଟେରୋରିଜିମ୍‍ ବଢ଼ି ବଢ଼ି ଚାଲିଛି । ସବୁତକ କାରଣ ଦର୍ଶାଇବା ମୋ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଏ କେତୋଟି ହେଉଛି କେବଳ ଉଦାହରଣ ମାତ୍ର ।

 

ନୂଆ ସମ୍ବିଧାନ ହୋଇ, ନୂଆ ଆଇନ ପ୍ରଣୟନ କରାଯାଉ । ଜାତି, ଧର୍ମ, ସମ୍ପ୍ରଦାୟ ନୀତିକୁ ପରିତ୍ୟାଗ କରି ସରକାର ସାରା ଦେଶବାସୀଙ୍କ ପାଇଁ ଗୋଟିଏ ଆଇନ କରନ୍ତୁ ଏବଂ ଜାତୀୟ ଆୟର ସମବଣ୍ଟନ କରିବାପାଇଁ, ଧନୀ ଦରିଦ୍ର ମଧ୍ୟରେ ଆକାଶ-ପାତାଳ ତାରତମ୍ୟ ନରଖି ଯେପରି ସମସ୍ତଙ୍କ ଆୟସୀମା ଖୁବ୍‌ କମ୍‍ ତାରତମ୍ୟରେ ରହିପାରିବ ସେଥିପ୍ରତି ଦୃଷ୍ଟି ଦେଇ ଆଇନ ପ୍ରଣୟନ କରନ୍ତୁ । ତା’ହେଲେ ଦେଶବାସୀ ଶାନ୍ତିରେ ଓ ନିର୍ଭୟରେ ରହିପାରିବେ । ମୂଳରୁ କହିଛି ଏଥିପାଇଁ ମନୋବିଜ୍ଞାନୀ ଓ ସମାଜ ବିଜ୍ଞାନୀମାନଙ୍କୁ ନେଇ ପ୍ରଥମେ ଗୋଟିଏ ମିଳିତ କମିଶନ ଗଠିତ ହେଉ ଏବଂ ତାଙ୍କ ରିପୋର୍ଟ ପାଇଲା ପରେ ତଦନୁସାରେ ସମ୍ବିଧାନ ଓ ଆଇନ ପ୍ରଣୟନ ହେଉ ।

 

(୨)

ଖାନା, କପଡ଼ା, ମକାନ୍‌

 

ସ୍ଵାଧୀନତାର ଅର୍ଥ ନୁହେଁ ଯେ କେବଳ ପ୍ରତ୍ୟେକ ନାଗରିକକୁ ଭୋଟ ଅଧିକାର ଦେଇ ନିଶ୍ଚିନ୍ତ ହୋଇଯିବା । ମଣିଷର ନ୍ୟୂନତମ ଦାବି ଓ ଅଧିକାର ହେଉଛି–‘‘ଖାନା, କପଡ଼ା, ମକାନ୍‌ ଦୋ; ନହିଁ ତୋ ଗାଦି ଛୋଡ଼ ଦୋ’’ ।

 

ଆମ ଦେଶ ସ୍ଵାଧୀନ ହେବା ପରଠାରୁ ବହୁତ ଉନ୍ନତି ହୋଇଛି । ରାସ୍ତାଘାଟ, କୋଠାବାଡ଼ି, ବ୍ୟବସାୟ ବାଣିଜ୍ୟ ସବୁ ବଢ଼ିଛି । ମାତ୍ର ସରକାରୀ ଭୁଲ୍‍ ନୀତି ଯୋଗୁ, ଦେଶ ତ ଦେବାଳିଆ ହୋଇଛି, ତା’ ସାଙ୍ଗକୁ ଯେ ଚାଲାକ୍‌ ପଡ଼ିଲା, ଯେ ସରକାରୀ କଳର ପରିଚାଳକଙ୍କୁ, ମନ୍ତ୍ରୀଙ୍କୁ ଯେତେ ଉପାୟରେ ସନ୍ତୁଷ୍ଟ କରି ପାରିଲା, ସେ ସେତେ ସୁବିଧା ହାସଲ କରିଗଲା । ତେଣୁ କାଲି ଯେ ଗରିବ ଥିଲା ସେ ଆଜି ଦରିଦ୍ର ସାଜିଛି ଏବଂ ଅନ୍ୟଦିଗରେ କାଲି ଯେ ଲକ୍ଷପତି ଥିଲା ଆଜି ସେ କୋଟି ପତି ହୋଇପାରିଛି ।

 

ଦେଶ ସ୍ଵାଧୀନ ହେବାର ୪୪/୪୫ ବର୍ଷ ହୋଇଗଲାଣି । ମାତ୍ର ଏବେ ମଧ୍ୟ ପେଟ ଚାଖଣ୍ଡକର କ୍ଷୁଧା ନିବାରଣ ପାଇଁ ଲୋକଙ୍କୁ ଭିକମାଗିବାକୁ ପଡ଼ୁଛି । ଖଣ୍ଡେ ବସ୍ତ୍ରରେ ବର୍ଷ କଟୁଛି । ଘୋର ଶୀତରେ ସମୁଦାୟ ଦେହକୁ ଢାଙ୍କିବା ପାଇଁ ଆବଶ୍ୟକୀୟ ବସ୍ତ୍ର ଆଜି ଲକ୍ଷ ଲକ୍ଷ ଲୋକଙ୍କର ନାହିଁ । ଘର ତ ଦୂରର କଥା । ଏପରି ଲକ୍ଷଲକ୍ଷ ମଣିଷ ଭାରତରେ ଅଛନ୍ତି ଯେଉଁମାନେ ଜନ୍ମ ହୋଇଛନ୍ତି ଫୁଟପାଥରେ; ବଢ଼ିଛନ୍ତି ଫୁଟପାଥରେ; ଖରା, ବର୍ଷା, ଶୀତ କଟାଇଛନ୍ତି ସେହି ଛାତ ବିହୀନ ଫୁଟପାଥରେ; ବିବାହ ଓ ଯୌନଜୀବନ ବିତାଇଛନ୍ତି ସେହି ଫୁଟପାଥରେ ଏବଂ ତାଙ୍କର ସନ୍ତାନ ସନ୍ତତି ମଧ୍ୟ ଜନ୍ମ ନେଉଛନ୍ତି ସେହି ଫୁଟପାଥରେ । ‘ମକାନ୍‌’ ଯାହାକୁ କହନ୍ତି ତାହା ତାଙ୍କ ଜୀବନରେ ଏକ ସ୍ଵପ୍ନ । ସେମାନେ କେବଳ ସହରର ସେହି ବହୁତଳ ଏବଂ ରାଜ ରାସ୍ତାର ଦୁଇପାଖରେ ଥିବା ପାଦଚଲା ରାସ୍ତା ବା ଫୁଟପାଥରେ ଜନ୍ମରୁ ମୃତ୍ୟୁଯାଏ ଜୀବନ କଟାନ୍ତି । ରାଷ୍ଟ୍ରପତି, ମନ୍ତ୍ରୀ, ବିଧାୟକ, ଜଜ୍‌, ଆଇନ କର୍ତ୍ତା ଏବଂ ସର୍ବସାଧାରଣ ସମସ୍ତେ ପ୍ରତିଦିନ ସେମାନଙ୍କୁ ଦେଖନ୍ତି । କାହିଁ ସେମାନଙ୍କର ତ ଆଜିଯାଏ କୌଣସି ପରିବର୍ତ୍ତନ ହୋଇନି । ବରଂ ସେହି ରାସ୍ତାକଡ଼ର ଫୁଟପାଥ-ପ୍ରାଣୀଙ୍କ ସଂଖ୍ୟା, ଝୁମ୍ପୁଡ଼ି ବାସିନ୍ଦାଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

 

ଗାଁରେ ଲୋକ ରହନ୍ତି । ଚାଷ କରି, ମୂଲ ଲାଗି ଚଳନ୍ତି । ବର୍ଷର ୪ ମାସ ସେମାନଙ୍କ ପାଇଁ କାମ ଥାଏ । ବାକି ଆଠମାସ ସେମାନେ ଅକର୍ମା ହୋଇ ବସି ରହନ୍ତି । ସେ କ’ଣ ଖାଆନ୍ତି ଏ ବିଷୟରେ ଆମର ବିଧାୟକମାନେ ତାଙ୍କ ଖବର ରଖିଛନ୍ତି କି ? ଅନେକଙ୍କୁ ଦିନରେ ଗୋଟିଏ ବକତ୍‌ ମଧ୍ୟ ପେଟପୂରା ଖାଇବାକୁ ମିଳେନା । କୁଡ଼ିଆରେ ତ ରହନ୍ତି । ସେ କୁଡ଼ିଆର ଅବସ୍ଥା ପୁଣି ଏପରି ଯେ ବାହାରେ ଯେତିକି ବର୍ଷା ଭିତରେ ମଧ୍ୟ ସେତିକି ପାଣି । ବାହାରେ ବସିଲେ ରାତିରେ ଯେଉଁ ଚନ୍ଦ୍ରମାଙ୍କୁ ଦେଖନ୍ତି, କୁଡ଼ିଆ ଭିତରକୁ ଗଲେ ମଧ୍ୟ ସେହି ଚନ୍ଦ୍ର ଦେଖାଯାନ୍ତି । ଯାହାର ପେଟପୂରା ଖାଇବାକୁ ନାହିଁ, ଯାହାର ଲଜ୍ଜା ନିବାରଣ ପାଇଁ ଗାଣ୍ଡିକୁ କନା ଖଣ୍ଡେ ନାହିଁ, ସେ ତା’ କୁଡ଼ିଆ ଖଣ୍ଡିକକୁ କିପରିବା ସଜାଡ଼ିବ ? ଗାଁରେ ବସବାସ କରୁଥିବା ନରନାରୀଙ୍କ ଲଙ୍ଗଳା ଦେହ ସାଙ୍ଗକୁ ତାଙ୍କ ହାଡ଼ ଉପରେ ଢଙ୍କା ମାଂସ ବିହୀନ ଚମଟାକୁ ଦେଖିଲେ ଯାଇ କଥାଟିର ମର୍ମ ଠିକ୍‌ ରୂପେ ବୁଝିହେବ ।

 

ଦେଶ ସ୍ଵାଧୀନ ହେବାପରେ ଆମରି ଦେଶର ସହରବାସୀ ଏଇ ଦେଶର ଗ୍ରାମବାସୀଙ୍କୁ କିପରି ଶୋଷଣ କରୁଛନ୍ତି ସେ ବିଷୟରେ ଅନୁଧ୍ୟାନ ଆବଶ୍ୟକ । ସେମାନେ ବର୍ଷରେ ଅନ୍ତତଃ ପକ୍ଷେ ୧୦ ମାସ ପୂରା କାମ କିପରି ପାଇ ପାରିବେ ତା’ର ବ୍ୟବସ୍ଥା ଦରକାର । ତା’ଛଡ଼ା ସରକାରୀ କଳରେ କାମ କରୁଥିବା କର୍ମଚାରୀମାନେ ଯେପରି ସପ୍ତାହରେ ଦିନଟିଏ ସ-ବେତନ ଦରମା ପାଆନ୍ତି, ଦେହ ପା ଖରାପ ହେଲେ ସ-ବେତନ ଛୁଟି ପାଆନ୍ତି, ନିଜର ବ୍ୟକ୍ତିଗତ କାମପାଇଁ ମଧ୍ୟ ସବେତନ ଛୁଟି ପାଆନ୍ତି, ବିନା ପଇସାରେ ଚିକିତ୍ସା ଓ ଔଷଧ ବାବଦ ପଇସା ପାଆନ୍ତି, ରିଟାୟାର୍ଡ଼ କଲାପରଠାରୁ ମଲାଯାଏ ପେନ୍‌ସନ୍‌ ପାଆନ୍ତି; ଠିକ୍‌ ସେହିପରି ବେସରକାରୀ ଲୋକଙ୍କୁ ବିଶେଷ କରି ଶ୍ରମିକ ଏବଂ କୃଷିଜୀବୀ ଓ କୃଷି ଶ୍ରମିକମାନଙ୍କ ନିମନ୍ତେ କିଛି ସରକାରୀ ବ୍ୟବସ୍ଥା ରହିବା ଉଚିତ ।

 

ଭୋଟର ମୂଲ୍ୟ ତ ସମସ୍ତଙ୍କ ପାଇଁ ଏକା, ବଜାର ଦର ତ ସମସ୍ତଙ୍କ ପାଇଁ ସମାନ, ତା’ହେଲେ ଶତକଡ଼ା ୩% ସରକାରୀ କର୍ମଚାରୀଙ୍କୁ ଯେଉଁ ଯେଉଁ ସୁବିଧା ଦିଆଯାଉଛି ଏ ଦେଶର ୭୦% କୃଷକ ଓ ଶ୍ରମିକଙ୍କୁ କାହିଁକି ସେହି ସେହି ସୁବିଧା ନମିଳିବ ?

 

ସରକାର କ’ଣ କେବଳ ଆଇନ କରି ଥୋଡ଼େ ଲୋକଙ୍କୁ ଚିରକାଳ ପଦଦଳିତ ଗୋଲାମ୍‌ କରି ରଖିଥିବେ, ଆଉ ମୁଷ୍ଟିମେୟ ଲୋକଙ୍କୁ ନାନାଦି ସୁବିଧା ସୁଯୋଗ ଦେଇ ରାଜା ରାଣୀ କରାଉଥିବେ ? ଯେମିତି ପ୍ରତ୍ୟେକ ନାଗରିକଙ୍କୁ ସମାନ ଭୋଟ ଅଧିକାର ଦିଆଯାଇଛି, ସେମିତି ପ୍ରତ୍ୟେକ ଯେପରି ଆଇନ ବଳରେ ସ୍ଵାଧୀନଭାବେ ନିଜର ଖାନା, କପଡ଼ା ଓ ମକାନ୍‌ ପାଇ ପାରିବେ, ଅବସର ଦିନରେ ସେଦିନର ସର୍ବନିମ୍ନ ମଜୁରୀ ପାଇବେ, ବେମାରି ହେଲେ ମାଗଣା ଚିକିତ୍ସା ଓ ଔଷଧ ପାଇବେ, ଉପଯୁକ୍ତ ଭିଟାମିନ ପାଇବେ ଏବଂ ୬୦ ବର୍ଷ ପରେ ପ୍ରତ୍ୟେକ ନାଗରିକ ପେନ୍‌ସନ୍‍ ପାଇବେ ତା’ର ବ୍ୟବସ୍ଥା କେବଳ ସରକାର ହିଁ ଆଇନ ଦ୍ୱାରା କରିଦେଇ ପାରିବେ । ଏ ବିଷୟରେ ଆମର ଆଇନକର୍ତ୍ତାମାନେ ଭଲଭାବରେ ଚିନ୍ତା କରିବା ଦରକାର ଯେପରି ଖାନା, କପଡ଼ା ଓ ମକାନ୍‌ ପାଇଁ ଏବଂ ବର୍ଷରେ ଅନ୍ତତଃ ୨ ମାସର ସର୍ବନିମ୍ନ ମଜୁରୀ ତଥା ବୃଦ୍ଧାବସ୍ଥାରେ ସମସ୍ତଙ୍କୁ ପେନ୍‌ସନ୍‌ ମିଳିପାରିବ ।

 

ଆମର ଆଇନକର୍ତ୍ତା ଲୋକ ପ୍ରତିନିଧିମାନଙ୍କୁ ଭାରତର ମୂକପ୍ରାଣୀ ନିର୍ଯାତିତ ହେଲେ ମଧ୍ୟ ପାଟି ଫିଟାଇବାର ଶକ୍ତି ନଥିବା ସେହି ଦୁଇଗୋଡ଼ିଆ ଜୀବ ଗରିବ, ଦରିଦ୍ର, ଭିକାରି, ଅଳ୍ପ ଆୟକାରୀ, ଚାଷୀ, ମୂଲିଆ ଓ ଶ୍ରମିକମାନଙ୍କ ତରଫରୁ ମୋର ଅନୁରୋଧ ସେମାନେ ସୁଖଶାନ୍ତିରେ ଥିବା ସରକାରୀ କର୍ମଚାରୀ ଏବଂ ପୁଞ୍ଜିପତିଙ୍କ ଛାୟାତଳ ପରିତ୍ୟାଗ କରି ଟିକିଏ ଉକ୍ତ ଖାନା, କପଡ଼ା, ମକାନ୍‌ ନ ଥିବା ଲୋକଙ୍କ ଅବସ୍ଥାପ୍ରତି ଦୃଷ୍ଟି ଦିଅନ୍ତୁ ।

 

(୩)

ପ୍ରତ୍ୟେକଙ୍କୁ ମାଗଣାରେ ଉପଯୁକ୍ତ ଶିକ୍ଷା ପ୍ରଦାନ

 

୪ ବର୍ଷ ପୂରିଗଲେ ପ୍ରତ୍ୟେକ ପୁଅ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ବାଧ୍ୟତା-ମୂଳକ ବ୍ୟବସ୍ଥା କରିବା । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସମାନ ଭାବରେ ପ୍ରାଥମିକ ଶିକ୍ଷା ଦିଆଯିବା ପରେ ସେମାନଙ୍କର ମାନସିକ ପରୀକ୍ଷା କରାଇ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ପାରଙ୍ଗମତାକୁ ଆବିଷ୍କାର କରି, ସେହି ଅନୁସାରେ ଶିକ୍ଷାର ଦିଗ ବଦଳାଇବା । ଏହାଦ୍ୱାରା ଆମର ସାଧାରଣ ଶିକ୍ଷା ପଦ୍ଧତିରେ ଜଣେ ଉଚ୍ଚତମ ଶିକ୍ଷା ହାସଲ କଲା ବେଳକୁ ତା’ର ୨୪/୨୫ ବର୍ଷ ବୟସ ହୋଇଯାଉଛି । ସମସ୍ତେ ମଧ୍ୟ ଉଚ୍ଚ ଶିକ୍ଷା ବା ଏକା ରକମର ଶିକ୍ଷା ହାସଲ କରିବାକୁ ଯୋଗ୍ୟ ବା ପାରଙ୍ଗମ ହୋଇପାରିବେ ନାହିଁ ।

 

ତେଣୁ ପ୍ରତ୍ୟେକ ପିଲାର ରୁଚି ଓ ପାରଙ୍ଗମତାକୁ ପରୀକ୍ଷା କରି ତାକୁ ସେହି ବିଷୟରେ ଶିକ୍ଷା ଦିଆଯିବା ପାଇଁ ଏକ ଜାତୀୟ ଯୋଜନା ହେବା ଉଚିତ ।

 

କିଏ ବୈଜ୍ଞାନିକ ହେବ, କିଏ ଇଞ୍ଜିନିୟର ହେବ, କିଏ ଶିକ୍ଷକ ହେବ, କିଏ ମେକାନିକ୍‌ ହେବ, କିଏ ସାଧାରଣ ଶ୍ରମିକ ହେବ, କିଏ ବୁଦ୍ଧିଜୀବୀ ହେବ, କିଏ କୃଷିକାମ କରିବ ଏବଂ କିଏ ଜନସେବା କରିବ, ତାହା ଛାତ୍ରଛାତ୍ରୀଙ୍କ ପ୍ରାଇମେରୀ ଶିକ୍ଷାଠାରୁ ପରୀକ୍ଷା କରାଯାଇ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରାଯିବ । ନିମ୍ନ ମାଧ୍ୟମିକ ଶିକ୍ଷା ଆରମ୍ଭରୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପିତାମାତାଙ୍କ ଇଚ୍ଛାନୁସାରେ ନୁହେଁ–ବରଂ ସେମାନଙ୍କର ଅନ୍ତର୍ନିହିତ ‘ପାରଙ୍ଗମତା’ ଓ ‘ରୁଚି’ ଅନୁସାରେ ଶିକ୍ଷା ଲାଭ କରିବେ । ଯଥା, ପିଲାଟି ଦିନରୁ ଯେଉଁମାନଙ୍କଠାରେ ଅସୀମ ସାହସ ପରିଲକ୍ଷିତ ହେବ, ସେମାନଙ୍କୁ ଏପରି ଶିକ୍ଷା ଦିଆଯିବ ଯେପରି ସେମାନେ ଭବିଷ୍ୟତରେ ଟେରୋରିଷ୍ଟ ବା ଡକାୟତ ନ ହୋଇ ସୈନ୍ୟ ବିଭାଗରେ ଭର୍ତ୍ତି ହୋଇପାରିବେ ଏବଂ ମାଧ୍ୟମିକ ଶିକ୍ଷାଠାରୁ ସେମାନଙ୍କୁ ସେହି ଅନୁସାରେ ଶିକ୍ଷା ଦିଆଯିବା ଆରମ୍ଭ ହେବ ।

 

ପାରଙ୍ଗମତା ଏବଂ ସ୍ଵରୁଚି ଅନୁସାରେ ଛାତ୍ରଛାତ୍ରୀଙ୍କର ଶିକ୍ଷାର ବ୍ୟବସ୍ଥା ମୂଳରୁ ଆରମ୍ଭ କରିଦିଆଯିବ ।

 

ଏପରି ହେଲେ ଯା’ଠି ଯେଉଁ କଳା ଓ ଗୁଣ ରହିଥିବ, ସେ ସେହି କଳା ଓ ଗୁଣର ଉତ୍କର୍ଷ ସାଧନ କରିପାରିବ । ଯେଉଁ ଛାତ୍ର ବା ଛାତ୍ରୀର ଆଙ୍କିବା ପ୍ରତି ଆଗ୍ରହ ଅଛି ତାକୁ ସେହି ପାଠ ପଢ଼ାଇବାର ବ୍ୟବସ୍ଥା ହେବ । ସେହିପରି ଯେ ଗାଇ ପାରୁଛି, ଯେ ବଜାଇ ପାରୁଛି, ଯେ ଗଢ଼ି ପାରୁଛି, ଯେ ନାଚି ପାରୁଛି, ଯେ ଲେଖିପାରୁଛି ସେମାନଙ୍କୁ ପରୀକ୍ଷା କରି ତାଙ୍କର ରୁଚି ଅନୁସାରେ ଶିକ୍ଷା ଦେଲେ ଭବିଷ୍ୟତରେ ସେ ସେହି କଳାର ଉତ୍କର୍ଷ ସାଧନ କରିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ କର୍ମଜୀବନରେ କର୍ମତୃପ୍ତି ମଧ୍ୟ ପାଇ ପାରିବ ।

 

ମାତ୍ର ମନେରଖିବା ଉଚିତ, ଯେ ଯେଉଁ ପାଠ ପଢ଼ୁ ବା ଯେଉଁ ଯୋଗ୍ୟତା ହାସଲ କରି ଯେଉଁ କର୍ମ କରୁପଛେ ଯେପରି ତା’ର ଆୟ ସହିତ ଅନ୍ୟ ଜଣକର ଆୟରେ ବିଶେଷ ପାର୍ଥକ୍ୟ ନ ରହିବ । ସେପରି ରଖାଗଲେ ଯେଉଁ କାମରେ ଅଧିକ ଆୟ ହେଉଛି ବୋଲି ଜଣାଯିବ ପିତାମାତା ଓ ଅଭିଭାବକମାନଙ୍କ ଚାପରେ ପିଲାର ପ୍ରକୃତ ଅନ୍ତର୍ନିହିତ ଗୁଣ ଓ ରୁଚି ବିଷୟରେ ପରୀକ୍ଷା କରୁଥିବା ବ୍ୟକ୍ତି ଦୁର୍ନୀତିଗ୍ରସ୍ତ ହୋଇ ପଡ଼ିବେ ।

 

(୪)

ଜାତୀୟ ଆୟର ସମ ବଣ୍ଟନ

 

ଜାତୀୟ ଆୟର ସମ ବଣ୍ଟନ ଦେଶପାଇଁ ଅତି ଜରୁରୀ ହୋଇ ପଡ଼ିଛି । ଆଜି ଯଦି ଦେଶରେ ଦୁର୍ନୀତି, ଅନୀତି, ଅନ୍ତର୍ଘାତୀ କାର୍ଯ୍ୟ ଚାଲିଥାଏ ତେବେ ତା’ ମୁଖ୍ୟତଃ ଜାତୀୟ ଆୟର ଅସମବଣ୍ଟନ ଯୋଗୁ ହିଁ ହେଉଛି ।

 

ସରକାରୀ କଳଟା ବିବାକ ଦୁର୍ନୀତିଗ୍ରସ୍ତ ହୋଇ ଗଲାଣି । ଭାରତର ରାଜଧାନୀରେ ସରକାରୀ ଚାକିରି କରୁଥିବା ଜଣେ ଜଣେ ସାଧାରଣ କର୍ମଚାରୀ ଯେଉଁମାନେ ମାସିକ ଅନ୍ୟୂନ ୨୫୦୦ରୁ ୩୫୦୦ ଟଙ୍କା ଦରମା ପାଆନ୍ତି ତାଙ୍କ କଥା ଶୁଣନ୍ତୁ । ଦେଶର ଅନ୍ୟ ଏକ କୋଣରୁ ଚିଠି ଲେଖି ରିମାଇଣ୍ଡର ଦେଇ ଦେଇ ଥକିଗଲା ପରେ ଖର୍ଚ୍ଚ ବାର୍ଚ୍ଚ କରି ଆସି ଅଫିସରେ ପହଞ୍ଚିଲେ ସେଠି ସେହି କିରାଣି ଖୁବ୍‌ କମରେ ୧୦୦୦ ଟଙ୍କା ଏବଂ ଉଚ୍ଚ କର୍ମଚାରୀ ଅନ୍ୟୂନ ଟ୨୦୦୦ରୁ କମ୍‌ ଲାଞ୍ଚ ନ ନେଲେ ଚିଠି ହଜିଯାଇଛି, ଫାଇଲ୍‌ ମିଳୁନି ଆଉଥରେ ପଠାଅ ବୋଲି କହନ୍ତି । ଜଣେ ସାମ୍ବାଦିକ ଏବଂ ଗୋଟିଏ ଦୈନିକ ଖବରକାଗଜର ସମ୍ପାଦକ ହୋଇ ମଧ୍ୟ ନିଜର ପରିଚୟ ନଦେଇ ମୁଁ ନିଜେ ରାଜଧାନୀ ଦିଲ୍ଲୀରେ ବସିଥିବା ସରକାରୀ କର୍ମଚାରୀଙ୍କୁ ଉତ୍କୋଚ୍ଚ ଦେଇ ୪ ଦିନ ପରେ ମୋ ଚିଠିର ଉତ୍ତର ପାଇବା ସମ୍ଭବ ହୋଇଛି । ଚିଠିର ଉତ୍ତର ଦେବା ପାଇଁ ଯେ ବସିଛି, କାମ କରିବା ପାଇଁ ଯେ ନିଯୁକ୍ତି ପାଇଛି ସେ ବିନା ଉତ୍କୋଚରେ କାମ କରୁନି । ଆଚ୍ଛା ଭାବନ୍ତୁତ ମୋ ପରି ଜଣେ ସାଧାରଣ ନାଗରିକ ଯଦି ଜରୁରୀ ଚିଠିର ଉତ୍ତର ପାଇବା ପାଇଁ ୧୭୦୦ କିଲୋମିଟର ଦୂରରେ ଥିବା ଦିଲ୍ଲୀ ଯାଇ ହୋଟେଲରେ ରହି, ଉତ୍କୋଚ ଦେଇ ଉତ୍ତର ପାଏ, ତେବେ ଦେଶର ଅନ୍ୟମାନଙ୍କର ଦଶା କ’ଣ ହେଉ ନଥିବ !

 

ଆମର ଏଇ କଟକ ସହରର G.P.O. କଥା ଶୁଣିଥାନ୍ତୁ । ଗୋଟିଏ ସାଇଲେଣ୍ଟ ପାସ୍‌ବୁକ୍‌କୁ ପୁନରାୟ ଚାଲୁ କରାଇବା ପାଇଁ ଦରଖାସ୍ତ ଦେଇ ମାସେରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଲା । ତା’ପୁଣି ସହଜରେ ନୁହେଁ । ଉତ୍କୋଚ ଏବଂ ପାଟିପୁଟା ହେବାପରେ ।

 

ଆମ କଟକ ଟେଲିଫୋନ ଅଫିସର କର୍ମଚାରୀଙ୍କ ଇଉନିୟନ ତରଫରୁ ପ୍ରତିବର୍ଷ ଗୋଟିଏ ସ୍ମରଣିକା ପ୍ରକାଶପାଏ । ସେଥିରେ କନ୍‌ଜୁମରମାନଙ୍କଠାରୁ ଅସଂଖ୍ୟ ବିଜ୍ଞାପନ ସଂଗୃହୀତ ହୋଇ ଛାପାଯାଏ, ଯେ ବିଜ୍ଞାପନ ନଦିଏ ତା’ର ଟେଲିଫୋନ କଲ ୪ ରୁ ୫ ଗୁଣା ହୋଇଯାଏ ।

 

ଏ ଲେଖକ ସ୍ଵାଧୀନତା ଆନ୍ଦୋଳନ ଦେଖୁଛି, ଦେଶ ସ୍ଵାଧୀନ ହେବାଦିନର ଅପାର ଆନନ୍ଦ ଅଙ୍ଗେ ଲିଭାଇଛି, ନେହେରୁ ଶାସନ ଦେଖିଛି, ଲୁହାର ମଣିଷ ସର୍ଦ୍ଦାର ବଲ୍ଲବଭାଇ ପଟେଲ ଏବଂ ବିଚକ୍ଷଣ କୁଟନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଚେଷ୍ଟାରେ ଦେଶୀୟ ରାଜ୍ୟଗୁଡ଼ିକ ଏ ଦେଶରେ ସାମିଲ ହେବା ଦେଖିଛି । ରଜା ରାଜୋଡ଼ାଙ୍କ ହାତ ପାଣ୍ଠି ଉଚ୍ଛେଦ, ବ୍ୟାଙ୍କ ଜାତୀୟକରଣ, କୋର୍ଟ କଚେରିର କ୍ଷମତା ହ୍ରାସ ପାଇଁ ସମ୍ବିଧାନ ସଂଶୋଧନ ଏବଂ ଆଜିର ପରିସ୍ଥିତି ସବୁ ଦେଖି ଆସିଛି । ମାତ୍ର ସରକାରୀ କ୍ଷେତ୍ରରେ ଉତ୍କୋଚ ପୁଣି ଅତିରିକ୍ତ ଉତ୍କୋଚ ଆରମ୍ଭ ହୋଇଛି ଲାଲ ବାହାଦୁର ଶସ୍ତ୍ରୀଙ୍କ ମୃତ୍ୟୁ ପରଠାରୁ । ମନେଥାଇପାରେ ଥରେ ଦୁର୍ନୀତି ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାନକୁ ଅଣାଯିବାରୁ ସେ କହିଥିଲେ Corruption is a global problem ମନେ ଥାଇପାରେ ପାର୍ଲାମେଣ୍ଟ ସଭ୍ୟମାନେ ଥରେ ଟେଲିଫୋନ୍‌ ଅଚଳ ନେଇ ପାଟିତୁଣ୍ଡ କଲାବେଳେ ବିଭାଗୀୟ ମନ୍ତ୍ରୀ କହିଲେ ଯଦି ଟେଲିଫୋନ ସର୍ଭିସ ଆପଣଙ୍କୁ ଠିକ୍‌ ରୂପେ ନ ମିଳୁଛି ତେବେ ଆପଣଙ୍କ ଟେଲିଫୋନଟିକୁ ଡିପାର୍ଟମେଣ୍ଟକୁ ଓ୍ୟାପସ୍‌ କରିଦିଅନ୍ତୁ । ଏହାଦ୍ଵାରା ଦୁର୍ନୀତିଖୋର୍‌ ସରକାରୀ କର୍ମଚାରୀଙ୍କ ମୁହଁ ବଢ଼ିଯାଉ ନାହିଁକି ? ଦୁର୍ନୀତି କରୁଥିବା କର୍ମଚାରୀଙ୍କ ସାହସ ବଢ଼ିଯାଉ ନାହିଁକି ?

 

ଏ ଦେଶରେ ଯେଉଁମାନେ ଦଳବଦ୍ଧ ହୋଇ ଦାବି କଲେ, ଧର୍ମଘଟ କଲେ ତାଙ୍କ କଥା ପ୍ରଥମେ ଶୁଣା ଯାଉଛି । ମାତ୍ର ଅସଂଗଠିତ ଜନସାଧାରଣଙ୍କ କଥା କିଏ ବୁଝିବାକୁ ନାହିଁ । ଏପରିକି ଠକାମୀରେ ପଡ଼ୁଥିବା ଲୋକ, ଅନ୍ୟାୟ ଭୋଗୁଥିବା ଲୋକ ମଧ୍ୟ ସେଥିରୁ ମୁକ୍ତି ପାଇବାର ଆଶା ନ ଥିବା ଦେଖି ଆପତ୍ତି ଅଭିଯୋଗ ମଧ୍ୟ କରୁନାହାନ୍ତି ।

 

ଆମ ଦେଶରେ ୭୦ ଭାଗ ଲୋକ ହେଉଛନ୍ତି କୃଷକ, କୃଷିଜୀବୀ ଓ କୃଷି ଶ୍ରମିକ । ଏମାନେ ସଂଗଠିତ ନୁହନ୍ତି, ଯେପରି ସରକାରୀ ଓ ବେସରକାରୀ କର୍ମଚାରୀ ଏବଂ ଶ୍ରମିକ ଶ୍ରେଣୀ ସଂଗଠିତ । ସେମାନଙ୍କ ସଂଗଠନ ମାଧ୍ୟମରେ ସମସ୍ତେ ତାଙ୍କର ଦାବି ଉପସ୍ଥାପିତ କରୁଛନ୍ତି ଏବଂ ଶେଷରେ ଧର୍ମଘଟ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ସରକାରଙ୍କୁ ଏବଂ କଳମାଲିକଙ୍କୁ ଅକଳରେ ପକାଇ ଦାବି ହାସଲ କରି ଚାଲିଛନ୍ତି । ମାତ୍ର ଅସଂଗଠିତ ଜନସାଧାରଣକଙ୍କର କୌଣସି ସଂଗଠନ ନ ଥିବାରୁ ସେମାନଙ୍କର ଆପତ୍ତି ଅଭିଯୋଗ, ଯନ୍ତ୍ରଣା, ଦୁଃଖ କୌଣସି ସରକାରୀ ଦପ୍ତରରେ ପହଞ୍ଚିପାରୁନି । ଯଦି ଆମର ବିଧାୟକମାନେ ବିଧାନସଭା ସମୟ ବ୍ୟତୀତ ଅନ୍ୟ ସମୟରେ ଅସଂଗଠିତ ବ୍ୟକ୍ତିଙ୍କୁ ସଂଗଠିତ କରି ସେମାନଙ୍କର ଆୟ କିପରି ବଢ଼ିବ, ସରକାରୀ କର୍ମଚାରୀ ପାଉଥିବା ସୁବିଧାମାନ ଉକ୍ତ ଅସଂଗଠିତ ବ୍ୟକ୍ତିମାନେ କିପରି ପାଇ ପାରିବେ, ଏବଂ ସେମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ସାଧନ କିପରି ହୋଇପାରିବ ତା’ର ବିଧିବଦ୍ଧ ଯୋଜନାମାନ ନେଇ ସରକାରଙ୍କ ପାଖରେ ଆସେମ୍ଲି ଓ ପାର୍ଲାମେଣ୍ଟ ଆଗରେ ରଖନ୍ତେ ତେବେ ନିଶ୍ଚିତ ଭାବେ ସେମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ ବିଚାର ଆଲୋଚନା ହୁଅନ୍ତା ।

 

ଆମ ଦେଶର ଶତକଡ଼ା ୧୦୦ ଜଣ ଟିକସ ଦିଅନ୍ତି । ଏପରିକି ଶତକଡ଼ା ୧୦୦ଜଣରୁ ଅଧିକ ମଧ୍ୟ ଟିକସ ଦିଅନ୍ତି । କାରଣ ଜନ୍ମହେବା ଆଗରୁ ଅର୍ଥାତ୍‌ ଗର୍ଭରେ ଥିବା ଶିଶୁଠାରୁ ଆରମ୍ଭ କରି ମୃତ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ସରକାରୀ ଟିକସ ଆଦାୟ ହୁଏ । ମାତ୍ର ସେହି ଆୟକୁ ଦେଶର ଶତକଡ଼ା ୩ ଭାଗ ସରକାରୀ କର୍ମଚାରୀ ଦରମା, ଭତ୍ତା, ଘରଭଡ଼ା, ଔଷଧ ଖର୍ଚ୍ଚ, ଛୁଟି, ପ୍ରୋଭିଡେଣ୍ଟ ଫଣ୍ଡ, ଗସ୍ତ ଖର୍ଚ୍ଚ, ପରିଭ୍ରମଣ ଖର୍ଚ୍ଚ, ପେନ୍‌ସନ୍‍, ଗ୍ରାଚୁଇଟି ଆକାରରେ ଲୁଟି ନିଅନ୍ତି । ଯେତେ ବଡ଼ ବଡ଼ ଯୋଜନା ହୁଏ ତାହା ପ୍ରାୟ ଋଣ ହୋଇ ହୁଏ । ଜାତୀୟ ଆୟ ଆଦାୟ ହୁଏ ଶତକଡ଼ା ୧୦୦ ଜଣଙ୍କଠାରୁ ଏବଂ ତାକୁ ବିଭିନ୍ନ ବାଟରେ ନେଇଯାଆନ୍ତି ଶତକଡ଼ା ୩ଜଣ ସରକାରୀ କର୍ମଚାରୀ ଓ ଆମ ଲୋକପ୍ରତିନିଧିଗଣ ।

 

ଗାଁରେ ଜଣେ ସାଧାରଣ ଲୋକର ମାସିକ ଆୟ ଯଦି ୧୦୦ ଟଙ୍କା ସହରରେ ଜଣେ ସରକାରୀ କର୍ମଚାରୀର ମାସିକ ଆୟ ୩୦୦୦ ଟଙ୍କାରୁ ୧୫୦୦୦ ଟଙ୍କା ଏବଂ କମ୍ପାନୀ ଡାଇରେକ୍ଟର ମାନଙ୍କର ମାସିକ ଆୟ ଲକ୍ଷ ଓ କୋଟି ଟଙ୍କା । ଏହା ବ୍ୟତୀତ ଶତକଡ଼ା ୯୯ ଭାଗ ସରକାରୀ କର୍ମଚାରୀଙ୍କ ଉତ୍କୋଚ ଆୟ ମଧ୍ୟ କିଛି କମ୍‌ ନୁହେଁ ।

 

ଆଉ ଅଧିକ ବର୍ଣ୍ଣନା କରି ସମୟ ନଷ୍ଟ କରୁନି । ପ୍ରତ୍ୟେକ ବିଧାୟକ, ପ୍ରତ୍ୟେକ ପାର୍ଲାମେଣ୍ଟାରିୟାନ୍‌, ମନ୍ତ୍ରୀ, ଜଜ୍‌, ରାଷ୍ଟ୍ରପତି ଏବଂ ସରକାରୀ ଓ ଅର୍ଦ୍ଧସରକାରୀ କଳରେ ଥିବା କର୍ମଚାରୀ ସମସ୍ତେ ଜାଣନ୍ତି ଏ ଦେଶରେ ଅସଂଗଠିତ ଲୋକ, ଚାଷୀ, ମୂଲିଆ, ଅଳ୍ପ ବେତନ ଭୋଗୀ କର୍ମଚାରୀ, ବିଧବା ନାରୀ, ପରିତ୍ୟକ୍ତା ମହିଳା, ଏବଂ ସହରସ୍ଥ ଫୁଟପାଥ ଓ ଝୁମ୍ପୁଡ଼ିରେ ଦିନ କାଟୁଥିବା ରାସ୍ତାକଡ଼ର ପ୍ରାଣୀ ଅର୍ଥାତ୍‌ ମଣିଷ ରୂପଧାରୀ ପଶୁମାନେ, ଏହି ସ୍ଵାଧୀନ-ଗଣତନ୍ତ୍ର ଦେଶ, ଯେଉଁଠି ଦିନେ ବୁଦ୍ଧ, ମହାବୀର, ଗୁରୁ ନାନକ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଭଳି ମହାପୁରୁଷମମାନେ ଜନ୍ମଗ୍ରହଣ କରିଥିଲେ, ସେହି ପବିତ୍ର ଭାରତ ଭୂମିରେ ଆଜି କି ଅବସ୍ଥାରେ ଅଛନ୍ତି । ତଥାପି ଈଶ୍ୱରଙ୍କୁ ଧନ୍ୟବାଦ ଦେବା କଥା ଯେ, ଏ ଦେଶର ଶତକଡ଼ା ୩ ଭାଗ ସରକାରୀ କର୍ମଚାରୀ ଶତକଡ଼ା ଏକଭାଗ ରାଜନୀତିଜ୍ଞ, ୧ ଭାଗରୁ କମ୍‌ ପୁଞ୍ଜିପତି ଏବଂ ମାତ୍ର ୨୦ ଜଣ ମହାପୁଞ୍ଜିପତି ଅର୍ଥାତ୍‌ ସର୍ବମୋଟ ପ୍ରାୟ ୫% ଲୋକ କିପରି ବାକି ୯୫% ଲୋକଙ୍କୁ ତ୍ରୁଟିପୂର୍ଣ୍ଣ ଆଇନସଙ୍ଗତ ବେଆଇନ ପଘାରେ ବାନ୍ଧି ସେମାନଙ୍କୁ ତଳିତଳାନ୍ତ କରି, ନିର୍ଯାତିତ କରି, ଭୋକିଲା ପେଟରେ ଗୋଇଠା ମାରି, ଅର୍ଦ୍ଧନଗ୍ନ ଶରୀର ଓ ବାସହୀନ କରି, ସ୍ୱାଧୀନତା ପ୍ରାପ୍ତିର ପ୍ରାୟ ଅର୍ଦ୍ଧଶତାବ୍ଦୀ ଯାଏ ପଶୁତୁଲ୍ୟ ରଖିଥିଲେ ମଧ୍ୟ କାହାରି ଚେତା ପଶୁନି ।

 

ଆଜି ଯଦି ଦେଶରେ କେହି ଗରିବ ହୋଇଥାଏ, ତେବେ ତାହା କେବେହେଲେ ତା’ର ଦୁର୍ଭାଗ୍ୟର ଫଳ ନୁହେଁ । ଯଦି କେହି ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥାଏ ତେବେ ତାହା କେବେହେଲେ ତା’ର ସୌଭାଗ୍ୟର ଫଳ ନୁହେଁ । ଏ ସବୁ ଆଦୌ ଈଶ୍ୱରକୃତ ନୁହେଁ–ସବୁ ହେଉଛି ମୁଷ୍ଟିମେୟ ଶାସକ ତଥା ହୃଦୟହୀନ ରାକ୍ଷସରୂପୀ ମଣିଷ କୃତ । ସବୁ ହେଉଛି ତ୍ରୁଟିପୂର୍ଣ୍ଣ ଆଇନ ଯୋଗୁ । ଆଇନ ଆମ ଦେଶର ଏତେଦୂର ତ୍ରୁଟିପୂର୍ଣ୍ଣ ହୋଇ ନଥିଲେ, ଗଣତନ୍ତ୍ର ରାଷ୍ଟ୍ର ନାମରେ ମାତ୍ର ୫% ଲୋକ ଅନ୍ୟ ୯୫% ଲୋକଙ୍କୁ ଅର୍ଦ୍ଧଶତାବ୍ଦୀ ଧରି କ୍ରୀତଦାସ ଓ ପଶୁତୁଲ୍ୟ କରି ରଖିପାରି ନ ଥାନ୍ତେ । ଏଇ ୫% ଲୋକଙ୍କ ହାତରେ ଅଛି ଧନ-ବଳ, କ୍ଷମତା-ବଳ ଏବଂ ଅସ୍ତ୍ରଶସ୍ତ୍ରଧାରୀ ସୈନ୍ୟ-ବଳ । ବାକି ୯୫% ଲୋକଙ୍କୁ ୫ଇଞ୍ଚରୁ ଅଧିକ ଲମ୍ବା ଛୁରିଟାଏ ଧରିବା ମନା । ତେଣୁ ଏଠାରେ ବିଚାର କରିବା କଥା, ଆଜି ଯେଉଁ ଟେରୋରିଜିମ୍‌ ଏ ଦେଶରେ ମୁଣ୍ଡ ଟେକିଛି, ତା’ ମୂଳରେ ରହିଛି ମୁଖ୍ୟତଃ ‘‘ଜାତୀୟ ଅର୍ଥର ଅସମବଣ୍ଟନ’’ ନୀତି ।

 

ଏ ଦେଶର ମୋଟାମୋଟି ଚିତ୍ର ହେଉଛି, ଯେ କାଲି ପୁଞ୍ଜିପତି ଥିଲା ସେ ଆଜି ମହାଧନୀ ଏବଂ କାଲି ଯେ ଗରିବ ଥିଲା ସେ ଆଜି ଦରିଦ୍ର । ଯେ କାଲି ମନ୍ତ୍ରୀଙ୍କ ପାଖରେ ଡ୍ରାଇଭର ଓ ପୂଜାରୀ କାମ କରୁଥିଲା ସେ ଆଜି ବିଧାୟକ । ବିଧାୟକ ହେବା ପାଇଁ ଏ ଦେଶରେ କୌଣସି ଯୋଗ୍ୟତାର ଆବଶ୍ୟକତା ନଥାଏ । ଥରେ ବିଧାନସଭା ବା ଲୋକସଭାକୁ ଆସିଲା ପରେ ସେମାନେ ନିଜ ଅଞ୍ଚଳର ସେହି ଦୁଃସ୍ଥ ୯୫% ଲୋକଙ୍କ କଥା ଭୁଲିଯାଆନ୍ତି କିମ୍ବା ତାଙ୍କ ମୁଖ୍ୟ ନେତା ଯେ କି ତାଙ୍କ ଜୀବଦ୍ଦଶାରେ କେବେ ଗାଁରେ ବସବାସ କରି ନଥାନ୍ତି, କେବେହେଲେ ଫୁଟପାଥ ବା ଝୁମ୍ପୁଡ଼ିରେ ରହି ରାସ୍ତାକଡ଼ର ପ୍ରାଣୀଙ୍କ ଅବସ୍ଥା ଅନୁଧ୍ୟାନ କରି ନଥାନ୍ତି ତାଙ୍କ ପାଖରେ ବିଧାୟକ ଓ ଏମ୍‌.ପି.ମାନେ ଠିକ୍‌ ରୂପେ ସେମାନଙ୍କର ପ୍ରକୃତ ଚିତ୍ର ଚିତ୍ରଣ କରି ପାରନ୍ତି ନାହିଁ । ତେଣୁ ବ୍ରିଟିଶ ଢାଞ୍ଚାରେ କେବଳ ଗଡ୍‍ଡାଳିକା ରୀତିରେ କୌଣସିମତେ ଦଳର ବଳକୁ ମଜଭୁତ କରି ୫ ବର୍ଷ ମାରିଦେଇ ତା’ ଭିତରେ ଯା ଇଚ୍ଛା ତା’ କରି, ଆଗାମୀ ୫ ପୁରୁଷ ପାଇଁ ନିଜର ସମସ୍ତ ପ୍ରକାର ସୁବିଧା ହାସଲ କରିନେଇ ଶେଷରେ ପେନ୍‌ସନ୍‌ ଗଣ୍ଡାକ ଧରି ଚାଲିଯାଆନ୍ତି ।

 

ମୁଁ ପୁଣିଥରେ ଚେତାଇ ଦେବାକୁ ଚାହେଁ ଯେ–ଈଶ୍ୱର ଅଛନ୍ତି ଏବଂ ସେ ତାଙ୍କର ପ୍ରତିନିଧି ରୂପେ ବୋଧହୁଏ ଏ ଦେଶକୁ ବହୁସଂଖ୍ୟାରେ ଟେରୋରିଷ୍ଟ ପଠାଇ ଦେଇଛନ୍ତି । ତାଙ୍କୁ ଯେତେ ମାରିଲେ ମଧ୍ୟ ସେମାନେ ରକ୍ତବୀର୍ଯ୍ୟାଙ୍କ ପରି ବଢ଼ି ଚାଲୁଛନ୍ତି । ଯଦି ଆମ ଦେଶର ଆଇନ ବ୍ୟବସ୍ଥାର ପରିବର୍ତ୍ତନ ନ ହୁଏ, ଜାତୀୟ ଆୟର ସମବଣ୍ଟନ ନ ହୁଏ, ଆୟର ସୀମାନିର୍ଦ୍ଧାରଣ ନ ହୁଏ ଅସଂଗଠିତ ୯୫% ଲୋକଙ୍କର ଆୟବୃଦ୍ଧି, ସଂଗଠିତ ଚାକିରିଆ ଓ ରାଜନୈତିକ ବ୍ୟକ୍ତିମାନଙ୍କର ଉତ୍କୋଚ ନେବା ରୀତିନୀତି ଏବଂ ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟଙ୍କ ମନମୁଖି ଆୟକୁ ଅତିମାତ୍ରାରେ କମାଇ ଦିଆ ନ ଯାଏ ତେବେ ତାକୁ ଈଶ୍ୱର କେବଳ ସ୍ଵଦେଶୀ ଟେରୋରିଜମ୍‍ ମାଧ୍ୟମରେ ହିଁ ଠିକଣା କରିଦେବେ–ଏଥିରେ ସନ୍ଦେହ ନାହିଁ ।

 

ପ୍ରସ୍ତାବ :–

 

(୧) ସରକାରୀ ଆୟର ସମବଣ୍ଟନ କରିବାକୁ ହେଲେ ସର୍ବନିମ୍ନ ଏବଂ ସର୍ବୋଚ୍ଚ ଆୟର ଏକ ସୀମାରେଖା ଟାଣିବାକୁ ପଡ଼ିବ ।

 

(୨) ଏ ଦେଶର ଶତକଡ଼ା ୯୫% ଲୋକଙ୍କର ଆୟ ସହିତ ଉପରୋକ୍ତ ଧନ ବଳ, ଆଇନ ବା କ୍ଷମତା ବଳ ଓ ଅସ୍ତ୍ରଶସ୍ତ୍ର ବଳରେ ବଳିୟାନ ୫% ଲୋକଙ୍କ ଆୟର ଭାରସାମ୍ୟ ରକ୍ଷା କରିବା ପାଇଁ ପ୍ରଥମେ ଯୋଜନା ହେବା ଉଚିତ ।

 

(୩) ଯେଉଁ ଦେଶରେ ସବୁ ନାଗରିକଙ୍କର ଭୋଟ ଅଧିକାର ସମାନ, ବାଲାଟ ପେପରର ମୂଲ୍ୟ ସମାନ, ସେ ଦେଶରେ ଜଣେ କାହିଁକି ପେଟ ବିକଳରେ ଦି’ପଟ ରୁଟି ଚୋରି କରି ଖାଇଲେ ଚୋର ବୋଲି ସାବ୍ୟସ୍ତ ହୋଇ ଦଣ୍ଡ ଭୋଗିବ, ଆଉ କୋଟିପତି, ପୁଞ୍ଜିପତିମାନେ ୫ଟଙ୍କାର ଜିନିଷକୁ ୨୫ଟଙ୍କାରେ ବିକି ଦିନ ଦି ପ୍ରହରରେ ଲୋକଙ୍କୁ ଠକୁଥିଲେ ମଧ୍ୟ ତାଙ୍କୁ ଆଇନ ଦ୍ୱାରା ସାଧୁ ରୂପେ ଘଣ୍ଟଘୋଡ଼ା ଯାଉଥିବ ?

 

(୪) ଜାତୀୟ ଆୟର ସମବଣ୍ଟନ ହୋଇ ପାରିଲେ, ଧନ ଅର୍ଜନ ଓ ଗଚ୍ଛିତ କରିବାର ସର୍ବନିମ୍ନ ଏବଂ ସର୍ବୋଚ୍ଚ ସୀମାରେଖା (ସିଲିଂ) ନିର୍ଦ୍ଧାରିତ ହୋଇଗଲେ ସମସ୍ୟାର ସମାଧାନ ହେବନି । ଏଇ ସର୍ବନିମ୍ନ ଏବଂ ସର୍ବୋଚ୍ଚ ଆୟ ସୀମା ମଧ୍ୟରେ ଖୁବ୍‌ ବେଶି ହେଲେ ବର୍ତ୍ତମାନ ପାଇଁ ଦୁଇଗୁଣା ତାରତମ୍ୟ ରଖାଯାଇପାରେ । ଆବଶ୍ୟକ ହେଲେ ବର୍ତ୍ତମାନ ପାଉଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧା କମାଇ ଦେଇ ସେହି ଟଙ୍କାରେ ୯୫% ଲୋକଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ବ୍ୟବସ୍ଥା କରାଯାଇପାରେ ।

 

(୫) ସମସ୍ତେ ଏ ଦେଶର ନାଗରିକ । ସମସ୍ତଙ୍କ ଭୋଟ ମୂଲ୍ୟ ଏକ । ତେଣୁ ଆୟ କ୍ଷେତ୍ରରେ ସମସ୍ତଙ୍କର ଆୟର ଅସମତାକୁ ଯେତେଦୂର ସମ୍ଭବ ସମତା ଆଡ଼କୁ ଆଣିବା ପାଇଁ ଆଇନ ପ୍ରଣୟନ ହେଲେ କେହି ପଦେ ମଧ୍ୟ କହିବାର ଯୁ ନ ଥିବ ।

 

ଇନ୍‌କମ୍‌ ଟ୍ୟାକ୍ସ ବଢ଼ାଇ ଦେଲେ ମଧ୍ୟ ଏହାର ସମାଧାନ ହେବନାହିଁ । କାରଣ ଆଜିକାଲି ଶତକଡ଼ା ୯୫% ଜଣ ଅଫିସର ଉତ୍କୋଚ ନେଇ ପ୍ରକୃତ ଟିକସ ଦାତାଙ୍କୁ ଛାଡ଼ି ଦେଉଛନ୍ତି ଏବଂ ଯେ ଟିକସ ଦେବା କଥା ନୁହେଁ ସେପରି ଲୋକ ଅଫିସରଙ୍କୁ ଲାଞ୍ଚ ନ ଦେଲେ ଇନ୍‌କମ୍‌ଟ୍ୟାକ୍ସ ଅଫିସର ତା’ ଉପରେ ମିଥ୍ୟା ଟିକସ ଭିଡ଼ି ଦେଉଛନ୍ତି । ଆଉ ମୁଁ ଜୋର୍‍ କରି କହିପାରେ ଯେ ଆଜି ଦେଶ ଏପରି ଅବସ୍ଥାରେ ଆସି ପହଞ୍ଚିଛି, ଦୁର୍ନୀତି ଏତେ ଚେର ମାଡ଼ି ବସିଛି, ତାକୁ କୌଣସି ମନ୍ତ୍ରୀ କିମ୍ବା ଏପରିକି ରାଷ୍ଟ୍ରପତି ମଧ୍ୟ ଯଦି ତାଙ୍କର ସମସ୍ତ ସୈନ୍ୟବଳଙ୍କୁ ଲଗାଇ ଦୁର୍ନୀତି ମୂଳୋତ୍ପାଟନ କରିବାକୁ ଚେଷ୍ଟା କରନ୍ତି, ତେବେ ପାରିବେ ନାହିଁ, ବରଂ ହାର ମାନିବେ ।

 

ମାତ୍ର ଜାତୀୟ ଆୟର ସମବଣ୍ଟନ ନୀତି ଯଦି ଥରେ ଆଇନରେ ପରିଣତ ହେବ ତେବେ ତା’ କାର୍ଯ୍ୟକାରୀ ହେଲେ କାହାରି ମୁହଁରୁ ପଦେ ବି କଥା ବାହାରିବ ନାହିଁ । ଫଳରେ ଏଇଆ ହେବ ଆଜି ଯେ ମୋଟା ଦରମା ପାଉଛି ତା’ର ଆୟ କମିଯିବ ଏବଂ ନିମ୍ନ ଆୟକାରୀ ଲୋକଙ୍କ ଆୟବୃଦ୍ଧି ପାଇଁ ସେଇ ଟଙ୍କା କାମରେ ଲାଗିବ ।

 

ଜାତୀୟ ଆୟର ସମବଣ୍ଟନ ସାଙ୍ଗକୁ ଜାତି, ଧର୍ମ ନିର୍ବିଶେଷରେ ବାଧ୍ୟତାମୂଳକ ଜନ୍ମ ନିୟନ୍ତ୍ରଣ ନିହାତି ଦରକାର । ତା’ ନହେଲେ ଧର୍ମର ଦ୍ୱାହିଦେଇ କେହି କେହି ଏକାଧିକ ନାରୀ ଗ୍ରହଣ କରି ଡଜନେ ଦୁଇଡଜନ ସନ୍ତାନ ସନ୍ତତିଙ୍କ ପିତା ପାଲଟି ସମସ୍ତଙ୍କୁ ଆୟର ସମବଣ୍ଟନ ହେଉ ବୋଲି ଦାବି କରି ପାରନ୍ତି । ତେଣୁ ଆଇନ ଏପରି ହେବ ଯେପରି ସରକାର ଗୋଟିଏ ପିତାର ଔରସରୁ ମାତ୍ର ୨ଟି ବା ୩ଟି ସନ୍ତାନ-ସନ୍ତତିଙ୍କର ଦାୟିତ୍ଵ ନେବେ । ଅଧିକ ହେଲେ ତା’ର ଦାୟିତ୍ଵ ସରକାର ନେବେନାହିଁ । ସେପରି ସନ୍ତାନକୁ ଦେଶ ଅଦରକାରୀ ପିଲାରୂପେ ଗଣ୍ୟ କରିବ-। ଫଳରେ ତା’ର ଶିକ୍ଷା, ସୁରକ୍ଷା, ଆୟ ପାଇଁ ସରକାର ଦାୟୀ ହେବେନି ।

 

(୫)

ଜାତି, ଧର୍ମ ଓ ସମ୍ପ୍ରଦାୟ ଭିତ୍ତିକ ଆଇନର ମୂଳୋତ୍ପାଟନ

 

ଆମ ଦେଶରେ ଏବେ ଯେଉଁ ସମ୍ବିଧାନ କାର୍ଯ୍ୟକାରୀ ହେଉଛି, ତାହା ଜାତି, ଧର୍ମ ଓ ସମ୍ପ୍ରଦାୟ ଭିତ୍ତିକ । ମଣିଷ ମନ ଭିତରେ ଜାତି, ଧର୍ମ ଓ ସମ୍ପ୍ରଦାୟ ଭାବ ସୃଷ୍ଟି କରିବା ପାଇଁ ଆମ ଦେଶର ପ୍ରଚଳିତ ଆଇନ ମୁଖ୍ୟତଃ ଦାୟୀ । ତା’ ସାଙ୍ଗକୁ ଦାୟୀ ହେଉଛନ୍ତି ଆମ ଦେଶର ରାଜନୈତିକ ନେତୃବୃନ୍ଦ । କାରଣ ସେମାନେ ଜାଣିଶୁଣି ସମ୍ବିଧାନରୁ ଜାତି, ଧର୍ମ, ସମ୍ପ୍ରଦାୟ କଥାକୁ ଉଠାଇ ଦେଇ ସମସ୍ତ ଭାରତବାସୀଙ୍କ ପାଇଁ ମାତ୍ର ଗୋଟାଏ ଆଇନ ପ୍ରଣୟନ କରୁନାହାନ୍ତି । ତା’ଛଡ଼ା ଲୋକେ ଜାତି, ଧର୍ମ, ସମ୍ପ୍ରଦାୟ କଥା ଭୁଲି ଆସିଲା ବେଳକୁ ପ୍ରତି ଇଲେକ୍‌ସନ ବେଳେ ଜାତି, ଧର୍ମ ଓ ସମ୍ପ୍ରଦାୟକୁ ଆଖି ଆଗରେ ରଖି ଟିକେଟ ଦେବାଠାରୁ ଆରମ୍ଭ କରି, ଭୋଟ ପ୍ରଚାର ଯାଏ ସବୁ କ୍ଷେତ୍ରରେ ଏଇ ସମାଜର ମଣିଷ ମନରେ ବିଭେଦ ସୃଷ୍ଟି କରି ଦେଉଛନ୍ତି ।

 

କୌଣସି ଜାତିର ଲୋକଙ୍କ ପାଇଁ ଚାକିରି ଓ ପ୍ରମୋସନ୍‍ର ବିଶେଷ ସୁବିଧା କରିବା ସମ୍ବିଧାନ ଅନ୍ତର୍ଗତ । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଏ ଦେଶର ପ୍ରଥମ ଶ୍ରେଣୀ ନାଗରିକ ଏବଂ ସଂଖ୍ୟାଗରିଷ୍ଠ ନାଗରୀକଙ୍କୁ ଏ ଦେଶର ଦ୍ୱିତୀୟ ଶ୍ରେଣୀ ନାଗରିକ ରୂପେ ଗଣ୍ୟ କରାଯାଉଛି । ସେହିପରି ସରକାର ନିଜେ କୌଣସି ମହାପୁରୁଷ ବା ଧର୍ମଯାଜକ ହୋଇ ନ ଥିଲେ ମଧ୍ୟ ପ୍ରତ୍ୟେକ ଲୋକଙ୍କର ଧର୍ମଭାବନା ଉପରେ ହସ୍ତକ୍ଷେପ କରୁଛନ୍ତି ।

 

ଜାତୀୟ ଆୟର ସମବଣ୍ଟନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଲୋକର ଆୟର ସିଲିଂ କରିଦେଇ ଯଦି ତାହାକୁ କାର୍ଯ୍ୟକାରୀ କରାଯାଏ, ତେବେ ଜାତିଭିତ୍ତିକ ରାଜନୀତି, ଧର୍ମଭିତ୍ତିକ ରାଜନୀତି ଓ ସମ୍ପ୍ରଦାୟ ଭିତ୍ତିକ ରାଜନୀତି ଆଉ ଚାଲିପାରିବ ନାହିଁ । ତେଣୁ ବୋଧହୁଏ ଆମର ଆଇନ କର୍ତ୍ତାମାନେ ଦେଶରେ ଜାତି-ଧର୍ମ-ସମ୍ପ୍ରଦାୟ ବିହୀନ ରାଜନୀତି କରିବାକୁ ଭୟ କରୁଛନ୍ତି ।

 

ଦେଶ ଆଗରେ ବର୍ତ୍ତମାନ ବହୁ ସମସ୍ୟା ଦଣ୍ଡାୟମାନ । ତା’ ମଧ୍ୟରୁ ଜାତି, ଧର୍ମ, ସମ୍ପ୍ରଦାୟ ଏ ସମସ୍ୟାର ସମାଧାନ ନ ହେଲେ ସରକାରଙ୍କର ସବୁ ଯୋଜନା ମାଡ଼ ଖାଇଯିବ । କାରଣ ଜନ୍ମ ନିୟନ୍ତ୍ରଣକୁ ଦେଶର ଏକ ଜରୁରୀକାଳୀନ କାର୍ଯ୍ୟ ବୋଲି ଧରାଯାଇ କି ହିନ୍ଦୁ, କି ମୁସଲମାନ, କି ଖ୍ରୀଷ୍ଟିୟାନ, କି ଶିଖ ବା ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବାଧ୍ୟତାମୂଳକ ଭାବେ ଜନ୍ମନିୟନ୍ତ୍ରଣ ଲାଗୁ କରାଯିବ ।

 

ହିନ୍ଦୁମାନଙ୍କ ପାଇଁ ଗୋଟିଏ ଆଇନ, ମୁସଲମାନ ଓ ଖ୍ରୀଷ୍ଟିୟାନ ଏବଂ ଶିଖମାନଙ୍କ ପାଇଁ ଅଲଗା ଆଇନ ନ ହୋଇ, ଯେଉଁ ଆଇନ ପ୍ରଣୟନ କରାଯିବ, ତାହା ଭାରତର ପ୍ରତ୍ୟେକ ଲୋକ ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ବାଧ୍ୟତାମୂଳକ ରୂପେ ମାନିବେ । ଏବଂ ଏଥିପାଇଁ ଗୋଟିଏ ସିଲିଂ କରାଯିବ, ଜାତି ଭିତ୍ତିରେ, ସମ୍ପ୍ରଦାୟ ଭିତ୍ତିରେ ଓ ଧର୍ମ ଭିତ୍ତିରେ କାହାରିକୁ ଆଇନ ଅଧିକ ବା କମ୍‌ ସୁବିଧା ଦେବନାହିଁ । ଯା ଆଇନ ହେବ ତା’ ଏ ଦେଶର ସମସ୍ତ ଜନସାଧାରଣଙ୍କ ପାଇଁ ହେବ । ଏପରିକି ସରକାରୀ କର୍ମଚାରୀ ଓ V.I.P, V.V.I.Pମାନଙ୍କୁ ଯେଉଁ ଅଧିକ ବା ସ୍ଵତନ୍ତ୍ର ସୁବିଧା ଦିଆଯାଉଛି, ତା’ ମଧ୍ୟ ଦିଆଯିବ ନାହିଁ ।

 

ଧର୍ମର ଦ୍ୱାହି ଦେଇ ଯଦି କେହି ଅଧିକ ସନ୍ତାନ ସନ୍ତତିର ପିତା ବା ମାତା ହୁଅନ୍ତି ତେବେ ତାଙ୍କ ଶିକ୍ଷା ଦୀକ୍ଷା, ରକ୍ଷଣାବେକ୍ଷଣ, ଆର୍ଥିକ ସିଲିଂ ଆଦି ପାଇଁ ସରକାର ଆଦୌ ଦାୟୀ ହେବେ ନାହିଁ । ଏପରି ଏକ ଆଇନ ନହେଲେ ଏବଂ ଜନ୍ମ ନିୟନ୍ତ୍ରଣରେ ସମସ୍ତ ଜାତି, ଧର୍ମ ଓ ସମ୍ପ୍ରଦାୟ ପ୍ରତି ସନ୍ତାନ ସନ୍ତତିଙ୍କର ସିଲିଂ ବ୍ୟବସ୍ଥା ଲାଗୁ ନ ହେଲେ ଭବିଷ୍ୟତରେ ଏହା ଦେଶର ଆର୍ଥିକ ମାନଦଣ୍ଡକୁ ଚୂରମାର କରି ଦେବ ।

 

ସମ୍ପ୍ରଦାୟ ଭିତ୍ତିରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥାକୁ କୋହଳ କରାଗଲେ ସମୟ ଆସିବ ଯେତେବେଳେ ଏହି ହିନ୍ଦୁସ୍ଥାନରେ ହିନ୍ଦୁଙ୍କ ସଂଖ୍ୟା କମି ସେମାନେ ସଂଖ୍ୟାଲଘୁ ହୋଇଯିବେ ।

 

ଗୋଟିଏ ସମ୍ପ୍ରଦାୟର ଲୋକେ ଯଦି ଧର୍ମ ନାମରେ ଏକାଧିକ ନାରୀଙ୍କର ପତି ସାଜି ବର୍ଷକୁ ଡଜନେ ସନ୍ତାନର ପିତା ହୁଅନ୍ତି ଏବଂ ଜନ୍ମ ନିୟନ୍ତ୍ରଣ ନକରନ୍ତି ତା’ହେଲେ ଦେଶର ଅବସ୍ଥା କ’ଣ ହେବ ?

 

ଅନ୍ୟପକ୍ଷରେ ଅନ୍ୟ ସମ୍ପ୍ରଦାୟର ଲୋକେ ଏକ ପତ୍ନୀକ ହୋଇ ଦୁଇଟି ସନ୍ତାନର ପିତା ହେବାପରେ ନିଜେ ଖାସୁ ହୋଇ ବଳଦ ପାଲଟି ବା ପତ୍ନୀଙ୍କୁ ବାଞ୍ଝୀ କରି ଛାଡ଼ନ୍ତି ତେବେ ତାଙ୍କ ସମ୍ପ୍ରଦାୟର ଅବସ୍ଥା ଭବିଷ୍ୟତରେ କ’ଣ ହେବ ?

 

ମନେରଖିବା ଉଚିତ ସରକାର ପ୍ରେମିକ ନୁହନ୍ତି ଯେ କାହାକୁ ଅତି ମାତ୍ରାରେ ଭଲ ପାଇବେ ମନେ ରଖିବା ଉଚିତ ସରକାର ଧର୍ମଯାଜକ ନୁହନ୍ତି ଯେ କୌଣସି ଧର୍ମାବଲମ୍ବୀଙ୍କୁ ଅଧିକ ସୁବିଧା ଦେବେ, ମନେରଖିବା ଉଚିତ ସରକାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଜାତି, ନିର୍ଦ୍ଦିଷ୍ଟ ଧର୍ମ ବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ନୁହନ୍ତି ଯେ କାହାକୁ ଅଧିକ ଓ କାହାକୁ କମ୍‌ ସୁବିଧା ଦେବେ । ସର୍ବୋପରି ସରକାର ଭାରତମାତାଙ୍କର ସମସ୍ତ ସନ୍ତାନ ସନ୍ତତିଙ୍କ ଦ୍ୱାରା ଗଠିତ । ତେଣୁ ସରକାର ସମସ୍ତଙ୍କର-। ସରକାର କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ବା ସମ୍ପ୍ରଦାୟର ନୁହେଁ । ଭାରତମାତାଙ୍କ ପାଖରେ ସମସ୍ତେ ସମାନ । ମାତ୍ର ଆଇନ କର୍ତ୍ତାମାନେ ତାକୁ ବସି ବେଆଇନ ଭାବେ ଅସମାନ କରିବାରେ ବ୍ୟସ୍ତ ।

 

(୬)

କେବଳ ଆର୍ଥିକ ଅବସ୍ଥାକୁ ଚାହିଁ ସଂରକ୍ଷଣ ବ୍ୟବସ୍ଥା ରଖାଯାଇପାରେ

 

ସଂରକ୍ଷଣ ବ୍ୟବସ୍ଥା ଉପରେ ବହୁ ଆଲୋଚନା ସମାଲୋଚନା ଇତିପୂର୍ବରୁ ସର୍ବସାଧାରଣରେ ଏବଂ ଖବରକାଗଜମାନଙ୍କରେ ହୋଇଯାଇଛି । ବିଶ୍ୱନାଥ ପ୍ରତାପ ସିଂହଙ୍କ ପରି ଦଣ୍ଠାମାର୍କା ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡରେ ମଣ୍ଡଳ ଭୂତ ପ୍ରବେଶ କରିବାରୁ ଶତଶତ ଛାତ୍ରଛାତ୍ରୀ ଆତ୍ମାହୁତି ଦେଲେ, ଗୁଳିଚୋଟରେ ପ୍ରାଣ ହରାଇଲେ ଏବଂ ଶେଷରେ କେନ୍ଦ୍ରରେ ସୁଦୃଢ଼ ଜନତା ସରକାରର ପତନ ଘଟିଲାରୁ ସିନା ୧୯୯୦ରେ ୧୦ମ ଲୋକସଭା ଇଲେକସନ୍‌ ହେଲା ଓ ଭୋଟ ପ୍ରଚାର କରିବାକୁ ଯାଇ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ସହାସ୍ୟ ନେତା ରାଜୀବ ଗାନ୍ଧୀ ଅକାଳ ମୃତ୍ୟୁ ମୁଖରେ ପଡ଼ିଲେ । ମାତ୍ର ଦେଢ଼ବର୍ଷ ଭିତରେ ଯେତେ ରାଜନୈତିକ ଅତ୍ୟାଚାର, ଯେତେ ଟେରୋରିଜିମ୍‌ ଜନିତ ନାରକୀୟ ହତ୍ୟା, ଯେତେ ରାଜନୀତିଜ୍ଞଙ୍କ ପ୍ରାଣ ହାନି ଓ ମଣ୍ଡଳ ରାକ୍ଷସ ନେଇ ଯେତେ ଛାତ୍ରଛାତ୍ରୀଙ୍କ ଆତ୍ମାହୁତି, ସରକାର ଗୁଳିରେ ଛାତ୍ର ହତ୍ୟା, ଅଯୋଧ୍ୟାରେ ହିନ୍ଦୁ ନରବଳି ଘଟି ଯାଇଛି, ଭାରତ ଇତିହାସରେ ଏହା ବିରଳ ବୋଲି ଲିପିବଦ୍ଧ ହୋଇ ରହିବ ।

 

ତେଣୁ ବର୍ତ୍ତମାନ ସମୟ ଆସିଛି କେବଳ ଆର୍ଥିକ ଅବସ୍ଥାକୁ ଚାହିଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ଏବଂ ପ୍ରମୋସନ୍‍ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଅଦୌ ଲାଗୁ ହେବନାହିଁ । ସରକାରୀ ପ୍ରମୋସନ୍‍ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ହେବାଦ୍ୱାରା ଆଜି ଯେ ଛାତ୍ର କାଲି ସେ ତା’ ନିଜ ଗୁରୁଙ୍କଠାରୁ ସିନିୟର ହୋଇ ଯାଉଛି । ରକ୍ତ ମାଂସ ଧାରୀ ମଣିଷର ତ ପୁଣି ବୁଦ୍ଧି, ବିବେକ ଓ ହୃଦୟ ଅଛି, ଧୈର୍ଯ୍ୟର ତ ପୁଣି ଗୋଟାଏ ସୀମା ଅଛି, ସହିବା ଶକ୍ତିର ତ ଗୋଟାଏ ସ୍ତର ଅଛି । ଆଜି ଯେ ଆପଣଙ୍କ ଅଧସ୍ତନ କର୍ମଚାରୀ ଯଦି ସେ କୋଟାରେ କ୍ଷିପ୍ରଗତିରେ ପ୍ରମୋସନ୍‍ ପାଏ ତେବେ କାଲି ତ ସେ ତା’ ସିନିୟରକୁ ଟପି ଜୁନିଅର କରିଦେବ ଓ ନିଜେ ସିନିଅର ହୋଇଯିବ । ଏକଥା ସହିବେ କିପରି ? ମନ ନିଶ୍ଚୟ ବିଦ୍ରୋହ କରିବ । ତେଣୁ ପ୍ରମୋସନ୍‍ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

 

ଏହାଛଡ଼ା ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଶିକ୍ଷକ ଏବଂ ସରକାରଙ୍କ ମୁଖ୍ୟ ଏବଂ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଅଯୋଗ୍ୟ ଲୋକଙ୍କୁ କୋଟାରେ ଯୋଗ୍ୟ ବିବେଚିତ କରି ଚାକିରି ଦେବା ଦେଶବାସୀଙ୍କ ପାଇଁ ଆଦୌ ମଙ୍ଗଳଜନକ ନୁହେଁ ।

 

କୋଟାରେ ନିଯୁକ୍ତ ଅଯୋଗ୍ୟ ଡାକ୍ତରଙ୍କ ହାତରେ ରୋଗୀର ଅକାଳ ବିୟୋଗ ହେବ; କୋଟାରେ ନିଯୁକ୍ତ ଅଯୋଗ୍ୟ ଇଞ୍ଜିନିୟର ଯେଉଁ କୋଠାବାଡ଼ି ଓ ପୋଲ ଆଦି ନିର୍ମାଣ କରିବେ ତା’ ବିନା ଭୂକମ୍ପରେ ଭୁଶୁଡ଼ି ପଡ଼ିବ; କୋଟାରେ ଯାହାଙ୍କୁ ବୈଜ୍ଞାନିକ ବୋଲି ସ୍ୱୀକୃତି ମିଳିବ ସେ ପରୀକ୍ଷାଗାରରେ ପଟାସିୟମ୍‌ ସାନାଇଡ଼କୁ ମିଶ୍ରି ବୋଲି ଭାବି ଚାଖିଲା ବେଳେ ନିଜ ହାତରେ ପ୍ରାଣ ହରାଇବେ କିମ୍ବା ତାଙ୍କ ଦ୍ଵାରା ତିଆରି ପରମାଣୁ ବୋମା ଆବଶ୍ୟକ ବେଳେ ଫୁଟିବ ନାହିଁ । କୋଟାରେ ନିଯୁକ୍ତ ଅଧିକାଂଶ ସରକାରୀ କର୍ମଚାରୀ ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ବା ନିର୍ବୋଧ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି ।

 

କେବଳ ପାଠପଢ଼ା କ୍ଷେତ୍ରରେ ସେମାନଙ୍କୁ ଅତ୍ୟଧିକ ସୁବିଧା ସୁଯୋଗ ଦେଇ ଅଳ୍ପ ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟରେ ଅଯୋଗ୍ୟ-କୋଟାଧାରୀଙ୍କୁ ନିଆଯାଇପାରେ ।

 

ପୁଣିଥରେ ଚେତାଇ ଦେଉଛି ଯେ, ପ୍ରମୋସନ୍‍ କ୍ଷେତ୍ରରେ ଆଦୌ ସଂରକ୍ଷଣ ପ୍ରଶ୍ନ ଯେପରି ନରହେ । ଏହା ମଣିଷର ମନ, ବିବେକ, ହୃଦୟ ସବୁ ଉପରେ ଅଯଥା ରକ୍ତଚାପ ସୃଷ୍ଟି କରିବ ଏବଂ ସମାଜର କ୍ଷତି ସାଧନ କରିବ । ମଣିଷ ମନରେ ଟେରୋରିଜମ୍‌ ମନୋଭାବ ସୃଷ୍ଟି କରାଇବ ।

 

(୭ କ)

ଶିଳ୍ପ ନୀତିରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଲୋଡ଼ା

 

ହିନ୍ଦୁସ୍ଥାନ ଏପରି ଏକ ଦେଶ ବିଶେଷକରି ଏହାର ପ୍ରାକୃତିକ ଗଠନ ଏପରି ଯେ, ଲୋକେ ଏହାକୁ ଗୋଟିଏ ଛୋଟିଆ ପୃଥିବୀ ବୋଲି କହିଥାନ୍ତି । କହିବାର ତାତ୍ପର୍ଯ୍ୟ ମଧ୍ୟ ଅଛି । କାରଣ ଏ ବିରାଟ ଦେଶର ଦକ୍ଷିଣ ପଟ ବିଷୁବରେଖା ନିକଟବର୍ତ୍ତୀ ହୋଇଥିବାରୁ ଅସହ୍ୟ ଗରମ, ପ୍ରଚୁର ବର୍ଷା ଜଳ ପାଇଥାଏ । ଅନ୍ୟ ପକ୍ଷରେ ପୃଥିବୀର ଉଚ୍ଚତମ ଗିରିବର ହିମାଳୟ ଏ ଦେଶର ଉତ୍ତରାଞ୍ଚଳକୁ ଅତିରିକ୍ତ ହିମ ପ୍ରବାହ ଯୋଗାଇଥାଏ । ତେଣୁ ଜଳବାୟୁ ଦୃଷ୍ଟିରୁ ଆମ ଦେଶଟି ସବୁପ୍ରକାର ଜଳବାୟୁର ଅଧିକାରୀ । ଅନୁକୂଳ ଜଳବାୟୁ ହେତୁ ପୃଥିବୀର ଯେକୌଣସି ଫଳ, ବୃକ୍ଷ, ଲତା, ପୁଷ୍ପ ଆମ ଦେଶ ମାଟିରେ ବଞ୍ଚି ରହି ପାରୁଛି ।

 

ଶିଳ୍ପ କଥା ଦେଖନ୍ତୁ । ଆମ ଦେଶର ଶିଳ୍ପ ମୁଖ୍ୟତଃ କୃଷିଭିତିକ ଏବଂ ଖଣିଜ ଭିତ୍ତିକ ହେବା ସ୍ଵାଭାବିକ୍‌ । ଯେଉଁ ଯେଉଁ ଅଞ୍ଚଳରେ ପ୍ରଚୁର ସିଜିନାଲ୍‌ ଫଳ, ପନିପରିବା, ତୈଳବୀଜ ଶସ୍ୟ ଆଦି ଫସଲ ଉତ୍ପାଦନ ହୋଇ ପାରୁଛି, ସେହି ସେହି ଅଞ୍ଚଳରେ ଉତ୍ପାଦନକୁ ଭିତ୍ତିକରି ଶିଳ୍ପ ପ୍ରତିଷ୍ଠା କରାଯିବା ଉଚିତ ।

 

ଆମ୍ବ ଆମଦାନୀ ବେଳେ ଆମ୍ବରୁ ଆଚାର, ଜୁସ୍‌ ବାହାର କରାଯାଇ ତା’ର ସୁରକ୍ଷା ପୂର୍ବକ ଏହାକୁ ପ୍ରଥମ, ୨ୟ ଏବଂ ୩ୟ ଏପରି ୩ଟି ଗ୍ରେଡ଼ରେ ଚିହ୍ନିତ କରାଯିବ ଏବଂ ପ୍ରଥମ ଗ୍ରେଡ଼ର ଜିନିଷକୁ କେବଳ ରପ୍ତାନୀ କରାଯିବ । ୨ୟ ଓ ୩ୟ ଗ୍ରେଡ଼ର ଜିନିଷକୁ ନିଜ ଦେଶରେ ବ୍ୟବହାର କରାଯିବ ।

 

ଦେଶରେ ବଡ଼ବଡ଼ ଶିଳ୍ପଗୁଡ଼ିକୁ ଏପରି ନିର୍ଦ୍ଦେଶ ହେବ ଯେପରି ସେମାନେ ତାଙ୍କ ଶିଳ୍ପଜାତ ଦ୍ରବ୍ୟକୁ ସ୍ଵଦେଶରେ ବିକ୍ରୟ କରିପାରିବେ ନାହିଁ । ତେଣୁ ବାହାରେ ଯେଉଁ ଯେଉଁ ଜିନିଷର ଚାହିଦା ଅଛି ସେହି ଜିନିଷ ତିଆର କରିବାପାଇଁ ସେମାନଙ୍କୁ ଲାଇସିନ୍‌ସ୍‌ ମିଳିବ । ମଧ୍ୟମ ଧରଣର ଇଣ୍ଡଷ୍ଟ୍ରି ଯେଉଁ ଜିନିଷ ଉତ୍ପାଦନ କରିବେ ତହିଁରୁ ଶତକଡ଼ା ୫୦ ଭାଗ ବିଦେଶକୁ ପଠାଇବେ ଏବଂ ବାକି ୫୦ ଭାଗ ନିଜ ଦେଶରେ ବିକିବେ । ତେଣୁ ତାଙ୍କୁ ସେହି ଅନୁସାରେ ଉତ୍ପାଦନୀ ଲାଇସିନ୍‌ସ୍‌ ଦିଆଯିବ ।

 

ଛୋଟ ଛୋଟ ଇଣ୍ଡଷ୍ଟ୍ରିଗୁଡ଼ିକ ମୁଖ୍ୟତଃ ବଡ଼ ଏବଂ ମଧ୍ୟମ ଧରଣର ଇଣ୍ଡଷ୍ଟ୍ରି ପାଇଁ କିଛି କିଛି ଜିନିଷ ତିଆରି କରିବେ । ଅର୍ଥାତ୍‌ ଆନ୍‌ସିଲାରୀ ଇଣ୍ଡଷ୍ଟ୍ରି ରୂପେ ସେମାନେ କାମ କରିବେ । ତା’ ଛଡ଼ା ଛୋଟ ଛୋଟ ଇଣ୍ଡଷ୍ଟ୍ରି ଗୁଡ଼ିକର ସମସ୍ତ ଉତ୍ପାଦନ ସ୍ଵଦେଶରେ ବିକ୍ରୟ କରାଯିବ । ଏକ୍‌ସପୋର୍ଟ କ୍ଵାଲିଟି ଜିନିଷ ଯଦି ଏମାନେ ଉତ୍ପାଦନ କରିପାରନ୍ତି ତେବେ ତାଙ୍କୁ ସୁବିଧା ଦିଆଯିବ ଯେପରି ସେମାନେ ମଧ୍ୟ କିଛି ବିଦେଶକୁ ରପ୍ତାନୀ କରି ପାରିବେ ।

 

କଟେଜ୍‌ ଇଣ୍ଡଷ୍ଟ୍ରି ଗୁଡ଼ିକର କୌଣସି ସ୍ଵାତନ୍ତ୍ର୍ୟତା ରହିବ ନାହିଁ । ସେମାନେ ସ୍ଥାନୀୟ ସ୍କୁଲ ଓ କଲେଜ ସହିତ ସଂଯୋଗ ରକ୍ଷାକରି ରହିବେ । ଏଥିରେ ସ୍କୁଲ ପିଲା, କଲେଜ ପିଲା, ମହିଳା ଏବଂ ବେକାର ଲୋକମାନେ ସମ୍ପୃକ୍ତ ହେବେ ।

 

ବିନା ଯନ୍ତ୍ରରେ ବା ଖୁବ୍‌ କମ୍‌ ଯନ୍ତ୍ରରେ ଯେଉଁ ଯେଉଁ ଜିନିଷ ତିଆରି ହୋଇପାରିବ ବା ଉତ୍ପାଦନ କରାଯାଇ ପାରିବ ସେ ସବୁ ଏବଂ ହାଇସ୍କୁଲ ମାଧ୍ୟମରେ ସ୍ଥାନୀୟ ଗ୍ରାମ୍ୟ ମହିଳା ଓ ଛାତ୍ରଛାତ୍ରୀଙ୍କ ସହାୟତାରେ କରାଯିବ । ଯଥା–ଟୁଥପେଷ୍ଟ, ସାବୁନ, ପ୍ରସାଧନ ଦ୍ରବ୍ୟ, ଦିଆସିଲି, ପଙ୍ଗାଲୁଣ, ଦାନ୍ତଘଷା ପାଉଡର, ଫିନାଇଲ, ସୂତାକଟା, ଏଣ୍ଡିପୋକ ଚାଷ; ଖଜୁରି, ତିଆରି ତାଳ ପତ୍ର ଏବଂ ନଡ଼ିଆ କତାରେ ଉତ୍ପାଦନ ହୋଇପାରୁଥିବା ଜିନିଷପତ୍ର । ଏହା ଫଳରେ ଗାଁର ପ୍ରତ୍ୟେକ ବେକାର, ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କ ଶକ୍ତିର ପ୍ରକୃତ ଉପଯୋଗ ହୋଇପାରିବ ଏବଂ ବଡ଼ ବଡ଼ ଶିଳ୍ପପତିମାନେ ଉକ୍ତ ଜିନିଷଗୁଡ଼ିକ ତିଆରି କରିବା ବେଆଇନ ଘୋଷିତ ହେବ । ଏହାଦ୍ଵାରା ମଣିଷର ଦୈନନ୍ଦିନ ବ୍ୟବହାର୍ଯ୍ୟ ପ୍ରତ୍ୟେକ ଜିନିଷ କୁଟୀର ଶିଳ୍ପରୁ ହିଁ ଉତ୍ପାଦିତ ହୋଇ ପାରିବ । କୁଟୀର ଶିଳ୍ପ ମାଧ୍ୟମରେ ନିମ୍ନଲିଖିତ ଜିନିଷମାନ ଉତ୍ପାଦିତ ହେବ । ଯଥା–ଟୁଥପେଷ୍ଟ, ଟୁଥ ପାଉଡର, ପ୍ରସାଧନ ସାମଗ୍ରୀ (କୁଙ୍କୁମ, ସିନ୍ଦୂର, ସ୍ନୋ, ପାଉଡର, ସେଣ୍ଟ୍‌, ବାସନା ତେଲ ଇତ୍ୟାଦି), ଦିଆସିଲି, ସଫା ଲୁଣ ବା ପଙ୍ଗା ଲୁଣ, ଦଉଡ଼ି, ପାପୋଛ, ଆଚାର, ଫଳରସ, ଦୁଧଜାତ ଦ୍ରବ୍ୟ, ଲହୁଣୀ, ଖଜୁର ଓ ତାଳପତ୍ରରେ ତିଆରି ଜିନିଷ, ଛତା, ଜୋତା, ତୈଳବୀଜର ଉତ୍ପାଦନକୁ ଚାହିଁ ତେଲ, ଅଟା, ସାବୁନ, ସିଲ୍‍କ ସୂତା, ସୂତାରୁ ଲୁଗା, କପାରୁ ତୁଳା, କପା ମଞ୍ଜି ଏବଂ ଆମ୍ବ କୋଇଲିରୁ ଆବଶ୍ୟକୀୟ ପଦାର୍ଥ, ମାଛଚାଷ, କୁକୁଡ଼ା ଚାଷ, ଗାଈଗୋରୁ ଓ ଛେଳିମେଣ୍ଢା ପାଳନ, ଏଣ୍ଡିପୋକ ଚାଷ, ବିଡ଼ି, ଗୁଡ଼ାଖୁ ତିଆରି ଗୋବରରୁ ଗ୍ୟାସ ବାହାର କରି ସାରିଲାପରେ ତାକୁ ସାର ରୂପେ ବ୍ୟବହାର କରିବା ଇତ୍ୟାଦି ଇତ୍ୟାଦି ।

 

ଆଜି ଆମ ଦେଶରେ ବଡ଼ ବଡ଼ ଶିଳ୍ପପତିମାନେ ଉକ୍ତ ଖାଉଟି ଦ୍ରବ୍ୟ ତିଆରି କରୁଛନ୍ତି । ଦେଶରେ ଅତ୍ୟଧିକ ବିକ୍ରୟ କରି ମୋଟା ମୂଲ୍ୟରେ ପଇସା କମାଉ ଅଛନ୍ତି । ମାତ୍ର ମୋ ମତରେ ସେମାନଙ୍କୁ ଏ ସବୁ ଜିନିଷ ତିଆରି ପାଇଁ ସମ୍ପୂର୍ଣ୍ଣ ବାରଣ କରି ଦିଆଯିବ ଏବଂ ପ୍ରତ୍ୟେକ କନ୍‌ଜୁମର ଆଇଟମ୍‌ କେବଳ କଟେଜ ଇଣ୍ଡଷ୍ଟ୍ରି (ସ୍କୁଲ, କଲେଜ ଓ ଗ୍ରାମକୁ କେନ୍ଦ୍ରକରି)ରେ ତିଆର କରାଯିବା ନିମନ୍ତେ ଅନୁମତି ମିଳିବ ।

 

ସ୍ମଲ ଇଣ୍ଡଷ୍ଟ୍ରିଜଗୁଡ଼ିକ ବିଶେଷକରି ଆନ୍‌ସିଲିଆରୀ ସର୍ଭିସ ଇଣ୍ଡଷ୍ଟ୍ରି ଏବଂ ମେସିନଦ୍ୱାରା ଉତ୍ପାଦିତ ହେଉଥିବା କନ୍‌ଜୁମର ଆଇଟମ୍‌ ପ୍ରସ୍ତୁତ କରିପାରିବେ ବୋଲି କଡ଼ା ଆଇନ ହୋଇ ସେହି ଅନୁସାରେ ଲାଇସିନ୍‌ସ ଦିଆଯିବ ।

 

ଏହା ହେଲେ ସ୍କୁଲ ଇଣ୍ଡଷ୍ଟ୍ରିଗୁଡ଼ିକ ଔଷଧ ପତ୍ର, ଖାଦ୍ୟସାମଗ୍ରୀ, ଫାଇନ୍‌ ସୂତା, ଫାଉଣ୍ଟେନ ପେନ, ଡଟ୍‌-ପେନ୍‌ ଓ ରିଫିଲ୍‌, ନିବ୍‌, ଇଲେକ୍‌ଟ୍ରିକ ସରଞ୍ଜାମ, ଲୁହାକଣ୍ଟା, ସ୍କୃ, ନଟବୋଲଟ୍‌, ଗେଞ୍ଜି ଓ ଜଙ୍ଘିଆ ତିଆରି କାରଖାନା, ଚିଙ୍ଗୁଡ଼ି ପ୍ରସେସିଂ, ଛାପାଖାନା, ଟର୍ଚ୍ଚ ବେଟାରୀ, ଇତ୍ୟାଦି ତିଆରି କରିପାରିବେ । ଏହା ପାଇଁ ଗୋଟିଏ ମସ୍ତବଡ଼ ଲିଷ୍ଟ ପ୍ରସ୍ତୁତ କରାଯିବ-। ଏପରିକି ସ୍ଵଦେଶରେ ବ୍ୟବହାର ପାଇଁ ଶତକଡ଼ା ୯୦ ଭାଗ କନ୍‌ଜୁମର ଆଇଟମ୍‌ କେବଳ ସ୍ମଲ ଓ କଟେଜ ଇଣ୍ଡଷ୍ଟ୍ରିରୁ ହିଁ ତିଆରି କରାଯିବ ।

 

ମଧ୍ୟମ ଧରଣର ଇଣ୍ଡଷ୍ଟ୍ରି ଏପରି ଜିନିଷ ତିଆରି କରିବାପାଇଁ ଲାଇସିନ୍‌ସ ପାଇବେ, ଯେପରି ତାହା ସ୍ମଲ ଓ କଟେଜ ଇଣ୍ଡଷ୍ଟ୍ରି ସହିତ କେବେହେଲେ ପ୍ରତିଯୋଗିତା କରିପାରୁ ନଥିବ । ତା’ଛଡ଼ା ତାଙ୍କର ଅଧାଅଧି ଜିନିଷ ରପ୍ତାନୀ ଉପଯୋଗୀ ହେବ ଓ ରପ୍ତାନୀ ପାଇଁ ସରକାର କ୍ଷେତ୍ର ପ୍ରସ୍ତୁତ କରିବେ ।

 

ସେହିପରି ବଡ଼ବଡ଼ ଇଣ୍ଡଷ୍ଟ୍ରିଗୁଡ଼ିକୁ ଏପରି ଲାଇସିନ୍‍ସମାନ ଦିଆଯିବ ଯାହା ମଧ୍ୟମ, ସ୍ମଲ ଓ କଟେଜ ଇଣ୍ଡଷ୍ଟ୍ରି ଉତ୍ପାଦନ କରୁନଥିବେ ଏବଂ ତାଙ୍କର ଶତକଡ଼ା ୯୦ ଭାଗ ଜିନିଷ କେବଳ ରପ୍ତାନୀ କରାଯିବ । ବଡ଼ବଡ଼ ଇଣ୍ଡଷ୍ଟ୍ରିର କୌଣସି ଜିନିଷ ଦେଶରେ ବିକ୍ରୟ ନ ହେବା ଉଚିତ ।

 

ଧରାଯାଉ କାଗଜ ଶିଳ୍ପ । ମଧ୍ୟମ ଧରଣର ଇଣ୍ଡଷ୍ଟ୍ରି ଯେଉଁ କାଗଜ ତିଆରି କରିବେ ସେ କାଗଜ ତିଆର କରିବା ପାଇଁ ବଡ଼ ବଡ଼ ଇଣ୍ଡଷ୍ଟ୍ରିଜଙ୍କୁ ଦିଆଯିବ ନାହିଁ । କିମ୍ବା ସେମାନଙ୍କୁ କେବଳ export quality କାଗଜ ଉତ୍ପାଦନ କରିବାକୁ ଅନୁମତି ମିଳିବ ଏବଂ ତା’ କେବଳ export ହିଁ କରାଯିବ ।

 

ଶିଳ୍ପନୀତିରେ ଆମୂଳଚୂଳ ପରିବର୍ତ୍ତନ ନ ହେଲେ, ବଡ଼ ବଡ଼ ଇଣ୍ଟଷ୍ଟ୍ରିମାନଙ୍କ ଲାଇସିନ୍‌ସର ପରିବର୍ତ୍ତନ କରାନଗଲେ, ସ୍ମଲ ଓ କଟେଜ ଇଣ୍ଡଷ୍ଟ୍ରି ଯେଉଁ ଜିନିଷ କରିବେ ତାହା ଅନ୍ୟ ବଡ଼ ଓ ମଧ୍ୟମ ଇଣ୍ଡଷ୍ଟ୍ରି କରି ନ ପାରିବା ପାଇଁ ଆଇନ ପ୍ରଣୟନ ନ ହେଲେ, ଦେଶର ଅଧିକାଂଶ ସ୍ମଲ ଇଣ୍ଡଷ୍ଟ୍ରି ତଳିତଳାନ୍ତ ହୋଇ ଶେଷରେ କାରଖାନାରେ ଲାଲବତୀ ଜଳାଇ ଦେବାଳିଆ ହୋଇଯିବେ । ଏବେ ଦେଶରେ ହଜାର ହଜାର ସ୍ମଲ ଇଣ୍ଡଷ୍ଟ୍ରି ଦୁର୍ବଳ ବା ସିକ୍‌ ହେବାର ଦେଖା ଦେଇଛି । ଏହାର କାରଣ କେବଳ ସରକାରଙ୍କ ଶିଳ୍ପ ଲାଇସିନ୍‌ସ ଦେବାର ଭୁଲ୍‍ ନୀତି ଯୋଗୁ ହିଁ ହୋଇଛି ।

 

ଗୋଟିଏ ଛୋଟିଆ ଦୃଷ୍ଟାନ୍ତ । ବ୍ରିଟିଶ ସରକାର ଦେଶରେ ଲୁଣମରା ବନ୍ଦ କରିବା ହେତୁ ଆନ୍ଦୋଳନ ହେଲା ଏବଂ ସେହି ଆନ୍ଦୋଳନ ଯୋଗୁ ଦେଶ ସ୍ଵାଧୀନ ହେବାର ରାସ୍ତା ଖୋଲିଲା । ମାତ୍ର ଆଜି ଟାଟା କମ୍ପାନୀ ପଙ୍ଗାଲୁଣ ତିଆରି କରୁଛି । ତା’ହେଲେ ଦେଶବାସୀଙ୍କ ପାଇଁ ବ୍ରିଟିଶ ଲୁଣ ଓ ଟାଟା ଲୁଣ ଭିତରେ ପ୍ରଭେଦ କ’ଣ ? ଏବଂ ଏଇ ଲୁଣ କ’ଣ ଆମର କଟେଜ ବା ସ୍ମଲ ଇଣ୍ଡଷ୍ଟ୍ରିରେ ହୋଇ ପାରିବ ନାହିଁ ? ଏଥିପାଇଁ ଆଜି ଆନ୍ଦୋଳନ ହେଉନି କାହିଁକି ? ଆମ ଏମ୍‌.ପି. ଏବଂ ବିଧାୟକମାନେ କାହିଁକି ଚୁପ୍‌ ହୋଇ ବସିଛନ୍ତି ? ମୋର ମନେହୁଏ ଏମ.ପି. ଏବଂ ବିଧାୟକମାନଙ୍କୁ ବଡ଼ ବଡ଼ ଇଣ୍ଡଷ୍ଟ୍ରିୟାଲିଷ୍ଟମାନେ କିଣି ନେଇଛନ୍ତି ।

 

ସେହିପରି ମଣିଷର ବ୍ୟବହାର୍ଯ୍ୟ ପ୍ରତ୍ୟେକ ଜିନିଷ ତେଲ, ସାବୁନ, ଚପଲ, ଜୋତା, ଟୁଥପେଷ୍ଟ, ଡିଟରଜେଣ୍ଟ, ଲୁଗାପଟା, ସୂତା, ମସଲା, ଡ୍ରେସ, ରେଡ଼ିମେଡ଼୍‌ ଗାରମେଣ୍ଟ, ଫିନାଇଲ, ଦଉଡ଼ି, ପାପୋଛ, ଚଟେଇ, ଫନିଚର ସବୁକିଛି କୁଟୀର ଏବଂ କ୍ଷୁଦ୍ର ଶିଳ୍ପରେ ହୋଇ ପାରିବ । ମାତ୍ର ସରକାର ଏହା କରାଇ ଦେଉନାହାନ୍ତି କାହିଁକି ? ରାଜନୈତିକ ନେତୃବୃନ୍ଦ ଏପରିକି କେତେକ ଏମ୍‌.ପି.ଙ୍କୁ ହାତରେ ରଖି ବଡ଼ ବଡ଼ ଶିଳ୍ପପତିମାନେ ଲାଇସିନ୍‌ସ ହାସଲ କରୁଅଛନ୍ତି । ଏ ସବୁର ଆମୂଳଚୂଳ ପରିବର୍ତ୍ତନ ନ ହେଲେ ଭାରତର ଛୋଟ ଛୋଟ ଶିଳ୍ପ ସଂସ୍ଥାଗୁଡ଼ିକ ଦିନେ ଭୁଶୁଡ଼ି ପଡ଼ିବେ ।

 

ସାରାଂଶ ହେଲା

 

(୧) ଇଣ୍ଡଷ୍ଟ୍ରିଆଲ ପଲିସି ଏପରି ହେଉ ଯେପରି ସ୍ମଲ ଓ କଟେଜ ଇଣ୍ଡଷ୍ଟ୍ରିଗୁଡ଼ିକ ଦେଶର ସମସ୍ତ ଖାଉଟିଦ୍ରବ୍ୟ (Consumer Product) ତିଆରି କରିବେ ଏବଂ ତାହା ଦେଶବାସୀଙ୍କ ବ୍ୟବହାର ପାଇଁ ବିକ୍ରୟ ହେବ ।

 

(୨) ସ୍ମଲ ଏବଂ କଟେଜ ଇଣ୍ଡଷ୍ଟ୍ରିଗୁଡ଼ିକ ଯେଉଁ ଯେଉଁ ଶିଳ୍ପଜାତ ଦ୍ରବ୍ୟ ଉତ୍ପାଦନ କରିବେ ତାହା ମଧ୍ୟମ ଏବଂ ବଡ଼ବଡ଼ ଇଣ୍ଡଷ୍ଟ୍ରିମାନେ କରିପାରିବେ ନାହିଁ ।

 

(୩) ମଧ୍ୟମ ଇଣ୍ଡଷ୍ଟ୍ରି ଯା ତିଆରି କରିବେ ତହିଁରୁ ଅଧେ ରପ୍ତାନୀ ହେବ ଏବଂ ଅଧେ ଦେଶରେ ବିକ୍ରୟ ହେବ । ତେଣୁ ସେମାନେ ଯେଉଁ ଜିନିଷ କରିବେ ତାହାର କ୍ଵାଲିଟି ଏକ୍ସପୋର୍ଟ କ୍ଵାଲିଟି ହେବା ଉଚିତ । ମଧ୍ୟମ ଧରଣର ଇଣ୍ଡଷ୍ଟ୍ରି ଯେଉଁ ଯେଉଁ ଜିନିଷ ତିଆର କରିବେ ସେ ଜିନିଷ ବଡ଼ବଡ଼ ଇଣ୍ଡଷ୍ଟ୍ରିଜ୍‌ମାନେ କିଛିଟା କରିପାରନ୍ତି; କିନ୍ତୁ ସବୁ ନୁହେଁ ।

 

(୪) ବଡ଼ବଡ଼ ଇଣ୍ଡଷ୍ଟ୍ରିମାନେ ଯେଉଁ ଜିନିଷ ତିଆର କରିବେ ସେ ଜିନିଷର ଶତକଡ଼ା ୯୦ ଭାଗ ବା ସମ୍ପୂର୍ଣ୍ଣ ଏକ୍ସପୋର୍ଟ କରାଯିବ । ଯେଉଁ ୧୦ ଭାଗ ଜିନିଷ ଦେଶରେ ବିକ୍ରୟ ପାଇଁ ରହିବ ତାକୁ କେବଳ ସରକାର ଓ ସରକାରୀ ସଂସ୍ଥା ବ୍ୟତୀତ ଅନ୍ୟ କେହି କିଣି ପାରିବେ ନାହିଁ । ସର୍ବସାଧାରଣଙ୍କ ଖର୍ଦ୍ଦିପାଇଁ ତାହା ବଜାରକୁ ଛଡ଼ାଗଲେ ମଧ୍ୟମଧରଣ ଇଣ୍ଡଷ୍ଟ୍ରିଗୁଡ଼ିକ କ୍ଷତିଗସ୍ତ ହେବେ ।

 

(୫) କଟେଜ ଇଣ୍ଡଷ୍ଟ୍ରି ଏବଂ ସ୍ମଲ ଇଣ୍ଡଷ୍ଟ୍ରି ନିମନ୍ତେ ସରକାର କଞ୍ଚାମାଲ (Raw Materials) ସୁଲଭ ମୂଲ୍ୟରେ ଏବଂ ସହଜରେ ଯୋଗାଇ ଦେବାର ବ୍ୟବସ୍ଥା କରିବେ ଓ ତା’ପାଇଁ ଦର ସ୍ଥିର କରିଦେବେ ।

 

(୬) ଶିଳ୍ପଜାତ ସମସ୍ତ ଦ୍ରବ୍ୟର ମୂଲ୍ୟ ଏକ୍ସପାର୍ଟବଡ଼ିଙ୍କ ଦ୍ୱାରା ହିଁ ସ୍ଥିର ହେବ ।

 

(୭) ପ୍ରତିବର୍ଷ ବଜେଟରେ ଶିଳ୍ପଜାତ ଦ୍ରବ୍ୟମାନଙ୍କ ଉପରେ ନୂଆନୂଆ ଟିକସ ବସିବା ହେତୁ କୌଣସି ଖାଉଟି ଦ୍ରବ୍ୟର ଦର ସ୍ଥିର ରହୁନି । ତେଣୁ ବଜେଟକୁ ଟିକସ ଭିତ୍ତିକ କରା ନ ଯାଇ ଖାଉଟି ଭିତ୍ତିକ କରାଯିବ । ଅର୍ଥାତ୍‌ ବଜେଟ ଏପରି ହେବ ଯେପରି ଖାଉଟି ଦ୍ରବ୍ୟ ଉପରେ ତା’ର କୌଣସି ପ୍ରଭାବ ନ ପଡ଼େ ।

 

(୮) ରିଜର୍ଭବ୍ୟାଙ୍କ ଦେଉଥିବା ଋଣ ଟଙ୍କା ସିଧାସଳଖ ଯାଇ ଋଣୀ ହାତରେ ପହଞ୍ଚିବ । ମଝିରେ ଥିବା ବ୍ୟାଙ୍କ ଓ ଫାଇନାନ୍‌ସିଆଲ କର୍ପୋରେସନ୍‌ ଆଦି ସମସ୍ତ ସଂସ୍ଥା ରିଜର୍ଭବ୍ୟାଙ୍କର ଏଜେଣ୍ଟ ରୂପେ ନୁହେଁ କର୍ମଚାରୀରୂପେ କାମ କରିବେ । ଶିଳ୍ପଦ୍ୟୋଗୀମାନଙ୍କୁ ମାତ୍ର 6.25% ହାରରେ ଋଣ ଯୋଗାଇ ଦିଆଯିବ ଏବଂ ଶିଳ୍ପଜାତ ଦ୍ରବ୍ୟର ଦର ଏକ୍ସପାର୍ଟବଡ଼ି ଦ୍ଵାରା ସ୍ଥିର କରାଯିବ ।

 

(୭ ଖ)

ଶିଳ୍ପ ସବ୍‌ସିଡିରେ ହେଉଥିବା କାରସାଦିର ଉଚ୍ଛେଦ

 

ଶିଳ୍ପଦ୍ୟୋଗୀମାନଙ୍କୁ ସରକାର ଋଣ ଦିଅନ୍ତି । ସର୍ବମୋଟ ଇନଭେଷ୍ଟମେଣ୍ଟ ଉପରେ ପ୍ରାଦେଶିକ ସରକାରମାନେ ପ୍ରାୟ ୧୦% ଏବଂ କେନ୍ଦ୍ର ସରକାର ୫% ଏପରି ପ୍ରାୟ ୧୫% ସବ୍‌ସିଡି ଦେଇଥାନ୍ତି । ଏହି ସବ୍‌ସିଡିକୁ ‘‘ଇନଭେଷ୍ଟମେଣ୍ଟ ସବ୍‌ସିଡି’’ ବୋଲି କୁହାଯାଏ ।

 

ଯଦିଓ ଏହି ସବ୍‌ସିଡିକୁ ଇନଭେଷ୍ଟମେଣ୍ଟ ସବ୍‌ସିଡି ବୋଲି କୁହାଯାଉଛି ବାସ୍ତବ କ୍ଷେତ୍ରରେ ସେହି ସବ୍‌ସିଡି ୧୫% ଇନଭେଷ୍ଟମେଣ୍ଟ ବାବଦକୁ ମଜୁରା ହେଉନାହିଁ । ବହୁ ବିଳମ୍ବରେ ସବ୍‌ସିଡି ଟଙ୍କା ଦିଆଯାଉଛି । ଏହା ପ୍ରକୃତରେ ସରକାରଙ୍କର ଉଦ୍ଦେଶ୍ୟକୁ ଖଣ୍ଡନ କରିବା ସଙ୍ଗେ ସଙ୍ଗେ ଶିଳ୍ପଦ୍ୟୋଗୀମାନଙ୍କର ସେତେଟା ଉପକାର ସାଧନ କରୁନି । ବିଷୟଟିକୁ ପ୍ରାଞ୍ଜଳ ଭାବରେ ବୁଝାଇବାକୁ ହେଲେ ଗୋଟିଏ ଦୃଷ୍ଟାନ୍ତର ଆବଶ୍ୟକତା ରହିଛି । ତେଣୁ ପ୍ରଚଳିତ ସବ୍‌ସିଡି ନୀତି ଏବଂ ପ୍ରସ୍ତାବିତ ସବ୍‌ସିଡି ନୀତି ଉଭୟର ଦୃଷ୍ଟାନ୍ତ ନିମ୍ନରେ ଦିଆଗଲା ।

 

ସରକାରଙ୍କ ନୀତି

 

ଗୋଟିଏ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିରେ ସର୍ବମୋଟ ଯେତେ ଇନଭେଷ୍ଟମେଣ୍ଟ ହେବ ତା’ ଉପରେ ୧୦% + ୫%= ୧୫% ସବ୍‌ସିଡି ମିଳିବ ।

 

ପ୍ରଚଳିତ ସବ୍‌ସିଡି ପେମେଣ୍ଟ ନୀତି

 

ସର୍ବମୋଟ ଇନଭେଷ୍ଟମେଣ୍ଟ ଯଦି ଟ୧୦,୦୦,୦୦୦ ହୁଏ, ତା’ ମଧ୍ୟରୁ ଶିଳ୍ପୋଦ୍ୟୋଗୀ ଦିଏ ପ୍ରାୟ ୨୦% ଅର୍ଥାତ୍‌ ଟ୨,୦୦,୦୦୦/–ଏବଂ ସରକାରୀ ଋଣ ସଂସ୍ଥାରୁ ଋଣ ମିଳେ ୮୦% ଅର୍ଥାତ୍‌ ଟ୮,୦୦,୦୦୦/– । ସରକାରୀ ସବ୍‌ସିଡି ୧୫% ହାରରେ ମିଳେ । ସର୍ବମୋଟ ୧୦୦% ଇନଭେଷ୍ଟମେଣ୍ଟ ଟ୧୦,୦୦,୦୦୦ ଉପରେ ସବ୍‌ସିଡି= ଟ୧,୫୦,୦୦୦; କିନ୍ତୁ ଶିଳ୍ପଦ୍ୟୋଗୀ ଋଣ କରିଥିବା ମୂଳଧନ (Principal) ଟ୮,୦୦,୦୦୦ଙ୍କାରୁ ଉକ୍ତ ସବ୍‌ସିଡି ଟ୧,୫୦,୦୦୦ କଟା ଯାଏନା । ତେଣୁ ଶିଳ୍ପଦ୍ୟୋଗୀକୁ ଟ୮,୦୦,୦୦୦ ମୂଳ ଓ ତା’ ଉପରେ ସୁଧ ସବୁକିଛି ସୁଝିବାକୁ ପଡ଼ିଥାଏ । ଯେହେତୁ ସବ୍‌ସିଡିର ଡେଫିନେଶନ୍‌ ହେଲା Investment subsidy ସେ ଦୃଷ୍ଟିରୁ ସବ୍‌ସିଡି ଟଙ୍କାଟି ଋଣକର୍ତ୍ତାଙ୍କର ମୋଟ ଇନଭେଷ୍ଟମେଣ୍ଟ ଋଣରୁ କଟାଯାଇ ବାକି ଯା ରହିଲା ତାକୁଇ ପ୍ରକୃତ ଋଣ ବା ସେତିକି ଟଙ୍କାକୁ Principal Loan ବୋଲି ଧରାଯାଇ ତା’ ଉପରେ ସୁଧ ହିସାବ ହୁଅନ୍ତା । ଏହା ହେଲେ ଶିଳ୍ପଦ୍ୟୋଗୀ ଉପରେ ଋଣଭାର ଏବଂ ସୁଧର ବୋଝ କିଛିଟା ହାଲୁକା ହୋଇଯାଆନ୍ତା ।

 

ନିମ୍ନ ହିସାବଟି ଦେଖନ୍ତୁ

 

ମୋଟ ଇନଭେଷ୍ଟମେଣ୍ଟ (୧୦୦%) ଟ୧୦,୦୦,୦୦୦ ଶିଳ୍ପଦ୍ୟୋଗୀ ଦେଲେ ୨୦% ଟ ୨,୦୦,୦୦୦ । ଋଣସଂସ୍ଥାରୁ ଋଣହେଲା ୮୦% ଟ୮,୦୦,୦୦୦ । ଆଠବର୍ଷିୟା ଏଗ୍ରିମେଣ୍ଟ ହେଲା । ଏଗ୍ରିମେଣ୍ଟ ଅନୁସାରେ ମୂଳ ବାବଦକୁ ବର୍ଷକୁ ଟ୧,୦୦,୦୦୦ ଏବଂ ସୁଧ ୧୫% ଦେବା ସ୍ଥିର ହେଲା । ଫଳରେ ଶିଳ୍ପଦ୍ୟୋଗୀକୁ ଋଣମୁକ୍ତ ହେବାଯାଏ ଯା ଦେବାକୁ ପଡ଼ିଲା ତା’ର ହିସାବ ଦେଖନ୍ତୁ ।

 

ପରିଶୋଧ ବର୍ଷ

ମୂଳ ବାବଦ ଦେୟ

୧୫% ସୁଧ ବାବଦ ଦେୟ

ସୁଧ ମୂଳ ସର୍ବମୋଟ

୧ମ ବର୍ଷ

ଟ.୧,୦୦,୦୦୦

ଟ୮,୦୦,୦୦୦ ଉପରେ

ଟ୨,୨୦,୦୦୦

 

 

ଟ.୧,୨୦,୦୦୦

 

୨ୟ ବର୍ଷ

ଟ୧,୦୦,୦୦୦

ଟ୭,୦୦,୦୦୦ ଉପରେ

ଟ୨,୦୫,୦୦୦

 

 

ଟ୧,୦୫, ୦୦୦

 

୩ୟ ବର୍ଷ

ଟ୧,୦୦,୦୦୦

ଟ୬,୦୦,୦୦୦ ଉପରେ

ଟ୧,୯୦,୦୦୦

 

 

ଟ୯୦,୦୦୦

 

୪ର୍ଥ ବର୍ଷ

ଟ୧,୦୦,୦୦୦

ଟ୫,୦୦,୦୦୦ ଉପରେ

ଟ୧,୭୫,୦୦୦

 

 

ଟ୭୫,୦୦୦

 

୫ମ ବର୍ଷ

ଟ୧,୦୦,୦୦୦

ଟ୪,୦୦,୦୦୦ ଉପରେ

ଟ୧,୬୦,୦୦୦

 

 

ଟ୬୦,୦୦୦

 

୬ଷ୍ଠ ବର୍ଷ

ଟ୧,୦୦,୦୦୦

ଟ୩,୦୦,୦୦୦ ଉପରେ

ଟ୧,୪୫,୦୦୦

 

 

ଟ୪୫,୦୦୦

 

୭ମ ବର୍ଷ

ଟ୧,୦୦,୦୦୦

ଟ୨,୦୦,୦୦୦ ଉପରେ

ଟ୧,୩୦,୦୦୦

 

 

ଟ୩୦,୦୦୦

 

୮ମ ବର୍ଷ

ଟ୧,୦୦,୦୦୦

ଟ୧,୦୦,୦୦୦ ଉପରେ

ଟ୧,୧୫, ୦୦୦

 

 

ଟ୧୫,୦୦୦

 

 

ଟ୮,୦୦,୦୦୦

ଟ୫,୪୦,୦୦୦ (ସୁଧ)

ଟ୧୩,୪୦,୦୦୦

ମୋଟ ଇନଭେଷ୍ଟମେଣ୍ଟ ଟ୧୦,୦୦,୦୦୦ରୁ ୧୫% ସବ୍‌ସିଡି ବାବଦ ଟଙ୍କା କଟିଗଲେ (−)

ଟ ୧,୫୦,୦୦୦

ପ୍ରକୃତଦେୟ

ଟ୧୧,୯୦,୦୦୦

 

ତେଣୁ ଉକ୍ତ ପ୍ରଚଳିତ ରୀତିରେ ଜଣେ ଶିଳ୍ପଦ୍ୟୋଗୀକୁ ପ୍ରକୃତ ଦେବାକୁ ପଡ଼ୁଛି ଟ୧୧,୯୦,୦୦୦ ।

 

ଆମ୍ଭର ପ୍ରସ୍ତାବିତ ସବ୍‌ସିଡି ନୀତି

 

ମୋଟ ଇନଭେଷ୍ଟମେଣ୍ଟ ଟ୧୦,୦୦,୦୦୦ । ସବ୍‌ସିଡି ୧୫% ଟ୧,୫୦,୦୦୦ । ମୋଟ ଋଣ ଟ୮,୦୦,୦୦୦ରୁ ସବ୍‌ସିଡି ଟ୧,୫୦,୦୦୦କୁ ପ୍ରଥମରୁ ବାଦ୍‌ ଦିଆଗଲେ ରହିବ ଟ୬,୫୦,୦୦୦ ।

 

ପରିଶୋଧ ବର୍ଷ

ମୂଳ ବାବଦ ଦେୟ

୧୫% ସୁଧ ବାବଦ ଦେୟ

ସୁଧ ମୂଳ ସର୍ବମୋଟ

 

 

 

 

ପ୍ରଥମ ବର୍ଷ

ଟ୧,୦୦,୦୦୦

ଟ୬,୫୦, ୦୦୦ ଉପରେ ଟ୯୭,୫୦୦/-

ଟ୧,୯୭,୫୦୦-୦୦

୨ୟ ବର୍ଷ

ଟ୧,୦୦,୦୦୦

ଟ୫,୫୦, ୦୦୦ ଉପରେ ଟ୮୨,୫୦୦/-

ଟ୧,୮୨,୫୦୦-୦୦

୩ୟ ବର୍ଷ

ଟ୧,୦୦,୦୦୦

ଟ୪,୫୦, ୦୦୦ ଉପରେ ଟ୬୭,୫୦୦/-

ଟ୧,୬୭,୫୦୦-୦୦

୪ର୍ଥ ବର୍ଷ

ଟ୧,୦୦,୦୦୦

ଟ୩, ୫୦, ୦୦୦ ଉପରେ ଟ୫୨,୫୦୦/-

ଟ୧,୫୨,୫୦୦-୦୦

୫ମ ବର୍ଷ

ଟ୧,୦୦,୦୦୦

ଟ୨,୫୦,୦୦୦ ଉପରେ ଟ୩୭,୫୦୦/-

ଟ୧,୩୭,୫୦୦-୦୦

୬ଷ୍ଠ ବର୍ଷ

ଟ୧,୦୦,୦୦୦

ଟ୧,୫୦,୦୦୦ ଉପରେ ଟ୨୨,୫୦୦/-

ଟ୧,୨୨,୫୦୦-୦୦

୭ମ ବର୍ଷ

ଟ୦,୫୦,୦୦୦

ଟ୫୦,୦୦୦ ଉପରେ ୭,୫୦୦/-

ଟ୫୭,୫୦୦-୦୦

 

ଟ୬,୫୦,୦୦୦

ସୁଧ ଟ୩,୬୭,୫୦୦/-

ଟ୧୦,୧୭,୫୦୦-୦୦

 

ଉକ୍ତ ହିସାବରୁ ପ୍ରତ୍ୟେକ ହୃଦୟଙ୍ଗମ କରିପାରିବେ ଯେ ଖୋଦ୍‌ ସରକାର ଛୋଟ ଛୋଟ ଶିଳ୍ପଦ୍ୟୋଗୀମାନଙ୍କୁ ଖୁବ୍‌ ସାହାଯ୍ୟ ଦେଉଛନ୍ତି ବୋଲି କହି କିପରି ଚିତା କାଟୁଛନ୍ତି ବା ଠକୁଅଛନ୍ତି ।

 

ସରକାର ଶିଳ୍ପନୀତି ଗେଜେଟରେ ପ୍ରକାଶ କରିବା ମାତ୍ରେ ଯଦି ଋଣ ସଂସ୍ଥାଗୁଡ଼ିକୁ ୧୫% ସବ୍‌ସିଡି ବିଷୟରେ ଆଗରୁ ଗ୍ୟାରେଣ୍ଟି ଦେଇ ଦିଅନ୍ତେ ତେବେ ଜଣେ ଶିଳ୍ପଦ୍ୟୋଗୀ କେତେ ସୁବିଧା ପାଇପାରନ୍ତା । ମାତ୍ର ସରକାର ଘୋଷିତ ସବ୍‌ସିଡି ଟଙ୍କାକୁ ବହୁତ ପରେ ମଞ୍ଜୁର କରୁଅଛନ୍ତି ।

 

ଅବଶ୍ୟ ଗୋଟିଏ ପ୍ରଶ୍ନ ଉଠିପାରେ ଯେ କେତେ ପରିମାଣରେ ଇନଭେଷ୍ଟମେଣ୍ଟ କରାଗଲା ତା’ ଆଗରୁ ତ ଜଣାଯାଏନା । ତେଣୁ କେତେଟଙ୍କା ଉପରେ ସରକାର ଆଗରୁ ଗ୍ୟାରେଣ୍ଟି ଦେବେ ?

 

ଏହି ପ୍ରଶ୍ନର ଉତ୍ତର ହେଉଛି–ସରକାର ପ୍ରତିବର୍ଷ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରି ବାବଦରେ ସର୍ବାଧିକ କେତେ ଇନଭେଷ୍ଟ ଚାହାନ୍ତି ତା’ ଆଗରୁ ବର୍ଷ ଆରମ୍ଭରୁ ଘୋଷଣା କରିଦେଇ ସେତିକି ଇନଭେଷ୍ଟମେଣ୍ଟର ୧୫% ସବ୍‌ସିଡି ଟଙ୍କା ବ୍ୟାଙ୍କ ବା ଫାଇନାନ୍‌ସ କର୍ପୋରେସନ୍‌ ମାର୍ଫତରେ ରଖି ଦିଅନ୍ତେ । ଏହାହେଲେ ଲୋନ୍‌ ଏଗ୍ରିମେଣ୍ଟ ବେଳକୁ ସବ୍‌ସିଡି ଟଙ୍କା ମୂଳ ଋଣରୁ କଟାଯାଇ ବାକି ଯେତିକି ରହିଲା ସେତିକି ଟଙ୍କା ଉପରେ ଏଗ୍ରିମେଣ୍ଟ ହୁଅନ୍ତା ।

 

ଏପରି ହେଲେ ଜଣେ ଋଣୀକୁ ୧୦ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ ଉପରେ ଟ୮,୦୦,୦୦୦ ଋଣ ପରିବର୍ତ୍ତେ ଟ୬,୫୦,୦୦୦ ଋଣ କରିବାକୁ ପଡ଼ନ୍ତା ଏବଂ ସମୂଳ ସୁଧ ପରିଶୋଧ କରିବା ପାଇଁ ୮ବର୍ଷ ସ୍ଥଳେ ୭ବର୍ଷ ଲାଗନ୍ତା । ତା’ଛଡ଼ା ସମୂଳ ସୁଧ ଟ୧୧,୯୦,୦୦୦ ସ୍ଥଳେ ଟ୧୦,୧୭,୫୦୦/- ଦେଇ ଋଣମୁକ୍ତ ହେବାକୁ ପଡ଼ନ୍ତା । (ଟ୧୧,୯୦,୦୦୦-ଟ୧୦,୧୭,୫୦୦= ଟ୧,୭୨,୫୦୦ କମ୍‌ ଦେବାକୁ ପଡ଼ନ୍ତା ।)

 

କେବଳ ସରକାର ଦେଉଥିବା ସବ୍‍ସିଡି ଟଙ୍କାକୁ ବିଳମ୍ବରେ ନଦେଇ ଆଗରୁ ଋଣ ଟଙ୍କା ବାବଦରେ ମଜୁରା କରିଦେବା ବ୍ୟବସ୍ଥା ହେଲେ ଦେଶର ଲକ୍ଷ ଲକ୍ଷ ସ୍ମଲ ଇଣ୍ଡଷ୍ଟ୍ରି ଏ ସୁବିଧା ହାସଲ କରନ୍ତେ ।

 

ଆମର ବିଧାୟକ ଓ ପାର୍ଲାମେଣ୍ଟ ମେମ୍ବରମାନଙ୍କର ଏ ଦିଗରେ କ’ଣ କିଛି କରିବାର ନାହିଁ ? ଏମାନେ କ’ଣ ଚାହାନ୍ତି ଛୋଟ ଛୋଟ ଶିଳ୍ପଦ୍ୟୋଗୀମାନଙ୍କୁ ନାନା ଭାବରେ ଶୋଷଣ କରିବା ପାଇଁ ? ଏମାନେ କ’ଣ ଚାହାନ୍ତି ଛୋଟ ଛୋଟ ଶିଳ୍ପଦ୍ୟୋଗଗୁଡ଼ିକ ତିଷ୍ଠି ନପାରୁ ? ଏମାନେ କ’ଣ ତା’ହେଲେ ବଡ଼ ବଡ ଇଣ୍ଡଷ୍ଟ୍ରିୟାଲିଷ୍ଟଙ୍କ ଇଙ୍ଗିତରେ ଏପରି କରୁଅଛନ୍ତି ଯେପରି ଛୋଟ ଛୋଟ ଶିଳ୍ପସଂସ୍ଥା ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିବେ ? ଶିଳ୍ପମନ୍ତ୍ରୀ ମହୋଦୟ, ଅର୍ଥମନ୍ତ୍ରୀ ମହୋଦୟ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ଏମ୍‌.ପି. ଓ ମୁଖ୍ୟମନ୍ତ୍ରୀଗଣ ମୋର ଏଇ ଛୋଟିଆ ପ୍ରଶ୍ନର ଉତ୍ତର ଦେବେ କି ?

 

ଯଦି ପ୍ରକୃତରେ ଦେଶରେ ଛୋଟ ଛୋଟ ଶିଳ୍ପକୁ ସାହାଯ୍ୟ କରିବାର ମନୋଭାବ ଥାଏ, ତେବେ ପ୍ରଥମେ ସବ୍‌ସିଡିକୁ ମୂଳ ଲୋନ୍‌ରୁ କାଟି ଦିଆଯାଇ ଲୋନ୍‌ ଏଗ୍ରିମେଣ୍ଟ କରାଯାଉ ।

 

(୮)

ଋଣସଂସ୍ଥା ଏବଂ ବ୍ୟାଙ୍କ ବ୍ୟବସାୟ ନୀତିର ପରିବର୍ତ୍ତନ

 

ବ୍ୟାଙ୍କ ଏବଂ ଫାଇନାନ୍‌ସ କର୍ପୋରେସନ ଯେଉଁ ଟଙ୍କା ଋଣ ଦେଉଛନ୍ତି ତହିଁର ସୁଧହାର ବହୁତ କମ୍‌ ହେବା ଉଚିତ । ଏପରିକି ୬.୨୫% ହେବା ଉଚିତ । ଶିଳ୍ପପାଇଁ କମ୍‌ ସୁଧହାରରେ ଋଣ ନ ଦେଲେ ସଂସ୍ଥାଗୁଡ଼ିକ ଋଣୀ ହୋଇ ଭୁଶୁଡ଼ି ଯିବେ । ତେଣୁ କୁଟୀର ଓ ସ୍ମଲ ଇଣ୍ଡଷ୍ଟ୍ରିଗୁଡ଼ିକୁ ୬.୨୫% ହାରରେ, ମଧ୍ୟମ ଇଣ୍ଡଷ୍ଟ୍ରିଗୁଡ଼ିକୁ ୧୦% ହାରରେ ଏବଂ ବଡ଼ ବଡ଼ ଇଣ୍ଡଷ୍ଟ୍ରିଗୁଡ଼ିକୁ ୧୫% ହାରରେ ଋଣ ମିଳିବା ଉଚିତ ।

 

ପଣ୍ଡିତ ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ଦେଶରେ ଇଣ୍ଡଷ୍ଟ୍ରିଆଲ ପଲିସି ଏବଂ ଇଣ୍ଡଷ୍ଟ୍ରିମାନଙ୍କୁ ଲୋନ୍‌ ମିଳିବାର ନିୟମକାନୁନ୍‌ ତିଆରି ହୋଇଥିଲା । ତାଙ୍କ ଅମଳରେ ଏ ଦେଶରେ ଫାଇନାନ୍‌ସିଆଲ କର୍ପୋରେସନ ସ୍ଥାପିତ ହେଲା । ସେତେବେଳେ ଇଣ୍ଡଷ୍ଟ୍ରିଆଲ ଲୋନ୍‌ ଉପରେ ମାତ୍ର ୬.୨୫% ବାର୍ଷିକ ସୁଧ ରଖା ଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ସୁଧ ଆସି ୧୬ରୁ ୨୦ ବା ତା’ଠାରୁ ଅଧିକରେ ପହଞ୍ଚିଲାଣି । ବ୍ୟାଙ୍କମାନେ ତ ଆହୁରି ଅଧିକ ସୁଧ ଦାବି କରୁଛନ୍ତି । ସୁଧ ହାର ବଢ଼ି ଯିବାରୁ ଯେଉଁ ଛୋଟ ଛୋଟ ଇଣ୍ଡଷ୍ଟ୍ରି ଲୋନ୍‌ ନେଉଛନ୍ତି ସୁଧ ଚାପରେ ଦବି ଯାଉଛନ୍ତି ବା sick ହୋଇ ଯାଉଛନ୍ତି । ତେଣୁ ସ୍ମଲ ଇଣ୍ଡଷ୍ଟ୍ରି ଏବଂ କଟେଜ ଇଣ୍ଡଷ୍ଟ୍ରିଗୁଡ଼ିକୁ ୬.୨୫% ସିମ୍ପିଲ୍‌ ଇଣ୍ଟରେଷ୍ଟ ରେଟରେ ଲୋନ୍‌ ମିଳିବା ଉଚିତ ।

 

ରିଜର୍ଭ ବ୍ୟାଙ୍କ ଦ୍ୱାରା ଅଧିକ ସୁଧ ନେବା ଓ ଜମାକାରୀଙ୍କୁ ଅଧିକ ସୁଧ ଦେବା ନୀତି ଯୋଗୁ ସରକାର ଓ ଋଣକର୍ତ୍ତାମାନେ କିପରି ଦେବାଳିଆ ହେଉଛନ୍ତି ତା’ ଲକ୍ଷ କରିବା କଥା । ଲୋକେ ଯଦି ଅଧିକ ସୁଧ ଦେବେ ତେବେ ସୁଧ ଚାପରେ ଦେବାଳିଆ ହେବେ । ଲୋକେ ଦେବାଳିଆ ହେଲେ ସରକାର ମଧ୍ୟ ଦେବାଳିଆ ହୋଇଯିବେ ।

 

ଆଜି ଯେଉଁ Unit Trust, ଇନ୍ଦିରା ବିକାଶ ପତ୍ର, କିଷାନ ବିକାଶ ପତ୍ର, National Savings Certificate ଇତ୍ୟାଦି ସରକାରଙ୍କ ତରଫରୁ ଚାଲୁ କରାଯାଉଛି ଏବଂ ସରକାରୀ ଋଣ ସଂଗ୍ରହ କରାହେଉଛି, ସେ ସବୁରେ ଡିପୋଜିଟରଙ୍କୁ ଆକୃଷ୍ଟ କରିବା ପାଇଁ ସୁଧହାର ବଢ଼ି ବଢ଼ି ଚାଲିଛି । ପ୍ରତି ୫ ବର୍ଷ, ସାଢ଼େ ପାଞ୍ଚବର୍ଷ ଏବଂ ୬ ବର୍ଷରେ ଜମା ଟଙ୍କା ଡବଲ ହୋଇଯାଉଛି-। ଏହାର ଅର୍ଥ ସରକାର ଯେତିକି କରଜ କରୁଛନ୍ତି ୫ ବର୍ଷ ପରେ ସରକାରଙ୍କ ଉପରେ କେବଳ ସୁଧ ସେତିକି ହୋଇଯାଉଛି । ସରକାର ନିଜେ ସୁଧ ଦେଇ ଦେଇ ଥକି ଯାଉଛନ୍ତି । ଡିପୋଜିଟରଙ୍କୁ ଉଚ୍ଚହାରରେ ସୁଧ ଦେବାକୁ ହେଲେ ଟିକସ ବୃଦ୍ଧି ଏକମାତ୍ର ପନ୍ଥା । ତା’ଛଡ଼ା ସରକାର ନିଜ ହାତରେ ଯେତେ ଇଣ୍ଡଷ୍ଟ୍ରି ରଖିଅଛନ୍ତି ସେ ସବୁରେ ପ୍ରାୟ କ୍ଷତି ହେଉଛି । ତେଣୁ କ୍ଷତି ଭରଣା ପାଇଁ ଏବଂ ଡିପୋଜିଟରଙ୍କୁ ସୁଧ ଦେବା ପାଇଁ ସରକାର ଲୋକଙ୍କ ଉପରେ ନାନା ପ୍ରକାର ଟିକସ ବସାଇ ଚାଲିଛନ୍ତି ।

 

ଏଠାରେ ବିଚାର କରିବା କଥା, କିଏ ଡିପୋଜିଟ୍‌ କରେ ? କିଏ N.A.C., ଇନ୍ଦିରା ବିକାଶ ପତ୍ର, କିଷାନ ବିକାଶ ପତ୍ର କିଣନ୍ତି ? ଏବଂ କିଏ ଲୋନ୍‌ କରନ୍ତି ? କାହିଁକି ଜଣେ ଡିପୋଜିଟ କରେ ? କାହିଁକି ଜଣେ ଲୋନ୍‌ କରେ ? ଡିପୋଜିଟରର ଉଦ୍‌ବୃତ୍ତ ଟଙ୍କା କେଉଁଠୁ ଆସେ ଯାହାକୁ ସେ ଡିପୋଜିଟ୍‌ କରେ ? ଲୋନ୍‌ କରୁଥିବା ବ୍ୟକ୍ତି, ସଂସ୍ଥା ବା ସରକାର କାହିଁକି ଲୋନ୍‌ କରନ୍ତି ? ଏଇ କେତୋଟି ମୌଳିକ ପ୍ରଶ୍ନର ଉତ୍ତର ଏତେ ସହଜ ଏତେ ବୋଧଗମ୍ୟ ଯେ ଏହାକୁ ବୁଝାଇବା ପାଇଁ କୌଣସି ପାଠୁଆ ଲୋକ ଦରକାର ନାହିଁ । ଏହାର ଉତ୍ତର ମୋ ପରି ଜଣେ ମୂର୍ଖ ବ୍ୟକ୍ତି ମଧ୍ୟ ଦେଇପାରିବ । ଅଥଚ ସରକାରଙ୍କୁ ନିର୍ଦ୍ଦେଶ ଦେଉଥିବା, ଚଳାଉଥିବା, ନୀତି ନିୟମ ପ୍ରଣୟନ କରୁଥିବା M.P. ଓ ମନ୍ତ୍ରୀମାନେ ସବୁ ଜାଣି ମଧ୍ୟ ଓଲଟା କାମ କରୁଛନ୍ତି ।

 

ଏବେ ସଂକ୍ଷେପରେ ଉକ୍ତ ପ୍ରଶ୍ନ କେତୋଟିର ଉତ୍ତର ଆପଣମାନେ ନୋଟ୍‌ କରନ୍ତୁ ।

 

ପ୍ରଶ୍ନ : କିଏ ଡିପୋଜିଟ୍‌ କରେ ?

 

ଉତ୍ତର : ନିଜର ସମସ୍ତ ଖର୍ଚ୍ଚବାର୍ଚ୍ଚ ଯାଇ ଯାହା ବଳେ ତାକୁ ନିଜ ଆଇରନ୍‌ ଚେଷ୍ଟରେ ନ ରଖି ଫିକ୍ସ ଡିପୋଜିଟ୍‌ କରାଯାଏ କିମ୍ବା N.A.C., କିଷାନ ବିକାଶ ପତ୍ର, ଇନ୍ଦିରା ବିକାଶ ପତ୍ର ଅଥବା Unit ଖର୍ଦ୍ଦି କରେ ।

 

ପ୍ରଶ୍ନ : ଡିପୋଜିଟର ପାଖରେ ଉକ୍ତ ଉଦ୍‌ବୃତ୍ତ ଟଙ୍କା କେଉଁଠୁ ଆସେ ?

 

ଉତ୍ତର : ଅନେକ ସମୟରେ କେତେକ ବ୍ୟକ୍ତି ବା ଅନୁଷ୍ଠାନଙ୍କ ପାଖରେ ବଳି ପଡ଼ୁଥିବା ଉଦ୍‌ବୃତ୍ତ ଟଙ୍କା ତା’ର ଆବଶ୍ୟକତା ଠାରୁ ଅଧିକ ହୋଇଯାଏ । ଏହି ଅଧିକ ଟଙ୍କାଟି ହେଉଛି ପ୍ରକୃତରେ ସରାକାରଙ୍କର ବା ଦେଶବାସୀଙ୍କର । କାରଣ ସେ ସତ୍‌ମାର୍ଗରେ ହେଉ ବା ଅସତ୍‌ ମାର୍ଗରେ ହେଉ ନିଜର, ଆବଶ୍ୟକତା ଠାରୁ ଅଧିକ ଆୟ କରିବା ହେତୁ ଉଦ୍‌ବୃତ୍ତ ହୋଇଯାଉଛି ବୋଲି ଧରାଯିବ । ସୁତରାଂ ତା’ର ଆବଶ୍ୟକତା ଠାରୁ ଅଧିକ ଟଙ୍କାଟି ହେଉଛି ଜନସାଧାରଣଙ୍କ ଟଙ୍କା । କାରଣ ଜଣେ ଚାକିରିଆ ପାଖରେ ବଳି ପଡ଼ୁଥିବା ଧନ ହୁଏତ ଅତ୍ୟଧିକ ଦରମା ହେତୁ ବା ଦୁର୍ନୀତି କାରବାର ହେତୁ ହୋଇପାରେ । ଜଣେ ବ୍ୟବସାୟୀ ପାଖରେ ବଳି ପଡ଼ୁଥିବା ଅଧିକ ଧନ ଅତ୍ୟଧିକ ଲାଭ ରଖି ବ୍ୟବସାୟ କରୁଥିବା ହେତୁ କିମ୍ବା ଟିକସ ପଇସା ଆତ୍ମସାତ୍‌ କରୁଥିବା ହେତୁ ହୋଇପାରେ । ସୁତରାଂ ଏସବୁ ବଳକା ଟଙ୍କା ହେଉଛି ସର୍ବସାଧାରଣଙ୍କ ଟଙ୍କା । ତେଣୁ ଉଦ୍‌ବୃତ୍ତ ଟଙ୍କା ଉପରେ ସୁଧହାର ବଢ଼ାଇବା ଅତ୍ୟନ୍ତ ଅନ୍ୟାୟ । ସରକାରଙ୍କ ନୀତି ହେଲା ଅଧିକ ସୁଧର ପ୍ରଲୋଭନ ଦେଖାଇ ଟଙ୍କା ଋଣ ନେବା ଏବଂ ଋଣୀ ବା ଇଣ୍ଡଷ୍ଟ୍ରିମାନଙ୍କୁ ଅଧିକା ସୁଧରେ ଋଣ ଦେବା । ଟିକିଏ ବିଚାର କରନ୍ତୁ ତ ଦେଖି ।

 

ପ୍ରଶ୍ନ : ଋଣ କରେ କିଏ ?

 

ଉତ୍ତର : ଅଭାବୀ ଲୋକ ଋଣ କରେ । ଶିଳ୍ପଦ୍ୟୋଗୀ ଋଣ କରେ ।

 

ତା’ହେଲେ ଅଭାବୀ ଲୋକକୁ ଅଧିକା ସୁଧ ହାରରେ ଋଣ ଦେଇ ଉଦ୍‌ବୃତ୍ତ ଟଙ୍କାର ଅଧିକାରୀକୁ ଅଧିକ ହାରରେ ସୁଧ ଦେବାଟା କ’ଣ ଠିକ୍‌ ? ଉଦ୍‌ବୃତ୍ତ ଟଙ୍କା ଲୋକଙ୍କଠାରୁ ବିଭିନ୍ନ ଉପାୟରେ ନିଆଯାଉଛି । ପୁଣି ସରକାର ଲୋକଙ୍କ ପାଖରେ ଥିବା ସେହି ଉଦ୍‌ବୃତ୍ତ ଟଙ୍କାକୁ ନିଜେ ଋଣନେଇ ତାଙ୍କୁ ଚଢ଼ା ହାରରେ ଯେଉଁ ସୁଧ ଦେଉଛନ୍ତି ତା’ ଆମ ଏଇ ଲୋକଙ୍କ ଉପରେ ଟିକସ ବସାଯାଇ ସୁଧ ବାବଦ ଦେୟ ଭରଣା କରାଯାଉଛି ।

 

ସରକାର ଯଦି ଉଦ୍‌ବୃତ୍ତ ଟଙ୍କା ଉପରେ ବା ଡିପୋଜିଟରଙ୍କୁ ଖୁବ୍‌ କମ୍‌ ସୁଧ ଦେଇ ଟଙ୍କା ଋଣ ଉଠାନ୍ତେ ଏବଂ ଋଣକର୍ତ୍ତାଙ୍କୁ କମ୍‌ ହାରରେ ସୁଧ ଦିଅନ୍ତେ ତେବେ ଠିକ୍‌ ହୁଅନ୍ତା ।

 

ଯା ପାଖରେ ଉଦ୍‌ବୃତ୍ତ ଟଙ୍କା ଅଛି ସେ ତାକୁ ନିଜ ବାକ୍‌ସରେ ରଖନ୍ତା । ନାଇ ଯଦି ସରକାରଙ୍କର ବିଭିନ୍ନ ଡିପୋଜିଟ୍‌ ସ୍କିମରେ ରଖିବ ତେବେ କମ୍‌ ହାରରେ ସୁଧ ପାଇଲେ ମଧ୍ୟ ତା’ର କୌଣସି କ୍ଷତି ହୁଅନ୍ତା ନାହିଁ । ମାତ୍ର ଯେ ଋଣ କରୁଛି ସେ ଅଧିକ ସୁଧ ଦେଲେ ଦେବାଳିଆ ହୋଇଯିବା ସ୍ଵାଭାବିକ । ଟଙ୍କା ଲଗାଣକାରୀ ତ କେବେହେଲେ ଦେବାଳିଆ ହୋଇଯିବ ନାହିଁ ।

 

ତେଣୁ ସରକାର ନିଜେ ଋଣ କଲାବେଳେ ମାତ୍ର ୩% ଋଣ କରନ୍ତୁ ଏବଂ ଜଣେ ଦେବାବେଳେ ୬.୨୫ ହାର ସୁଧରେ ଋଣ ଦିଅନ୍ତୁ । ଏହା ହେଲେ ଋଣକର୍ତ୍ତା ସହଜରେ ସୁଝି ପାରିବ । ଋଣକର୍ତ୍ତା ଯେଉଁ ଋଣ ନେବ ତାହା ଦେଶ ସେବାରେ ଲାଗିବ ଅର୍ଥାତ୍‌ ଦେଶରେ ଛୋଟ ଛୋଟ ଇଣ୍ଡଷ୍ଟ୍ରିମାନ ଗଢ଼ିଉଠିବ । କିନ୍ତୁ ବଡ଼ ବଡ଼ ଇଣ୍ଡଷ୍ଟ୍ରିଙ୍କୁ ଟିକିଏ ଅଧିକ ହାରରେ ଋଣ ଦେଲେ ଚଳିବ ।

 

ଆଜି ଦେଶରେ ଯେଉଁ ସେୟାର ବିକାକିଣା ଚାଲିଛି ତା’ ମଧ୍ୟ ଗୋଟାଏ ଜୁଆଖେଳ । ସରକାର ଏପରି ଜୁଆଖେଳକୁ ଆଇନ ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ ।

 

ସରକାର ଏପରି ନିୟମ ପ୍ରସ୍ତୁତ କରନ୍ତୁ ଯେପରି ରିଜର୍ଭ ବ୍ୟାଙ୍କରେ ଟଙ୍କା ତିନିହାତ ହୋଇ ନଯାଇ ସିଧାସଳଖ ଋଣୀ ହାତକୁ ଯିବ । ତା’ହେଲେ ସୁଧହାର ବଢ଼ିବ ନାହିଁ ।

 

ରିଜର୍ଭ ବ୍ୟାଙ୍କ ୩ ହାତ ଦେଇ ଋଣ ଲଗାଉ ଅଛନ୍ତି । ତା’ ନକରି ଡାଇରେକ୍ଟ ଋଣ ଦେଲେ ମଝିରେ ସମସ୍ତେ ଯେଉଁ ଲାଭ ରଖୁଛନ୍ତି ତା’ ରଖି ପାରିବେ ନାହିଁ । ଡାଇରେକ୍ଟ ଋଣ ଦେଲେ କମ୍‌ ସୁଧରେ ଋଣୀ ଋଣ ପାଇପାରିବେ ।

 

N.A.C., ଇନ୍ଦିରା ବିକାଶ ପତ୍ର, କିଷାନ ବିକାଶ ପତ୍ର ଏବଂ ଇଉନିଟ୍‌ ଖର୍ଦ୍ଦି ଉପରେ ମାତ୍ର ୩% ସୁଧ ରହିବ । ଏବେ ତାହା ୧୨.୫% ରୁ ୧୮% ଯାଏ ରହିଛି । ଡିପୋଜିଟରଙ୍କ ଉଦ୍‌ବୃତ୍ତ ଧନ ଉପରେ ୩%ରୁ ଅଧିକ ସୁଧ ହେବା ଉଚିତ ନୁହେଁ, ଏ କଥା M.P. ଏବଂ ମନ୍ତ୍ରୀଙ୍କ ମୁଣ୍ଡକୁ ଢୁକିଲେ ହେଲା ।

 

ସମୟର ଗତି ଏପରି ହେଲାଣି ଯେ, ଯା ପାଖରେ ଉଦ୍‌ବୃତ୍ତ ଧନ ରହିଛି, ସେ ଧନକୁ ବିନା ସୁଧରେ ମଧ୍ୟ ବ୍ୟାଙ୍କରେ ରଖିବାକୁ ବାଧ୍ୟ ହେବ । ଯଦି ବ୍ୟାଙ୍କରେ ଜମା ନକରେ ତେବେ ସେ ଧନ ଦିନେ ନା ଦିନେ ଲୁଟ୍‌ ହୋଇଯିବାର ଆଶଙ୍କା ଦିନକୁ ଦିନ ଘନେଇବାରେ ଲାଗିଛି । ମୂଲ୍ୟବାନ୍‌ ଧାତୁ, ରତ୍ନ ଏବଂ ଅଳଙ୍କାରକୁ ଲୋକେ ନିରାପଦ ଦୃଷ୍ଟିରୁ ନେଇ ବ୍ୟାଙ୍କରେ ରଖି ଅଛନ୍ତି-। ସେଥିପାଇଁ ତ ବ୍ୟାଙ୍କ ସେମାନଙ୍କୁ କୌଣସି ସୁଧ ଦେଉନି; ବରଂ ସେଥିପାଇଁ ଅର୍ଥାତ୍‌ ତା’ର ନିରାପତ୍ତା ଓ ସୁରକ୍ଷା ନିମନ୍ତେ ବ୍ୟାଙ୍କ ଉକ୍ତ ଅଳଙ୍କାର ଆଦିର ଡିପୋଜିଟରଙ୍କ ଠାରୁ କିଛି ପଇସା ନେଉଛି । ତା’ହେଲେ ଟଙ୍କା ଜମା ଉପରେ ସୁଧ ଦିଆ ନଗଲେ ବି ଲୋକେ ଅନ୍ତତଃ ନିରାପତ୍ତା ଦୃଷ୍ଟିରୁ ବାଧ୍ୟ ହୋଇ ସେ ଟଙ୍କାକୁ ନେଇ ବ୍ୟାଙ୍କରେ ରଖିବେ । ମାତ୍ର ସରକାର ଯେହେତୁ ସେ ଟଙ୍କାକୁ ନେଇ ବ୍ୟବସାୟରେ ଲଗାଉ ଅଛନ୍ତି ଏବଂ ଋଣ ଦେଉ ଅଛନ୍ତି ସେ ଦୃଷ୍ଟିରୁ ଡିପୋଜିଟରଙ୍କୁ ସାମାନ୍ୟ କିଛି ସୁଧ ଦେଲେ ଚଳିବ । ଲୋକଙ୍କର ଅନାବଶ୍ୟକ ବଳକା ଧନ ଉପରେ ଅଧିକ ସୁଧ ଦେବା ଅର୍ଥ ଝିଣ୍ଟିକା ମାରି ବଣି ପୋଷିବା ନୀତି ।

 

ଦେଶ ସ୍ଵାଧୀନ ହେବା ବେଳକୁ ଡିପୋଜିଟରଙ୍କୁ ଯେତିକି ସୁଧ ଦିଆ ଯାଉଥିଲା ଏବଂ ଶିଳ୍ପଦ୍ୟୋଗୀ ଓ ଋଣ କର୍ତ୍ତାଙ୍କୁ ଯେଉଁ ହାରରେ ଋଣ ମିଳୁଥିଲା, ଏବେ ସରକାର ସେହି ୧୯୪୭ ମସିହାର ସ୍ଥିତାବସ୍ଥାକୁ ଫେରିଯାଆନ୍ତୁ । ଯଦି ପ୍ରାର୍ଥନା କ୍ଷେତ୍ରର ସ୍ଥିତାବସ୍ଥାକୁ ୪୪ ବର୍ଷ ପଛକୁ ଫେରାଇ ନେବାପାଇଁ ୧୯୯୧ରେ ସମ୍ବିଧାନ ସଂଶୋଧନ କରାଯାଇ ପାରିଲା, ତେବେ ୧୯୪୭ ବେଳକୁ ଋଣ ଏବଂ ଜମା ଉପରେ ଯେଉଁ ହାରରେ ସୁଧ ଧାର୍ଯ୍ୟ ହୋଇଥିଲା ତାକୁ ଏବେ ସେଇ ଅବସ୍ଥାକୁ ନେଇଯିବାରେ କୌଣସି ଅସୁବିଧା ହେବନାହିଁ । ତେଣୁ ଜନସାଧାରଣଙ୍କ ତରଫରୁ ମଧ୍ୟ ଦୃଢ଼ ଭାବରେ ଦାବି ହେବା ଉଚିତ ଯେ ସୁଧ ହାର ୧୯୪୭ ସ୍ଥିତାବସ୍ଥାକୁ ଫେରାଇ ନିଆଯାଉ ।

 

ସରକାର ସାଧାରଣ ମହାଜନଙ୍କ ପାଇଁ ମହାଜନୀ ଆଇନ କରିଛନ୍ତି । ମହାଜନୀ ଆଇନ ଅନୁସାରେ ୧୨.୫%ରୁ ଅଧିକ ସୁଧ ମହାଜନମାନେ ନେଇପାରୁ ନାହାନ୍ତି । ଜନସାଧାରଣଙ୍କୁ ତାଙ୍କ ଦାଉରୁ ରକ୍ଷା କରିବାକୁ ଯାଇ ସରକାର ମହାଜନୀ ଆଇନ କଲେ । ବ୍ୟାଙ୍କରୁ ଋଣ ନେବା ପାଇଁ ଆହ୍ଵାନ ଦେଲେ । ପ୍ରଥମେ ପ୍ରଥମେ କମ୍‌ ସୁଧରେ ଓ ସହଜରେ ବ୍ୟାଙ୍କ ଋଣ ଯୋଗାଇ ଦିଆଗଲା । ମାତ୍ର ଏବେ ସୁଧ ଅଧିକ । ଏପରିକି ମହାଜନୀ ଆଇନରେ ଉଦ୍ଦିଷ୍ଟ ସୁଧଠାରୁ ବ୍ୟାଙ୍କ ଓ ଫାଇନାନ୍‌ସିଆଲ କର୍ପୋରେସନ୍‌ର ସୁଧ ଅତ୍ୟଧିକ ହେଲାଣି । ମହାଜନ ପାଖକୁ ଗଲେ ୧୦ ମିନିଟରେ ଋଣ ମିଳୁଛି । କିନ୍ତୁ ଫାଇନାନ୍‌ସିଆଲ କର୍ପୋରେସନ୍‌ ଏବଂ ବ୍ୟାଙ୍କକୁ ଗଲେ ମାସ ମାସ ବର୍ଷ ବର୍ଷ ବିତିଯାଉଛି । ଋଣ ପାଇଲା ବେଳକୁ ବ୍ୟାଙ୍କବାଲା କର୍ପୋରେସନ ବାଲାଙ୍କ ପିଛା ୨୫% ହାତଗୁଞ୍ଜା ଓ ଦୌଡ଼ା ଧାପଡ଼ା, ଚା ଜଳଖିଆରେ ଖର୍ଚ୍ଚ ହୋଇଯାଉଛି । ଅର୍ଥାତ୍‌ ଜଣେ ଲକ୍ଷେ ଟଙ୍କା ଋଣ ପାଇଲା ବେଳକୁ ତା’ର ପ୍ରାୟ ଟ୨୫୦୦୦ଙ୍କା ଏମିତି ବାହାରେ ବାହାରେ ଖର୍ଚ୍ଚ ହୋଇ ଯାଇଥିବ । ଏହା ହେଉଛି ଏ ଲେଖକର ଅଙ୍ଗେ ଲିଭାଇବା କଥା ଯାହା ନିରାଟ ସତ୍ୟ ଓ ବାସ୍ତବ ।

 

ମହାଜନୀ ଆଇନରେ ଆଉ ଗୋଟିଏ ନିୟମ ଅଛି ଯେ, ମୂଳଧନ ଠାରୁ ସୁଧ ଅଧିକ ହେବନି । ଜଣେ ଏକଲକ୍ଷ ଟଙ୍କା ଋଣ ନେଲେ ସୁଝିଲା ବେଳକୁ ସୁଧମୂଳ ମିଶି ୨ ଲକ୍ଷରୁ ଅଧିକ ଦେବନି । କାରଣ ଯେପରି ଗୋଟିଏ ଗଛରେ ଯେତେ ଶାଖା-ପ୍ରଶାଖା, ପତ୍ର, ପୁଷ୍ପ ଓ ଫଳ ଥାଉନା କାହିଁକି ତାହାର ଭାରକୁ ସମ୍ଭାଳିବାର ଶକ୍ତି ସେହି ଗଛର ‘ମୂଳ’ରେ ରହିଥାଏ । ଯେତେବେଳେ ମୂଳର ଧାରଣ ଶକ୍ତିଠାରୁ ଶାଖା-ପ୍ରଶାଖା, ପତ୍ର, ପୁଷ୍ପ ଓ ଫଳର ଓଜନ ବଢ଼ିଯାଏ ସେତେବେଳେ ମୂଳ ସମ୍ଭାଳି ନପାରି ଉପୁଡ଼ି ଯାଏ । ଠିକ୍‌ ସେହିପରି ମୂଳଧନଠାରୁ ସୁଧ ଧନ ଅଧିକା ହେଲେ ମୂଳ ଡୁବି ଯିବ ବା ଋଣକର୍ତ୍ତା ଡୁବି ଯାଇ ଦେବାଳିଆ ହୋଇଯିବ ।

 

ଆଜି ସରକାରୀ ଋଣରେ ଉକ୍ତ ମହାଜନୀ ଆଇନ ଲାଗୁ ହେଉନି । ତେଣୁ ଅଧିକାଂଶ ଋଣୀ ସୁଧ ଭାରରେ ଡୁବି ଯାଉଛନ୍ତି । ସରକାର ଲକ୍ଷେ ଟଙ୍କା ଋଣ ଦେଇ କେବଳ ସୁଧ ଆକାରରେ ମୂଳଧନ ଠାରୁ ଆହୁରି ଅଧିକ ସୁଧ ଆଦାୟ କରୁଛନ୍ତି । ଏହା ମଧ୍ୟ ଗୋଟିଏ ଅନ୍ୟାୟ ଏବଂ ବେଆଇନ କଥା । ମାତ୍ର ତା’ର ପରିବର୍ତ୍ତନ ହେଉନି ।

 

ସରକାର କିଛି କିଛି ବ୍ୟାଙ୍କ ଜାତୀୟକରଣ କରିଛନ୍ତି । କେତେକ ବ୍ୟାଙ୍କ ବିନା ଜାତୀୟକରଣରେ ଚାଲିଛି । ବର୍ତ୍ତମାନ ବିନା ଜାତୀୟକରଣ ବ୍ୟାଙ୍କର ଅବସ୍ଥା ବରଂ ଜାତୀୟକରଣ ବ୍ୟାଙ୍କମାନଙ୍କ ଅବସ୍ଥାଠାରୁ ଉତ୍ତମ । ଯଦି ସରକାର ଜାତୀୟକରଣ କରିବେ, ତେବେ ୧୦୦% ବ୍ୟାଙ୍କ ଜାତୀୟ କରଣ କରନ୍ତୁ ଏବଂ କୌଣସି ପ୍ରାଇଭେଟ୍‌ ପାର୍ଟିକୁ ଅର୍ଥ କାରବାର ପାଇଁ ଅନୁମତି ନ ଦିଅନ୍ତୁ । ନାଇ ଯଦି ଜାତୀୟକରଣ ନୀତି ପ୍ରତ୍ୟାହାର କରିନେବେ ତା’ହେଲେ ସବୁ ବ୍ୟାଙ୍କ ସେଥୁରୁ ମୁକ୍ତି ପାଆନ୍ତୁ । ଦୁଇ ପ୍ରକାର ନୀତି ଆଦୌ ଲୋକମାନଙ୍କ ପାଇଁ ଅନୁକୂଳ ହେଉନି ।

 

ଦେଶରେ ନାନା ପ୍ରକାର ଅର୍ଥ କାରବାର ଚାଲିଛି । ଫାଇନାନ୍‌ସିଆଲ ଇନଭେଷ୍ଟମେଣ୍ଟ ନାମରେ, ଚିଟ୍‌ଫଣ୍ଡ ନାମରେ ଏବଂ ସେହିପରି ବହୁ ଭାବରେ ଚାଲିଥିବା ଅର୍ଥ ଦେଣନେଣ କାରବାରକୁ ସରକାର ବିବାକ ବେଆଇନ୍‍ ଘୋଷଣା କରିଦେଲେ ଦେଶବାସୀଙ୍କ ଉଦ୍‌ବୃତ୍ତ ଟଙ୍କାକୁ ସେମାନେ ବାଧ୍ୟହୋଇ କେବଳ ନିରାପତ୍ତା ଦୃଷ୍ଟିରୁ କମ୍‌ ସୁଧରେ ବା ବିନା ସୁଧରେ ବ୍ୟାଙ୍କରେ ଜମା ରଖିବାକୁ ଆଗେଇ ଆସିବେ । ତା’ଛଡ଼ା ବଡ଼ ବଡ଼ କମ୍ପାନୀମାନେ ଲୋକଙ୍କୁ ପ୍ରଲୋଭିତ କରାଇବା ପାଇଁ ଅଧିକ ହାରରେ ଲାଭ ଓ ସୁଧ ଦେବେ ବୋଲି ଖବରକାଗଜରେ ପ୍ରକାଶ କରିବା ହେତୁ ଲୋକେ ସେଥିରେ ଟଙ୍କା ଖଟାଉ ଅଛନ୍ତି । କିନ୍ତୁ ଆଇନ ଏପରି ହେବ ଯେ, କେହି ଅଧିକ ଲାଭ କରିପାରିବେ ନାହିଁ, ଅଧିକ ସୁଧ ନେଇପାରିବେ ନାହିଁ କି ଦେଇପାରିବେ ନାହିଁ । ମୋଟ କଥା, ଉଦ୍‌ବୃତ୍ତ ଟଙ୍କାକୁ କମ୍‌ ସୁଧରେ ସରକାର ନେବେ ଓ ଇଣ୍ଡଷ୍ଟ୍ରି ପାଇଁ କମ୍‌ ସୁଧରେ ଶିଳ୍ପୋଦ୍ୟୋଗୀମାନଙ୍କୁ ଦେବେ । ବ୍ୟବସାୟୀମାନଙ୍କୁ ମଧ୍ୟ କମ୍‌ ସୁଧରେ ଟଙ୍କା ଦେବେ । ସୁଧ କମ୍‌ ହେଲେ ଯାଇ ବ୍ୟବହାର୍ଯ୍ୟ ପ୍ରତ୍ୟେକ ଜିନିଷର ଦର କମିବ । ସୁଧ ଅଧ‌ିକ ହେଲେ ପ୍ରତ୍ୟେକ ଜିନିଷର ଦର ବଢ଼ିବାକୁ ବାଧ୍ୟ ଏବଂ ଶେଷରେ ସବୁ ବୋଝ ଯାଇ ପଡ଼ିବ ଖାଉଟିମାନଙ୍କ ଉପରେ ।

 

Unknown

ଶିଳ୍ପନୀତିର ପରିବର୍ତ୍ତନ ସାଙ୍ଗକୁ ଅର୍ଥ ନେଣଦେଣ କଥାଟି ମଧ୍ୟ ବିଚାର ଯୋଗ୍ୟ । ସୁଧ କମାଇଦେଲେ ସବ୍‌ସିଡି ଉଠାଇ ଦିଆଯାଇପାରିବ ।

 

ସୁଧ ବଢ଼ିବା ଫଳରେ ଶିଳ୍ପଜାତ ଦ୍ରବ୍ୟ ଏବଂ କୃଷିଜାତ ଦ୍ରବ୍ୟର ମୂଲ୍ୟରେ ଆକାଶପାତାଳ ତାରତମ୍ୟ ରହୁଛି । ଆଜିର କୃଷକ ଗୋଷ୍ଠୀ ତଳିତଳାନ୍ତ ହୋଇ ଯାଉଛନ୍ତି । ପାଠକେ ବିଶ୍ଵାସ କରିବେ କି ନା ମୁଁ ଜାଣେନା । ଏଠାରେ ଗୋଟିଏ ମାତ୍ର କଥା କହି ରଖୁଛି, ଯାହା ସତ୍ୟ ଓ ବାସ୍ତବ ହେଲେ ମଧ୍ୟ ବିଶ୍ଵାସ ହୁଏନା । ବର୍ତ୍ତମାନ ବଜାର ପରିସ୍ଥିତି ଯାହା ଦେଶ ସ୍ଵାଧୀନ ହେବାବେଳେ ତା’ ନଥିଲା । ବର୍ତ୍ତମାନ ଜଣେ କୃଷକ ତା’ର ପିଲାକୁ ପାଠ ପଢ଼ାଇବା ପାଇଁ ଗୋଟିଏ ଡବଲ୍‌ ଫୁଲିସ୍କେପ ରିମ୍‌ କାଗଜ କିଣିବାକୁ ଗଲେ ତାକୁ ପ୍ରାୟ ୪୦ କିଲୋ ଚାଉଳ ବିକ୍ରୟ କରିବାକୁ ପଡ଼ୁଛି । ଏ ବିଷୟରେ ଏହି ପୁସ୍ତକରେ ଅନ୍ୟତ୍ର ଆଲୋଚିତ ହୋଇଛି । ଏହା କେବଳ ଗୋଟିଏ ସୂଚନା ମାତ୍ର ।

 

ସରକାର ବହୁରାଷ୍ଟ୍ରୀୟ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏହା ଦେଶକୁ ପରାଧିନତା ଆଡ଼କୁ ଟାଣି ନେଉଛି । ଦେଶ ସ୍ଵାଧୀନ ହେବାର କାରଣ ଥିଲା ବିଦେଶୀ ବାଣିଜ୍ୟ ଓ ବିଦେଶୀ ଶାସନ ନିରାକରଣ । ଶିଳ୍ପ ଓ ବ୍ୟବସାୟ ବାଣିଜ୍ୟ ବିଦେଶୀ ଲୋକଙ୍କ ହାତରେ ରହିଲେ ସେମାନେ ମଧ୍ୟ ଦିନେ ଏ ଦେଶର ଶାସନ କ୍ଷମତା ଦଖଲ କରି ନେଇପାରିବେ, ଯେପରି ଇଷ୍ଟଇଣ୍ଡିଆ କମ୍ପାନୀ କରିପାରିଥିଲା । ବିଦେଶରୁ ଟେକନୋଲଜି ଖର୍ଦ୍ଦି ଦ୍ଵାରା ସ୍ଵଦେଶୀ ପୁଞ୍ଜିରେ ଆବଶ୍ୟକୀୟ ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ । କୌଣସି ଶିଳ୍ପ ବାହାର ବା ବିଦେଶୀଙ୍କ ହାତକୁ ଯିବନି । ବରଂ ସରକାର ଯଦି ନିଜେ ଇଣ୍ଡଷ୍ଟ୍ରି କରି ଲାଭବାନ ନ ହେଉଛନ୍ତି ତାକୁ ସ୍ଵଦେଶୀ ଶିଳ୍ପ ଉଦ୍ୟୋଗୀମାନଙ୍କୁ ଦେଇ ଦିଅନ୍ତୁ; ମାତ୍ର ବିଦେଶୀ ବଣିକ ଓ ବିଦେଶୀ ଶିଳ୍ପପ୍ରତିଷ୍ଠାନକୁ ନ ଦିଅନ୍ତୁ ।

 

(୯)

ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ ଏବଂ କୃଷିଜାତ ଦ୍ରବ୍ୟର ମୂଲ୍ୟ ମଧ୍ୟରେ ଭାରସାମ୍ୟ ରକ୍ଷା

 

ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ ଏପରି ବୃଦ୍ଧି ପାଉଛି, ଯାହାକୁ ଗାଁ ଗହଳିର ସାଧାରଣ ଲୋକେ ବ୍ୟବହାର କରିବା କଷ୍ଟକର ହୋଇପଡ଼ୁଛି । ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ ସରକାର ଦେଶର ପ୍ରବୀଣ ଲୋକଙ୍କୁ ନିଯୁକ୍ତି କରି ପ୍ରତ୍ୟେକ ଛୋଟ ଓ ବଡ଼ ଶିଳ୍ପଜାତ ଦ୍ରବ୍ୟର ଦର ଠିକ୍‌ କେତେ ହେବା ଉଚିତ ତା’ ସ୍ଥିର କରି ଦିଅନ୍ତୁ ଏବଂ ସେ କଥା ଖବରକାଗଜ ମାନଙ୍କରେ ଘୋଷଣା କରିବା ସଂଗେ ସଂଗେ ସର୍ବସାଧାରଣଙ୍କ ଜାଣିବା ପାଇଁ ପ୍ରତ୍ୟେକ ଅଞ୍ଚଳ ଓ ଗାଁ ଗହଳିରେ ସେ ବାର୍ତ୍ତା ପହଞ୍ଚାଇ ଦିଅନ୍ତୁ ।

 

ପ୍ରତି ଜିନିଷ ଉପରେ ଉତ୍ପାଦନ ଦର ବା ଫାକ୍ଟରୀ ପ୍ରାଇସ ଏବଂ ଖରଦି ଦର ବା କନ୍‌ଜ୍ୟୁମର ପ୍ରାଇସ ଉଭୟ ଲେଖା ରହୁ । ଏହା ଲେଖା ରହିଲେ ଜଣେ କନ୍‌ଜ୍ୟୁମର ଠିକ୍‌ ବୁଝିପାରିବ ଯେ ସେ ଫାକ୍ଟରୀ ପ୍ରାଇସଠାରୁ କେତେ ଅଧିକା ଦେଇ ଜିନିଷ କିଣୁଛି ।

 

ଫାକ୍ଟରୀ ପ୍ରାଇସ ଏବଂ କନ୍‌ଜ୍ୟୁମର ପ୍ରାଇସ ମଧ୍ୟରେ ତାରତମ୍ୟ କମ୍‌ ରଖାଯିବ । ଏଥିପାଇଁ କଡ଼ାକଡ଼ି ଆଇନ ପ୍ରଣୟନ ହେବ । ଉତ୍ପାଦନ ଖର୍ଚ୍ଚ ଓ ଫାକ୍ଟରୀ ପ୍ରାଇସ ମଧ୍ୟରେ ଲାଭ ମାତ୍ର ୧% ରହିବ ଏବଂ ସେହିପରି ଫାକ୍ଟରୀ ପ୍ରାଇସ ଓ କନ୍‌ଜ୍ୟୁମର ପ୍ରାଇସ ମଧ୍ୟରେ ତାରତମ୍ୟ ମାତ୍ର ୨% ରହିବ । ଏଇ ୨% ଉପରେ ଟ୍ରେଡ଼ରମାନେ ବ୍ୟବସାୟ କରିବେ । ତା’ଠୁ ଅଧିକ ଦାମରେ ବିକ୍ରି କଲେ ବିକ୍ରେତାଙ୍କୁ ହାତକଡ଼ି ପକାଇ ମିଲିଟାରୀ କୋର୍ଟରେ ବା କୌଣସି ସ୍ଵତନ୍ତ୍ର କୋର୍ଟରେ ତା’ର ବିଚାରକରି ଏକ ସପ୍ତାହ ମଧ୍ୟରେ ଉଚିତ ଦଣ୍ଡବିଧାନ କରାଯିବ ।

 

ମୋଟ କଥା ହେଲା ଫାକ୍ଟରୀରେ ଉତ୍ପାଦିତ ଜିନିଷ ଉପରେ ଉତ୍ପାଦନକାରୀ ମାତ୍ର ୧% ନିଟ୍‌ ଲାଭ ରଖିପାରିବେ ଏବଂ ବ୍ୟବସାୟୀ ବା ଏଜେଣ୍ଟମାନେ ସମସ୍ତେ ମିଶି ମାତ୍ର ୨% ନିଟ୍‌ ଲାଭ ନେଇପାରିବେ । ୟାଠୁ ଅଧିକ ନେଲେ ଦଣ୍ଡ ପାଇବେ ।

 

ଖାଉଟିମାନଙ୍କୁ କମ୍‌ ପଇସାରେ ଜିନିଷ ଯୋଗାଇବାକୁ ହେଲେ ସରକାରଙ୍କୁ ବହୁ ସଂଯମ ନୀତି ଗ୍ରହଣ କରିବାକୁ ପଡ଼ିବ । ପ୍ରଥମରେ ସୁଧହାର କମ୍‌ କରିବେ । ଦ୍ଵିତୀୟରେ କଞ୍ଚାମାଲଠାରୁ ଆରମ୍ଭ କରି ଶିଳ୍ପଜାତ ପ୍ରତ୍ୟେକ ଦ୍ରବ୍ୟର ଦର ସଠିକ୍‌ଭାବେ ନିୟନ୍ତ୍ରଣ ପୂର୍ବକ ସେହି ଜିନିଷର ପ୍ରକୃତ ଦର ସର୍ବସାଧାରଣରେ ଘୋଷଣା କରିବେ । ଯେଉଁ ଦ୍ରବ୍ୟର ଦର ଯା ସ୍ଥିର ହେଲା ତା’ର ତାଲିକା ଏବଂ ତାହା କେଉଁଠୁ ମିଳିବ ସେ ସବୁର ଠିକଣା ଆଦି ପୁସ୍ତକ ଆକାରରେ ପ୍ରକାଶ କରି ଦେଶର ପ୍ରତ୍ୟେକ ସ୍ଥାନକୁ ପଠାଇବେ, ଯେପରି ଯେ କୌଣସି ବ୍ୟକ୍ତି ଚାହିଁଲେ ତାହା ଦେଖି ପାରିବେ ।

 

କୋ. ଅପରେଟିଭ ସୋସାଇଟି ଏବଂ କନ୍‌ଜ୍ୟୁମର କୋ. ଅପରେଟିଭ ସୋସାଇଟି ମାନଙ୍କର ନୀତିନିୟମ କୋହଳ କରି ପ୍ରତ୍ୟେକ ଦ୍ରବ୍ୟର ସଂଗ୍ରହ, ପ୍ରେରଣ, ଯୋଗାଣ ଓ ବଣ୍ଟନ ଆଦି ତା’ ଜରିଆରେ ନିୟନ୍ତ୍ରଣ କରିବେ । କାରଣ ବର୍ତ୍ତମାନ ଦେଖାଯାଉଛି ନିଜେ ଖୋଦ ସରକାର ହେଉଛନ୍ତି ଲୋକଙ୍କ ‘ତଣ୍ଟିଚିପା ଖଣ୍ଟ’ । ସରକାର ପେଟ୍ରୋଲିୟମ ପଦାର୍ଥର ଦାମ୍‌ ବଢ଼ାଇ ଯାତାୟାତ ଓ ପରିବହନ ଖର୍ଚ୍ଚ ବଢ଼ାଉ ଅଛନ୍ତି । ପରିବହନ ପାଇଁ ବ୍ୟବହୃତ ହେଉଥିବା ଟ୍ରକ, ବସ୍‍ ସରଞ୍ଜାମ ଉପରେ ଟିକସ ବଢ଼ାଇ ଦେବା ହେତୁ ପରିବହନ ଖର୍ଚ୍ଚ ବଢ଼ି ଯାଉଛି । ଏ ସବୁର ଭାର ବା ବୋଝ direct ହେଉ ବା indirect ହେଉ ଯାଇ ପଡ଼ୁଛି ଖାଉଟି ଉପରେ ।

 

ତେଣୁ ଖୋଦ୍‌ ସରକାର ଖଣ୍ଟଗିରୀ ବା ତଣ୍ଟିଚିପା ନୀତି ପ୍ରତ୍ୟାହାର କରି ନିଅନ୍ତୁ–ଖାଉଟିଙ୍କୁ ବଞ୍ଚାନ୍ତୁ ।

 

ସୁଧହାର ବଢ଼ିବା ହେତୁ ଦ୍ରବ୍ୟର ମୂଲ୍ୟ ବଢ଼ୁଛି । ଏଣେ ବ୍ୟବସାୟୀଙ୍କଠାରୁ ବ୍ୟାଙ୍କ ଅଧିକ ସୁଧ ନେବାରୁ ସେ ଚଢ଼ା ସୁଧର ଚାପ ମଧ୍ୟ ଯାଇ ଖାଉଟି ଉପରେ ପଡ଼ୁଛି ।

 

ସରକାର ନାନାଭାବରେ ଖାଉଟିମାନଙ୍କୁ ଶୋଷଣ କରୁଛନ୍ତି । ସେଲଟ୍ୟାକ୍ସ ଏବଂ ଅକ୍‌ଟ୍ରାଇ ଟିକସ ହାର କମ୍‌ ଥିଲାବେଳେ ଲୋକେ ଖୁସିରେ ୧% ବା ୫% ଟିକସ ଦେଇ ଦେଉଥିଲେ । ଏବେ Sales Tax ବହୁତ ବଢ଼ି ଯାଇଥିବାରୁ ବ୍ୟବସାୟୀମାନେ ଆଉ ମେମୋ ଦେଉ ନାହାନ୍ତି କିମ୍ବା ଡୁପ୍ଲିକେଟ ମେମୋ ଦେଉଛନ୍ତି ଅଥବା ଟିକସ ଦେବାକୁ ପଡ଼ିବ ବୋଲି କନ୍‌ଜ୍ୟୁମରମାନେ ମଧ୍ୟ ମେମୋ ନେବାକୁ ଚାହୁଁ ନାହାନ୍ତି । ଏଇ ଟିକସ ପଇସା କନ୍‌ଜ୍ୟୁମର ଦେଉଛି; କିନ୍ତୁ ସରକାର ପାଉନାହାନ୍ତି ପାଉଛି–ବ୍ୟବସାୟୀ । ତେଣୁ ପ୍ରତ୍ୟେକ ଜିନିଷ ଉପରେ ସରକାରଙ୍କର ଏକ୍ସପାର୍ଟ ଓ ସର୍ବସାଧାରଣଙ୍କ ତରଫରୁ ଏକ୍ସପାର୍ଟମାନେ ଯାଇ, ଉଭୟ ଦଳ ମିଶି ପ୍ରତ୍ୟେକ ଜିନିଷର ଉତ୍ପାଦନ ଖର୍ଚ୍ଚ, ଫାକ୍ଟରୀ ପ୍ରାଇସ ଏବଂ କନ୍‌ଜ୍ୟୁମର ପ୍ରାଇସ ସ୍ଥିର କରି, ସେହି ଦାମ୍‌ ପ୍ରତି ଜିନିଷର ପ୍ୟାକେଟ ଉପରେ ଛାପିବାର ବ୍ୟବସ୍ଥା କରନ୍ତୁ । ଏହା ହେଲେ ଜଣେ ଖାଉଟି କୌଣସି ଜିନିଷ କିଣିଲାବେଳେ ଜାଣିପାରିବ ଯେ ସେ ଯେଉଁ ଜିନିଷଟି କିଣୁଛି ତା’ର ଉତ୍ପାଦନ ମୂଲ୍ୟ ବା ଫାକ୍ଟରୀ ପ୍ରାଇସ କେତେ, ଏକ୍‍ସାଇଜ ଡିଉଟି କେତେ, ସେଲଟ୍ୟାକ୍ସ କେତେ ଏବଂ ବ୍ୟବସାୟୀ ଲାଭ ରଖୁଛି କେତେ । ଏ ସବୁର ମୂଲ୍ୟ ପ୍ୟାକେଟ ଉପରେ ଅଲଗା ଅଲଗା ଲେଖା ହୋଇଥିବା ଉଚିତ ।

 

ପ୍ରତ୍ୟେକ ଜିନିଷର ପ୍ୟାକିଂ ବା ଲେବୁଲ ଉପରେ ଯଦି ଉକ୍ତମତେ ମୂଲ୍ୟ ଅଲଗା ଅଲଗା ଲେଖା ନ ରହିବ ତେବେ ଦୁର୍ନୀତି ନିଶ୍ଚେ ଚାଲିବ ଏବଂ ଟିକସ ଫାଙ୍କିବାକୁ ସୁବିଧା ହେବ, ଏବେ ଯା ହେଉଛି ।

 

ଜିନିଷପତ୍ରର ଦରଦାମ୍‌ ଅସ୍ଥିର ଏବଂ ବୃଦ୍ଧିର ପ୍ରଧାନ କାରଣ ସଂକ୍ଷେପରେ ଆଉ ଥରେ ଲିପିବଦ୍ଧ କରୁଛି ।

 

(୧) ପ୍ରତ୍ୟେକ ଇଣ୍ଡଷ୍ଟ୍ରିଆଲ ପ୍ରଡ଼କ୍ଟର ଦାମ୍‍ କୌଣସି ଏକ୍ସପାର୍ଟ ବଡ଼ିଙ୍କ ଦ୍ୱାରା କରାଯାଉନି କିମ୍ବା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ କମ୍ପାନୀମାନେ ତାଙ୍କ ମନଇଚ୍ଛା ଦର ବସାଇ ଦେଉଛନ୍ତି । ଏବଂ ସେହି ମନମୁଖୀ ଦରଟି ପ୍ରକୃତ ଉତ୍ପାଦନ ଖର୍ଚ୍ଚର ୩ ଗୁଣରୁ ୫ ଗୁଣ ହୋଇଯାଉଛି ।

 

(୨) ସରକାର ପ୍ରତିବର୍ଷ ବଜେଟରେ ଟିକସ ହାର ଅଦଳବଦଳ ଓ ଚଢ଼ା ଉତାର କରୁଥବାରୁ ପରିବହନ ଖର୍ଚ୍ଚ ଏବଂ ତା’ ସାଙ୍ଗକୁ ଜିନିଷପତ୍ରର ଦର ଅସ୍ଥିର ଏବଂ ବୃଦ୍ଧି ହେବାରେ ଲାଗିଛି ।

 

(୩) ସରକାର ଋଣ ଦେବା ଓ ଋଣ ନେବାରେ ଅତି କଦର୍ଯ୍ୟ ନୀତି ଅନୁସରଣ କରୁଛନ୍ତି । ତା’ ହେଲା ସୁଧହାର ବୃଦ୍ଧି । ସୁଧହାର ଯେତେ ବଢ଼ୁଥିବ ଜିନିଷପତ୍ରର ଦର ସେତେ ବଢ଼ିଚାଲିବ, ଏବଂ ଦେଶବାସୀଙ୍କ ପାଖରେ ଗଚ୍ଛିତ ଥିବା ଅନ୍ୟାୟ, ଅସତ୍ୟ, ବଳକା ତଥା କଳା ଧନ ଉପରେ ସରକାର ଅଧିକ ସୁଧ ଦେବା ଦ୍ଵାରା ଏକ ଦିଗରେ ଅନ୍ୟାୟ, ଅସତ୍ୟ, ବଳକା ଓ କଳାଧନ ଅର୍ଜନକାରୀଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ସେହି ସୁଧକୁ ଖାଉଟିମାନଙ୍କ ଉପରେ ଚପାଇ ଦେଉଛନ୍ତି । ଏହା ଫଳରେ ସମସ୍ତଙ୍କର ପାପର ପ୍ରାୟଶ୍ଚିତ କରୁଛି ସାଧାରଣ ଖାଉଟି ।

 

(୪) ରାଜନୈତିକ ଦଳ ଓ ବ୍ୟକ୍ତିଙ୍କୁ କମ୍ପାନୀମାନେ ସିଧାସଳଖ ଯେଉଁ ଚାନ୍ଦା ଦେଉଛନ୍ତି, ସେ ଚାନ୍ଦା ବାବଦ ଟଙ୍କାକୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଜିନିଷ ଉପରେ ଯୋଡ଼ି ବିକ୍ରୟ କରିବା ଫଳରେ ବାସ୍ତବରେ ଉକ୍ତ ଚାନ୍ଦା ବାବଦ ଟଙ୍କାକୁ ଖାଉଟିମାନଙ୍କ ଠାରୁ ଆଦାୟ କରାଯାଉଛି-

 

(୫) ଶିଳ୍ପଜାତ ଦ୍ରବ୍ୟ ଏବଂ କୃଷିଜାତ ଦ୍ରବ୍ୟମାନଙ୍କର ବଣ୍ଟନ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ । ତେଣୁ ମଧ୍ୟ ଜିନିଷ ଦାମ୍‌ ବଢ଼ି ଯାଉଛି । ପ୍ରମାଣ ସ୍ଵରୂପ ଇଣ୍ଡଷ୍ଟ୍ରିଆଲ ପ୍ରଡ଼କ୍ଟର ବଣ୍ଟନ ପାଇଁ ମଝିରେ ଡିଲର, ଏଜେଣ୍ଟ, ସବ୍‌ଏଜେଣ୍ଟ ଏପରି ୩ ହାତ ଦେଇ ଶେଷରେ ଖାଉଟି ପାଖରେ ପହଞ୍ଚୁଛି । ଏହା ଫଳରେ ପ୍ରତ୍ୟେକେ ମଝିରେ କିଛି କିଛି ଲାଭ ରଖି ନେଉଛନ୍ତି । ଏ ସବୁ ଲାଭର ମୂଲ୍ୟ ଦେଉଛି କନ୍‌ଜ୍ୟୁମର । ତେଣୁ ଏପରି ବ୍ୟବସ୍ଥା ହୁଅନ୍ତା ଇଣ୍ଡଷ୍ଟ୍ରିଆଲ ପ୍ରଡ଼କ୍ଟକୁ ଯଦି ସିଧାସଳଖ କୋ. ଅପରେଟିଭ ସଂସ୍ଥା ମାଧ୍ୟମରେ ଇଣ୍ଡଷ୍ଟ୍ରିରୁ ଆଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ମଝିରେ ଡିଷ୍ଟ୍ରିବ୍ୟୁଟର, ଏଜେଣ୍ଟ ଓ ସବଏଜେଣ୍ଟମାନେ ଅଧିକ ଲାଭ ଉଠାଇବା ବନ୍ଦ ହୋଇଯାଆନ୍ତା ।

 

ଏଇପରି ବହୁତ ସଂସ୍କାର ଅବଶ୍ୟକ ପଡ଼ୁଛି । ମାତ୍ର ଆମର ପ୍ରଭାବଶାଳୀ ବିଧାୟକମାନଙ୍କୁ କମ୍ପାନୀ ଓ ବ୍ୟବସାୟୀମାନେ ଏକ ରକମ ଟଙ୍କା ବଳରେ କିଣି ନେଇ ତାଙ୍କ ମୁହଁ ବନ୍ଦ କରି ଦେଉଛନ୍ତି । ଯା ଫଳରେ ସେମାନେ ସବୁ ଜାଣିଲେ ମଧ୍ୟ ମୁହଁ ବନ୍ଦକରି ଚୁପ୍‌ ରହୁଛନ୍ତି ।

 

(୧୦)

ରପ୍ତାନୀ ନୀତି ପ୍ରଣୟନ ଓ ଇଣ୍ଟର ନ୍ୟାସନାଲ ଷ୍ଟାଣ୍ଡାର୍ଡ଼ର ଜିନିଷ ଉତ୍ପାଦନ

 

ଆମ ଦେଶର ରପ୍ତାନୀ ଦିନକୁ ଦିନ କମି ଯାଉଛି । ଆଉ ରପ୍ତାନୀ ଯା ବା ହେଉଛି ତହିଁରୁ ଅଧିକାଂଶ ହେଉଛି କଞ୍ଚାମାଲ ବା raw material. ଆମଦାନୀ କ୍ଷେତ୍ରରେ ଅଧିକ ହେଉଛି ଶିଳ୍ପଜାତ ଦ୍ରବ୍ୟ । ବର୍ତ୍ତମାନ ଏଠାରେ ବିଚାରିବା କଥା, ଆମେ ଯଦି ଖଣିଜ ଦ୍ରବ୍ୟ ରପ୍ତାନୀ କରି ବାହାଦୁରି ନେଉ ତେବେ ସେ ପ୍ରକାର ରପ୍ତାନୀକୁ ମୂର୍ଖାମି ବା ବୋକାମି ବୋଲି କୁହାଯିବ । ଜଙ୍ଗଲଜାତ ଦ୍ରବ୍ୟ, ଜଳଜାତ ସାମଗ୍ରୀ, କୃଷିଜାତ ଦ୍ରବ୍ୟ ଏବଂ ଶିଳ୍ପଜାତ ଦ୍ରବ୍ୟ ରପ୍ତାନୀ କଲେ ତାହାକୁ ପ୍ରକୃତ ରପ୍ତାନୀ କୁହାଯିବ । କିନ୍ତୁ ଖଣିଜ ଦ୍ରବ୍ୟକୁ ଥରେ ଖଣିରୁ ବାହାର କରି ଆଣିଲେ ପରବର୍ତୀ ସମୟରେ ଆଉ ସେ ଦ୍ରବ୍ୟ ଉତ୍ପାଦନ ହୋଇ ପାରେନା । ଯେଉଁଠୁ କୋଇଲା ବାହାରିଗଲା ସେ ଜାଗା ଖାଲି ରହିଲା । ଯେଉଁଠୁ ଲୁହାପଥର ପରି ମୂଲ୍ୟବାନ୍‍ ଧାତୁ କିମ୍ବା କୌଣସି ମୂଲ୍ୟବାନ୍‍ ଖଣିଜ ସମ୍ପଦ ଥିବା ପଥର ଖୋଳା ହୋଇଗଲା । ସେ ସ୍ଥାନଟି ଚିରଦିନ ପାଇଁ ଖାଲି ରହିଲା । ସୁତରାଂ ଖଣିଜ ଦ୍ରବ୍ୟକୁ ଦେଶ ବାହାରକୁ ରପ୍ତାନୀ କରିବା ଦେଶବାସୀଙ୍କ ନିମନ୍ତେ ଏକ ମହାନ୍‌ ଧୋକାବାଜି ଓ ପ୍ରତାରଣା । ଅଦୂର ଦ୍ରଷ୍ଟା ତଥା ଲକ୍ଷ୍ମୀଛଡ଼ା ନହେଲେ ଏପରି କୌଣସି ଦେଶର ଲୋକେ କରନ୍ତି ନାହିଁ । ତେଣୁ ଖଣିଜ ଦ୍ରବ୍ୟକୁ ଆଦୌ ରପ୍ତାନୀ ନକରି ଏଇ ଦେଶରେ କଳକାରଖାନା ବସାଇ ତା’ର ସଦୁପଯୋଗ କରାଯିବା ଉଚିତ । ଏପରିକି ଲୁହା ପଥରରୁ ଲୁହା ପିଣ୍ଡ ପ୍ରସ୍ତୁତ କରି ସେହି ଲୁହାପିଣ୍ଡ, ଆଲୁମିନିୟମ୍‌ ପିଣ୍ଡ ବା କୌଣସି ଧାତବ ପିଣ୍ଡକୁ ମଧ୍ୟ ରପ୍ତାନୀ ନ କରାଯିବା ବାଞ୍ଛନୀୟ ।

 

ଧାତୁ ପଥରରୁ ଧାତବ ପିଣ୍ଡ ପ୍ରସ୍ତୁତ କରି, ପୁଣି ଧାତବ ପିଣ୍ଡରୁ ଆହୁରି ସୂକ୍ଷ୍ମରୁ ସୂକ୍ଷ୍ମତର ଜିନିଷ ତିଆରି କରି ତାକୁ ବାହାରକୁ ପଠାଗଲେ ଅଳ୍ପ ଓଜନର ଧାତୁ ତିଆରି ସୂକ୍ଷ୍ମ ଜିନିଷ ବହୁମୂଲ୍ୟରେ ବିକ୍ରୟ ହୋଇପାରିବ । ଏହାଦ୍ଵାରା ଆମର ଗଚ୍ଛିତ ତଥା ସୀମିତ ପରିମାଣର ଧାତୁ ସମ୍ପଦ ଅଳ୍ପ ସମୟରେ ଶେଷ ନହୋଇ ବହୁବର୍ଷଯାଏ କାମରେ ଲାଗିବ । ଆଜି ଆମେ ମାଟି ତଳୁ ଖଣିଜ ପଦାର୍ଥକୁ ବାହାର କରି ରପ୍ତାନୀ କରୁଛୁ । ମାତ୍ର ଆଗାମୀ ୫୦/୧୦୦ ବର୍ଷ ପରେ ଆମର ଯେଉଁ ସନ୍ତାନ ସନ୍ତତି ଏ ମାଟିରେ ଜନ୍ମ ନେବେ ତାଙ୍କ ପାଇଁ ଆମେ କ’ଣ ଖାଲି ଫମ୍ପା ବାଲିଭରା ଖଣି ରଖି ଦେଇଯିବୁ ?

 

ଜାପାନରେ ବିଶେଷ କଞ୍ଚାମାଲ ଓ ଖଣିଜ ଦ୍ରବ୍ୟ ନ ଥିଲେ ମଧ୍ୟ ସେ ଆଜି ନାନା ଦେଶରୁ ସେସବୁ ଜିନିଷ ନେଇ ତା’ ଦେଶରେ ଆଗାମୀ ବହୁ ବର୍ଷ ଯାଏ ସମ୍ପାଦି ରଖି ସେଥିରୁ ଖୁବ୍‍ ସୂକ୍ଷ୍ମ ସୂକ୍ଷ୍ମ ଜିନିଷ ପ୍ରସ୍ତୁତ କରି ତାକୁ ବହୁ ମୂଲ୍ୟରେ ବିକୁଛି । ଅଥଚ ଆମ ଦେଶ କଞ୍ଚାମାଲ ଏବଂ ବିଭିନ୍ନ ଧାତୁ ପିଣ୍ଡ ବିଦେଶକୁ ପଠାଇ ବାହାଦୁରି ଦେଖାଉଛି । ଏହାଠାରୁ ବଳି ଲଜ୍ଜାଜନକ ବିଷୟ ଏବଂ ଆମ ରାଜନୈତିକ ବ୍ୟକ୍ତିମାନଙ୍କର ଅଧିକ ବୋକାମି କ’ଣ ବା ଥାଇପାରେ ?

 

ପ୍ରକୃତରେ ଆମ ଦେଶରୁ ଖଣିଜ ସମ୍ପଦର ଅବାଧ ରପ୍ତାନୀ ବିଷୟ ଯଦି ଲିପିବଦ୍ଧ ହୋଇ ରହେ ଏବଂ ୩/୪ ପୁରୁଷ ପରେ ବା ୧୦୦/୨୦୦ ବର୍ଷ ପରେ ଯେଉଁ ଲୋକମାନେ ଜନ୍ମ ନେବେ ସେମାନେ ଏହା ଜାଣିଲେ ରୁଷିଆରେ ଯେପରି ଷ୍ଟାଲିନ ଏବଂ ଲେନିନ୍‌ଙ୍କ ଷ୍ଟାଚ୍ୟୁକୁ ଅପସାରଣ କରି ଦିଆଗଲା । ଠିକ୍‌ ସେହିପରି ଏ ନେତାମାନଙ୍କ ଷ୍ଟାଚ୍ୟୁ ସବୁ ସେମାନେ ଭାଙ୍ଗି ଚୂରମାର କରିଦେବେ ।

 

ଆମ ଦେଶର ରାଜନୈତିକ ନେତାଙ୍କଠାରୁ ଆରମ୍ଭକରି ମହାଜ୍ଞାନ ଅର୍ଜନ କରି ଦେଶ ଚଳାଉଥିବା ଛୋଟ ବଡ଼ ଅଫିସରମାନଙ୍କ ମୁଣ୍ଡକୁ କ’ଣ ଏଇ ସାମାନ୍ୟ ଅଥଚ ଏକ ଅତି ମୌଳିକ ଚିନ୍ତାଟି ଢୁକୁନି ? ଖଣି ତ ଜମି ବା ଜଙ୍ଗଲ ନୁହେଁ ଯେ, ସେଠୁ ଆଜି ଯା ବାହାରି ଗଲା କାଲି ପୁଣି ସେଇ ଖାଲି ଜାଗାରେ ନୂଆ ଫସଲ, ନୂଆ ଫଳ ଫଳିବ ? ଧାତବ ପଦାର୍ଥ କ’ଣ ଆଉ କେବେ ଏଠି ଫଳିବ ? ଖଣିଜ ପଦାର୍ଥକୁ ଜମିର ଫସଲ ବିଚାରିବା ହେଉଛି ଗଜମୂର୍ଖାମି । ଯେଉଁ ଖଣିଜ ପଦାର୍ଥର ସଦୁପଯୋଗ କରାଗଲେ ତାହା ଆମର ୭ ପୁରୁଷ ଯାଏ ରହିପାରନ୍ତା ତାକୁ ଯଦି ସାରା ପୃଥିବୀବାସୀଙ୍କୁ ଲଗାମ ଛଡ଼ା ରୀତିରେ ବିକ୍ରୟ କରାଯାଏ ତେବେ ତ ତାହା ୧୭ ବର୍ଷରେ ସରିଯିବ । ସୁତରାଂ ହେ ଏ ଦେଶବାସୀ ଏବଂ ଆମର ଭବିଷ୍ୟତ ବଂଶଧରମାନଙ୍କର ଶତ୍ରୁରୂପୀ ନେତୃବୃନ୍ଦ, ହେ ଲମ୍ବା ଚଉଡ଼ା ଡିଗ୍ରୀଧାରୀ ଶାସକ ଓ ଶାସନ ସଚିବ, ତୁମକୁ ଏତିକି ଅନୁରୋଧ ଖଣିଜ ଦ୍ରବ୍ୟକୁ ଆଦୌ ରପ୍ତାନୀ କରନା । ତହିଁରୁ ଅତି ସୂକ୍ଷ୍ମାତିସୂକ୍ଷ୍ମ ଜିନିଷପତ୍ର ପ୍ରସ୍ତୁତ କରି ତାକୁ ବାହାରେ ବିକ୍ରି କର । ରପ୍ତାନୀ ବାଣିଜ୍ୟର ନୀତି ବଦଳାଅ ।

 

ଯେଉଁ ଲୁହା ପିଣ୍ଡକୁ ବାହାରେ କିଲୋପ୍ରତି ଟ୧୦ଙ୍କାରେ ବିକ୍ରି କରାଯାଉଛି, ତହିଁରେ ଇଲେକ୍ଟ୍ରୋନିକ୍‌ ଯନ୍ତ୍ରପାତି ପ୍ରସ୍ତୁତ କରି ବିକ୍ରିକଲେ ଆମକୁ କିଲୋପ୍ରତି ଏକ ଲକ୍ଷ ଟଙ୍କା ମିଳିବ । ଆଜି ଆମେ ବିଦେଶରୁ ଯେଉଁ ଇଲେକ୍ଟ୍ରୋନିକ୍‌ ଜିନିଷ କିଣୁଛୁ ଆମକୁ କିଲୋପ୍ରତି ପ୍ରାୟ ଏକଲକ୍ଷ ଟଙ୍କା ଦେବାକୁ ପଡ଼ୁଛି । ମାତ୍ର ଆମେ ଧାତୁ ପିଣ୍ଡ କିଲୋକୁ ଟ୧୦ଙ୍କା ବା ତା’ଠୁ କମ୍‌ ଦାମରେ ବିକୁଛନ୍ତି । ତେଣୁ ଆମେ ଓ ଆମ ଦେଶ ଦିନକୁ ଦିନ ଗରିବ ଓ ଲକ୍ଷ୍ମୀହରା ହୋଇ ଯାଉଛି ।

 

ଏ ଗଲା ଖଣିଜ ଦ୍ରବ୍ୟର କଥା । ଏବେ ଶୁଣନ୍ତୁ ଭାରତୀୟ ଷ୍ଟାଣ୍ଡାର୍ଡ଼ କଥା । ଭାରତୀୟ ଷ୍ଟାଣ୍ଡାର୍ଡ଼ ଅର୍ଥାତ୍‌ ‘‘Indian Standard’’ କହିଲେ ପୃଥିବୀ ବଜାରରେ ହାସ୍ୟାସ୍ପଦ ହେବାକୁ ପଡ଼ିଥାଏ । ଆମ ଦେଶବାସୀ ମଧ୍ୟ ‘Made in India’ ଲେଖାଥିବା ଜିନିଷ କିଣନ୍ତି ନାହିଁ । କାରଣ ଆମେ ଜାଣୁ ଭାରତରେ ତିଆରି ଏପରିକି ଆମ ଦେଶର ୨୦ଟି ଅତି ବଡ଼ ଇଣ୍ଡଷ୍ଟ୍ରିୟାଲ୍‌ ମେଗ୍ନେଟ୍‌ସ୍‌ ନିଜ ନିଜ କାରଖାନାରୁ ଯେଉଁ ଜିନିଷ ପ୍ରସ୍ତୁତ କରନ୍ତି ତା’ର ଷ୍ଟାଣ୍ଡାର୍ଡ଼ ଅତି ନ୍ୟୂନତମ । ତେଣୁ ଅନେକ ସମୟରେ ସେମାନେ ନିଜେ ମଧ୍ୟ ନିଜ କାରଖାନା ତିଆରି ଜିନିଷପତ୍ର ବ୍ୟବହାର କରନ୍ତି ନାହିଁ ।

 

ଯେଉଁ କମ୍ପାନୀ ମଟର ଗାଡ଼ି ତିଆରି କରେ ସେ ନିଜ କାରଖାନା ତିଆରି ଗାଡ଼ି ନଚଢ଼ି ଚଢ଼େ ବିଦେଶୀ ଗାଡ଼ି । ଏପରିକି ଆମ ଦେଶର ଖୋଦ୍‌ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ସ୍ଵଦେଶୀ ଗାଡ଼ିରେ ଚଢ଼ନ୍ତି ନାହିଁ–ବିଦେଶୀ ଗାଡ଼ିରେ ଚଢ଼ନ୍ତି । ଏଥିରୁ ଦୁଇଟି କଥା ସ୍ପଷ୍ଟ, ପ୍ରଥମତଃ ମୁଖରେ ସ୍ଵଦେଶୀ ବର୍ଜନ କରନ୍ତି ଏବଂ ଦ୍ଵିତୀୟତଃ ସ୍ଵଦେଶୀ ଜିନିଷ ଉପରେ ବିଶ୍ଵାସ ସ୍ଥାପନ କରି ହୁଏନା ।

 

ପ୍ରମାଣ ସ୍ଵରୂପ ଆମ ଦେଶରେ ତିଆର ହେଉଥିବା ୪ ଚକିଆ ମଟର ଗାଡ଼ିକୁ କିଣିଆଣି ପ୍ୟାକ୍ଟରୀରୁ ବାହାରି ଆସିବାର ଘଣ୍ଟାକ ପରେ ମରାମତି ଦରକାର ପଡ଼େ । ଗାଡ଼ି କିଣାଯାଇ ଘରେ ପହଞ୍ଚିବା ଆଗରୁ ଗ୍ୟାରେଜ ବାଟ ଦେଇ ଆସେ । ଏପରିକି ଗାଡ଼ିର କେବଳ ହର୍ଣ୍ଣକୁ ଛାଡ଼ି ବାକି ସବୁ ଯନ୍ତ୍ରପାତି ଶବ୍ଦ ସୃଷ୍ଟି କରନ୍ତି । ଅର୍ଥାତ୍‌ ଆବଶ୍ୟକ ବେଳେ ହର୍ଣ୍ଣ ବାଜେନା କିନ୍ତୁ ଅନାବଶ୍ୟକ ଭାବେ ଅନ୍ୟ ଯନ୍ତ୍ରପାତି ସବୁ ଖଡ଼୍‌ଖାଡ଼୍‌ ଶବ୍ଦ ସୃଷ୍ଟିକରି ବାଜନ୍ତି ।

 

କାଗଜ କଥା ଦେଖନ୍ତୁ । ଆମ ଦେଶରେ ଯେଉଁ ଲୋ-ଗ୍ରେଡ଼ କାଗଜ ତିଆରି ହୁଏ ସେପରି ଲୋ-ଗ୍ରେଡ଼ କାଗଜ ପୃଥିବୀର କୌଣସି ଉନ୍ନତ ଦେଶରେ ବା କୌଣସି ବିକାଶଶୀଳ ରାଷ୍ଟ୍ରରେ ହୁଏନା । ଲେଖା ହୋଇଥିବ White Print ମାତ୍ର ଦେଖାଯାଉଥିବ କସରା ମସିଆ ରଙ୍ଗ । ଲେଖା ହୋଇଥି Cream Wove; ମାତ୍ର ଦେଖାଯାଉଥିବ ନିଉଜପ୍ରିଣ୍ଟ ପରି । ଏଠାରେ ଯେଉଁ କାଗଜର ଦାମ୍‍ କିଲୋପ୍ରତି ଟ୨୩ରୁ ଟ୩୨ ସେଇ କାଗଜର ଦର ବାହାରୁ ଆଣିଲେ କିଲୋପ୍ରତି ୧୩ଟଙ୍କା । ଏଣେ ସରକାରୀ କ୍ଷେତ୍ରରେ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଅଫିସରଯାଏ ସମସ୍ତେ ଚାନ୍ଦା ନେଇ ନେଇ କମ୍ପାନୀମାନଙ୍କୁ ଏମିତି ଖୋଳ କରି ଦେଇଥାନ୍ତି ଯେ ସେ ଲୋକଙ୍କୁ ଦିନ ଦିପହରରେ ୩ ନମ୍ବରୀ ଜିନିଷ ଦେଇ ତା’ ଉପରେ ଏକ ନମ୍ବରୀ ମୋହର ମାରି ସେହି ଉଚ୍ଚ ହାରରେ ଦାମ୍‌ ଛାପି ବିକିଲେ ମଧ୍ୟ କାହାରି ମୁହଁ ଖୋଲେନା ।

 

ଏକେତ ଦାମରେ ଅଧିକ, ଦ୍ୱିତୀୟରେ କ୍ୱାଲିଟିରେ ଅତି ନ୍ୟୂନ (Low Grade) ତୃତୀୟରେ ରିମ ଉପରେ ଲେଖା ହୋଇଥିବ 15Kg. ମାତ୍ର ଓଜନ କଲା ବେଳକୁ ତା’ କେବେ ହେଲେ 15Kg. ହେବନି । ଏଇମିତି ଭାବରେ ବଡ଼ବଡ଼ ଇଣ୍ଡଷ୍ଟ୍ରିୟାଲିଷ୍ଟମାନେ ଏ ଦେଶର ଲୋକଙ୍କୁ ଆଉ ମଣିଷ ଜ୍ଞାନ କରୁନାହାନ୍ତି । ସତେ ଅବା ଦେଶବାସୀ ତାଙ୍କ କ୍ରୀତଦାସ ବା ଦୟାର ପାତ୍ର । ଆମେମାନେ ମଧ୍ୟ ଆଇନ ଭୟରେ ଗଧ ପାଲଟି ଯାଇଛୁ । ଏହାର କାରଣ ହେଲା କମ୍ପାନୀମାନେ ସରକାରୀ କଳର ଲୋକ, ମନ୍ତ୍ରୀ, ଏମ୍‌.ପି. ଏବଂ ଏମ୍‌.ଏଲ୍‌.ଏ.ମାନଙ୍କୁ ଚାନ୍ଦା ଦେଇ ଯଦି ସନ୍ତୁଷ୍ଟ କରି ପାରିଲେ ଏବଂ ଯଦି ତାଙ୍କୁ ପକେଟରେ ପକାଇ ପାରିଲେ, ତେବେ ଦେଶବାସୀ ତାଙ୍କୁ କୁକୁର ମାଙ୍କଡ଼ ଓ ଗଧଙ୍କ ପରି ଦେଖା ନ ଯିବେ କାହିଁକି ?

 

ସରକାରୀ କଳ ସହିତ ସମ୍ପୃକ୍ତ ଥିବା ପ୍ରତ୍ୟେକ ବ୍ୟକ୍ତି ଏଥିପାଇଁ ପ୍ରଧାନତଃ ଦାୟୀ । ଏଇ ବଡ଼ବଡ଼ ଇଣ୍ଡଷ୍ଟ୍ରିୟାଲିଷ୍ଟଙ୍କୁ ଦେଶବାସୀ ବ୍ୟବହାର କରୁଥିବା କୌଣସି ଜିନିଷ ତିଆର କରିବାକୁ ଅନୁମତି ସରକାର ନ ଦିଅନ୍ତୁ । ସେମାନେ କେବଳ ବିଦେଶକୁ ରପ୍ତାନୀ ନିମନ୍ତେ ଯା ଦରକାର ତାହାହିଁ କରନ୍ତୁ । ତା’ହେଲେ ଯାଇ ସେମାନେ ଠିକ୍‌ ବୁଝିବେ ଯେ କିପରି ଷ୍ଟାଣ୍ଡାର୍ଡ଼ର ଜିନିଷ ଓ କି କି ଜିନିଷ ତିଆର କଲେ ଏବଂ ତା’ର ଦାମ୍‌ କେତେ ରଖିଲେ ଯାଇ ବାହାର ଦେଶରେ ତା’ର ଚାହିଦା ହୋଇପାରିବ । ବାସ୍ତବ କ୍ଷେତ୍ରରେ ବଡ଼ ବଡ଼ ଇଣ୍ଡଷ୍ଟ୍ରିୟାଲିଷ୍ଟ ଓ ଦୁର୍ନୀତିଗ୍ରସ୍ତ ରାଜନୈତିକ ନେତାଙ୍କଠାରୁ ବଳି ଦେଶବାସୀଙ୍କର ଆତ୍ମଘାତି ପ୍ରଧାନ ଶତ୍ରୁ ଆଉ କିଏ ବା ଥାଇପାରେ ଏ ବିଶ୍ୱାସ ମୋର ହେଉନି ।

 

ଦେଶର ସମସ୍ତ ଟେରୋରିଷ୍ଟ ମିଶି ସାରା ବର୍ଷେ ଭିତରେ ୩୦୦୦ରୁ ୪୦୦୦ ଲୋକଙ୍କୁ ମାରି ପାରୁଛନ୍ତି; ମାତ୍ର ଯେଉଁମାନଙ୍କ କଥା କହିଲି ସେମାନେ ପ୍ରତି ମୁହୂର୍ତ୍ତରେ କୋଟିକୋଟି ଲୋକଙ୍କ ତଣ୍ଟିରେ ଛୁରି ଭୁଷୁଛନ୍ତି । ଦ୍ୱାଚୋରି, ଦଗାବାଜି, ଠକାମୀ, ବିଶ୍ୱାସଘାତକତା ଆଦି ଯେତେ ଧରଣର ବିଶେଷଣ ଅଛି ସବୁତକ ମଧ୍ୟ ତାଙ୍କ ପାଇଁ ଯଥେଷ୍ଟ ନୁହେଁ ।

 

ସରକାରୀ କଳଟାକୁ ପକେଟରେ ପକାଇ, ଏକଚାଟିଆ ନନ୍‌ଷ୍ଟାଣ୍ଡାର୍ଡ଼ ଜିନିଷ ଉତ୍ପାଦନ କରି ଦେଶବାସୀଙ୍କୁ ଅତ୍ୟଧିକ ଦାମରେ ବିକ୍ରୟ କରି କୋଟି କୋଟି ଟଙ୍କା ସ୍ଵଦେଶରୁ ଆୟ କରିବା ଯେକୌଣସି ଲୋକ କରିପାରେ । ମାତ୍ର ଯଦି ମୁଣ୍ଡରେ ବୁଦ୍ଧି ଅଛି, ତେବେ କେବଳ ରପ୍ତାନୀ ଉପଯୋଗୀ ଜିନିଷ ତିଆର କର ଓ ପୃଥିବୀ ବଜାରରେ ନିଜ ଜିନିଷର ଷ୍ଟାଣ୍ଡାର୍ଡ଼ ଏବଂ ଦର ପରୀକ୍ଷା କରି ଦେଖାଇ ଦିଅ ଯେ ତୁମେ ପ୍ରକୃତରେ ଦକ୍ଷ, କରାମତିଆ ଓ ପାରିବାର ଇଣ୍ଡଷ୍ଟ୍ରିୟାଲ୍‌ ମେଗ୍ନେଟ୍‌ସ୍‌ ।

 

ଯେତେଦିନ ପର୍ଯ୍ୟନ୍ତ ସରକାର ବଡ଼ବଡ଼ ଇଣ୍ଡଷ୍ଟ୍ରିୟାଲିଷ୍ଟଙ୍କଠାରୁ ଦେଶବାସୀ ବ୍ୟବହାର କରୁଥିବା ଜିନିଷ, ମୁଖ୍ୟତଃ Consumer Goods ଉତ୍ପାଦନକୁ ବନ୍ଦ କରିବା ପାଇଁ ଆଇନ ନ କରିବେ, ସେତେଦିନ ଯାଏ ଏ ଦେଶରେ କୌଣସି ଛୋଟ ଛୋଟ ଇଣ୍ଡଷ୍ଟ୍ରି ମୁଣ୍ଡ ଟେକି ପାରିବେ ନାହିଁ କିମ୍ବା ରପ୍ତାନୀ ବାଣିଜ୍ୟ ବୃଦ୍ଧି ପାଇବ ନାହିଁ । ଅପରନ୍ତୁ ଇଣ୍ଟରନ୍ୟାସନାଲ୍‌ ଷ୍ଟାଣ୍ଡାର୍ଡ଼ର ଫିନିସ୍‌ଡ ଗୁଡ଼ସ୍‌ ଉତ୍ପାଦନ ହୋଇପାରିବ ନାହିଁ ।

 

ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟମାନେ ଦେଶ ସ୍ଵାଧୀନ ହେବା ପରଠାରୁ ଏକ ଟଙ୍କାକୁ ଏକ କୋଟି ଟଙ୍କାରେ ପରିଣତ କରି ପାରିଛନ୍ତି । ମାତ୍ର ସେ ସବୁ ଟଙ୍କା ଆମ ଦେଶର ଗରିବ, ନିରସ୍ତ୍ର, ଗଧ ସଦୃଶ ମୂକମାନବର ଲୁହଲହୁ ଓ ରକ୍ତମାଂସର ସାରାଂଶ ମାତ୍ର । ସେ ଟଙ୍କା ସମସ୍ତଙ୍କ ପକେଟମାରୁ କରି ଦିନ ଦି ପ୍ରହରରେ ଡକାୟତିକରି ନିଆଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଆଉ ଏଥିପାଇଁ ଆମର ନେତା ଏବଂ ସରକାରୀ କଳର ଲମ୍ବା ଡିଗ୍ରୀଧାରୀ ତେଲିଆ ଅଫିସରମାନେ ହିଁ ମୁଖ୍ୟତଃ ଦାୟୀ ।

 

(୧୧)

ସରକାରୀକରଣ ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ

 

ସରକାରୀକରଣ ଶିଳ୍ପ ବ୍ୟବସାୟ, ବାଣିଜ୍ୟରେ କ୍ଷତି ହେଲେ, ଏପରିକି ନିର୍ଦ୍ଦିଷ୍ଟ ଲାଭର ସୀମାରେଖା ତଳକୁ ଖସିଗଲେ ସେଥିରେ କାମ କରୁଥିବା ଗୋଟିଏ ଛୋଟ କର୍ମଚାରୀଠାରୁ ଆରମ୍ଭ କରି ମୁଖ୍ୟ ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷତିର ପରିମାଣ ଅନୁଯାୟୀ ଜୋରିମାନା ସ୍ଵରୂପ ସେମାନଙ୍କ ଦରମାରୁ କଟାଯାଇ କ୍ଷତି ଭରଣା କରାଯିବା ନିମନ୍ତେ କଡ଼ା ଆଇନ ହେଉ ।

 

ଏହା ନ ହେଲେ ସରକାରୀକରଣ ବ୍ୟବସାୟ, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ସବୁଠି କ୍ଷତି ହିଁ ଲାଗି ରହିବ ।

 

ସୁତରାଂ ପ୍ରଥମେ ସରକାର କ୍ଷତି ହେଉଥିବା ସମସ୍ତ ସରକାରୀ ଶିଳ୍ପ ଓ ବ୍ୟବସାୟକୁ କିପରି ଆୟତ୍ତାଧିନ କରିବେ ତା’ ବିଚାର କରନ୍ତୁ । ନଚେତ୍‌ ଲୋକେ କେବେହେଲେ ଆଉ ବୋକାଙ୍କ ଭଳି ଚାହିଁବେ ନାହିଁ । କାରଣ ସରକାରୀକରଣ ଶିଳ୍ପ ବ୍ୟବସାୟରେ ହେଉଥିବା କ୍ଷତି ଭରଣା ପାଇଁ ସରକାର ଲୋକଙ୍କ ଉପରେ ଟିକସ ବସାଇ ସେ ଟିକସ ଟଙ୍କାକୁ ନେଇ କ୍ଷତି ଘଟାଉଥିବା ଧବଳ ଚୋରଙ୍କୁ ପୋଷୁଛନ୍ତି । ଏପରି ନୀତି ରୀତି ଆଉ ବେଶିଦିନ ଚାଲି ପାରିବ ନାହିଁ-। କାରଣ ଲୋକେ ଏବେ ଠିକ୍‌ ବୁଝିଗଲେଣି ଯେ ଏ କ୍ଷତି କାହିଁକି ହେଉଛି ଏବଂ କିଏ ଏଥିପାଇଁ ଦାୟୀ । ଲୋକେ କିନ୍ତୁ ଏଥିପାଇଁ ଆଦୌ ଦାୟୀ ନୁହନ୍ତି ଏ କଥା କେବଳ ମୁଁ ନୁହେଁ ପ୍ରତ୍ୟେକ ନାଗରିକ ବୁଝିଛନ୍ତି । ତେଣୁ ସାଧୁ ! ସାବଧାନ ! !

 

(୧୨)

ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଓ ଜଳର ସୁ ବ୍ୟବହାର ଶିକ୍ଷା

 

ଶୁଦ୍ଧ ପାନୀୟ ଜଳ ବ୍ୟବହାର କରା ନଯିବା ହେତୁ ପ୍ରାୟ ଶତକଡ଼ା ୯୦ ଭାଗ ଲୋକଙ୍କୁ ଜଳଜାତ ରୋଗର ଶିକାର ହେବାକୁ ପଡ଼ିଥାଏ । ତେଣୁ ସରକାର ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଏହାକୁ ବ୍ୟବହାରରେ ଅଭ୍ୟସ୍ତ କରାଇବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ । ତା’ଛଡ଼ା ପ୍ରତି ଗ୍ରାମରେ ଲୋକମାନଙ୍କୁ ଶୁଦ୍ଧ ଏବଂ ଅଶୁଦ୍ଧ ପାନୀୟଜଳର ଉପକାରିତା ଏବଂ ଅପକାରିତା ବିଷୟରେ ଶିକ୍ଷା ଦେବା ଆବଶ୍ୟକ ।

 

ଯେଉଁ ଜଳ ମଣିଷର ‘ଜୀବନ’ ସେହି ଜଳ ମଣିଷର ‘ବିଷ’ ସହିତ ସମାନ । ତେଣୁ ଜଳକୁ ପିଇବା ବା ଜଳରେ ଖାଦ୍ୟ ପ୍ରସ୍ତୁତ କରିବା ଆଗରୁ ତା’ ବିଷ କି ଶୁଦ୍ଧ ଏ ବିଷୟରେ ପ୍ରଥମ ଚିନ୍ତା କରିବା ନିହାତି ଦରକାର ବୋଲି ଲୋକେ ଶିକ୍ଷା ପାଇବା ଉଚିତ । ତା’ଛଡ଼ା ଜଳକୁ କି କି ଉପାୟରେ ଶୁଦ୍ଧ କରାଯାଇପାରେ ତା’ର ସହଜ ଉପାୟମାନ ବତାଇ ଦିଆଯିବା ମଧ୍ୟ ଦରକାର । ଏହା ହେଲେ ରୋଗ କମିବ ଏବଂ ସରକାରଙ୍କ ଡାକ୍ତରଖାନାରେ ଭିଡ଼ ମଧ୍ୟ କମିଯିବ ।

 

(୧୩)

ପରିବେଶ ସୁରକ୍ଷା

 

‘ଜଳ’ ପରି ‘ବାୟୁ’ ମଧ୍ୟ ଆମର ଜୀବନ ଅଟେ । ପରିବେଶ ନିର୍ମଳ ରହିଲେ ବିଶୁଦ୍ଧ ବାୟୁ ମିଳିଥାଏ । ଏପରି ଶିକ୍ଷା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ । ଯେଉଁ ଯେଉଁ କାରଣରୁ ବାୟୁ ଦୂଷିତ ହୁଏ, ଏବଂ କ’ଣ କଲେ ବାୟୁ ବିଶୁଦ୍ଧ ହୋଇ ପାରିବ ଏ ଶିକ୍ଷା ପ୍ରତ୍ୟେକ ଗାଁ ଗଣ୍ଡାରେ ଯାଇ ପହଞ୍ଚିବା ଦରକାର ।

 

ପରିବେଶ ସୁରକ୍ଷା ପାଇଁ ଏଣେତେଣେ ଝାଡ଼ା ନଫେଡ଼ି ଗାନ୍ଧିଜୀଙ୍କ ଗାଉଁଲି ପାଇଖାନା କିମ୍ବା ଶସ୍ତାରେ ଯେଉଁ ଯେଉଁ ପାଇଖାନା ହୋଇପାରିବ ସେପରି ପାଇଖାନା ଗାଁର ପ୍ରତି ଗୃହରେ ରହିବା ଦିଗରେ ଧ୍ୟାନ ଦିଆଯିବା ଉଚିତ ।

 

ସେହିପରି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ନୂଆ ନୂଆ ଜଙ୍ଗଲ ସୃଷ୍ଟି ବିଷୟରେ ଧାରଣା ଦିଆଯିବା ଉଚିତ । ତା’ଛଡ଼ା ବାୟୁମଣ୍ଡଳକୁ ଶୁଦ୍ଧ ରଖିବା ପାଇଁ ଫୁଲଗଛ ଲଗାଇବା, ସହରୀ ଲୋକମାନେ ନିଜ ନିଜ ଗୃହର ଛାତ ଉପରେ ଫସଲ ଗଛ ଲଗାଇବା ଏବଂ ଛତୁ ଚାଷ କରିବା ଉଚିତ । ଏ ସବୁ ଶିକ୍ଷା ସରକାରଙ୍କ ତରଫରୁ ଦିଆଗଲେ ଏବଂ ସହଜରେ ଉକ୍ତ ଚାଷ ପାଇଁ ଉପକରଣମାନ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଲେ ଲୋକେ ନିଜେ ନିଜେ ତାହା କରିଯିବେ-। ପରିବେଶ ସୁରକ୍ଷା ବିଷୟଟି ଗୋଟିଏ ଅତି ବିରାଟ କଥା । ତେବେ ଧର୍ମ ପାଳନ କଲାପରି ପ୍ରତ୍ୟେକ ବ୍ୟକ୍ତି ଏହାକୁ ନିଜର ଗୋଟିଏ କର୍ତ୍ତବ୍ୟ ବୋଲି ବିଚାର କରିବା ଦରକାର ।

 

(୧୪)

ଆମଦାନୀ କମ୍‌ କରିବା ଏବଂ ରପ୍ତାନୀ ବଢ଼ାଇବା

 

ଦେଶର ଆମଦାନୀ ଯେପରି କମିବ ଏବଂ ରପ୍ତାନୀ ବଢ଼ିବ ସେଥିନିମନ୍ତେ ସଠିକ୍‍ ପଦକ୍ଷେପ ନେବା ଦିଗରେ ଚେଷ୍ଟା କରାଯିବା ଆବଶ୍ୟକ । ସରକାର ୧୯୯୧ରେ କରିଥିବା ‘import against export’ ଆଇନ ମଧ୍ୟ ଠିକ୍‌ ନୁହେଁ । ଏହାଦ୍ଵାରା ଦେଶର ସେହି ତେଲିଆ ଲୋକଙ୍କ ମୁଣ୍ଡରେ ପୁଣି ତେଲ ମାରିବା ସହିତ ସମାନ । ଆମେ ଧାତବ ପିଣ୍ଡ ବାହାରକୁ ପଠାଇ ତହିଁରେ ତିଆରି ଯନ୍ତ୍ରପାତି ବାହାରୁ କିଣୁଛନ୍ତି । ଏହା ନ କରି ଆମେ ଆମ ଦେଶରେ ବାହାରୁ ଶିଳ୍ପ କୌଶଳ ଆଣି ଏଇଠି କିପରି ଆମଦାନୀ ହେଉଥିବା ପ୍ରତ୍ୟେକ ସୂକ୍ଷ୍ମ ତଥା ଆବଶ୍ୟକୀୟ ଜିନିଷ ତିଆରି କରି ପାରିବା ସେ ବିଷୟରେ ତାଲିମ ପାଇ ଶିଳ୍ପ ପ୍ରତିଷ୍ଠା କରିପାରିବା ସେ ଦିଗରେ ସରକାର ଶିଳ୍ପଦ୍ୟୋଗୀମାନଙ୍କୁ ସାହାଯ୍ୟ କରିବା ଉଚିତ ।

 

ପେଟ୍ରୋଲ ବ୍ୟବହାର କମାଇବାକୁ ହେଲେ ଦେଶରେ ପେଟ୍ରୋଲ ଗାଡ଼ି ତିଆରି କମାଇବା ବା କିଛିଦିନ ପାଇଁ ଗାଡ଼ି ତିଆରି ବନ୍ଦ କରାଯିବା ଉଚିତ । ସହର ଅଞ୍ଚଳରେ ଟ୍ରାମ ଚଳାଚଳ କରାଗଲେ ପେଟ୍ରୋଲ ବଞ୍ଚା ଯାଇ ପାରନ୍ତା । କେବଳ ରାଜଧାନୀ ଦିଲ୍ଲୀ ସହରରେ ଯେତିକି ପେଟ୍ରୋଲ ଖର୍ଚ୍ଚ (ଅପବ୍ୟୟ) ହେଉଛି ତାକୁ ନିୟନ୍ତ୍ରଣ କରାଯାଇ ପାରିଲେ ଆଶାତୀତ ଭାବେ ପେଟ୍ରୋଲ ବଞ୍ଚିପାରନ୍ତା ।

 

କୌଣସି ଅତି ଜରୁରୀ କାର୍ଯ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ଚାରିଚକିଆ ଯାନରେ ଯେତିକି କାପାସିଟି ସେଥିରୁ କମ୍‌ ଯାତ୍ରୀ ଯାଉଥିବା ଅର୍ଥାତ୍‌ ଜଣେ ଦୁଇଜଣ ବସି ଯାଉଥିବା କାର୍‌କୁ ରାସ୍ତାରେ ଚାଲିବାକୁ ଦିଆଯାଆନ୍ତା ନାହିଁ । ଏପରି ଯାତ୍ରାକୁ ବ୍ୟାନ୍‌ କରି ଦିଆଯାଆନ୍ତା । ଚାରିଚକିଆ ଯାନରେ ୪ ଜଣରୁ କମ୍‌ ଏବଂ ୩ ଚକିଆ ଯାନରେ ୩ ଜଣରୁ କମ୍‌ ଏବଂ ୨ ଚକିଆ ଯାନରେ ୨ ଜଣରୁ କମ୍‌ ଲୋକ ଯିବା ବେଆଇନ ହୁଅନ୍ତା । ତେଣୁ ଯାତାୟତର ସୁବିଧା ପାଇଁ ପ୍ରଚୁର ବସ୍‌ ଚଳାଚଳ ହୁଅନ୍ତା ଏବଂ ସହର ଭିତରେ ଥିବା ଲମ୍ବା ଲମ୍ବା ରାସ୍ତାରେ ଟ୍ରାମ ଚାଲନ୍ତା । ଟ୍ରାମ ଚାଲିଲେ ପେଟ୍ରୋଲ ଖର୍ଚ୍ଚ ବନ୍ଦ ହୋଇଯାଆନ୍ତା ରାସ୍ତାରେ ଅଯଥା କାର୍‌, ସ୍କୁଟର ଭିଡ଼ ହୁଅନ୍ତା ନାହିଁ ଏବଂ ପରିବେଶ ପ୍ରଦୂଷଣ ହୁଅନ୍ତା ନାହିଁ ।

 

ଆମର ପ୍ରଧାନ ଆମଦାନୀ ଖର୍ଚ୍ଚ ହେଉଛି ପେଟ୍ରୋଲିୟମ ପଦାର୍ଥ । ସୁତରାଂ ଏହାକୁ ଦୃଢ଼ ହସ୍ତରେ ନିୟନ୍ତ୍ରଣ କରାଯିବା ପାଇଁ ପେଟ୍ରୋଲିୟମ ଗାଡ଼ି ତିଆରି କାରଖାନାର ଉତ୍ପାଦନ କିଛିଦିନ ପାଇଁ ବନ୍ଦ କରିଦିଆଯିବା ଉଚିତ । ଦେଶରୁ ଯେତିକି ପେଟ୍ରୋଲ ମିଳୁଛି ତାକୁ ବ୍ୟବହାର କରି ଦେଶବାସୀ ଚଳନ୍ତେ, ବିନା ପେଟ୍ରୋଲରେ ଚାଲୁଥିବା ସାଇକେଲ ଗାଡ଼ିର ଉନ୍ନତି କରାଯାଆନ୍ତା, ସର୍ବୋପରି ସହରରେ ଥିବା ଚଉଡ଼ା ରାସ୍ତାରେ ଟ୍ରାମ ଚଳାଚଳ ଦ୍ୱାରା ପେଟ୍ରୋଲିୟମ ଖର୍ଚ୍ଚ କମାଇ ଦିଆଯାଇ ପାରନ୍ତା ।

 

ଏହିପରି ବାହାରୁ ଆମଦାନୀ ହେଉଥିବା ଅନ୍ୟାନ୍ୟ ଦ୍ରବ୍ୟ ଓ ଯନ୍ତ୍ରପାତିର ଆମଦାନୀକୁ ବନ୍ଦ କରାଯାଇ ତା’ର ବିକଳ୍ପ କଥା ଚିନ୍ତା କରାଯାନ୍ତା ।

 

ରପ୍ତାନୀ ବଢ଼ାଇବା ଦିଗରେ ଯୋଜନାମାନ ପ୍ରସ୍ତୁତ କରାଯାଆନ୍ତା, ଯେପରି ଆମେ ବେପରଓ୍ୱା ଭାବେ ଖାଦ୍ୟପଦାର୍ଥ ଏବଂ ଅନ୍ୟାନ୍ୟ ଜିନିଷର ଅପବ୍ୟବହାର ଓ ନଷ୍ଟ କରୁଛନ୍ତି ତା’ ନ ହୋଇ ସଞ୍ଚିତ ହେଲେ ତାହା ରପ୍ତାନୀ ହୋଇ ପାରିବ ସେ ବିଷୟରେ ଲୋକ ସଚେତନତା ସୃଷ୍ଟି ହୁଅନ୍ତା ।

 

(୧୫)

ଟଙ୍କାର ମୂଲ୍ୟ ବଢ଼ାଇବା

 

ଦେଶ ସ୍ଵାଧୀନ ହେବାବେଳେ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ଟ୪ ଥିଲା ଏବଂ ପାଉଣ୍ଡର ମୂଲ୍ୟ ପ୍ରାୟ ଟ୭ଙ୍କା ଥିଲା । ମାତ୍ର ଦେଶ ସ୍ୱାଧୀନ ହେବାପରେ ଆଜି ଡଲାରର ମୂଲ୍ୟ ଟ୨୬ଙ୍କା ଏବଂ ପାଉଣ୍ଡର ମୂଲ୍ୟ ପ୍ରାୟ ଟ୪୦ଙ୍କା ହୋଇଛି । ତେଣୁ ଜଣେ ଚେତନାଶୀଳ ନାଗରିକ ମନରେ ଆଜି ଗୋଟିଏ ଅତି ଗୁରୁତର ପ୍ରଶ୍ନ ଉଠେ ଯେ ଆମ ଦେଶ ବରଂ ବିଦେଶୀ ଶାସନ ବେଳେ ଆର୍ଥିକ ଦୃଷ୍ଟିକୋଣରୁ ଭଲ ଥିଲା । ବିଦେଶୀ ଶାସନବେଳେ ଟଙ୍କାର ମୂଲ୍ୟ ବରଂ ଭଲ ଅବସ୍ଥାରେ ଥିଲା । ଦେଶ ସ୍ଵାଧୀନ ହେବା ପରେ ଆମର ଆର୍ଥିକ ମାନଦଣ୍ଡ ବହୁତ ନିମ୍ନଗାମୀ ହୋଇଯାଇଛି । ଟଙ୍କାର ମୂଲ୍ୟ ଅସମ୍ଭବ ଭାବେ ହ୍ରାସ ପାଇଛି ଏବଂ ଦେଶର ଋଣଭାର ଚରମସୀମାରେ ପହଞ୍ଚି ଯାଇଛି । ଏପରିକି ସୁଧ ପରିଶୋଧ କରିବା ପାଇଁ ପଇସା ନଥିବା ହେତୁ ପୁନରାୟ ଅପମାନସୂଚକ ଋଣ ଆଣି ସୁଧ ଦିଆଯାଉଛି । ଲକ୍ଷ୍ମୀଛଡ଼ା ନୀତି ଧରି ସରକାର ବାରମ୍ବାର ସୁନା ବିକୁଛନ୍ତି ଓ ବନ୍ଧା ପକାଉଅଛନ୍ତି । ତା’ହେଲେ ଦେଶ ସ୍ଵାଧୀନ ହେବା ଦ୍ୱାରା ଆମର କି ଉପକାର ହୋଇଛି ?

 

ଦେଶ ସ୍ଵାଧୀନ ହେବାବେଳେ ଏ ଦେଶ ଋଣୀ ନଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଆଜି ଆମେ ଦେବାଳିଆ । କାରଣ ଏହା ଗୋଟିଏ ସାଧାରଣ କଥା ଯେ ଯେଉଁ ବ୍ୟକ୍ତି ବା ଦେଶ ଋଣ ଟଙ୍କାର ସୁଧ ଦେଇ ପାରେନା ଅର୍ଥାତ୍‌ ମୂଳ ନୁହେଁ କେବଳ ସୁଧ ପରିଶୋଧ କରିବାପାଇଁ ପୁନରାୟ ଋଣ କରେ, ସୁନା ବିକେ, ସୁନା ବନ୍ଧକ ଦିଏ, ଏବଂ ଅପମାନ ସୂଚକ ଋଣ ଗ୍ରହଣ କରିବାକୁ ବାଧ୍ୟ ହୁଏ, ତାକୁ ଦେବାଳିଆ ଛଡ଼ା ଆଉ କ’ଣ ବା କୁହାଯିବ ??

 

ବର୍ତ୍ତମାନ ଦେଶବାସୀ ବିଶେଷକରି ସହରାଞ୍ଚଳର ଲୋକେ, ଇଣ୍ଡଷ୍ଟ୍ରିୟାଲିଷ୍ଟମାନେ ନିଜ ନିଜର ବ୍ୟୟକୁ କିପରି ନିୟନ୍ତ୍ରଣ କରିପାରିବେ ସେ ଦିଗରେ କଠୋର ଆଇନ କରାଯାଇ ବ୍ୟୟ ନିୟନ୍ତ୍ରଣ ବ୍ୟବସ୍ଥା ଅବଲମ୍ବନ କରାଯିବା ଉଚିତ । ନିଜ ଆୟର ଶତକଡ଼ା କେତେ ବ୍ୟୟ କରାଯିବ, କେତେ ସଞ୍ଚୟ କରାଯିବ ତା’ ସ୍ଥିର ହେଉ ବା ଆଇନ ହେଉ । ଏହା ହୋଇଗଲେ ଦେଶରେ ସଞ୍ଚୟ ବଢ଼ିବ । ଟଙ୍କାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ।

 

ସରକାର ଉଚ୍ଚ ହାରରେ ଦେଉଥିବା ସୁଧକୁ ଅତିମାତ୍ରାରେ କମାଇ ଦିଅନ୍ତୁ । ଯେଉଁ National Savings Certificate ୬ ବର୍ଷରେ ଡବଲ ହେଉଛି ବା କିଷାନ ବିକାଶ ପତ୍ର ସାଢ଼େ ୫ ବର୍ଷରେ ଡବଲ ହେଉଛି ସେଇଗୁଡ଼ିକ ହିଁ ସରକାରକୁ ଦେବାଳିଆ କରିଦେଉଛି । ଅଧିକ ସୁଧ ନିଅନ୍ତୁ ନାହିଁ କିମ୍ବା ଅଧିକ ସୁଧ ଦିଅନ୍ତୁ ନାହିଁ ଏ ନୀତି ଅବଲମ୍ବନ କରାଯାଉ । ଦେଖିବେ ଏହାଦ୍ଵାରା ଦେଶର ଉତ୍ପାଦନ ବଢ଼ିବ, ଛୋଟ ଛୋଟ ଇଣ୍ଡଷ୍ଟ୍ରି ତିଷ୍ଠିବେ ଏବଂ ଉତ୍ପାଦନ ବଢ଼ିଲେ ଟଙ୍କାର ମୂଲ୍ୟ ମଧ୍ୟ ବଢ଼ିବ ଏଥିରେ ସନ୍ଦେହ ନାହିଁ । ସୁଧହାର କମ୍‌ ହେଲେ ଜିନିଷପତ୍ର ଦର କମିବ-

 

ସରକାର ଡିପୋଜିଟରଙ୍କୁ ଉଚ୍ଚ ହାରରେ ସୁଧ ଦେବା ହେତୁ ସରକାର ନେଉଥିବା ଋଣ ୫/୬ ବର୍ଷରେ ଡବଲ ହୋଇ ଯାଉଛି । ତେଣୁ ସରକାର ଡିପୋଜିଟରଙ୍କୁ ପ୍ରତି ୫/୬ ବର୍ଷରେ ଡବଲ ପଇସା ଦେଇ ଋଣ ମୁକ୍ତ ହେଉ ନାହାନ୍ତି ଯେ ବରଂ ଦେବାଳିଆ ହୋଇ ଯାଉଛନ୍ତି । ଏହି ସୁଧ ଟଙ୍କା ଦେବାପାଇଁ ସରକାର ଅଧିକ ଟିକସ ବସାଇବାକୁ ଏବଂ ବିଦେଶରୁ ଅପମାନ ସୂଚକ ଋଣ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।

 

ରିଜର୍ଭବ୍ୟାଙ୍କର ସୁଧହାର ବଢ଼ାଇବା ନୀତି, ସୁନା ବିକିବା ନୀତି ଓ ବନ୍ଧକ ଦେଇ ଋଣ କରିବା ନୀତି ଏକାବେଳେକେ ହାସ୍ୟାସ୍ପଦ ଏବଂ ତ୍ରୁଟିପୂର୍ଣ୍ଣ କଥା । ବାସ୍ତବିକ୍‌ ଆମେ ସଚେତନ ନାଗରିକମାନେ ଆଜି ମର୍ମାହତ ।

 

ମୋ ମତରେ ପୃଥିବୀ ଶ୍ରେଷ୍ଠ ଟେରୋରିଷ୍ଟମାନଙ୍କ ସହିତ ଆମ ଦେଶର ଅତି ବିଦ୍ଵାନ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ତୁଳନା କରାଯାଇପାରେ । କାରଣ ଜଣେ ଟେରୋରିଷ୍ଟ ତା’ ରିଭଲଭରରେ ଥିବା ସମସ୍ତ ଗୁଳି ଶେଷ କରି ଏକାଥରକେ ହୁଏତ ୧୦/୧୫ ଜଣଙ୍କୁ ମାରି ଦେଇପାରେ । ମାତ୍ର ଜଣେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ବା ଅର୍ଥମନ୍ତ୍ରୀ ତାଙ୍କ ଭୁଲ୍‍ ନୀତି ପ୍ରୟୋଗ କରି ଏ ଦେଶର ୮୪ କୋଟି ଲୋକଙ୍କ ଉପରେ ଅଯଥା ଟିକସ ବସାଇ ସେମାନଙ୍କ ରକ୍ତମାଂସ ଖାଇ ଯାଉଛନ୍ତି । ମୋ ମତରେ ‘ଟେରୋରିଷ୍ଟ’ର ସଂଜ୍ଞା ଏବେ ବଦଳି ଗଲାଣି । ରିଜର୍ଭବ୍ୟାଙ୍କ କର୍ମକର୍ତ୍ତା ଏବଂ ଅର୍ଥମନ୍ତ୍ରୀ ଏମାନେ ବର୍ତ୍ତମାନ ଦେଶର ୮୪ କୋଟି ଲୋକଙ୍କ ପାଇଁ ପ୍ରକୃତ ଟେରୋରିଷ୍ଟ ଅଟନ୍ତି ।

 

ଅଧିକ ସୁଧ ନେବା ଓ ସୁଧ ଅଧିକ ଦେବା ଯୋଗୁ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବା ଏବଂ ଛୋଟ ଛୋଟ ଶିଳ୍ପ ଦୁର୍ବଳ ହୋଇପଡ଼ୁଥିବା ହେଉଛି ଅନ୍ୟତମ କାରଣ ।

 

ଆଜି ଆମେ ଚିନ୍ତାଶୀଳ ବ୍ୟକ୍ତିମାନେ ଲେଖୁଛୁ ବା କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କୁ କଟୁ ସମାଲୋଚନା କରୁଛୁ କାହିଁକି ? ଯେହେତୁ ତ୍ରୁଟିପୂର୍ଣ୍ଣ ଆଇନ ଓ ବ୍ୟବସ୍ଥାକୁ ବଦଳାଇବା ପାଇଁ ଲୋକଙ୍କ ହାତରେ ପିସ୍ତଲ ନାହିଁ କିମ୍ବା ଲୋକେ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆବଶ୍ୟକୀୟ ଉପଦେଶ ଦେବାର ସୁଯୋଗ ଓ ତାକତ୍‌ ମଧ୍ୟ ନାହିଁ ।

 

ଓଡ଼ିଆରେ ଗୋଟିଏ ସୁନ୍ଦର ପ୍ରବଚନ ଅଛି । ତା’ ହେଉଛି ଏହିପରି–

 

ଅନ୍ଧ ଦେଶକୁ ଗଲି ଦର୍ପଣ ବିକି

କନ୍ଧ ହସ୍ତରେ ଦେଲି ଗୋଦାନ ଟେକି

ଜଡ଼ା ମଧୁରେ ଖଡ଼ା କଲି ରନ୍ଧନ

କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ

ରଜା ! କି କଲ କି କଲ ?

ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ?

 

ସେହିପରି ଆମେ ଭାରତବାସୀ ଆଜି ଅଯୋଗ୍ୟ, ମୂର୍ଖ, ଅପାରଗ ଲୋକଙ୍କ ହାତରେ ଶାସନ ଭାର, ଅର୍ଥ ନିୟନ୍ତ୍ରଣ ଏବଂ ଅର୍ଥ ବଣ୍ଟନ ଦାୟିତ୍ଵ ଦେଇଛୁ । ଅର୍ଥାତ୍‌ ଅନ୍ଧ ରାଜ୍ୟରେ ଦର୍ପଣ ବିକୁଛୁ ।

 

କନ୍ଧମାନଙ୍କୁ ଦୁଗ୍‌ଧ ଉତ୍ପାଦନ ପାଇଁ ସରକାରଙ୍କ ତରଫରୁ ଦୁଆଁଳିଆ ଗାଈ ଦାନ କରାଯାଉଛି । ମାତ୍ର ସେମାନେ ଦୁଗ୍‌ଧ ଉତ୍ପାଦନ ନକରି ଗାଈ ଓ ବାଛୁରିକୁ ମାରି ଖାଇ ଦେଉଛନ୍ତି-। ସେହିପରି ଆମର ଯେଉଁ ବିଦ୍ୱାନ ବ୍ୟକ୍ତିମାନେ ଅର୍ଥ ଦାୟିତ୍ୱରେ ଅଛନ୍ତି ସେମାନେ ଉକ୍ତ କନ୍ଧ’ଙ୍କ ସହିତ ସମାନ ।

 

କାମୁଡ଼ା ଘୋଡ଼ା ମୁହଁରେ ଚୁମ୍ବନ ଦେବା ଯାହା, ଦେଶର ଏପରି ମହାମୂର୍ଖଙ୍କୁ ଅର୍ଥ ଦାୟିତ୍ଵ ଦେବା ତାହା । ଗତ ୪୬ ବର୍ଷ ମଧ୍ୟରେ ଆମେ କେବଳ କାମୁଡ଼ା ଘୋଡ଼ା ମୁହଁରେ ଚୁମ୍ବନ ଦେଇ ଆସିଛୁ । ତେଣୁ ସେ ଘୋଡ଼ା ଆମ ମୁହଁକୁ କାମୁଡ଼ି କାମୁଡ଼ି ବିକୃତ କରି ପକାଇଲାଣି । ହେ ଶାସକ ! ହେ ରାଜା !! ତୁମେ ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ, ନିମ୍ନଗାମୀ କଲ ଏବଂ ଶେଷରେ ଭାରତ ମାତାଙ୍କୁ ଲଙ୍ଗଳା ମୁକୁଳା କରି, ତାଙ୍କୁ ବସନହୀନା କରି, ତା’ର ଗହଣା ଅଳଙ୍କାର ଆଦିକୁ ବିଦେଶୀ ଯବନ ପାଖରେ ବନ୍ଧକ ଦେଇ, ଅପମାନଜନକ ଋଣ ଆଣି ଏଠି ମଉଜ କରୁଛ ? ତୁମକୁ ଲଜ୍ଜା ନାହିଁ ? ତୁମେ ନଗଣ୍ୟ କେତେଟା ଲୋକ ଏ ଦେଶ ମାତୃକାର ସମ୍ମାନ ଅପହରଣ କରି ଏବଂ ତା’ର କୋଟି କୋଟି ସନ୍ତାନ ସନ୍ତତିଙ୍କୁ ଋଣଗ୍ରସ୍ତ କରି, ବସନହୀନ ଏବଂ ବାସହୀନ କରି ଆଜି ଯେଉଁ ଅବସ୍ଥା ସୃଷ୍ଟି କରିଛ, ତୁମକୁ ଭଲବାଟକୁ ଆଣିବା ପାଇଁ ଆମର ଶକ୍ତି ବା ତାକତ୍‌ ନାହିଁ-। କିନ୍ତୁ ସମୟ ଆସୁଛି ଯଦି ଏବେ ତୁମର ଚେତନା ନ ପସେ ଏହାର ଉପଯୁକ୍ତ ଜବାବ୍‌ ଦେବେ ସ୍ଵଦେଶୀ ନାଗରିକ, ଯାହାକୁ ତୁମେ କହିବ ନକ୍‌ସଲପନ୍ଥୀ ବା ସ୍ଵଦେଶୀ ଟେରୋରିଷ୍ଟ-। ଏ କଥା ମନେ ରଖିବା ଉଚିତ ଦେଶ ସ୍ଵାଧୀନ ହେବା ବେଳେ ତ ଟେରୋରିଷ୍ଟ ଓ ନକ୍‌ସଲପନ୍ଥୀ ନଥିଲେ-। ଆଜି ସେମାନଙ୍କର ଆବିର୍ଭାବ କାହିଁକି ହୋଇଛି ? ତା’ର କେତୋଟି ମୁଖ୍ୟ କାରଣ ହେଲା–

 

(କ) ଟଙ୍କାର ମୁଖ୍ୟ ହ୍ରାସ ପାଇଛି ।

 

(ଖ) ଜାତୀୟ ଆୟକୁ ଉପଯୁକ୍ତ ରୂପେ ଖର୍ଚ୍ଚ କରାଯାଉନି । ଜାତୀୟ ଆୟର ଶତକଡ଼ା ୯୦ ଭାଗ ମାତ୍ର ୩% ସରକାରୀ ଚାକିରିଆଙ୍କ ନିମନ୍ତେ ଖର୍ଚ୍ଚ ହେଉଛି ଏବଂ ବାକି ମାତ୍ର ୧୦%କୁ ଦେଶର ୯୭% ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉଛି ।

(ଗ) ସୁଧ ହାର ବଢ଼ିବା ଫଳରେ ଋଣୀ ଦେବାଳିଆ ହୋଇ ପଡ଼ୁଛି । ସରକାରଙ୍କଠାରୁ ଯେ ଋଣ କରୁଛି, ସେ ଦେବାଳିଆ ହେଉଛି ଏବଂ ଖୋଦ୍‌ ସରକାର ଉଚ୍ଚହାରରେ ଋଣ କରିବା ହେତୁ ନିଜେ ମଧ୍ୟ ଦେବାଳିଆ ହୋଇ ଯାଉଛନ୍ତି ।

(ଘ) ଦେଶ ସ୍ଵାଧୀନ ହେବାର ୪୬ ବର୍ଷ ପରେ ଦେଖାଯାଉଛି ଯେ, କାଲି ଯେ ଗରିବ ଥିଲା ଆଜି ସେ ଦରିଦ୍ର, ବସନହୀନ, ବାସହୀନ । ମାତ୍ର କାଲି ଯେ ଧନୀ ଥିଲା ସେ ଆଜି ମହାଧନୀ, କୋଟି କୋଟିପତି ।

(ଙ) ସରକାରୀ ଦପ୍ତରଗୁଡ଼ିକ ଦୁର୍ନୀତି କରଣ କେନ୍ଦ୍ର ସାଜିଛି । ବିନା ପଇସାରେ କୌଣସି କାର୍ଯ୍ୟ ହେଉନି । ଏପରିକି ନିଜେ ମନ୍ତ୍ରୀ ନିଜର T.A. ବିଲ ପାସ୍‍ କରାଇବା ପାଇଁ ମଧ୍ୟ ଏ ଦେଶରେ ସେହି accounts clerkଙ୍କୁ ଟିପ୍‌ସ ଦେଇଥାନ୍ତି । ଏହାଠାରୁ ବଳି ଲଜ୍ଜାଜନକ କଥା କ’ଣ ବା ଥାଇପାରେ ?

(ଚ) ଯେଉଁ ଶିଳ୍ପଜାତ ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ବା ଫ୍ୟାକ୍ଟରୀ ଦର ୧ଟଙ୍କା, ତାହା ଖାଉଟି ପାଖରେ ପହଞ୍ଚିଲା ବେଳକୁ ୫ରୁ ୭ଟଙ୍କା ହୋଇଯାଉଛି । ଇଣ୍ଡଷ୍ଟ୍ରିଆଲିଷ୍ଟମାନେ ପାର୍ଟି ଚାନ୍ଦା ଦେଇ ସରକାରଟାକୁ ନିଜ ନିଜ ପକେଟରେ ରଖି ନିରସ୍ତ୍ର ଏବଂ ମୂକ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି ।

କୌଣସି ଆଇନ ଦ୍ଵାରା ଏ ଦେଶରୁ ଦୁର୍ନୀତି ଲୋପ ପାଇପାରୁନି । ତେଣୁ ଟେରୋରିଜମ୍‌ ବଢ଼ୁଛି । ସରକାର ଏଇ ଭୁଲ୍‍ ନୀତିରେ ଚାଲୁଥିଲେ, ଦେଶରେ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଦିନେ ନା ଦିନେ ଟେରୋରିଷ୍ଟ ରୂପରେ ଠିଆହେବେ ଏଥିରେ ସନ୍ଦେହ ନାହିଁ ।

ଯେଉଁମାନେ କଲମ ଚଳାଇପାରୁ ନାହାନ୍ତି ସେମାନେ ତରଓ୍ୟାଲି ଓ ଗୁଳି ଚଳାଉ ଅଛନ୍ତି-। କିମ୍ବା ଯେଉଁମାନଙ୍କର ତରଓ୍ୟାଲ ଓ ଗୁଳି ଚଳାଇ ପାରିବାର ସୁଯୋଗ ନାହିଁ, ତାକତ୍‌ ନାହିଁ ସେମାନେ କଲମ ଚଳାଇ ଅଛନ୍ତି । ଉଭୟେ ଟେରୋରିଷ୍ଟ ।

ତେବେ ଗୋଟିଏ ଉପାୟ ହେଉଛି ଜାତୀୟ ଆୟର ସମବଣ୍ଟନ ଦ୍ୱାରା, ଗାଁ ଗହଳି ଲୋକଙ୍କ ଆର୍ଥିକ ଉନ୍ନତି ଦ୍ୱାରା, ଆୟବ୍ୟୟର ନିୟନ୍ତ୍ରଣ ଦ୍ୱାରା ଯାଇ ଆର୍ଥିକ ଅସମତା ଦୂର ହୋଇପାରିବ । ଆର୍ଥିକ ଅସମତା ଦୂର ହେଲେ ଟେରୋରିଜ୍‌ମ୍‌ ମନକୁ ମନ ବିନା ଚେଷ୍ଟାରେ ବନ୍ଦ ହୋଇଯିବ ।

 

(୧୬)

ଦେଶ ରକ୍ଷା ପାଇଁ ଉପଯୁକ୍ତ ଶକ୍ତି ସଂଗ୍ରହ କରିବା

 

ସ୍ଵାଧୀନ ରାଷ୍ଟ୍ରର ସରକାର ଦେଶରକ୍ଷା ପ୍ରତି ସବୁଠୁ ଅଧିକ ଧ୍ୟାନ ଦେବା ଉଚିତ । ଆଜିକାଲି ଏ ବିଜ୍ଞାନ ଯୁଗରେ କେବଳ ଲକ୍ଷ ଲକ୍ଷ ସୈନ୍ୟ ସାମନ୍ତ ଓ ଅପର୍ଯ୍ୟାପ୍ତ ଗୁଳି ବନ୍ଧୁକ ରଖିଲେ ଦେଶରକ୍ଷା ହୋଇପାରିବ ନାହିଁ । ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଯୁଦ୍ଧ କୌଶଳ ଆବଶ୍ୟକ-। ତା’ଛଡ଼ା ସବୁଠୁ ଅଧିକ ଭୟ ସୃଷ୍ଟି କରି ପାରୁଥିବା ମାରାତ୍ମକ ମାରଣାସ୍ତ୍ର ପରମାଣୁ ବୋମା ଆମ ଦେଶରେ ତିଆର ହେବା ଉଚିତ ।

 

ଭାରତ କୌଣସି ଦେଶର ଚାପରେ ପଡ଼ି ପରମାଣୁ ଅସ୍ତ୍ର ତିଆର ନ କରିବା ଚୁକ୍ତିରେ ଦସ୍ତଖତ୍‌ ନ ଦେବା ଉଚିତ । ଆମେ ପରମାଣୁ ଅସ୍ତ୍ର ତିଆର କରି ତାକୁ କାହାରି ଉପରେ ପ୍ରୟୋଗ କରି ନ ପାରୁ । ମାତ୍ର ଅନ୍ୟାନ୍ୟ ଶତ୍ରୁ ରାଷ୍ଟ୍ରଙ୍କ ମନରେ ଭୟ ସୃଷ୍ଟି କରିବା ନିମନ୍ତେ ପରମାଣୁ ଅସ୍ତ୍ର ରଖା ନ ଗଲେ ଆମର ସୀମାରେ ଥିବା ଶତ୍ରୁ ରାଷ୍ଟ୍ରମାନେ ସଦାସର୍ବଦା ଅଶାନ୍ତି ସୃଷ୍ଟିକରି ଚାଲିଥିବେ-

 

ବିକଶିତ ରାଷ୍ଟ୍ର ତଥା ପଞ୍ଚ ମହାଶକ୍ତି ଯେଉଁମାନଙ୍କ ହାତରେ ‘ଭେଟୋ’ ରହିଛି, ସୋମାନେ ଯଦି ପରମାଣୁ ଅସ୍ତ୍ର ରଖି ପାରିବେ ତେବେ ଅନ୍ୟମାନଙ୍କୁ ତାହା ରଖିବା ପାଇଁ କାହିଁକି ମନା କରିବେ ?

 

ଆଜିର ଯୁଗରେ ପାରମାଣିକ ଶକ୍ତି ହିଁ ଦେଶ ରକ୍ଷା ପାଇଁ ଓ ପୃଥିବୀରେ ଶାନ୍ତି ଆଣିବା ପାଇଁ ଏକାନ୍ତ ଆବଶ୍ୟକ । ଅତି କମରେ ଆମର ୨ ଡଜନ ପରମାଣୁ ବୋମା ତିଆରି ହୋଇ ରହିବା ଉଚିତ ହେବ ।

 

ମନେଥାଇ ପାରେ ପାକିସ୍ଥାନରୁ ବଙ୍ଗଳାଦେଶ ବିଚ୍ଛିନ୍ନ ହେଲା ପରେ ସେ ଦେଶବାସୀଙ୍କୁ ଖାଦ୍ୟ, ବାସ ଓ ବସନ ଯୋଗାଇବା ପାଇଁ ଆମେ ଭାରତବାସୀ ସ୍ଵତନ୍ତ୍ର ଟିକସ ଦେଇ ସେମାନଙ୍କୁ ସାହାଯ୍ୟ କରିଥିଲୁ । ଏବେ ନିଜ ଦେଶର ସୁରକ୍ଷା ପାଇଁ କ’ଣ ଦେଶବାସୀ ଏତିକି ସ୍ଵାର୍ଥତ୍ୟାଗ କରିପାରିବେ ନାହିଁ ?

 

ଦରକାର ହେଲେ ଏଥିପାଇଁ ସରକାର ଲୋକଙ୍କ ଉପରେ ‘ପରମାଣୁ ବୋମା ଟିକସ’ ବସାଇ ପାରନ୍ତି ଏବଂ ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟିଙ୍କ ଜମା ଟଙ୍କାରୁ ଅଧେ ଲେଖାଏଁ ବାଜ୍ୟାପ୍ତି କରିଦେଇ ସେଇ ଟଙ୍କାରେ ପରମାଣୁ ବୋମା ତିଆର କରି ରଖିପାରନ୍ତି । ଦେଶରକ୍ଷା ପାଇଁ ଲୋକେ ସବୁକିଛି ତ୍ୟାଗ ସ୍ଵୀକାର କରିବାକୁ ପ୍ରସ୍ତୁତ ହେବେ ଏଥିରେ ସନ୍ଦେହ ନାହିଁ । ମାତ୍ର ଆମକୁ ଦରକାର ପରମାଣୁ ଅସ୍ତ୍ର । ସେହି ପରମାଣୁ ଅସ୍ତ୍ର ହିଁ ଦେଶରକ୍ଷା ପାଇଁ ପ୍ରକୃତ ଶକ୍ତି ।

 

(୧୭)

ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟ କଡ଼ାକଡ଼ିଭାବେ ନିୟନ୍ତ୍ରଣ କରିବା

 

ଶିଳ୍ପପତିମାନେ ପଲିଟିକାଲ ଲୋକଙ୍କୁ ଚାନ୍ଦା ଦେଇ ତାଙ୍କ ଜିନିଷର ଦାମ୍‌ ମନକୁ ମନ ବଢ଼ାଇ ଚାଲୁଛନ୍ତି । ଯେଉଁ ଟୁଥପେଷ୍ଟ ୧୦୦ ଗ୍ରମାର ମାନୁଫାକ୍‌ଚରିଂ କଷ୍ଟ ଟ୩ ହେବ ନାହିଁ ତାହା କନ୍‌ଜୁମର ପାଖରେ ପହଞ୍ଚିଲା ବେଳକୁ ଟ୧୨ ହୋଇ ଯାଉଛି । ସରକାର ନିୟମ କଲେ ପ୍ରତି ଜିନିଷ ଉପରେ ଦାମ୍‌ ଛାପିବାକୁ । ଶିଳ୍ପପତିମାନେ ତାଙ୍କ ମନଇଚ୍ଛା ଦାମ୍‌ ଛପାଇ ଦେଉଛନ୍ତି । ୫ଟଙ୍କା ମୂଲ୍ୟର ଜିନିଷ ଉପରେ ୧୫ ଟଙ୍କା ଛପାଇ ଦେଉଛନ୍ତି ।

 

ଦୁଇଟି ଅଙ୍ଗେ ଲିଭାଇବା ଘଟଣା । ଧୋତି ଯୋଡ଼ ଉପରେ ଦାମ୍‌ ଛାପା ହୋଇଛି ଟ୧୨୦/–ମାତ୍ର କଟକରେ ତା’ର ଏଜେଣ୍ଟ ସେହି ଲୁଗାଯୋଡ଼କୁ ଟ୯୫ରେ ବିକୁଛନ୍ତି ଦେଖିଲି । ଲୁଗାମଧ୍ୟ ଚିରାଫଟା ବା ସେକେଣ୍ଡସ୍‌ କ୍ଵାଲିଟିର ନୁହେଁ । ତେଣୁ ଜଣାଗଲା ଅଳ୍ପଦାମ୍‍ର ଲୁଗା ଉପରେ ଅଧିକ ଦାମ୍‌ ଛାପି ଦେଇଛନ୍ତି ।

 

ଓଡ଼ିଶାର ଜେ.କେ. ପେପର୍‌ ମିଲ୍‌ ଦ୍ୱାରା ତିଆରି 40GSM ତଥା 5.1. kg ଓଜନର Cream Wove କାଗଜ ରିମ୍‌ ଉପରେ ଦାମ୍‌ ଛାପା ହୋଇଛି ଟ୧୬୩; କିନ୍ତୁ ଏଜେଣ୍ଟ ସେ କାଗଜକୁ ବିକୁଛନ୍ତି ଟ୧୫୫ରେ । ଏହା ହେଉଛି କିପରି ପାଠକେ ବୁଝନ୍ତୁ । ମିଲ୍‌ ମାଲିକମାନେ ଅତ୍ୟଧିକ ଦାମ୍‌ ଛାପି ପାରୁଛନ୍ତି ଏଇଥିପାଇଁ ଯେ, ସେମାନେ ସରକାରଙ୍କୁ ଡରୁନାହାନ୍ତି ଏବଂ ସରକାରଙ୍କର ଦର ନିୟନ୍ତ୍ରଣ ଆଇନ ଥାଇ ମଧ୍ୟ ଉତ୍କୋଚ ପାଉଥିବା ହେତୁ ସରକାରୀ ଲୋକେ ସବୁଜାଣି ମଧ୍ୟ କିଛି ପ୍ରତିକାର କରୁନାହାନ୍ତି । କେବଳ ଏତିକି ନୁହେଁ କମ୍ପାନୀମାନେ ପାର୍ଟି ଚାନ୍ଦା ଦେବାଟା ଆଇନ ସଙ୍ଗତ ହୋଇଥିବା ହେତୁ ପାର୍ଟି ଚାନ୍ଦା ଦେଇ ତେଣେ ରାଜନୈତିକ ନେତୃବୃନ୍ଦଙ୍କ ମୁହଁରେ ତୁଣ୍ଡି ଓ ହାତରେ କଡ଼ା ପିନ୍ଧାଇ ଦେଉଛନ୍ତି ।

 

ଏଠାରେ ଆଉ ଗୋଟିଏ ବିଷୟ ପ୍ରତି ପାଠକେ ଓ ନେତୃବୃନ୍ଦ, ମନ୍ତ୍ରୀ ଏବଂ ଏମ୍‌.ପି.ମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରିମ୍‌ର ଓଜନ ୫.୧ କେ.ଜି. ଏବଂ ଦାମ୍‌ ଯଦି ଟ୧୬୩ଙ୍କା ହୁଏ ତେବେ ପ୍ରତି ଏକ କେ.ଜି. କାଗଜର ଦାମ୍‌ ହେଲା ଟ୩୧.୯୬ ପଇସା ବା ଟ୩୨ଙ୍କା । ଛୋଟ ଛୋଟ ମିଲ୍‌ରୁ ଉତ୍ପାଦିତ କାଗଜ କିଲୋପ୍ରତି ଟ୧୯ରୁ ଟ୨୧ ଥିବାବେଳେ ବଡ଼ ମିଲ୍‌ବାଲାଙ୍କ ଦାମ୍‌ କିଲୋପ୍ରତି ଟ୩୨/–ହେବାର କାରଣ କ’ଣ ? ଆପଣମାନେ ସମସ୍ତେ ଏକଥା ଜାଣନ୍ତି । ମାତ୍ର ‘ଚାନ୍ଦା’ ଆପଣଙ୍କ ମୁହଁ ବନ୍ଦ କରିଦେଇଛି, ମିଲ୍‌ମାଲିକମାନେ ତେଣେ ପାର୍ଟି ଚାନ୍ଦା ଦେଇ ଏଣେ ସର୍ବସାଧାରଣ ଖାଉଟି ଦ୍ରବ୍ୟ ଉପରେ ମନଇଚ୍ଛା ଦାମ୍‌ ଛପାଇ ଦିନ ଦି ପ୍ରହରରେ ବିଚ୍‌ ବଜାରରେ ସମସ୍ତ ଖାଉଟିଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ସତ୍‌ ସାହସ ଥିଲେ ପାର୍ଲାମେଣ୍ଟରେ ଏ ବିଷୟ ଆଲୋଚନା କରନ୍ତୁ ବା ପ୍ରତିକାର କରନ୍ତୁ ।

 

ଯେଉଁ ସାବୁନ କିଲୋ ପ୍ରତି ଦର ଟ୨୦ ହେବନାହିଁ ତା’ର ବଜାର ଦର ଟ୫୦ । ଏଇପରି ପ୍ରତି ଜିନିଷ ଉପରେ ଛାପା ଥିବା ଦର ଶିଳ୍ପପତିଙ୍କ କପୋଳକଳ୍ପିତ ଦର । ଏଇ ଦରକୁ କୌଣସି ସରକାରୀ ଏକ୍ସପାର୍ଟ କରିନାହାନ୍ତି । ନିଜେ ଶିଳ୍ପପତି ବା କମ୍ପାନୀ ଡାଇରେକ୍ଟରମାନେ ସ୍ଥିର କରିଥାଆନ୍ତି ।

 

ଖଣ୍ଡେ ଲୁଗା ଆପଣ କିଣିବାକୁ ଯାଉଛନ୍ତି । କେଉଁଠି ଦର ଛାପା ଅଛି କେଉଁଠି ଦର ହାତରେ ଲେଖା ହୋଇଛି । ଆଉ କେଉଁଠି ଦର ଆଦୌ ଲେଖା ହୋଇନି । ଲୋକେ ଦୋକାନୀ କହିବା ଦର ଦେଇ ଲୁଗା କିଣି ଆଣୁଛନ୍ତି । କିନ୍ତୁ ପ୍ରକୃତରେ ତାକୁ ଯଦି ବୈଜ୍ଞାନିକ ପଦ୍ଧତିରେ ମୂଲ୍ୟାୟନ କରାଯାଏ, ଦେଖିବେ ଖରଦିଦାର ଯେଉଁ ଦର ଦେଇ ଲୁଗା ବା ଡ୍ରେସ୍‌ କିଣୁଛି ତା’ର ପ୍ରକୃତ ଦର ହେଉଛି ଖରଦି ମୂଲ୍ୟର ଏକ ଚତୁର୍ଥାଂଶ । ଅର୍ଥାତ୍‌ ଟ୪୦୦ଙ୍କା ମୂଲ୍ୟର ଶାଢ଼ି କିମ୍ବା ଡ୍ରେସ୍‌ର ପ୍ରକୃତ ମୂଲ୍ୟ ଟ୧୦୦ ମାତ୍ର ।

 

ତେବେ ପ୍ରତି ଜିନିଷ ଉପରେ ପ୍ରଡ଼କ୍‌ସନ୍ କଷ୍ଟ, ଏବଂ କନ୍‌ଜୁମର ପ୍ରାଇସ୍ ଉଭୟ ଲେଖା ରହିବା ଉଚିତ । ପ୍ରଡ଼କ୍‌ସନ କଷ୍ଟ ଏବଂ କନ୍‌ଜୁମର ପ୍ରାଇସ ଭିତରେ ଖୁବ୍‌ କମ୍‌ ତାରତମ୍ୟ ରହିବା ଆବଶ୍ୟକ । ଏପରିକି ୧%ରୁ ୩% ମଧ୍ୟରେ ତାରତମ୍ୟ ରହିଲେ ଯଥେଷ୍ଟ । ଏହାଦ୍ୱାରା ମିଡିଲମ୍ୟାନ ବା ଡିଲରମାନେ କନ୍‌ଜୁମରମାନଙ୍କୁ ଆଦୌ ଠକି ପାରିବେ ନାହିଁ । ସର୍ବୋପରି ପ୍ରତ୍ୟେକ ଇଣ୍ଡଷ୍ଟ୍ରିୟାଲ ପ୍ରଡ଼କ୍ଟର ମୂଲ୍ୟ ସରକାରୀ ଏବଂ ବେସରକାରୀ ଏକସପାର୍ଟମାନେ ମିଶି ଯା ସ୍ଥିର କରିବେ ତାହା ହିଁ ଦ୍ରବ୍ୟ ଉପରେ ଛାପାଯିବ । ମିଲ୍‌ ମାଲିକମାନେ ମନକୁ ମନ କୌଣସି ଜିନିଷର ଦର ଛପାଇ ପାରିବେ ନାହିଁ ।

 

(୧୮)

ବାର୍ଷିକ ବଜେଟ ନୀତି

 

ବଜେଟ ଅଧିବେଶନ ଆମ ଦେଶବାସୀଙ୍କ ପାଇଁ ଗୋଟାଏ କୋକୁଆ ଭୟ ହୋଇ ଗଲାଣି । କାରଣ ପ୍ରତି ବଜେଟ ଅଧିବେଶନ ବେଳେ ପ୍ରଧାନ କାର୍ଯ୍ୟ ହେଉଛି ଲୋକଙ୍କୁ କି କି ଉପାୟରେ ଶୋଷଣ କରିବା । ପ୍ରତ୍ୟେକଙ୍କ ପକେଟ ଅଣ୍ଡାଳି ଗରିବ ଲୋକଙ୍କୁ ସର୍ବସ୍ୱାନ୍ତ କରି ବଡ଼ଲୋକମାନଙ୍କୁ ଅତି ବଡ଼ କରାଇବା । ତେଣୁ ଏ ଦେଶରେ କୌଣସି ଜିନିଷର ଦର ସ୍ଥିର ନୁହେଁ–ସବୁବେଳେ ଅସ୍ଥିର ।

 

ବାହାର ଦେଶରେ ଗୋଟିଏ ଗୋଟିଏ ଜିନିଷର ବଜାର ଦର ୨୦/୩୦ ବର୍ଷଧରି ବଦଳେ ନା । ମାତ୍ର ଆମ ଦେଶରେ ଅସ୍ଥିର ବଜେଟ ନୀତି ହେତୁ ପ୍ରତ୍ୟେକ ଜିନିଷର ଦର ଅହରହ ବଦଳୁଥାଏ । ଏପରି ନୀତି ସରକାର ପରିତ୍ୟାଗ କରିବା ଉଚିତ ।

 

ପାର୍ଲାମେଣ୍ଟରେ ବିଲ ଉପସ୍ଥାପନ କରି ମନ୍ତ୍ରୀ ମହୋଦୟ କହନ୍ତି ପେଟ୍ରୋଲିୟମ ଦାମ୍‌ ବଢ଼ିଲା । ଏହି ବୃଦ୍ଧି କେବଳ କାର୍‌ଚଢ଼ାଳିଙ୍କୁ ଅର୍ଥାତ୍‌ ବଡ଼ ଲୋକଙ୍କୁ ବାଧିବ । ଗରିବ ଲୋକଙ୍କୁ ଏହା ଆଦୌ ବାଧିବ ନାହିଁ । ଏପରି ମୂର୍ଖ ଓ ଶସ୍ତା ଭାଷଣ ପଛରେ ହୁଏତ ସମ୍ପୃକ୍ତ ମନ୍ତ୍ରୀଙ୍କର ଅଭିଜ୍ଞତାର ଅଭାବ ଥାଇପାରେ କିମ୍ବା ତାହା ତାଙ୍କର ଚାଲାକି ହୋଇପାରେ । କାହିଁକି ନା, ପେଟ୍ରୋଲିୟମ ପଦାର୍ଥ ଗାଡ଼ି ଛଡ଼ା ସାବୁନ, ଡିଟରଜେଣ୍ଟ, ପ୍ଲାଷ୍ଟିକ୍‌, ଛାପାଖାନା କାଳି, କୁକିଂଗ୍ୟାସ, ପଲିମର୍‌ ଇତ୍ୟାଦି ମାନୁଫାକ୍‌ଚରିଂ କରିବାରେ ବ୍ୟବହୃତ ହୁଏ । ତେଣୁ ପେଟ୍ରୋଲିୟମ ପଦାର୍ଥର ଦର ବଢ଼ିଲେ ନାନାଦି ଜିନିଷର ଦର ବଢ଼ିବାକୁ ବାଧ୍ୟ । ସୁତରାଂ କୌଣସି ଗୋଟାଏ ଜିନିଷ ଉପରେ ଟିକସ ବୃଦ୍ଧି କରାଯିବା ବେଳେ ତହିଁରୁ ପ୍ରସ୍ତୁତ ଅନ୍ୟାନ୍ୟ ଦ୍ରବ୍ୟର ଦର ଯେ ମନକୁମନ ବଢ଼ିଯିବ ଏଥିପ୍ରତି ନଜର ଦିଆ ଯାଏନା ।

 

ବାର୍ଷିକ ବଜେଟ ଏପରି ହେବା ଉଚିତ ଯେପରି କୌଣସି ଦ୍ରବ୍ୟର ଦର ନୂଆ ପଇସାଟିଏ ବି ବଢ଼ି ପାରିବ ନାହିଁ । ଅସ୍ଥିର ବଜେଟର ଅନ୍ୟ ଅର୍ଥ ହେଉଛି–ଅସ୍ଥିର ବଜାର ଦର ।

 

ମନ୍ତ୍ରୀମାନେ ବଜେଟ ଉପସ୍ଥାପନ କରି ଟିକସ ବଢ଼ାଇବାର ପ୍ରସ୍ତାବ ଦେଇ ତେଣେ ଖୁବ୍‌ ବଡ଼ବଡ଼ ଭାଷଣ ଦେଇ କହନ୍ତି ଆମେ କଳାବଜାରୀ ଓ ବହଜୁଦ୍‌କାରୀଙ୍କୁ ଜବଦ୍‌ କରିଦେବୁ । କିନ୍ତୁ ବାସ୍ତବ କ୍ଷେତ୍ରରେ ଜବତ କରିବା ତ ଦୂରର କଥା ତାଙ୍କର ଗୋଟିଏ ରୁମ ମଧ୍ୟ ହଲାଇ ପାରନ୍ତି ନାହିଁ-

 

ଦୁଃଖର କଥା ଖୋଦ୍‌ ସରକାର ଏବଂ ତାଙ୍କ ନୀତିହୀନ ଅର୍ଥନୀତି ଦେଶରେ ବଢ଼ୁଥିବା କଳାବଜାର ପାଇଁ ମୁଖ୍ୟତଃ ଦାୟୀ । ତ୍ରୁଟିପୂର୍ଣ୍ଣ ବଜେଟ କଳାବଜାରୀଙ୍କୁ ସାହାଯ୍ୟ କରୁଛି । ତେଣୁ ଖୋଦ୍‌ ସରକାର ବା ବଜେଟ ମନ୍ତ୍ରୀ ନିଜେ ହେଉଛନ୍ତି କଳାବଜାରୀମାନଙ୍କର ପୃଷ୍ଠପୋଷକ, ସହାୟକ ଏବଂ ଉତ୍ସାହଦାତା ।

 

ବଜେଟ ଆସିବାର ମାସକ ପୂର୍ବରୁ ବ୍ୟବସାୟୀମାନେ ଜିନିଷ ବିକ୍ରି ବନ୍ଦ କରିଦିଅନ୍ତି । କାରଣ ସେମାନେ ଜାଣନ୍ତି ଯେ ବଜେଟରେ ନିଶ୍ଚେ କିଛି ନୂଆ ଟିକସ ଲାଗିବ କିମ୍ବା ଟିକସ ବୃଦ୍ଧି ଘଟିବ । ତେଣୁ ଗୋଦାମରେ ଗଚ୍ଛିତ ଲକ୍ଷେ ଟଙ୍କାର ଜିନିଷ ବଜେଟ ଉପସ୍ଥାପିତ ହେବାର ପରମୁହୂର୍ତ୍ତରେ ୧୦%ରୁ ୨୦% ବଢ଼ିଯିବ ।

 

ସରକାରଙ୍କର ବଜେଟ ନୀତି ଲୋକଙ୍କୁ ଠକିବା ପାଇଁ ଏବଂ ବ୍ୟବସାୟୀମାନଙ୍କୁ ରାତାରାତି ବଡ଼ଲୋକ କରିବାପାଇଁ ଓ କଳାବଜାରୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ-

 

ସରକାର ନିଜେ ଯଦି ନିର୍ମଳ ମନରେ କାର୍ଯ୍ୟ ନ କରି ଲୋକଙ୍କୁ ବଜେଟ ନାଁରେ ନାନା ଭାବରେ ପ୍ରତାରଣା କରନ୍ତି, ତେବେ ଲୋକେ ସରକାରଙ୍କୁ ଗୋଟାଏ ଶତ୍ରୁ ବା ରାକ୍ଷସ ବୋଲି ମନେ କରିବେ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ସରକାର ଲୋକଙ୍କ ଦ୍ୱାରା ଗଠିତ ସତ; ମାତ୍ର ସରକାର ଆଉ ଲୋକଙ୍କର ହୋଇ ରହିନି । କେବଳ ମୂର୍ଖ ନୀତିହୀନ ବୋକା ନେତା ଓ ସେହିପରି କେତେ ସରକାରୀ କର୍ମଚାରୀ ତଥା ବଡ଼ବଡ଼ ପୁଞ୍ଜିପତି ଏବଂ ବ୍ୟବସାୟୀଙ୍କର ସରକାର ଏ ଦେଶରେ ଚାଲିଛି । ଏହାହିଁ ଏ ଲେଖକର ପ୍ରତ୍ୟକ୍ଷ ଅନୁଭୂତି । ଏହା ଯଦି ଭୁଲ୍‍ ବୋଲି କେହି ପ୍ରମାଣ କରିପାରେ ତେବେ ମୁଁ ସେହିଦିନ କଲମ ଛାଡ଼ିଦେବି ।

 

(୧୯)

ପେଟ୍ରୋଲିୟମ ପଦାର୍ଥ ବ୍ୟବହାରରେ ସଂଯମ ଏବଂ ଆତ୍ମନିର୍ଭରଶୀଳ ହେବା

 

ସରକାର ବାରମ୍ବାର ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଜଣାଉ ଅଛନ୍ତି ଯେ, ‘ବୁନ୍ଦାଏ ପେଟ୍ରୋଲର ଅପବ୍ୟବହାରକୁ ରୋକି ପାରିବା ଅର୍ଥ ବୁନ୍ଦାଏ ପେଟ୍ରୋଲ ବଞ୍ଚାଇବା ବା ଅର୍ଜନ କରିବା’ ।

 

ଯଦି ଏହା ଠିକ୍‌ ହୁଏ, ତେବେ ପ୍ରଥମେ ସରକାର ନିଜ ଦେଶରୁ ମିଳୁଥିବା ପେଟ୍ରୋଲିୟମ ପଦାର୍ଥର ଗୋଟିଏ ହିସାବ କାଢ଼ନ୍ତୁ ଏବଂ ଯେତିକି ପେଟ୍ରୋଲିୟମ ପଦାର୍ଥ କେବଳ ଆମ ଦେଶରୁ ମିଳିପାରୁଛି, ଠିକ୍‌ ସେତିକିରେ ଦେଶର ଖର୍ଚ୍ଚ ଚଳାନ୍ତୁ । ଏଥିପାଇଁ ବହୁତ ଉପାୟ ରହିଛି ।

 

ବିକଶିତ ରାଷ୍ଟ୍ରମାନେ ବିକାଶଶୀଳ ରାଷ୍ଟ୍ରଙ୍କୁ ସାହାଯ୍ୟ ନାମରେ, ବିଭିନ୍ନ ଯୋଜନା ଏବଂ ଲୋକହିତକର କାର୍ଯ୍ୟ ପାଇଁ ଶହଶହ ହଜାର ହଜାର ସଂଖ୍ୟାରେ ଗାଡ଼ି ମାଗଣାରେ ଦେଇ ଦେଉଛନ୍ତି । କିନ୍ତୁ ଏକଥା ଭାବିବା ଉଚିତ ଯେ ସେ ଗାଡ଼ି ଚାଲିବା ପାଇଁ ପେଟ୍ରୋଲ ଆମକୁ ହିଁ ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ଦେଶକୁ ଦେବାଳିଆ କରିବା ପାଇଁ ବିକଶିତ ରାଷ୍ଟ୍ରମାନଙ୍କର ଏକ ଅତି ମାରାତ୍ମକ କୌଶଳ ଏବଂ ସ୍ଲୋ-ପଏଜନିଂ ନୀତି ।

 

ଯେଉଁ କାମ ପେଟ୍ରୋଲିୟମ ଦ୍ରବ୍ୟ ବ୍ୟବହାର କରି କରାଯାଉଛି, ତାହା ବିନା ପେଟ୍ରୋଲିୟମ ପଦାର୍ଥରେ ଚାଲୁଥିବା ଗାଡ଼ିରେ ହୋଇପାରିବ । କାରଣ ଆମ ଦେଶରେ ଲୋକଶକ୍ତିର ଅଭାବ ନାହିଁ କିମ୍ବା ସାଇକେଲର ମଧ୍ୟ ଅଭାବ ନାହିଁ । ଗୋଟିଏ ଗୋଟିଏ ସାଇକେଲରେ ଶହେ କିଲୋ ଜିନିଷ ନିଆଅଣା କରାଯାଇ ପାରୁଛି । ତା’ଛଡ଼ା ଲକ୍ଷ ଲକ୍ଷ କୋଟି କୋଟି ଲୋକ ବେକାର ବୁଲୁଥିବାବେଳେ ଯେତିକି ପେଟ୍ରୋଲିୟମ ପଦାର୍ଥ ଗାଡ଼ିରେ ଜଳାଇ ଦିଆଯାଉଛି, ସେହି ମୂଲ୍ୟକୁ ବଞ୍ଚାଇ ପାରିଲେ ଆମ ଦେଶର ଜଣେ ହେଲେ ବେକାର ରହିବେ ନାହିଁ । କାରଣ ବହୁକ୍ଷେତ୍ରରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ପରିବର୍ତ୍ତେ ସାଇକେଲ ଓ ଟଲି ରିକ୍‌ସାମାନ ଚାଲିବ ଏବଂ ଏଥିପାଇଁ ଅଧିକ ନିଯୁକ୍ତିର ପଥ ଖୋଲିଯିବ ।

 

ବ୍ଲକ୍‌ ଡେଭଲୋପମେଣ୍ଟ ଅଫିସରମାନେ ଗାଡ଼ି ବ୍ୟବାହାର କରନ୍ତି । ତାହା ବନ୍ଦ ହୋଇଗଲେ ଏବଂ ଆବଶ୍ୟକ ସ୍ଥଳେ ସାଇକେଲ, ବସ୍‍ ଦ୍ଵାରା ସେ କାର୍ଯ୍ୟ ନିର୍ବାହ ହେଲେ ପ୍ରକୃତ ପେଟ୍ରୋଲ ଖର୍ଚ୍ଚ ବଞ୍ଚିପାରନ୍ତା ।

 

ପେଟ୍ରୋଲ ଆମଦାନୀରେ ଆମ ଦେଶ ହଜାର ହଜାର କୋଟି ଡଲାର ଖର୍ଚ୍ଚ କରୁଛି । ତେଣୁ ପ୍ରଥମେ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡ଼ି କାରଖାନା ସବୁ ବନ୍ଦ କରିଦିଆଯାଆନ୍ତା । ସେମାନଙ୍କୁ କଡ଼ା ନିର୍ଦ୍ଦେଶ ରହନ୍ତା ସେମାନେ ଯେଉଁ ଗାଡ଼ି ତିଆର କରିବେ ସେ ଗାଡ଼ି ଦେଶ ଭିତରେ ଚାଲିପାରିବ ନାହିଁ । କେବଳ export ହେବ । ଏପରିକି ସେ ଗାଡ଼ି ନିଜେ ଗାଡ଼ିତିଆରି କରୁଥିବା ମାଲିକମାନେ ମଧ୍ୟ ଏ ଭାରତ ଭୂମିରେ ଚଳାଇ ପାରିବେ ନାହିଁ ବୋଲି ଆଇନ ହୁଅନ୍ତା ।

 

ସହରମାନଙ୍କରେ ଲୋକଙ୍କ ଯାତାୟାତ ପାଇଁ ପ୍ରଚୁର ପରିମାଣରେ ବସ୍‍ ଚଳପ୍ରଚଳ ହୁଅନ୍ତା । କୌଣସି ବ୍ୟକ୍ତି ନିଜ ବ୍ୟକ୍ତିଗତ ଗାଡ଼ିରେ ବସି ଏକା ଏକା ଯାତାୟାତ କରିବା ମନା ହୁଅନ୍ତା । କିରାଣି, ଅଫିସର, ମନ୍ତ୍ରୀ, ଲୋକ ପ୍ରତିନିଧି ସମସ୍ତେ ସ୍ଵତନ୍ତ୍ର ସ୍ଵତନ୍ତ୍ର ବସରେ ବସି ଯାଆନ୍ତେ । କେହି ଠିଆ ହୋଇ ଯାଆନ୍ତେ ନାହିଁ । ତେଣୁ ପ୍ରତ୍ୟେକ ମିନିଟ, ଦୁଇମିନିଟ, ୫ ମିନିଟରେ ଯେ କୌଣସି ସ୍ଥାନକୁ ଟାଉନ୍‌ ବସ୍‍ ମିଳିପାରନ୍ତା । ମନ୍ତ୍ରୀ ଏବଂ ଅଫିସରମାନଙ୍କ ପାଇଁ ହୁଏତ ସ୍ଵତନ୍ତ୍ର ବସ୍‍ ଚଳାଇବାର ବ୍ୟବସ୍ଥା ହୁଅନ୍ତା; ମାତ୍ର କାରରେ ଯିବା ଆସିବାରେ କଟକଣା ରହନ୍ତା । ୪ ଚକିଆ ଗାଡ଼ିଟିରେ ଅତିକମରେ ୪ ଜଣରୁ କମ୍‌ ବ୍ୟକ୍ତି ରାସ୍ତାରେ ଗଲେ ତାହା ବେଆଇନ ହୁଅନ୍ତା । ସେହିପରି ୩ ଚକିଆ ଓ ୨ଚକିଆ ଗାଡ଼ିରେ ଅନ୍ୟୁନ ୨ ଜଣ ନ ଗଲେ ତା’ ବେଆଇନ ହୁଅନ୍ତା ।

 

ଏପରି ପ୍ରସ୍ତାବ ଦେବାର ଉଦ୍ଦେଶ୍ୟ ହେଲା–ଯଦି ଜଣେ ଲୋକ ଗୋଟିଏ ଗାଡ଼ିରେ ଏକା ଏକା ବସି ଯାଏ ତେବେ ତା’ର ପ୍ରତି ୧୦/୧୫ କିଲୋମିଟରରେ ୧ ଲିଟର ଜାଳେଣି ଖର୍ଚ୍ଚ ହୋଇଯିବ । ହିସାବ କରି ଦେଖନ୍ତୁ ତ ଜଣେ ଲୋକ ଯଦି ପ୍ରତି ୧୦/୧୫ କିଲୋମିଟର ରାସ୍ତା ଯିବାପାଇଁ ୧ ଲିଟର ପେଟ୍ରୋଲ ପୋଡ଼େ ତା’ ଦେଶବାସୀଙ୍କ ପ୍ରତି ଏକ ଆତ୍ମଘାତୀ କାର୍ଯ୍ୟ ନୁହେଁକି-? ସେ ଲୋକ ପାଖରେ ପଇସା ଥାଇପାରେ ତା’ ପାଖରେ ବୈଦେଶିକ ମୁଦ୍ରା ମଧ୍ୟ ଥାଇପାରେ-। ସେ ପଇସା ଦେଇ ବାରେଲ ବାରେଲ ପେଟ୍ରୋଲ ତା’ ଜୀବଦ୍ଦଶାରେ କିଣି ପୋଡ଼ି ଦେଇପାରେ; ମାତ୍ର ସେ ତା’ ଜୀବଦ୍ଦଶାରେ ବୁନ୍ଦାଏ ପେଟ୍ରୋଲ ତା’ ଜମିରୁ ବା ତା’ କାରଖାନାରୁ ଅର୍ଜନ କରିବାର ଶକ୍ତି ନାହିଁ । ତେଣୁ ସେ ପଇସା ବଳରେ ନିଜ ସୁଖପାଇଁ ଯେଉଁ ପେଟ୍ରୋଲ ପୋଡ଼ୁଛି ତା’ ଦେଶବାସୀଙ୍କ ଆର୍ଥିକ ମାନଦଣ୍ଡ ଉପରେ ଘୋର ଆଞ୍ଚ ଆଣୁଛି । କାରଣ ପେଟ୍ରୋଲ ଆସୁଛି ଆମ ଦେଶର ଗଚ୍ଛିତ ସୁନା ବିକ୍ରୟ କରାଯାଇ ବା ସୁନା ବନ୍ଧା ଦେଇ । ପ୍ରକୃତରେ କହିବାକୁ ଗଲେ ଦେଶବାସୀଙ୍କ ରକ୍ତ ବଦଳରେ ବିଦେଶରୁ ପେଟ୍ରୋଲ ଅଣାଯାଇ ଏ ଦେଶର କେତେଟା ଲୋକଙ୍କର ବ୍ୟକ୍ତିଗତ ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ ଖର୍ଚ୍ଚ କରାଯାଉଛି । ଯେଉଁ ଚାଷୀ ମୂଲିଆ ଏବଂ ଶ୍ରମିକ ମୁଣ୍ଡଝାଳ ତୁଣ୍ଡରେ ମାରି, ରକ୍ତକୁ ପାଣିକରି ଦେଶବାସୀଙ୍କ ଭୋକିଲାପେଟକୁ ଦାନା, ଲଜ୍ଜା ନିବାରଣ ପାଇଁ ଗାଣ୍ଡିକୁ କନା ଏବଂ ସୁଖରେ ରହିବା ପାଇଁ ବାସଗୃହର ଉପକରଣ ଯୋଗାଉ ଅଛନ୍ତି ସେଇ ଲୋକଙ୍କ ଝାଳ ଓ ରକ୍ତରେ ଖେଳ ଚାଲିଛି–ଏ ଦେଶର କେତେଜଣ ମୁଷ୍ଟିମେୟ ଲୋକଙ୍କର ।

 

ଗୋଟିଏ ପରିବାରରେ ଖଣ୍ଡିଏ ମାତ୍ର ଗାଡ଼ି ରଖିବା ପାଇଁ ଅନୁମତି ମିଳିବ । ସେ ଗାଡ଼ିରେ ପୁଣି ୪ ଜଣରୁ କମ୍‌ ଲୋକ ଯିବା ବାରଣ କରାଯିବ । ସପ୍ତାହରେ ବା ମାସରେ ବା ବର୍ଷରେ କେତେ କିଲୋମିଟର ବାଟ ଗାଡ଼ିରେ ଯାଇପାରିବ ତା’ ମଧ୍ୟ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ କଣ୍ଟ୍ରୋଲ କରାଯିବ ଏବଂ ସେହି କଣ୍ଟ୍ରୋଲ ଅନୁସାରେ ଗାଡ଼ିମାଲିକଙ୍କୁ ପେଟ୍ରୋଲ ପଡ଼ି କାର୍ଡ଼ ଯୋଗାଇ ଦିଆଯିବ । ପରବର୍ତ୍ତୀ କୋଟା ପାଇବା ପୂର୍ବରୁ ପୂର୍ବ ପଡ଼ି ପେଟ୍ରୋଲ ବା ଡିଜେଲ ବ୍ୟବହାର ହୋଇଛି କି ନା ତା’ ମିଟର ରିଡ଼ିଂରୁ ଦେଖି ନିଆଯିବ । ଏଥିପାଇଁ ମିଟରକୁ ସିଲ୍‌ କରାଯିବ ।

 

ଦୁଇ ଚକିଆ ପେଟ୍ରୋଲ ଚାଳିତ ଯାନର ବ୍ୟବହାର ଆଦୌ ଦରକାର ନାହିଁ କହିଲେ ଚଳେ । ସାଇକେଲରେ ଅଧିକାଂଶ କାର୍ଯ୍ୟ ଚଳିଯିବ କିମ୍ବା ଦୂରଦୂରାନ୍ତକୁ ଯିବାର ଥିଲେ ବସ୍‌ରେ ଯା-ଆସ କରିହେବ । ତେଣୁ ସ୍କୁଟର, ମଟର ସାଇକେଲ, ମୋପେଡ଼ ଇତ୍ୟାଦିର ଚଳାଚଳ ବାରଣ କରିଦେଲେ ଠିକ୍‌ ହେବ ।

 

ସହରମାନଙ୍କରେ ବିଶେଷ କରି ଦିଲ୍ଲୀ, କଲିକତା, ମାନ୍ଦ୍ରାଜ, ବମ୍ବେ, ବାଙ୍ଗାଲୋର ଆଦି ମହାନଗରୀ ଓ ନଗରମାନଙ୍କରେ ବହୁତ ପେଟ୍ରୋଲ ଓ ଡିଜେଲ କାର୍‌, ଜିପ୍‌ ଏବଂ ଦୁଇ ଚକିଆ ଏବଂ ୩ ଚକିଆ ଗାଡ଼ିରେ ପୋଡ଼ା ଯାଇଥାଏ । ଏସବୁକୁ କଡ଼ାକଡ଼ି ଭାବେ ନିୟନ୍ତ୍ରଣ କଲେ ରାସ୍ତାର ଭିଡ଼ କମିଯିବ ଏବଂ ରାସ୍ତାରୁ ଭିଡ଼ କମିଯିବା ପରେ ସେହି ରାସ୍ତାରେ ସୁନ୍ଦର ଭାବେ ବଡ଼ ବଡ଼ ବସ୍‌ ଓ ଟ୍ରାମ ଗାଡ଼ି ଚାଲିପାରିବ । ଟ୍ରାମ ଗାଡ଼ି ଚାଲିଲେ ଏକେତ ଲୋକେ ନିରାପଦରେ ଓ ଶସ୍ତାରେ ଯା ଆସ କରିପାରିବେ, ଦ୍ୱିତୀୟରେ ଲୋକଙ୍କ ଯା ଆସରେ ଖର୍ଚ୍ଚ ହେଉଥିବା ପେଟ୍ରୋଲ ଓ ଡିଜେଲ ବଞ୍ଚିଯିବ । ତା’ଛଡ଼ା ଟ୍ରାମ ଚଳାଚଳ ଫଳରେ ପ୍ରଦୂଷଣକୁ ଦୃଢ଼ ହସ୍ତରେ ରୋକାଯାଇ ପାରିବ ।

 

ରାସ୍ତାରେ ୨ ଚକିଆ, ୩ ଚକିଆ ଏବଂ ଚାରି ଚକିଆ ଯାନର ଚଳପ୍ରଚଳ ହେତୁ ଆଜି ରାସ୍ତାସବୁ ଜାମ୍‌ ହେଉଛି । ଏ ସବୁ ଗାଡ଼ିକୁ ନିୟନ୍ତ୍ରଣ କରିଦେଲେ ରାସ୍ତା ଫାଙ୍କା ହୋଇଯିବ ।

 

ଟ୍ରକ ଚଳପ୍ରଚଳକୁ ମଧ୍ୟ ବହୁଭାବରେ ନିୟନ୍ତ୍ରଣ କରି ତହିଁରେ ପୋଡ଼ାଯାଉଥିବା ଡିଜେଲ ଖର୍ଚ୍ଚକୁ ରୋକି ଦିଆଯାଇପାରିବ ।

 

ଯାତ୍ରୀ ବୁହାପାଇଁ ଟ୍ରାମ ଚାଲିବା ସଙ୍ଗେ ସଙ୍ଗେ ମାଲ ବୁହା ଟ୍ରାମ ଗାଡ଼ିର ପ୍ରଚଳନ କରାଯିବ । ଏହା ଦ୍ୱାରା ସହର ମଧ୍ୟରେ ପରିବହନ କାର୍ଯ୍ୟ ଶସ୍ତାରେ ଓ ସୁବିଧାରେ ହୋଇପାରିବ । ତେଣେ ଟ୍ରକର ଚାହିଦା କମିଯିବ । ତେବେ ଟ୍ରକର ଭୂମିକା ଟ୍ରାମ ସମ୍ପୂର୍ଣ୍ଣ ରୂପେ ତୁଲାଇ କରିପାରିବ ନାହିଁ ସତ; ମାତ୍ର ପ୍ରାୟ ଅର୍ଦ୍ଧାଧିକ ମାଲ ବୁହା କାର୍ଯ୍ୟ ଟ୍ରାମ ଦ୍ୱାରା ହୋଇପାରିବ ।

 

ଯେଉଁଠି ରାସ୍ତା ଚଉଡ଼ା ଥିବ, ସେଠାରେ ଅଳ୍ପ ଗତିଶୀଳ ଯାନ, ଅର୍ଥାତ୍‌ ସାଇକେଲ, ସାଇକେଲ ରିକ୍‌ସା ଏବଂ ଟାଲିରିକ୍‌ସା ଚାଲିବ ।

 

କ୍ଷିପ୍ରଗତିରେ ଚାଲିପାରିଲା ଭଳି ସାଇକେଲ ତିଆରି ହେଲାଣି । ତା’ ଦ୍ୱାରା ଅଳ୍ପ ସମୟରେ ବହୁ ରାସ୍ତା ଯାଇହେବ । ତେଣୁ କ୍ଷିପ୍ରଗତିଶୀଳ ସାଇକେଲର ପ୍ରଚଳନ ମଧ୍ୟ କରାଯାଇ ପାରିବ ।

 

ଏହିପରି କେତେକ ପଦକ୍ଷେପ ନିଆଗଲେ ପେଟ୍ରୋଲ, ଡିଜେଲ ଖର୍ଚ୍ଚ ବହୁତ କମିଯିବ ଏବଂ ଆମ ଦେଶରୁ ଆମଦାନୀ ହେଉଥିବା ପେଟ୍ରୋଲିୟମ ପଦାର୍ଥରେ ଆମେ ଚଳିଯାଇ ପାରିବା-। ଫଳରେ ପେଟ୍ରୋଲିୟମ ଆମଦାନୀ ଖର୍ଚ୍ଚ ବିବାକ୍‌ କମିଯିବ । ମାତ୍ର ଆମର ଲୋକପ୍ରତିନିଧି, ମନ୍ତ୍ରୀମାନେ ତାଙ୍କର ପ୍ରଲୋଭନକୁ ଦମନ କରି ବଡ଼ ବଡ଼ ପୁଞ୍ଜିପତିମାନେ ତିଆରି କରୁଥିବା ଗାଡ଼ିର ବିକ୍ରୟ ବନ୍ଦ କରିପାରିବେ ତ ?

 

(୨୦)

ଭୋଟପ୍ରଥା ଓ ରାଜନୈତିକ ଦଳଙ୍କୁ କମ୍ପାନୀ ଚାନ୍ଦା

 

ଭୋଟ ପ୍ରଥାର ପରିବର୍ତ୍ତନ କରି, ଖର୍ଚ୍ଚବହୁଳ ଭୋଟ ପ୍ରଚାରକୁ ବେଆଇନ ଘୋଷଣା କରି ଦିଆଯିବ, ଯେପରି କୌଣସି ପ୍ରାର୍ଥୀଙ୍କୁ ଭୋଟ ଲଢ଼େଇରେ ପଇସାଟାଏ ବି ଖର୍ଚ୍ଚ କରିବାକୁ ନ ପଡ଼େ ସେ ବିଷୟରେ ବିଧିବଦ୍ଧ ଚିନ୍ତା କରାଯିବା ଆବଶ୍ୟକ ।

 

ସରକାର ନିଜେ ପ୍ରାର୍ଥୀମାନଙ୍କର ପ୍ରଚାର ପତ୍ର, ପରିଚୟ ପତ୍ର ଏବଂ ତାଙ୍କ ଦଳର ଇସ୍ତାହାର ଇତ୍ୟାଦି ଖଣ୍ଡିଏ ବହିରେ ଛପାଇ ପ୍ରତି ଭୋଟରଙ୍କୁ ଭୋଟ ଗ୍ରହଣର ୧୫ଦିନ ଆଗରୁ ଦେଇଦେବେ । ତା’ଛଡ଼ା ଭୋଟ କେନ୍ଦ୍ରମାନ ଖୋଲି ସରକାର ଏପରି ବ୍ୟବସ୍ଥା କରିବେ ଯେପରି ଭୋଟର ନିଜେ କେନ୍ଦ୍ରକୁ ନ ଯାଇ ତାଙ୍କ ନିଜ ଘରେ ଥାଇ ଭୋଟ ଦେଇ ପାରିବେ ।

 

ଏହାର ଅର୍ଥ ହେଉଛି ସରକାରୀ ଲୋକ ଭୋଟ ଗ୍ରହଣ ଦିନ ସଦଳବଳେ ପ୍ରତି ଭୋଟରଙ୍କ ଘରକୁ ଯାଇ ସେଇଠି ବାଲାଟ ପେପର ଦେଇ ଦେବେ ଏବଂ ତାଙ୍କଠୁ ଭୋଟ କାଗଜ ସଂଗ୍ରହ କରିନେବେ । ଏହା ଫଳରେ ପୋଲିଂ ହାର ବୃଦ୍ଧି ପାଇବ ଏବଂ ଗଫଲତି ହେବନାହିଁ ।

 

କାଣ୍ଡିଡେଟମାନଙ୍କୁ ଯଦି ଖର୍ଚ୍ଚ କରିବାକୁ ନପଡ଼େ ତେବେ ସେମାନଙ୍କ ସଂଖ୍ୟା ବଢ଼ିଯିବ-। ତାକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଆଇନ ଦ୍ଵାରା ବିକଶିତ ରାଷ୍ଟ୍ରମାନଙ୍କ ଭଳି ମାତ୍ର ୨ଟା ପାର୍ଟି (Bi-party System) ରଖାଯିବ । କେବଳ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ହିଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ମିଳିବ । ସେ ବିଷୟରେ ସମସ୍ତ ନେତା ବସି ଯା ସ୍ଥିର କରନ୍ତୁ ପଛେ କିନ୍ତୁ ଭୋଟ ଲଢ଼େଇରେ ଯେପରି କୌଣସି ଦଳ ବା ପ୍ରାର୍ଥୀଙ୍କୁ ପଇସାଟିଏ ବି ଖର୍ଚ୍ଚ କରିବାକୁ ନପଡ଼େ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।

 

ପଲିଟିକାଲ ଦଳର କୌଣସି ବ୍ୟବସାୟ ବାଣିଜ୍ୟ ବା ଶିଳ୍ପକାରଖାନା ନାହିଁ । ମାତ୍ର ଭୋଟପ୍ରଚାର ପାଇଁ ତାଙ୍କ ହାତକୁ ଏତେ ଧନ ଆସେ କେଉଁଠୁ ? ଏକଥା କହି କାହାର ମରମ ପେଡ଼ି ଖୋଲି ଦେବା ଉଚିତ ହେବନି । କିନ୍ତୁ ଏ ପ୍ରଶ୍ନର ସନ୍ତୋଷଜନକ ଉତ୍ତର କୌଣସି ଏମ୍‌.ପି. ଓ ଏମ୍‌.ଏଲ୍‌.ଏ. ଦେଇ ପାରିବେ ବୋଲି ମୁଁ ବିଶ୍ଵାସ କରୁନି । ବିନା ବ୍ୟବସାୟରେ କୋଟିକୋଟି ଟଙ୍କା ରାଜନୈତିକ ଦଳମାନଙ୍କ ହାତକୁ ଆସୁଛି ଏବଂ ଆମେ ତା’ ଦେଖୁଛୁ । ମାତ୍ର ଦେଶର ଆଇନ ଏପରି ଯେ ଆମେ ସବୁ ଜାଣି ମଧ୍ୟ କିଛି ପ୍ରତିକାର କରିପାରୁନୁ । କମ୍ପାନୀମାନେ ପାର୍ଟିମାନଙ୍କୁ ଦେଉଥିବା ଚାନ୍ଦାକୁ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଆଇନ ସଂଗତ କରାଯିବା ଦିନଠୁ ଇଣ୍ଡଷ୍ଟ୍ରିଆଲ ପ୍ରଡ଼କ୍ଟର ଦାମ୍‍ ଆକାଶଛୁଆଁ ହୋଇ ବଢ଼ୁଛି । ସମସ୍ତେ କେବଳ ପାଗଳା କୁକୁର ପରି ଦର ବଢ଼ିଲା ବୋଲି କହି ଭୁକୁଛନ୍ତି; କିନ୍ତୁ କାହାର କିଛି କରିବାର କରାମତି ନାହିଁ । ନକ୍‌ସଲପନ୍ଥୀ ଏବଂ ଟେରୋରିଷ୍ଟଙ୍କ ଭଳି ଯେ କେତେଜଣ ତାଙ୍କର କରାମତି ଦେଖାଉ ଅଛନ୍ତି ସେମାନଙ୍କୁ ସରକାର ଜବଦ କରିବାରେ ଆପ୍ରାଣ ଚେଷ୍ଟା ଚଳାଇ ମଧ୍ୟ ତାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି ସିନା କମୁନି ।

 

ଏଠାରେ ଗୋଟିଏ କଥାପ୍ରତି ପାଠକେ ଧ୍ୟାନ ଦେବେ । ତା’ ହେଲା–

 

ଇଣ୍ଡଷ୍ଟ୍ରିଆଲିଷ୍ଟମାନେ ବା କମ୍ପାନୀମାନେ ରାଜନୈତିକ ଦଳଙ୍କୁ ଯେଉଁ ଚାନ୍ଦା ଦିଅନ୍ତି ତାହାର ଭରଣା ପାଇଁ ତାଙ୍କ ଜିନିଷର ଦର ଠିକ୍‌ ଭୋଟ ପରେ ପରେ ତ ବଢ଼ାନ୍ତି । ସୁବିଧା ଦେଖି ମଝିରେ ମଝିରେ ମଧ୍ୟ ବଢ଼ାଇ ଦିଅନ୍ତି । ମନ୍ତ୍ରୀ ମହୋଦୟଗଣ ସବୁ ଜାଣନ୍ତି ଯେ କାହିଁକି ଦର ବଢ଼ୁଛି ବୋଲି । ମାତ୍ର ଯେହେତୁ ଦଳ କମ୍ପାନୀମାନଙ୍କଠାରୁ ମୋଟା ଚାନ୍ଦା ନେଇଛି, ତେଣୁ କିଛି କହନ୍ତି ନାହିଁ ବା ଶୁଣି ନ ଶୁଣିଲା ପରି, ଦେଖି ନ ଦେଖିଲା ପରି, ଜାଣି ନ ଜାଣିଲା ପରି ଚୁପ୍‍ଚାପ୍‌ ରହି ଯାଆନ୍ତି ।

 

ପଲିଟିକାଲ ପାର୍ଟିଙ୍କୁ କମ୍ପାନୀମାନେ ଯେଉଁ ମୋଟା ଅଙ୍କରେ ଚାନ୍ଦା ଭେଦା, ଦାନ, ଦକ୍ଷିଣା ଦିଅନ୍ତି, ସବୁ ପରୋକ୍ଷରେ ଆଦାୟ ହୁଏ ଆମରିମାନଙ୍କ ଭଳି ନିରୀହ ଖାଉଟିମାନଙ୍କଠାରୁ ଶିଳ୍ପଜାତ ଦ୍ରବ୍ୟ ଉପରେ ଅତିରିକ୍ତ ଦର ବୃଦ୍ଧି କରାଯାଇ । ଖାଉଟି ପାଟି କଲେ ସରକାର ‘କନ୍‌ଜୁମର ପ୍ରୋଟେକ୍‌ସନ୍‌ ଆକ୍ଟ’ କରିଦିଅନ୍ତି । ମାତ୍ର କମ୍ପାନୀମାନେ ତାଙ୍କ product ଉପରେ ଯେଉଁ ଦର ବଢ଼ାନ୍ତି ତାହା କମାଇବାର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯାଏନା । କିମ୍ବା କନ୍‌ଜୁମର ପ୍ରୋଟେକସନ ଆକ୍ଟରେ ଏପରି ଦର ବୃଦ୍ଧି ରୋକିବାକୁ କୌଣସି ବ୍ୟବସ୍ଥା ନାହିଁ । ଏହାର କାରଣ କ’ଣ ? ବାହାସ୍ଫୋଟ ମାରୁଥିବା ନେତୃବୃନ୍ଦ ଏହାର କାରଣ କହିପାରିବେ କି ?

 

ସର୍ବସାଧାରଣଙ୍କ ତରଫରୁ ଆମର ଦାବି ପ୍ରଥମେ ପାର୍ଟିଚାନ୍ଦା ବେଆଇନ କରାଯାଉ । ଏହା ହେଲେ ଜିନିଷପତ୍ରର ଅଯଥା ଦରବୃଦ୍ଧିକୁ କେତେକାଂଶରେ ରୋକାଯାଇ ପାରିବ ।

 

ଅନ୍ୟ ଦାବି ହେଲା, ଇଲେକସନ୍‌ ନୀତି ବଦଳୁ, ଯେପରି କୌଣସି ପ୍ରାର୍ଥୀଙ୍କୁ ଏବଂ କୌଣସି ଦଳଙ୍କୁ ଭୋଟ ଲଢ଼େଇରେ ପଇସାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ନ ପଡ଼େ । ଭୋଟ ଲଢ଼େଇ ଖର୍ଚ୍ଚ ଯଦି ଶୂନ୍‌ ହୋଇଯାଏ ତେବେ କମ୍ପାନୀମାନଙ୍କଠାରୁ ପାର୍ଟିଚାନ୍ଦା ସଂଗ୍ରହ କରିବା ମଧ୍ୟ ବନ୍ଦ ହୋଇଯିବ ବା ଦରକାର ପଡ଼ିବ ନାହିଁ ।

 

ଏକଥା ମନେରଖିବା ଉଚିତ ପ୍ରଚଳିତ ଭୋଟପ୍ରଥା ସହିତ ପାର୍ଟିମାନେ କମ୍ପାନୀମାନଙ୍କ ଠାରୁ ଚାନ୍ଦା ସଂଗ୍ରହ କରିବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେଣୁ ଭୋଟ ପ୍ରଥାର ସଂସ୍କାର ଏବଂ ପାର୍ଟି ଚାନ୍ଦା ବେଆଇନ ଏ ଦୁଇଟି ଏକସଙ୍ଗେ କରାଯିବା ଉଚିତ ।

 

(୨୧)

ଅକ୍‌ଟ୍ରାଇ ଏବଂ ସେଲ୍‌ଟ୍ୟାକ୍ସ

 

ଦେଶର ପ୍ରତ୍ୟେକ ରାଜ୍ୟରେ ବିକ୍ରି-ଖର୍ଦ୍ଦି ଉପରେ ରାଜ୍ୟସରକାର ସେଲଟ୍ୟାକ୍ସ ଆଦାୟ କରନ୍ତି । ମ୍ୟୁନିସିପାଲଟି, କର୍ପୋରେସନ ଏବଂ N.A.C.ଗୁଡ଼ିକ ଅକ୍‌ଟ୍ରାଇ ଟ୍ୟାକ୍ସ ଆଦାୟ କରିଥାନ୍ତି । ଏହାଛଡ଼ା ଆମ ସରକାର ମଧ୍ୟ ଆନ୍ତଃରାଜ୍ୟ ବ୍ୟବସାୟ ଉପରେ Central sales tax ଆଦାୟ କରନ୍ତି ଓ ପ୍ରତ୍ୟେକ ଜିନିଷ ଉପରୁ ଭାରତ ସରକାରଙ୍କ ଦ୍ୱାରା Excise duty ଆଦାୟ କରାଯାଏ । ଦେଶ ବାହାରୁ ଆସୁଥିବା ଜିନିଷପତ୍ର ଉପରେ ଭାରତ ସରକାର Import duty ଲଗାନ୍ତି । ଏତେ ପ୍ରକାର ଟିକସ ଲଗାଯାଉଥିବାରୁ ଟଙ୍କାଟିକର ଜିନିଷ ବେଳେବେଳେ ଲୋକଙ୍କ ପାଖରେ ପହଞ୍ଚିଲା ବେଳକୁ ତା’ର ଦର ପ୍ରାୟ ୨ଟଙ୍କା ହୋଇ ଯାଉଛି ।

 

ଆମର ଆଲୋଚ୍ୟ ବିଷୟ ହେଲା ସେଲ୍‌ଟ୍ୟାକ୍ସ ଓ ଅକ୍‌ଟ୍ରାଇ ଟ୍ୟାକ୍ସ ଆଦାୟ ବନ୍ଦ କରାଯିବା ଏବଂ ଆଇନ ବଳରେ ବଳ ପ୍ରୟୋଗ କରି ବ୍ୟବସାୟୀମାନଙ୍କୁ ବେଠି ଖଟାଇବା ପ୍ରଥାକୁ ପ୍ରତ୍ୟାହାର କରିନେବା ।

 

ବ୍ୟବସାୟୀମାନଙ୍କ ଉପରେ ସେଲଟ୍ୟାକ୍ସ ଆଦାୟ କରିବାର ଦାୟିତ୍ଵ ଆଇନ ବଳରେ ଜବରଦସ୍ତ ଲଦି ଦିଆଯାଇଛି । ତା’ପୁଣି ବେଠି । କାରଣ ଜଣେ ବ୍ୟବସାୟୀ ସରକାରଙ୍କର ଏଜେଣ୍ଟ ରୂପେ ଖରଦିଦାରଠାରୁ ଯେଉଁ ଟିକସ ଆଦାୟ କରେ ସେଥିପାଇଁ ସରକାର ବ୍ୟବସାୟୀକୁ କମିଶନ ଦିଅନ୍ତି ନାହିଁ କିମ୍ୱା ଦରମା ଦିଅନ୍ତି ନାହିଁ । ତେଣୁ ଏହାକୁ ବଳପ୍ରୟୋଗ ପୂର୍ବକ ବେଠିପ୍ରଥା ଛଡ଼ା ଅନ୍ୟ କ’ଣ ବା କୁହାଯାଇପାରେ ? ତା’ଛଡ଼ା ବେଠିଆ ବ୍ୟବସାୟୀ ନିଜ ହାତରୁ ଖର୍ଚ୍ଚ କରି ହିସାବ ରଖେ ଓ ଅଫିସରେ ତା’ ନେଇ ବୁଝାଇ ଦେଇ ଆସେ । ତଥାପି ଦୁର୍ନୀତିଗ୍ରସ୍ତ ସେହି ସେଲଟ୍ୟାକ୍ସ ଅଫିସର, ଇନିସ୍ପେକ୍ଟର, କିରାଣି, ପିଅନ ସମସ୍ତେ ବ୍ୟବସାୟୀଠାରୁ ରୀତିମତ ପ୍ରତି କାମରେ, ପ୍ରତି ସପ୍ତାହ, ପ୍ରତିମାସ, ପ୍ରତିବର୍ଷ ପ୍ରତି ପର୍ବପର୍ବାଣୀରେ ଉତ୍କୋଚ ନିଅନ୍ତି । ସଚ୍ଚୋଟ ହେଲେ ସରିଗଲା-। ସେଲଟ୍ୟାକ୍ସ ବାଲା ଡିଲରଙ୍କଠାରୁ ଉତ୍କୋଚ୍ଚ ନ ପାଇଲେ ମିଥ୍ୟା ଓ କପୋଳକଳ୍ପିତ ଟିକସ ଭିଡ଼ି ଦିଅନ୍ତି । ତା’ଛଡ଼ା ସେଲଟ୍ୟାକ୍ସବାଲା ମଧ୍ୟ କିପରି ଟିକସ ଠକିବାକୁ ହେବ, କିପରି ଦି ନମ୍ବରି ଖାତାପତ୍ର ପ୍ରସ୍ତୁତ କରାଯିବ ସେ ବିଷୟରେ ବ୍ୟବସାୟୀଙ୍କୁ ଅବଗତ କରାଇ ଦିଅନ୍ତି-। ତେଣୁ ଏପ୍ରକାର ଦୁର୍ନୀତି ଏବଂ ବାଟମାରଣା କାର୍ଯ୍ୟ ବନ୍ଦ କରିବା ପାଇଁ ଯଦି ଭାରତ ସରକାର ଆଇନ ବଳରେ ତାହା ହାତକୁ ନେଇ କିମ୍ବା ରାଜ୍ୟ ସରକାରମାନେ ଫାଷ୍ଟ ପଏଣ୍ଟରେ ଥରେ ମାତ୍ର ଟିକସ ଆଦାୟ କରି ନିଅନ୍ତେ ତେବେ ବିକ୍ରିଖର୍ଦ୍ଦି ବେଳେ କୌଣସି ଟ୍ରେଡ଼ର ଆଉ ଟିକସ ଆଦାୟ କରିବାର ଆବଶ୍ୟକତା ରହନ୍ତା ନାହିଁ । ଏହାଦ୍ଵାରା ଟିକସ ଆଦାୟ ସହଜ ହୁଅନ୍ତା ଏବଂ ସେଲଟ୍ୟାକ୍ସ କର୍ମଚାରୀ ଓ ଅଫିସରମାନେ ଏବେ ଯେପରି ପ୍ରତ୍ୟେକ ଡିଲରଠାରୁ ଉତ୍କୋଚ ନେଉଛନ୍ତି ତା’ ନେଇ ପାରନ୍ତେ ନାହିଁ । ସେଲଟ୍ୟାକ୍ସ ଆଦାୟରେ ବ୍ୟବସାୟୀମାନଙ୍କୁ ସମ୍ପୃକ୍ତ କରାଯିବା ହେତୁ ଉଭୟେ ବ୍ୟବସାୟୀ ଏବଂ ସେଲଟ୍ୟାକ୍ସ ଡିପାର୍ଟମେଣ୍ଟର ଲୋକମାନେ ମିଳିମିଶି ଟିକସର ଅର୍ଦ୍ଧାଧିକ ମାରି ନେଉଛନ୍ତି ।

 

ସେଲଟ୍ୟାକ୍ସର ହାର ସାରା ଦେଶରେ, ସବୁ ରାଜ୍ୟରେ ଅଲଗା ଅଲଗା । ଆଇନ ମଧ୍ୟ ସମାନ ନୁହେଁ । ଯଦି ସବୁ ରାଜ୍ୟ ମିଶି ଟିକସ ହାର ସମାନ କରିଦିଅନ୍ତେ ଏବଂ ଫାଷ୍ଟ ପଏଣ୍ଟ ଟ୍ୟାକ୍ସ ବ୍ୟବସ୍ଥା ଦ୍ୱାରା ଠିକ୍‌ ଏକସାଇଜ ଡିଉଟି ପରି ସେଲଟ୍ୟାକ୍ସ ପ୍ରଥମରୁ ହିଁ ଫାଷ୍ଟପଏଣ୍ଟ ଟ୍ୟାକ୍ସ ରୂପେ ଆଦାୟ ହୋଇ ଯାଆନ୍ତା, ତେବେ କାମଟି ଖୁବ୍‌ ସହଜ ହୋଇଯାଆନ୍ତା । ତା’ଛଡ଼ା ଗୋଟାଏ ଦେଶ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ଜିନିଷ ଉପରେ ଓଡ଼ିଶାରେ ୧୬% ବିକ୍ରିକର ହେଉଥିବା ବେଳେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ୩% । ଏହାଫଳରେ ଓଡ଼ିଶା ଖରଦିଦାର ଯାଇ ଆନ୍ଧ୍ରରୁ ଜିନିଷ କିଣି ଆଣୁଛି । ଏପରି ବହୁ ଦୃଷ୍ଟାନ୍ତ ରହିଛି ।

 

ସୁତରାଂ ପ୍ରଥମ କଥା ହେଉଛି ଟିକସ ହାର ସମାନ ହେବା ଏବଂ ଦ୍ଵିତୀୟ କଥା ହେଉଛି ଭାରତ ସରକାରଙ୍କ ଏକ୍‌ସାଇଜ ଡିଉଟି ଯେଉଁ ରୀତିରେ ଆଦାୟ ହେଉଛି, ସେହି ରୀତିରେ ସେଲଟ୍ୟାକ୍ସ ଫ୍ୟାକ୍ଟରୀରୁ ଜିନିଷ ବାହାରିବା ପୂର୍ବରୁ ଫ୍ୟାକ୍ଟରୀ ମାଲିକଠାରୁ ଆଦାୟ ହୋଇଯିବ । ଏହା ହେଲେ ଯେ ସଚ୍ଚୋଟ ବ୍ୟବସାୟୀ ସେ ବେଠିରୁ ମୁକ୍ତି ପାଇବେ । ଅସାଧୁ ବ୍ୟବସାୟୀ ଏବଂ ସେଲଟ୍ୟାକ୍ସ କର୍ମଚାରୀ ଓ ଅଫିସରମାନେ ଦୁର୍ନୀତି କରିବାର ସୁଯୋଗ ହରାଇବେ । ସର୍ବୋପରି ସରକାର ଅଳ୍ପ ରେଟରେ ହେଲେ ମଧ୍ୟ ଅଧିକ ଟିକସ ପାଇପାରିବେ ।

 

ଅକ୍‌ଟ୍ରାଇ ଟିକସଟାକୁ ବିବାକ୍‌ ଉଠାଇ ଦିଆଯାଉ । କାରଣ ଯେତେ ପ୍ରକାର ଟିକସ ଲଗାଯିବ ସବୁର ଚାପ ପଡ଼ିବ ଯାଇ କନ୍‌ଜୁମର ବା ଖାଉଟି ଉପରେ । ଅକଟ୍ରାଇ ଟିକସ ଯା ଆଦାୟ ହୁଏ, ତହିଁରୁ ଅଧାରୁ ବେଶି ସମ୍ପୃକ୍ତ ଅକ୍‌ଟ୍ରାଇ ଅଫିସର ଏବଂ କର୍ମଚାରୀମାନେ ମିଳିମିଶି ପକେଟସ୍ଥ କରନ୍ତି । ଗାଡ଼ିଗୁଡ଼ାକ ରାସ୍ତାରେ ବହୁସମୟ ଧରି ଅଟକି ରହେ । ଖାଉଟି ସ୍ଵାର୍ଥପ୍ରତି ଦୃଷ୍ଟିଦେଇ ଅକ୍‌ଟ୍ରାଇ ଟିକସକୁ ବିବାକ୍‌ ଉଠାଇ ଦେବା ଉଚିତ । ବର୍ତ୍ତମାନ କେବଳ କଟକ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଅକ୍‌ଟ୍ରାଇ ଅଫିସର, ଅକ୍‌ଟ୍ରାଇ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଜଣାରେ ଚୋରା ରସିଦ ଛପାଯାଇ ଲକ୍ଷ ଲକ୍ଷ ଟଙ୍କା ଚେକ୍‌-ଗେଟ୍‌ରୁ ମିଳିମିଶି ଖାଇବାରେ ଲାଗିଛନ୍ତି । ତେଣୁ ଟିକସ ଭରଣା ପାଇଁ ବରଂ ଅନ୍ୟକିଛି ଉପାୟ କରାଯାଉ । ଅକ୍‌ଟ୍ରାଇ ଟିକସଟାକୁ ବିବାକ୍‍ ଉଠାଇ ଦିଆଯାଉ ।

 

(୨୨)

ଏମ୍‌.ପି. ଏବଂ ଏମ୍‌.ଏଲ୍‌.ଏ.ଙ୍କ ଦରମା, ଭତ୍ତା ଓ ପେନ୍‌ସନ୍‍ ନୀତି

 

ଲୋକପ୍ରତିନିଧି ଅର୍ଥାତ୍‌ ଏମ୍‌.ପି. ଏବଂ ଏମ୍‌.ଏଲ୍‌.ଏ.ମାନଙ୍କୁ ମାସିକ ଦରମା ଦିଆଯାଇ ଥାଏ । ଏମାନେ ଉଚ୍ଚ ହାରରେ ଦରମା ପାଇବା ଉଚିତ । ମାତ୍ର ଏମାନଙ୍କୁ ମାତ୍ର ୫ଟି ବର୍ଷ ବା ତା’ଠାରୁ କମ୍‌ ସମୟ ପାଇଁ ଲୋକପ୍ରତିନିଧି ହେବା ପରେ ପେନ୍‌ସନ୍‌ ମିଳିବା ଆଦୌ ଠିକ୍‌ ନୁହେଁ ।

 

ସରକାରୀ କଳରେ ଚାକିରି କଲେ ୫୫ ବା ୫୮ ବର୍ଷ ବୟସ ନ ହେଲେ ପେନ୍‌ସନ୍‌ ମିଳେନା । କିନ୍ତୁ ପ୍ରତି ୫ ବର୍ଷରେ ଯଦି ଏ ଦେଶର ପ୍ରାୟ ୩୮୦୦ ଏମ୍‌.ଏଲ୍‌.ଏ. ଏବଂ ପ୍ରାୟ ୪୪୫ ଲୋଭସଭା ସଭ୍ୟ ଏବଂ ପ୍ରତି ୬ ବର୍ଷରେ ପ୍ରାୟ ସେତିକି ରାଜ୍ୟସଭା ସଭ୍ୟଙ୍କୁ ପେନ୍‌ସନ୍‌ ଦିଆଯାଏ, ତେବେ ତ ସରକାରଙ୍କ ଅର୍ଥ ଭଣ୍ଡାର ଖାଲି ପଡ଼ିଯିବ । ଏମାନେ ମଧ୍ୟ ବଞ୍ଚିଥ‌ିବାଯାଏ ପେନ୍‌ସନ୍‌ ପାଇବେ । ଏହାର ଅର୍ଥ ଜଣେ ଜଣେ ଲୋକପ୍ରତିନିଧି ୩୦ରୁ ୪୦ ବର୍ଷଧରି ପେନ୍‌ସନ୍‌ ପାଇ ଚାଲିଥିବେ । ପେନ୍‌ସନ୍‌ ଖାତାରେ ପ୍ରତି ୫ବର୍ଷରେ ୫୦୦୦ ଯାଏ ଲୋକଙ୍କ ନାମ ଯୋଗ ହୋଇହୋଇ ଚାଲିଲେ ୫୦ ବର୍ଷ ବେଳକୁ ୫୦,୦୦୦ ରୁ ଅଧିକ ପଲିଟିକାଲ୍‌ ପେନ୍‌ସନ୍‌ ଭୋଗୀଙ୍କ ନାମ ତାଲିକାଭୁକ୍ତ ହୋଇଯାଇଥିବ ।

 

ନିଜର ପରୀକ୍ଷାଖାତାକୁ ନିଜେ ମୂଲ୍ୟାୟନ କରି ନମ୍ବର ଦେବା ଯାହା, ଏମାନେ ନିଜ ଦରମା, ପେନ୍‌ସନ୍‌ ଏବଂ ନିଜପାଇଁ ଯା ସୁବିଧା ଦରକାର ତା’ ନିଜେନିଜେ ବସି ସ୍ଥିର କରିନେବା ତାହା । ଧନ୍ୟ ତୁମର ନ୍ୟାୟ, ଧନ୍ୟ ତୁମ ଆଇନ ।

 

ବିଧାୟକମାନେ ଗୃହରେ ନିଜର ଦରମା ନିଜେ ଏବଂ ନିଜର ପେନ୍‌ସନ୍‌ ନିଜେ ସ୍ଥିର କରାଇ ନେବା ଏକାବେଳକେ ଅନ୍ୟାୟ । ଏମାନେ ଉଚ୍ଚହାରରେ ମାସିକ ଦରମା ପାଇବା ଉଚିତ । ମାତ୍ର ଜଣକୁ ଅତି କମରେ ୫୫ ବର୍ଷ ନ ହେବାଯାଏ ସେ ପେନ୍‌ସନ୍‌ ପାଇବା ଅନୁଚିତ । ଏକଥା କହିବ କିଏ ନା କହିଲେ ବି ଶୁଣିବ କିଏ ?

 

ଆଜି ଗରିବ ଲୋକଙ୍କ ନିମନ୍ତେ ନୁହେଁ ବରଂ ଜାତିଆଣା ରୀତିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପାଇଁ ସରକାର ପଡ଼ୁଛି ଓ ଉଠୁଛି । ଏପରିକି ଏଇ ଗୋଟିଏ ଇସୁ ଉପରେ ସରକାର ଭାଙ୍ଗି ଯାଉଛି । କିନ୍ତୁ M.L.A. ଏବଂ M.P.ମାନେ ଯେଉଁମାନଙ୍କ ବୟସ ୫୫ରୁ କମ୍‌ ସେମାନେ ଯଦି ସ୍ୱତଃପ୍ରବୃତ୍ତ ହୋଇ ପେନ୍‌ସନ୍‍ ପରିତ୍ୟାଗ କରି ଦିଅନ୍ତେ, ତେବେ ସେଇ ପଇସାରେ ଅତି କମରେ ତ ୫୦,୦୦୦ ସ୍ଵଳ୍ପ ବେତନରେ ନୂଆ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା । ଫଳରେ ୫୦,୦୦୦ ବେକାର ଚାକିରି ପାଇ ଯାଆନ୍ତେ ।

 

ଆଜି ଯେଉଁ ନେତୃବୃନ୍ଦ ବଡ଼ବଡ଼ ଆଦର୍ଶ ପ୍ରଶ୍ନ ଉଠାଉ ଅଛନ୍ତି ତାଙ୍କୁ ମୋର ଅନୁରୋଧ, ସେମାନେ ଲୋକପ୍ରତିନିଧିମାନଙ୍କ ପେନ୍‌ସନ୍‌ ବ୍ୟବସ୍ଥା ବିବାକ୍‌ ଉଠାଇ ଦିଅନ୍ତୁ କିମ୍ବା ୫୫ ବର୍ଷ ବୟସରୁ ଉର୍ଦ୍ଧ୍ଵ ନ ହେଲେ କାହାରିକୁ ପେନ୍‌ସନ୍‌ ଦିଆ ନଯିବାର ବ୍ୟବସ୍ଥା ପ୍ରବର୍ତ୍ତନ କରନ୍ତୁ ।

 

(୨୩)

ଚାକିରିରେ ସୁରକ୍ଷା ବ୍ୟବସ୍ଥା

 

ଚାକିରିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାବେଳେ ଆର୍ଥିକ ଦୁର୍ବଳ ଲୋକଙ୍କୁ ଦିଆଯିବା ଉଚିତ ହେବ । ମାତ୍ର ପ୍ରମୋସନ୍‍ ବା ପଦୋନ୍ନତି ବେଳେ ସଂରକ୍ଷଣ ବ୍ୟବସ୍ଥା ଆଦୌ ଲାଗୁ ନ ହେବା ଦରକାର ।

 

ଏହାଦ୍ୱାରା ଦେଖାଯାଉଛି, ଜଣେ ହରିଜନ କାଲି ଯେଉଁ କଲେଜ ଲେକ୍‌ଚରର୍‌ଙ୍କର ଛାତ୍ର ଥିଲା, କିଛି ଦିନ ପରେ ସେ କୋଟାରେ ଚାକିରି ପାଇ, କୋଟାରେ ପ୍ରମୋସନ୍‍ ପାଇ ରିଡ଼ର ହୋଇ ଗଲାଣି; ମାତ୍ର ତା’ର ସେହି ଶିକ୍ଷକ ବା ଗୁରୁ ଜୁନିୟର ଲେକ୍‌ଚରର ହୋଇ ରହିଛନ୍ତି ।

 

ମଣିଷଟା ତ କମ୍ପୁଟର ବା ଜୀବନହୀନ, ହୃଦୟ ବିହୀନ ଯନ୍ତ୍ର ନୁହେଁ । ତା’ର ବିଚାର, ବୁଦ୍ଧି, ବିବେକ, ଲଜ୍ଜା, ଆତ୍ମସମ୍ମାନ ଏବଂ ସାମାଜିକ ସ୍ଥିତି ରହିଛି । କାଲିର ଛାତ୍ରକୁ ସେ ଆଜି ଯଦି ‘ସାର୍‍’ ସମ୍ବୋଧନ କରିବାକୁ ତାଙ୍କୁ ବାଧ୍ୟ କରାଯାଏ ଏବଂ ଗୁରୁଙ୍କର ପଦୋନ୍ନତି ନ ହୋଇ ଆଗ ଛାତ୍ରର ପଦୋନ୍ନତି ହୋଇଯାଏ, ମଣିଷ ମନରେ କି କଠୋର ଆଘାତ ନ ଆସିବ ଟିକିଏ ହୃଦୟ ଖୋଲି ବିଚାରନ୍ତୁ ତ । ଆମ ବ୍ୟବସ୍ଥାପକ ମାନଙ୍କର ହୃଦୟ ଅଛି ତ ?

 

ସେହି ‘ଜାତି’ ପ୍ରଥା ଆଜି ଦେଶରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ଦୁଇଟା ଶ୍ରେଣୀ ସୃଷ୍ଟି କଲାଣି । ଏହା କିନ୍ତୁ ଦେଶର ଭବିଷ୍ୟତ ପାଇଁ ଆଦୌ ଶୁଭଜନକ ନୁହେଁ । ଉଚ୍ଚ ଜାତିରେ ଜନ୍ମ ହେବାଟା କ’ଣ ପାପ ? ବିଧାୟକମାନଙ୍କର ହୃଦୟ ଥିଲେ, ହୃଦୟରେ ସ୍ପନ୍ଦନ ଥିଲେ, ବୁଦ୍ଧି ଓ ବିବେକ ଘରେ ତାଲା ପଡ଼ି ନଥିଲେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ । ମୁଁ ତ କହିବି ଏ ‘ଜାତିପ୍ରଥା’ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଲିଛି, ତାହା କେବଳ ଭୋଟ ପାଇବା ଛଡ଼ା ଅନ୍ୟ କିଛି ନୁହେଁ ।

 

(୨୪)

ସମ୍ବିଧାନ ସଂଶୋଧନ ଏବଂ ସଂଶୋଧିତ ସମ୍ବିଧାନ

 

ସମ୍ବିଧାନ ସଂଶୋଧନ ବେଳେ ଗୃହରେ ଦୁଇ ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଦରକାର ପଡ଼େ । ଯେଉଁ ଦଳ କ୍ଷମତାରେ ଥାଏ ସେହି ଦଳର ଯଦି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ରହିଥାଏ ତେବେ ସେ ଦଳ ଯା’ ଇଚ୍ଛା ତା’ କରି ପକାଏ । ଏ ବ୍ୟବସ୍ଥାକୁ ଏପରି ପରିବର୍ତ୍ତନ କରାଯିବ, ଯେପରି ସମ୍ବିଧାନ ସଂଶୋଧନ ନିମନ୍ତେ ସର୍ବଦଳୀୟ କମିଟି ଗଠିତ ହେବ ଏବଂ ସେମାନେ ପ୍ରଥମେ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବାର ସୁଯୋଗ ପାଇବେ ।

 

ନଚେତ୍‌ ଏପରି ବ୍ୟବସ୍ଥା ରଖାଯାଆନ୍ତା ଯେପରି ସମ୍ବିଧାନ ସଂଶୋଧନର ଚିଠା ପ୍ରସ୍ତାବ ସର୍ବସାଧାରଣଙ୍କ ଅନୁମୋଦନ ବିନା ଗ୍ରହଣ କରାଯାଇ ପାରନ୍ତା ନାହିଁ । ଆବଶ୍ୟକ ହେଲେ ଗୋଟିଏ ଗୋଟିଏ ଚିଠା ପ୍ରସ୍ତାବ ଉପରେ ନାଗରିକମାନଙ୍କ ଠାରୁ ଭୋଟ ପ୍ରଥା ଅନୁସାରେ ମତ ସଂଗ୍ରହ କରାଯାଆନ୍ତା । ଏହି ବ୍ୟବସ୍ଥା ଦ୍ୱାରା ପ୍ରକୃତ ଗଣତାନ୍ତ୍ରିକ ପଦ୍ଧତି ଅନୁସୃତ ହେଉଛି ବୋଲି ଧରି ନିଆ ଯାଆନ୍ତା । କାରଣ କୌଣସି ଗୁରୁତର ବିଲ୍‍ ବା ସମ୍ବିଧାନ ସଂଶୋଧନ ହେବା ପୂର୍ବରୁ ସେହି ଚିଠାପ୍ରସ୍ତାବଟିକୁ ସର୍ବସାଧାରଣଙ୍କୁ ଆଗରୁ ଜଣାଇ ଦିଆ ଯାଆନ୍ତା ଏବଂ ଚିଠା ପ୍ରସ୍ତାବର ଭଲ ଓ ମନ୍ଦ ଉଭୟ ଦିଗଟି ଆଗରୁ ଆଲୋଚନା ହୋଇ ସର୍ବସାଧାରଣରେ ତାହା ଚର୍ଚ୍ଚା କରାଯାଇ ପାରନ୍ତା ।

 

ଆଜିକାଲି ବିଲ୍‌ ପାସ୍‍ ହୋଇ ତାହା କାର୍ଯ୍ୟକାରୀ ହେଲା ବେଳକୁ ଲୋକେ ତା’ର ଭଲମନ୍ଦ ବିଷୟ ଉପଲବ୍ଧି କରୁଛନ୍ତି, ଯେତେବେଳେ କାହାରି କିଛି କହିବାର ବା କରିବାର ଉପାୟ ନଥାଏ । କାରଣ ଆଜି ପାର୍ଲାମେଣ୍ଟରେ ଯେଉଁ ବିଲ୍‍ ଆଗତ ହେଉଛି, ତା’ ଆଦୌ ଜନସାଧାରଣଙ୍କ ମତ ନୁହେଁ । ଏପରିକି ସେ ବିଲ୍‍ ବା ସମ୍ବିଧାନ ସଂଶୋଧନ ପ୍ରସ୍ତାବ ବିଷୟରେ ଆଗରୁ M.P.ମାନେ ମଧ୍ୟ ଜାଣିପାରୁ ନାହାନ୍ତି । ବିଲ୍‍ ଗୃହରେ ଉପସ୍ଥାପିତ ହେଲେ ଯାଇ ସେମାନେ ଜାଣୁଛନ୍ତି । ଦଳୀୟ ଭିତ୍ତିରେ ସଂଖ୍ୟା ଗରିଷ୍ଠ ଥିବା ଦଳର ସଭ୍ୟମାନଙ୍କର ବିଚାରବିହୀନ ହାତଟେକା ରୀତିରେ ପ୍ରସ୍ତାବ ଗୃହରେ ଗୃହୀତ ହୋଇ ଯାଉଛି ଏବଂ ଲୋକଙ୍କ ଉପରେ ତାହା ଜବରଦସ୍ତ ଚପାଇ ଦିଆ ଯାଉଛି । ଏହା ଆଦୌ ସର୍ବସାଧାରଣଙ୍କ ବିଚାରକୁ ବା ଦୃଷ୍ଟିକୁ ଆସୁନି ।

 

ବାସ୍ତବିକ୍‌ ପାର୍ଲାମେଣ୍ଟ ଏବଂ ଆସେମ୍ଲିମାନଙ୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେଉଛି ତାହା ଗୃହୀତ ହେବା ଆଗରୁ ଜନ ସମର୍ଥନ ହାସଲ କରି ପାରୁନି, ଏହାହିଁ ଅତି ଦୁଃଖର କଥା । କେବଳ ଜଣେ ମନ୍ତ୍ରୀଙ୍କ ହୁଇମ୍‌ ହିଁ ଗୃହରେ ଗୃହୀତ ହୋଇ ଯାଉଛି ଏବଂ ତାକୁ ଦେଶର ୮୪ କୋଟି ଲୋକଙ୍କ ଉପରେ ଜବରଦସ୍ତ ଚାପି ଦିଆଯାଉଛି । ଏହାହିଁ ହେଉଛି ଆମ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ରୀତିନୀତିର ପ୍ରକୃତ ଚିତ୍ର ଓ ବାସ୍ତବ ରୂପ । ଜଣକର ହୁଇମ୍‌ ୮୪ କୋଟି ଲୋକଙ୍କ ଉପରେ ଲଦି ଦିଆଯିବାଟା କେଉଁ ଗଣତନ୍ତ୍ରରେ ଗଣା ?

 

ଏଣୁ ଆମର ପ୍ରସ୍ତାବ ହେଉଛି, ଯେ କୌଣସି ଗୁରୁତର ବିଲ୍‍ ଏବଂ ଯେ କୌଣସି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବାକୁ ଥିବା ବା ହେବ, ତା’ର ଚିଠା ଛାପାଯାଇ ବହୁଳ ଭାବରେ ସାରା ଦେଶର ନାଗରିକମାନଙ୍କ ପାଖରେ ପ୍ରଥମେ ପହଞ୍ଚିବ । ସେ ବିଷୟରେ ଦେଶର ବୁଦ୍ଧିଜୀବୀମାନେ ଏବଂ ସବୁ ଦଳରୁ ସମାନ ସମାନ ସଭ୍ୟଙ୍କୁ ନେଇ ଦେଶର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସବ୍‌ କମିଟିମାନ ଗଠନ କରାଯାଇ ବିଷୟଟିକୁ ଭଲ ଭାବରେ ଆଲୋଚନାର ସୁଯୋଗ ଦିଆଯିବ । ଏ ସମସ୍ତ ମତାମତ ମିଳିବା ପରେ ଚିଠା ପ୍ରସ୍ତାବରେ ଉପଯୁକ୍ତ ଅଦଳବଦଳ କରାଯାଇ ଆବଶ୍ୟକୀୟ ସଂଶୋଧନ ପୂର୍ବକ ଗୃହରେ ଗୃହୀତ ହେବ ।

 

ଏପରି ହେଲେ ମନମୁଖୀ ସମ୍ବିଧାନ ସଂଶୋଧନ ଏବଂ ଆଜେବାଜେ ବିଲ୍‍ ଗୃହରେ ଗୃହୀତ ହୋଇ ପାରିବ ନାହିଁ । ଏବଂ ଜଣେ ଜଣେ ଅଦୂରଦ୍ରଷ୍ଟା ମନ୍ତ୍ରୀଙ୍କ ହୁଇମ୍‌ ୮୪ କୋଟି ଲୋକଙ୍କ ଉପରେ ଜବରଦସ୍ତ ଲଦି ଦିଆଯାଇ ପାରିବ ନାହିଁ ।

 

ଏକଥା ବିଚାରିବା ଉଚିତ ନୁହେଁ ଯେ, କେବଳ M.L.A. ବା M.P.ଙ୍କୁ ବାଦ ଦେଲେ ଏ ଦେଶରେ ତାଙ୍କଠୁ ଆଉ ଅଧିକ ଜ୍ଞାନୀ, ବୁଦ୍ଧିମାନ୍‌ବ୍ୟକ୍ତି କେହି ନାହାନ୍ତି । ବରଂ ସେମାନଙ୍କ ଠାରୁ ଯଥେଷ୍ଟ ଜ୍ଞାନୀ ଓ ବିଚାରବନ୍ତ ତଥା ବୁଦ୍ଧିମାନ୍‌ବ୍ୟକ୍ତି ରହିଛନ୍ତି । ସୁତରାଂ ସେମାନଙ୍କୁ ନ ଜଣାଇ ବିଲ୍‍ ଆଣିବା ଓ ସମ୍ବିଧାନ ସଂଶୋଧନ କରିବା ଏକାବେଳକେ ଅସଙ୍ଗତ ଏବଂ ଅଗଣତାନ୍ତ୍ରିକ ତଥା ଜନସାଧାରଣଙ୍କ ପ୍ରତି ଏହା ଏକ ପ୍ରତାରଣା ବୋଲି ଆମ୍ଭର ବ୍ୟକ୍ତିଗତ ମତ ।

 

ଅନାବଶ୍ୟକ ହେଲେ ମଧ୍ୟ ଏହା ଏଠାରେ ସୂଚାଇ ଦେବା ଅସଙ୍ଗତ ହେବନାହିଁ ଯେ, ଆମ ଦେଶଟି ହେଉଛି ବିଭିନ୍ନ ସାମାଜିକ ରୀତିନୀତି ଓ ବିଭିନ୍ନ ପ୍ରକାର ସଂସ୍କୃତି ସମ୍ପନ୍ନ ଲୋକଙ୍କର ଏକ ଚିଡ଼ିଆଖାନା । ଜଳବାୟୁ ଦୃଷ୍ଟିରୁ ମଧ୍ୟ ଆମ ଦେଶଟି ଗୋଟିଏ ଛୋଟିଆ ପୃଥିବୀ ବୋଲି ପିଲାଦିନେ ଆମ ଗୁରୁ ଆମକୁ ପଢ଼ାଇ ଥିଲେ ।

 

ତେଣୁ ଦିଲ୍ଲୀ ଦରବାରରେ ବସି ଯେଉଁ ସମ୍ବିଧାନ ସଂଶୋଧନ କରାଯାଉଛି ତା’ ଦେଶର କେବଳ ମୁଷ୍ଟିମୟ ଅଞ୍ଚଳବାସୀଙ୍କ ପାଇଁ ଠିକ୍‌ ହୋଇପାରେ । ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ଅଧିବାସୀଙ୍କୁ ତା’ କେବେହେଲେ ସୁହାଇବ ନାହିଁ । ତେଣୁ ସରକାର ଏପରି କୌଣସି ଆଇନ ନ କରନ୍ତୁ ଯେଉଁ ଆଇନ କୌଣସି ନାଗରିକର ଜାତି, ଧର୍ମ, ସାମାଜିକ ରୀତିନୀତି ଏବଂ ସଂସ୍କୃତି ଓ ଭାଷା ଉପରେ ଆଞ୍ଚ ଆଣିବ । ଏପରି ହେଲେ ଦେଶରେ ଆଭ୍ୟନ୍ତରୀଣ ଅଶାନ୍ତି ବଢ଼ି ଚାଲିବ । ଜନ ଅଶାନ୍ତିର ବିଷ୍ଫୋରଣ ଘଟି ସରକାରୀ ବ୍ୟବସ୍ଥା ଉପରୁ ଲୋକଙ୍କର ଆସ୍ଥା ତୁଟିଯିବ ।

 

ତେଣୁ ଦେଶପାଇଁ ଏବଂ ରାଜ୍ୟ ପାଇଁ ଯେଉଁ ଆଇନ ଓ ଆଇନର ସଂଶୋଧନ ହେବ, ତାହା ଗୃହରେ ଗୃହୀତ ହେବା ଆଗରୁ କେବଳ ହାତଟେକା ଲୋକ ପ୍ରତିନିଧିଙ୍କ ଉପରେ ଛାଡ଼ି ଦିଆ ନଯାଇ ତାହା ଦେଶର ବିଭିନ୍ନ ଅଞ୍ଚଳରେ ଥିବା ବୁଦ୍ଧିଜୀବୀମାନଙ୍କର ଦୃଷ୍ଟିକୁ ପ୍ରଥମେ ଅଣାଯାଇ ତାଙ୍କର ମତାମତ ଲୋଡ଼ାଯିବା ଆବଶ୍ୟକ ।

 

ପୂର୍ବେ ଜଣେ ଜଣେ ରାଜା ମହାରାଜାଙ୍କ ଇଚ୍ଛା ଅନୁସାରେ ତାଙ୍କର ହୁଇମ୍‌କୁ କାର୍ଯ୍ୟରେ ପରିଣତ କରାଯାଉଥିଲା । ଆଜି ମଧ୍ୟ ଜଣେ ଜଣେ ମନ୍ତ୍ରୀଙ୍କ ହୁଇମ୍‍କୁ ଜନସାଧାରଣଙ୍କ ଉପରେ ଜବରଦସ୍ତ ଚପାଇ ଦିଆଯାଉଛି । ତେଣୁ ହେ ଗଣତାନ୍ତ୍ରରାଷ୍ଟ୍ରର ଗଣଜୟୀ ମନ୍ତ୍ରୀବର ! ତୁମେ ପୂର୍ବକାଳର ଯବନ ରାଜାଙ୍କ ଭଳି ଯେପରି କେତେବେଳେ ଚମଡ଼ାରେ ଟଙ୍କା ପ୍ରଚଳନ ନକର ବା ରାଜଧାନୀକୁ ଦିଲ୍ଲୀରୁ ଦୌଲତାବଦକୁ ଉଠାଇ ନ ନିଅ । ପ୍ରତ୍ୟେକ ବିଲ୍‌, ପ୍ରତ୍ୟେକ ସମ୍ବିଧାନ ସଂଶୋଧନ ପ୍ରସ୍ତାବର ବିଚାର ଆଲୋଚନା ଏବଂ ସଂଶୋଧନ ପାଇଁ ପ୍ରଥମେ ସର୍ବସାଧାରଣରେ ପ୍ରକାଶ କର ଏବଂ ତାକୁ ଆଲୋଚନା ପାଇଁ ଅନ୍ୟୂନ ୬ମାସ ସମୟ ଦିଅ । ଜରୁରୀ ଥିଲେ ୬ମାସ ପାଇଁ ଅର୍ଡ଼ିନାନ୍‌ସଜାରୀ କରିପାର । ମାତ୍ର ବିଲ୍‍କୁ ବା ସଂଶୋଧନ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅଜାଣତରେ ଗୃହରେ ଉପସ୍ଥାପିତ କରନା ।

 

(୨୫)

ରାଜ୍ୟମାନଙ୍କୁ ଅଧିକ କ୍ଷମତା ପ୍ରଦାନ ଏବଂ କେନ୍ଦ୍ରର କ୍ଷମତା ସଂକୋଚନ

 

ଦେଶବାସୀଙ୍କ ଉପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟଙ୍କର ଜୁଲମ ଚାଲିଛି । କେନ୍ଦ୍ର ସରକାର ପାର୍ଲାମେଣ୍ଟରେ କେତେକ ଆଇନ କରୁଛନ୍ତି ଏବଂ ତେଣେ ରାଜ୍ୟ ସରକାର ମଧ୍ୟ ଆସେମ୍ଲିରେ କିଛି ଆଇନ ପ୍ରଣୟନ କରୁଛନ୍ତି । ଗୋଟିଏ ଦେଶର ସେହି ଏକା ନାଗରିକ ନିଜ ରାଜ୍ୟର ଏବଂ କେନ୍ଦ୍ରର ଆଇନକୁ ମାନି ଚଳୁଛି ।

 

ଅର୍ଥ ବ୍ୟବସ୍ଥା ମଧ୍ୟ ସେହିପରି । ଏକ୍‌ସାଇଜ ଡିଉଟି, ଇମ୍ପୋର୍ଟ, ଏକ୍‌ସପୋର୍ଟ ଡିଉଟି, ସେଣ୍ଟ୍ରାଲ ସେଲଟ୍ୟାକ୍ସ ଆଦି ବାବଦରେ କେନ୍ଦ୍ର ସରକାର ପ୍ରତ୍ୟେକ ଦ୍ରବ୍ୟ ଉପରୁ ଟିକସ ଆଦାୟ କରୁ ଅଛନ୍ତି । ବାସ୍ତବ କ୍ଷେତ୍ରରେ ଦେଖାଯାଉଛି ଯେ ଗୋଟିଏ ଗୋଟିଏ ଦ୍ରବ୍ୟ ଉପରେ ନାନା ପ୍ରକାର ଟିକସ ଲାଗୁ କରାଯାଉଛି । ଯଥା: କେନ୍ଦ୍ର ସରକାର ଏକ୍‌ସାଇଜ ଡିଉଟି ଏବଂ ସେଣ୍ଟ୍ରାଲ ସେଲଟ୍ୟାକ୍ସ ନେଉଛନ୍ତି ଏବଂ ରାଜ୍ୟ ସରକାର ସେଲଟ୍ୟାକ୍ସ ଓ ଅକ୍‌ଟ୍ରାଇ ଟିକସ ଆଦାୟ କରୁଛନ୍ତି-। ଏହାଛଡ଼ା ତ କେନ୍ଦ୍ର ସରକାର ଇନ୍‌କମ ଟ୍ୟାକ୍ସ, ଓ୍ୱେଲ୍‌ଥ ଟ୍ୟାକ୍ସ, ଡେଥ୍‌ ଟ୍ୟାକ୍ସ ନେଉଛନ୍ତି ଏବଂ ରାଜ୍ୟ ସରକାର ଜମି ଉପରୁ ଟ୍ୟାକ୍ସ ଆଦାୟ କରୁଅଛନ୍ତି ।

 

ଆମ ଦେଶରେ ରାଜ୍ୟ ସରକାରଙ୍କର ନିଜ ରାଜ୍ୟରେ ଥିବା ଖଣିଜ ସମ୍ପଦ ଉପରେ ମାଲିକ ହେଉଛନ୍ତି କେନ୍ଦ୍ର ସରକାର । ମାଟିତଳୁ ଯଦି ସୁନା ବାହାରେ ବା ମୂଲ୍ୟବାନ୍‌ ଦ୍ରବ୍ୟ ବାହାରେ ତେବେ ତାକୁ କେନ୍ଦ୍ର ସରକାର ନେଇଯାଆନ୍ତି । ରାଜ୍ୟର ଅଧିକାର ସୀମିତ କେବଳ କୁକୁରକୁ ଶୁଖିଲା ରୁଟି ଦେଲା ପରି କିଛି ସାମାନ୍ୟ ରୟେଲ୍‌ଟି ଦିଆଯାଏ । କିନ୍ତୁ ମାଟି ତଳୁ ମୂଲ୍ୟବାନ୍‍ ପଦାର୍ଥ ନ ବାହାରି ଯଦି ମଇଳା ବାହାରେ, ଅଦରକାରୀ ଜିନିଷ ବାହାରେ ତେବେ ତାକୁ କେନ୍ଦ୍ର ସରକାର ଛୁଇଁବେ ନାହିଁ । ସେ ମଇଳାର ମାଲିକ ରାଜ୍ୟ ସରକାର ।

 

ରାଜ୍ୟ ସୃଷ୍ଟି ହେଲାପରେ ପ୍ରତି ରାଜ୍ୟ ଅଧିନରେ ସେହି ରାଜ୍ୟର ରାଜନୈତିକ ସୀମା ଅନୁଯାୟୀ ଗୋଟିଏ ନିର୍ଦ୍ଦିଷ୍ଟ ସୀମାରେଖା ରହିଥାଏ ଏବଂ ସେହି ସୀମା ସରହଦ୍‌ ମଧ୍ୟରେ ଯେତେ ମଣିଷ, ପ୍ରାଣୀ, ଜଙ୍ଗଲ, ନଦୀ, ହ୍ରଦ ଇତ୍ୟାଦି ରହିଲା ତା’ର ବିକାଶ ନିମନ୍ତେ ରାଜ୍ୟ ସରକାର ଦାୟୀ ରହନ୍ତି ।

 

କିନ୍ତୁ ବିଚାର କରି ଦେଖିବାକୁ ଗଲେ ଜଣାଯିବ ଯେ କେନ୍ଦ୍ର ସରକାରଙ୍କର ନିଜର କୌଣସି ଜମି ବାଡ଼ି ନାହିଁ ଯାହାର ବିକାଶ ପାଇଁ ତାଙ୍କୁ ଅର୍ଥ ଦରକାର । କିନ୍ତୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ ରାଜ୍ୟବାସୀଙ୍କୁ ନାନାଭାବରେ ଶୋଷଣ କରି, ଟିକସ ବସାଇ, ପ୍ରଚୁର ଅର୍ଥ ସଂଗ୍ରହ କରି ନିଅନ୍ତି । ସେହି ଅର୍ଥରୁ କିଛି ଅଂଶ ରାଜ୍ୟମାନଙ୍କୁ ଦେଇ ବାକି ସବୁ ଅର୍ଥକୁ ନିଜେ ଖର୍ଚ୍ଚ କରନ୍ତି ।

 

ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ, ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ରାଜ୍ୟମାନଙ୍କର କ୍ଷମତା ସୀମିତ କରି ରଖାଯାଇଛି । ତେଣୁ ଆଜି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କ୍ଷମତା ନେଇ ଭିଡ଼ାଓଟରା ଚାଲିଛି ।

 

କେନ୍ଦ୍ରର ନିଜର ତ ଜମିବାଡ଼ି ବା ଲୋକବାକ କେହି ନାହାନ୍ତି । ସେ ଦୃଷ୍ଟିରୁ କେନ୍ଦ୍ର ହାତରେ କେବଳ ଦେଶରକ୍ଷା ବ୍ୟତୀତ ଅନ୍ୟ ଖର୍ଚ୍ଚ ପ୍ରାୟ କିଛି ନାହିଁ । ତେଣୁ କେନ୍ଦ୍ର ସରକାର କୌଣସି ଟିକସ ଆଦାୟ ନ କରି ରାଜ୍ୟମାନଙ୍କଠାରୁ ଚାନ୍ଦା ନେଇ ଚଳିବା ଉଚିତ ।

 

(୨୬)

ସନ୍ତ୍ରାସବାଦ କାର୍ଯ୍ୟକ୍ରମର ମୂଳୋତ୍ପାଟନ

Unknown

 

ଆମ ଦେଶରେ ସନ୍ତ୍ରାସବାଦ ମୁଣ୍ଡ ଟେକିଛି । ଏଥିପାଇଁ ଦାୟୀ ଆମର ତ୍ରୁଟି ପୂର୍ଣ୍ଣ ଶାସନ ବ୍ୟବସ୍ଥା ଓ ବେଆଇନ ବିଚାରଧାରା ।

 

ସନ୍ତ୍ରାସବାଦୀ ଦୁଇ ପ୍ରକାର । ବାହାର ଦେଶରୁ ଆସୁଥିବା ଅଣୁପ୍ରବେଶକାରୀ ସନ୍ତ୍ରାସବାଦୀମାନେ ଆମ ଦେଶର ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ହାତ କରି ଏ ଦେଶରେ ପ୍ରବେଶ କରୁଛନ୍ତି-। କେତେକ ଅତ୍ୟାଧୁନିକ ନିଶା କାରବାର ନିମନ୍ତେ ଆତ୍ମରକ୍ଷା ପାଇଁ ଏବଂ ଆକ୍ରମଣ ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ଧାରଣ କରି ବେପାର ଉଦ୍ଦେଶ୍ୟରେ ଆସି ଆବଶ୍ୟକ ବେଳେ ସେହି ଅସ୍ତ୍ରଶସ୍ତ୍ରର ଅପବ୍ୟବହାର କରୁଛନ୍ତି । କେତେକ ପରରାଷ୍ଟ୍ରମାନଙ୍କରୁ ପ୍ରୋତ୍ସାହନ ଲାଭ କରି ଆସି ଏଠି ଅଶାନ୍ତି ସୃଷ୍ଟି କରୁଛନ୍ତି । ପର ରାଷ୍ଟ୍ରରୁ ପ୍ରୋତ୍ସାହନ ପାଇ ଆସୁଥିବା ସନ୍ତ୍ରାସବାଦୀ ମାନଙ୍କୁ ଆମର ପ୍ରକୃତ ଦୁସ୍ମନ୍‌ ବା ଶତ୍ରୁ ବୋଲି ବିଚାର କରି ତାଙ୍କୁ ଦେଖିଲାମାତ୍ରେ ଗୁଳି କରି ଦିଆଯିବା ଉଚିତ ।

 

କିନ୍ତୁ ଯେଉଁ ସନ୍ତ୍ରାସବାଦୀମାନେ ଏଇ ଦେଶରୁ ଜନ୍ମ ନେଇ ଗଣ୍ଡଗୋଳ କରୁଅଛନ୍ତି ସେମାନଙ୍କ କଥା ନିଆରା । ପ୍ରଚଳିତ ଆଇନ, ପ୍ରଚଳିତ ଶାସନ ବ୍ୟବସ୍ଥାରେ ଯଦି କେହି ଅସନ୍ତୁଷ୍ଟ ହୁଏ ଏବଂ ବିଚାରାଳୟରୁ ଅଳ୍ପସମୟ ମଧ୍ୟରେ ନ୍ୟାୟ ନ ପାଏ, ତେବେ ସେ ଅନ୍ୟ ଉପାୟ ନ ଦେଖି ସନ୍ତ୍ରାସବାଦୀ ସାଜେ ।

 

କେତୋଟି ମାତ୍ର ଦୃଷ୍ଟାନ୍ତ ଏଠାରେ ଦେଲେ କଥାଟିକୁ ସହଜରେ ବୁଝି ହେବ ଏବଂ ବୁଝାଇ ଦେଇ ହେବ ବୋଲି ମୋର ବିଶ୍ୱାସ ।

 

ଧରନ୍ତୁ ଇନ୍‌କମ୍‌ ଟ୍ୟାକ୍ସ ଅଫିସରଙ୍କ କଥା । ଜଣେ ସଚ୍ଚୋଟ ଆସେସି ଯଦି ଠିକ୍‌ ଭାବେ ତା’ର ହିସାବପତ୍ର ବୁଝାଇ ଉଚିତ ଟ୍ୟାକ୍ସ ପଇଠ କରେ, ତେବେ ଏ ଦେଶରେ ସେ ଆଦୌ ବିପଦମୁକ୍ତ ନୁହେଁ । କାରଣ ଜଣେ ସଚ୍ଚୋଟ ହେଲେ ତା’ର ଶନିଦଶା ପଡ଼ିଲା ବୋଲି ଜାଣ । ଜଣେ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀ ଯଦି ଇନ୍‌କମ ଟ୍ୟାକ୍ସ ଅଫିସରଙ୍କୁ ଆସେସମେଣ୍ଟ ପୂର୍ବରୁ ମୋଟା ଆକାରରେ କିଛି ଉତ୍କୋଚ ଦେଇ ସାରିଥିବ ତେବେ ତା’ର ୫ମ ବୃହସ୍ପତି । ଆଜି ଯେତେ ଯେତେ ଇନ୍‌କମ ଟ୍ୟାକ୍ସ କେସ୍‍ ଗଡ଼ୁଛି ତନ୍ମଧ୍ୟରୁ ଶତକଡ଼ା ୯୦ ଭାଗ ହେଉଛି ମିଥ୍ୟା କେସ୍‍ ଯାହା ସଚ୍ଚୋଟ ବ୍ୟବସାୟୀଙ୍କ ଉପରେ କରାଯାଇଛି । ସଚ୍ଚୋଟ ପଣିଆ ନଦେଖାଇ ଯଦି ମୂଳରୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଉତ୍କୋଚ ଦେଇ ପାରିଥାନ୍ତେ ତେବେ ସେମାନଙ୍କର ଆଜି ଏ ଦଶା ଘଟି ନଥାନ୍ତା ।

 

ସେଲ୍‌ଟ୍ୟାକ୍ସ କଥା ବି ସେହିପରି ।

 

ନ୍ୟାୟ ପାଇବାକୁ ଯାଇ ଜଣେ ଯଦି ବର୍ଷ ବର୍ଷ ଧରି କୋର୍ଟରେ ଲାଇନ୍‌ ଲଗାଏ ତେବେ ତା’ର ମାନସିକ ଅବସ୍ଥା କ’ଣ ହେବ ?

 

ଆଇନ ଅନୁସାରେ ଓ କୋଟା ବା ରିଜର୍ଭେସନ୍‌ ପଲିସି ଅନୁସାରେ ଯଦି ଜଣେ ଜୁନିଅର ଅଫିସର ତା’ ସିନିଅରକୁ ଟପିଯାଏ ତେବେ ତା’ର ମାନସିକ ଅବସ୍ଥା କ’ଣ ହେବ ?

 

ସ୍ଵାଧୀନ ଦେଶର ପୁଣି ଗୋଟାଏ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ ହୋଇ ତା’ ଆଖି ଆଗରେ ଘଟି ଯାଉଥିବା ସରକାରୀ ଲୋକଙ୍କ ଅନ୍ୟାୟ ଆଚରଣର ସେ ଯଦି କୌଣସି ପ୍ରତିକାର କରି ନ ପାରେ ଏବଂ ଆଇନ ମଧ୍ୟ ତାକୁ ସାହାଯ୍ୟ ନ କରେ ତେବେ ତା’ ମନର ଅବସ୍ଥା କ’ଣ ହେବ ?

 

କୌଣସି ସ୍ଵତନ୍ତ୍ର ବେପାର ବାଣିଜ୍ୟ ନଥାଇ ଯେଉଁ ଏମ୍‌.ଏଲ.ଏ. ଏବଂ ଏମ୍‌.ପି.ଙ୍କର ସମ୍ପତ୍ତି ୫ ବର୍ଷ ପୂର୍ବରୁ ଯା ଥିଲା ଆଜି ଯଦି ତାହା ୧୦ ଗୁଣ, ୧୦୦ ଗୁଣ ଏପରିକି ହଜାରେ ଗୁଣରେ ପହଞ୍ଚିଯାଏ ତେବେ ସାଧାରଣ ଲୋକଙ୍କ ମନରେ କି ପ୍ରକାର ଭାବ ଉଦୟ ହେବ ?

 

ଟିକସ ବାଲା, କ୍ଷମତା ସମ୍ପନ୍ନ ବ୍ୟକ୍ତି, ବଡ଼ ବଡ଼ ବ୍ୟବସାୟୀ, ଇଣ୍ଡଷ୍ଟ୍ରିୟାଲିଷ୍ଟମାନେ ଅଳ୍ପ ସମୟ ମଧ୍ୟରେ ଅତ୍ୟଧିକ ଧନ ସମ୍ପଦର ଅଧିକାରୀ ହୋଇ ଉଠୁଥିବା ଘଟଣା ଦେଖି ଦେଖି ରକ୍ତ ମାଂସ ଶରୀର ଏବଂ ବୁଦ୍ଧି ବିବେକଧାରୀ ମଣିଷ ମନରେ କି ପରିବର୍ତ୍ତନ ଆସିବ ଥରେ ଭାବିଲେ ।

 

ସୌଭାଗ୍ୟର କଥା ଏ ଦେଶରେ ଏପରି ଅନେକ ଅନେକ ଅନ୍ୟାୟ ଅବିଚାର, ଅଘଟଣ ଘଟି ଯାଉଥିଲେ ମଧ୍ୟ ଜନ ସଚେତନତାର ଯଥେଷ୍ଟ ଅଭାବ ରହିଛି । କେହି ଯଦି ଆଇନ ବିରୁଦ୍ଧରେ କିଛି କହେ ବା କରେ ତାକୁ ‘ସନ୍ତ୍ରାସବାଦୀ’ ବୋଲି କହିଦେବା ସହଜ ମଧ୍ୟ । ଯା ହେଉ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିପାରୁଥିବା ସନ୍ତ୍ରାସବାଦୀଙ୍କ ସଂଖ୍ୟା ସେ ତୁଳନାରେ ଖୁବ୍‌ କମ୍‌ । ମୋ ମତରେ ସ୍ଵଦେଶୀ ସନ୍ତ୍ରାସବାଦୀଙ୍କ ସଂଖ୍ୟା ଆହୁରି ଅଧିକ ହେବା ଉଚିତ । ତା’ ନହେଲେ ଅସାଧୁ ଲୋକଙ୍କ ଦ୍ୱାରା ପ୍ରଚଳିତ ତ୍ରୁଟିପୂର୍ଣ୍ଣ ଆଇନ ବଳରେ ଅନ୍ୟାୟକୁ ଅପସାରଣ କରାଯାଇ ପାରିବ ନାହିଁ ।

 

ସଂକ୍ଷେପରେ କହିବାକୁ ଗଲେ ‘ସନ୍ତ୍ରାସବାଦ’ଟି ହେଉଛି ଅନ୍ୟାୟ, ଅତ୍ୟାଚାର ଏବଂ କୁଶାସନ ବିରୁଦ୍ଧରେ ସଚେତନ ମାନବର ଏକ ‘ସାମାନ୍ୟ ବିଷ୍ଫୋରଣ’ ମାତ୍ର । ଏଥିରୁ ପାଠକେ ଯା ବୁଝିବେ ।

 

ତେଣୁ ସ୍ଵଦେଶୀ ନକ୍‌ସଲପନ୍ଥୀ ଏବଂ ସ୍ଵଦେଶୀ ଟେରୋରିଷ୍ଟଙ୍କର ମନୋଭାବ ପ୍ରତି ଆମର ଦୃଷ୍ଟି ଆକର୍ଷଣ ହେବା ଉଚିତ । ସରକାରୀ କଳର କ୍ଷମତାଧାରୀ ଲୋକମାନେ କୌଣସି ଅନ୍ୟାୟ ଅବିଚାର କଲେ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦଣ୍ଡ ଦିଆଯିବାର ବ୍ୟବସ୍ଥା ହେବା ଉଚିତ । କୋର୍ଟ କଚେରିର ଗଦା ଗଦା ଆଇନ ବହି ମାଧ୍ୟମରେ ନୁହେଁ, ବରଂ ପ୍ରତି ସାଇ, ବସ୍ତି ଓ ପଞ୍ଚାୟତ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ସମସ୍ତଙ୍କର ବିଚାର ହେବା ଉଚିତ । ଏହିଭଳି ବିଚାର ବେଳେ କିଏ ଅଫିସର, କିଏ ମନ୍ତ୍ରୀ ବା କିଏ ଲୋକ ପ୍ରତିନିଧି ସେ ସବୁ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆ ନଯିବା ଉଚିତ କିମ୍ବା ତାଙ୍କ ପାଇଁ କୌଣସି ସ୍ଵତନ୍ତ୍ର କଟକଣା ମଧ୍ୟ ନ ରହିବା ଉଚିତ ।

 

ଇଣ୍ଡଷ୍ଟ୍ରିଆଲିଷ୍ଟ, ବ୍ୟବସାୟୀ ଏମାନେ ନିର୍ଦ୍ଦିଷ୍ଟ ଲାଭରୁ ଅଧିକ ନେଲେ ସେମାନଙ୍କୁ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଭାଷାରେ ସର୍ବସାଧାରଣ ରାସ୍ତାର ବତୀ ଖୁଣ୍ଟରେ ଫାଶୀ ଦିଆଯିବା ଉଚିତ । ଏବଂ ବିଚାରାଳୟ ଦ୍ୱାରା ସରକାରୀ ଚାକିରିଆମାନେ କାହା ପ୍ରତି ବେଆଇନ କାର୍ଯ୍ୟାନୁଷ୍ଠାନ କରିଥିବାର ପ୍ରମାଣ ହେଲେ ସେହି କର୍ମଚାରୀଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ । ସେହିପରି ପୁଲିସ କାର୍ଯ୍ୟାନୁଷ୍ଠାନ ଅତ୍ୟଧିକ ବୋଲି ପ୍ରମାଣ ହେଲେ ତାଙ୍କୁ ମଧ୍ୟ କଠିନ ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ । ସ୍ଵଦେଶୀ ସନ୍ତ୍ରାସବାଦୀଙ୍କ ସଂଖ୍ୟା କମାଇବା ପାଇଁ ଆଇନରେ ଏପରି ବହୁତ ସଂସ୍କାର ଅଣାଯିବା ଉଚିତ । ତାହା ହେଲେ ଯାଇ ସରକାରଙ୍କ ଉପରେ ମଣିଷର ଆସ୍ଥା ରହିବ । ନଚେତ୍‌ ତା’ର ଉତ୍ତର କେବଳ ସ୍ୱଦେଶୀ ଉଗ୍ରପନ୍ଥୀ, ସ୍ଵଦେଶୀ ସନ୍ତ୍ରାସବାଦୀ ଏବଂ ନକ୍‌ସଲପନ୍ଥୀମାନେ ହିଁ ଦେଇ ପାରିବେ । ଦେଶ ଶାସନରେ ଓ ଶାସନ କଳରେ ଦୁର୍ନୀତି ଅନ୍ୟାୟ, ତ୍ରୁଟିପୂର୍ଣ୍ଣ ଆଇନ, ତ୍ରୁଟିପୂର୍ଣ୍ଣ ଅର୍ଥ ବ୍ୟବସ୍ଥା, ବିଚାର ବିଳମ୍ବ ସଂରକ୍ଷଣ, ସରକାରୀ କର୍ମଚାରୀଙ୍କୁ ଅଧିକ କ୍ଷମତା ପ୍ରଦାନ, ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିମାନଙ୍କୁ ଅଧିକ ସ୍ଵାତନ୍ତ୍ର୍ୟତା ପ୍ରଦାନ ଏବଂ ସେମାନଙ୍କୁ ଅତ୍ୟଧିକ ସୁରକ୍ଷା ପ୍ରଦାନ, ଏକା ଦେଶର ନାଗରିକ ହୋଇ ପରସ୍ପରର ଆୟରେ ଅତ୍ୟଧିକ ତାରତମ୍ୟ, ବଡ଼ ବଡ଼ ବ୍ୟବସାୟୀ ଓ ଇଣ୍ଡଷ୍ଟ୍ରିଆଲିଷ୍ଟମାନଙ୍କର ମନମୁଖୀ ଲାଭଖୋର ନୀତି ଯେତିକି ଯେତିକି ବଢ଼ିବ, ଉଗ୍ରପନ୍ଥୀଙ୍କ ସଂଖ୍ୟାବି ସେତିକି ସେତିକି ବଢ଼ୁଥିବ ।

 

(୨୭)

ଶ୍ରମିକ ନୀତି

 

ଆଜି ଦେଶରେ ଶ୍ରମିକମାନଙ୍କ ଉନ୍ନତି ପାଇଁ ଟ୍ରେଡ଼ଇଉନିୟନ ଗଠନ କରାଯାଇଛି । ମାତ୍ର ଟ୍ରେଡ଼ଇଉନିୟନର ନେତାମାନେ ମଧ୍ୟ ନିର୍ମଳ ନୁହନ୍ତି । ବହୁ ଶ୍ରମିକନେତା ଶ୍ରମିକମାନଙ୍କ ଠାରୁ ଖୋଲାଖୋଲି ଭାବେ ମାସିକ ଚାନ୍ଦା ନିଅନ୍ତି ଏବଂ ତେଣେ ମାଲିକମାନଙ୍କ ଠାରୁ ମଧ୍ୟ ଲୁଚାଇ ମୋଟା ଧନ ସଂଗ୍ରହ କରନ୍ତି ।

 

ସରକାରଙ୍କ କାଗଜପତ୍ରରେ ଯା ଥାଉନା କାହିଁକି ବାସ୍ତବ କଥା ହେଉଛି ଅନେକ ସମୟରେ ମାଲିକମାନେ ଅତ୍ୟଧିକ ଲାଭ ଆଶାରେ ତାଙ୍କ କାରଖାନାରୁ ଉତ୍ପାଦିତ ଜିନିଷର ଦର ବଢ଼ାଇବା ପାଇଁ ଶ୍ରମିକ ନେତାଙ୍କୁ ଗୁପ୍ତରେ ଡାକି ଆଣି, ତାଙ୍କୁ କିଛି ଉତ୍କୋଚ ଦେଇ ନିଜ କାରଖାନାରେ ଧର୍ମଘଟ କରାଇବା ପାଇଁ କହନ୍ତି । ଏଣୁ ତେଣୁ ୫/୧୦ଟା ଦାବିପତ୍ର ଦେଇ ଶ୍ରମିକ ନେତା ଖୁବ୍‌ ତୁମ୍ବିତୋଫାନ ଦେଖାଇ, ଗରମ ଗରମ ଭାଷଣ ଦେଇ ଧର୍ମଘଟ କରି ଦିଅନ୍ତି । ୧୦/୧୫ ଦିନ ବା ତା’ରୁ ଅଧିକ ଦିନ ଧର୍ମଘଟ ଚାଲେ । ସରକାରଙ୍କ ଦୃଷ୍ଟିକୁ ଆସେ । କନ୍‌ସିଲେଶନ୍‌ ହୁଏ । ୧୦ଟା ଦାବିରୁ ୫ଟା ପୂରଣ ହୁଏ । ଧର୍ମଘଟ ଭାଙ୍ଗେ । କାରଖାନା ଖୋଲେ-। ଉତ୍ପାଦନ ଆରମ୍ଭ ହୋଇଯାଏ । ଏଥର ପଡ଼ିଲା କାରଖାନା ମାଲିକଙ୍କ ପାଳି । ସେ ହିସାବ କରି ଦେଖିଲେ ଯେ ଧର୍ମଘଟ ଫଳରେ ତାଙ୍କର ମାସକୁ ଆଉ ୫୦୦୦ଟଙ୍କା ଅଧିକ ପେମେଣ୍ଟ ଦେବାକୁ ପଡ଼ିଲା । ତେଣୁ ସେ ତାଙ୍କ ଜିନିଷ ଉପରେ ଅତ୍ୟଧିକ ଦାମ୍‌ ବଢ଼ାଇ ଦିଅନ୍ତି । ସରକାରଙ୍କର ମଧ୍ୟ କିଛି କହିବାର ନଥାଏ । କାରଣ ଷ୍ଟ୍ରାଇକ ହେଲା । ଦାବି ପୂରଣ କରାଗଲା । ତେଣୁ ଜିନିଷ ଦର ବଢ଼ିଲା । ମାତ୍ର ମାଲିକ ହିସାବ କରି ଦେଖିଲେ ତେଣେ ମାସକୁ ୫୦୦୦ଟଙ୍କା ଅଧିକ ଗଲେ କ’ଣ ହେଲା, ସେ ଯଦି ନିଜ ଫ୍ୟାକ୍ଟରୀରୁ ଉତ୍ପାଦିତ ଜିନିଷର ଗୋଟିଏ ପାକେଟ୍‌ ଉପରେ ୫୦ ପଇସା ବଢ଼ାଇ ଦେବେ, ତେବେ ତ ତାଙ୍କର ମାସକୁ ୫୦ ହଜାର ଟଙ୍କା ଅଧିକ ଆୟ ହୋଇଯିବ-। ତେଣୁ ପାଇବା ଏବଂ ଦେବାକୁ ହିସାବକଲେ ତାଙ୍କର ନେଟ୍‌ ପ୍ରଫିଟ୍‌ ହେଉଛି-

 

ଟ୫୦,୦୦୦–ଟ୫,୦୦୦= ଟ୪୫,୦୦୦ । ସୁତରାଂ ବେଳେବେଳେ ଏଇପରି ଭାବରେ ମାଲିକଙ୍କ ତରଫରୁ ମଧ୍ୟ ଧର୍ମଘଟର ବ୍ୟବସ୍ଥା ହୋଇଥାଏ ।

 

ମୋ ମତରେ ଏ ଟ୍ରେଡ଼ ଇଉନିୟନ ରହୁ ବା ନ ରହୁ ଶ୍ରମିକ ନୀତିର ଆମୂଳଚୂଳ ପରିବର୍ତ୍ତନ କରାଯାଉ ।

 

ସଂକ୍ଷେପରେ ଶ୍ରମିକ ନୀତି

 

ପ୍ରତିବର୍ଷ ଜାନୁଆରୀ ମାସ ୧ ତାରିଖ ପୂର୍ବରୁ ଶ୍ରମିକମାନେ ତାଙ୍କର ଦାବିପତ୍ର ମାଲିକ ଏବଂ ସମ୍ପୃକ୍ତ ସରକାରୀ ଦପ୍ତରରେ ଦାଖଲ କରିବେ ।

 

୩ ମାସ ମଧ୍ୟରେ ୩ ଜଣିଆ ଟ୍ରିବୁନାଲ ଦ୍ଵାରା ତା’ର ବିଚାର କରାଯାଇ ଯେଉଁ ଦାବି ରହିବ ବା ନରହିବ ତା’ର ରାୟ ଶୁଣାଇ ଦିଆଯିବ ଏବଂ ତାହା ଏପ୍ରିଲ ମାସ ଏକ ତାରିଖ ଠାରୁ ବର୍ଷକ ପାଇଁ ଲାଗୁ କରାଯିବ ।

 

ଷ୍ଟ୍ରାଇକ ଓ ଲକ୍‌ ଆଉଟକୁ ପୂରାପୂରି ବେଆଇନ କରାଯିବ । କୌଣସି ପକ୍ଷ କସ୍ମିନ କାଳେ ଏହା କରିପାରିବେ ନାହିଁ । ଯଦି କରନ୍ତି ତାକୁ ଦେଶ ଦ୍ରୋହ ବୋଲି ଧରାଯିବ । ଦେଣ ନେଣ ବ୍ୟତୀତ ଅନ୍ୟାନ୍ୟ ଦାବି ମଧ୍ୟ ସେହିପରି ଟ୍ରିବୁନାଲଙ୍କୁ ଦିଆଯିବ ଏବଂ ଅଳ୍ପ ସମୟ ମଧ୍ୟରେ ତା’ର ବିଚାର ହେବ ।

 

ଏହାଦ୍ୱାରା ଟ୍ରିବୁନାଲ ସଂମ୍ପୃକ୍ତ ଇଣ୍ଡଷ୍ଟ୍ରିର ଲାଭକ୍ଷତି, ମାର୍କେଟ ପରିସ୍ଥିତି ଆଦି ଯାଞ୍ଚ କରି ପାରିବେ ଏବଂ ସବୁ ଦିଗକୁ ଦୃଷ୍ଟି ରଖି ଯେଉଁ ରାୟ ଦେବେ ତାହାହିଁ ଶ୍ରମିକ ଏବଂ ମାଲିକ ଉଭୟେ ମାନିନେବେ ।

 

ଟ୍ରିବୁନାଲଙ୍କର ମଧ୍ୟ ଏପରି କ୍ଷମତା ରହିବ ଯାହା ଦ୍ୱାରା ସେ ଇଣ୍ଡଷ୍ଟ୍ରିୟାଲିଷ୍ଟଙ୍କର ଅଯଥା ଖର୍ଚ୍ଚକୁ ମଧ୍ୟ କାଟିଦେଇ ପାରିବେ । ଅଧିକା ଲାଭକୁ ମଧ୍ୟ ନିଷେଧ କରିଦେଇ ପାରିବେ । ଏକ୍ସପାର୍ଟଙ୍କ ଦ୍ୱାରା ପ୍ରତ୍ୟେକ ଇଣ୍ଡଷ୍ଟ୍ରିୟାଲ ପ୍ରଡ଼କ୍ଟର ଦର ଦାମ୍‌ ସ୍ଥିର ହେବ ଏବଂ ତାକୁଇ କେବଳ ଟ୍ରିବୁନାଲ ବିଚାରକୁ ନେବେ ।

 

ଏହାହେଲେ ଶିଳ୍ପାନୁଷ୍ଠାନରେ ଉତ୍ପାଦନ ବଢ଼ିବ, ଧର୍ମଘଟ ବା ତାଲାବନ୍ଦ ହେବନାହିଁ । ଜାତୀୟ ଆୟ ବୃଦ୍ଧି ପାଇବ, ଶିଳ୍ପପତି ମାନଙ୍କର ମିଥ୍ୟା ଓ କପୋଳ କଳ୍ପିତ ଲମ୍ବାଚଉଡ଼ା ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଇପାରିବ, ଡିଲର ଓ ଏଜେଣ୍ଟମାନଙ୍କୁ ଉଚ୍ଚ ହାରରେ ଦିଆଯାଉଥିବା କମିଶନ୍‌ ଆଦିକୁ ସୀମିତ କରାଯାଇ ପାରିବ, ଏକ୍‌ସପାର୍ଟଙ୍କ ଦ୍ୱାରା ଶିଳ୍ପଜାତ ଦ୍ରବ୍ୟମାନଙ୍କର ଦର ସ୍ଥିର ହୋଇଗଲେ ଦେଶର ୮୪ କୋଟି ଲୋକ ବା ଖାଉଟି ଉଚିତ ମୂଲ୍ୟରେ ଜିନିଷପତ୍ର ପାଇ ପାରିବେ-

 

ଆମ୍ଭର ପ୍ରସ୍ତାବିତ ଶ୍ରମିକନୀତି କାର୍ଯ୍ୟକାରୀ ହେଲେ, କୌଣସି କାରଖାନାରେ ଧର୍ମଘଟ ହେବ ନାହିଁ କିମ୍ବା କାରଖାନାରେ ତାଲା ପଡ଼ିବ ନାହିଁ । ଫଳରେ ଟ୍ରେଡ଼ଇଉନିୟନର କାର୍ଯ୍ୟକଳାପ ସୀମିତ ହୋଇଯିବ ।

 

(୨୮)

ପରିବେଶ ନଷ୍ଟିକରଣରେ ଆଇନକର୍ତ୍ତାଙ୍କ ଯୋଗଦାନ

 

ବିଂଶ ଶତାବ୍ଦୀର ଶେଷ ଭାଗରେ ସାରା ପୃଥିବୀବାସୀ ପରିବେଶ ସୁରକ୍ଷା ପାଇଁ ଚିନ୍ତିତ-। ବହୁ ଦେଶ ଏଥିପାଇଁ କଡ଼ା ଆଇନମାନ ପ୍ରଣୟନ କଲେଣି । ଭାରତବର୍ଷ ମଧ୍ୟ ଏଥିରୁ ବାଦ୍‍ ଯାଇନି । ଇଣ୍ଡଷ୍ଟ୍ରିମାନଙ୍କ ପ୍ରତି ପରିବେଶ ସୁରକ୍ଷା ଆଇନ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି-। ଜଙ୍ଗଲରୁ ଶିକାର ଓ ଗଛ କଟା ବନ୍ଦ କରାଯାଇଛି । ଏହା ସଂଗେ ସଂଗେ ନୂଆ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ସମସ୍ତ ନାଗରିକଙ୍କୁ ନାନା ଭାବରେ ଉତ୍ସାହିତ ତଥା ସମ୍ପୃକ୍ତ କରାଯାଉଛି । ସରକାରଙ୍କର ବିଭିନ୍ନ ଯୋଜନାରୁ ଯଦି ଶତକଡ଼ା ୬୦ ଭାଗ କାର୍ଯ୍ୟକାରୀ ହୋଇପାରେ, ତେବେ ଆଗାମୀ ୧୫/୨୦ ବର୍ଷ ମଧ୍ୟରେ ଦେଶର ହୃତ ଜଙ୍ଗଲ ପଶୁପକ୍ଷୀଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଯିବ ।

 

ସରକାର ଯେପରି ପ୍ରଚାର କରୁଛନ୍ତି ଯେ, ‘ବୁନ୍ଦାଏ ପେଟ୍ରୋଲ ବଞ୍ଚାଇବା ଅର୍ଥ ବୁନ୍ଦାଏ ପେଟ୍ରୋଲ ଅର୍ଜନ କରିବା’; ଠିକ୍‌ ସେହିପରି ପରିବେଶ ପ୍ରତି ଅତ୍ୟାଚାର କମାଇବା ଅର୍ଥ ମଧ୍ୟ ପରିବେଶ ସୁରକ୍ଷା ସହିତ ସମାନ । ତେଣୁ ଏକ ଦିଗରେ ନୂଆ ନୂଆ ବଣଜଙ୍ଗଲ ସୃଷ୍ଟି ସାଙ୍ଗକୁ ତାକୁ ଯଦି କମ୍‌ ନଷ୍ଟ କରାଯାଏ, ଅର୍ଥାତ୍‌ କେତେକ ଇଣ୍ଡଷ୍ଟ୍ରି ପାଇଁ ଆବଶ୍ୟକ ହେଉଥିବା ଗଛ, କାଠ, ବାଉଁଶ ଇତ୍ୟାଦି ଜଙ୍ଗଲ ଜାତ ଦ୍ରବ୍ୟର ବ୍ୟବହାରକୁ ବହୁ ପରିମାଣରେ କମାଇ ଦିଆଯାଇ ପାରେ ତେବେ ଜଙ୍ଗଲ ସୁରକ୍ଷା ଅଳ୍ପ ସମୟରେ ହୋଇପାରିବ । ସୁତରାଂ ଏଠାରେ ଜଙ୍ଗଲ ସୁରକ୍ଷା ଉପରେ ହିଁ ଆଲୋକପାତ୍‌ କରାଯାଉଛି ।

 

ପାର୍ଲାମେଣ୍ଟ ମେମ୍ବରମାନଙ୍କ ତ୍ରୁଟି ଯୋଗୁ ଜଙ୍ଗଲ ନଷ୍ଟ

 

ପାର୍ଲାମେଣ୍ଟ ମେମ୍ବରମାନେ କିପରି ଜଙ୍ଗଲ ନଷ୍ଟ କରୁଛନ୍ତି ସେ ବିଷୟରେ ପ୍ରଥମେ ଲେଖିବାକୁ ଯାଉଛି । କାରଣ ପାର୍ଲାମେଣ୍ଟ ମେମ୍ବରମାନେ ଦେଶର ଆଇନ ପ୍ରଣୟନ କରନ୍ତି । ସେହି ଆଇନ ଦେଶବାସୀଙ୍କ ଉପରେ ଲଦି ଦିଆଯାଏ । ଏଥିପାଇଁ ସର୍ବସାଧାରଣଙ୍କ ସ୍ୱର ତାଙ୍କର କର୍ଣ୍ଣ ଗହ୍ୱରକୁ ପ୍ରବେଶ କରେନା । କାରଣ ସେମାନେ ଆଇନ ପ୍ରଣୟନ କଲାବେଳେ ମୋଟା କାନ୍ଥ ପରିବେଷ୍ଟିତ ଏବଂ ସଶସ୍ତ୍ର ଜଗୁଆଳି ଜଗି ରହିଥିବା ଶୀତତାପ ନିୟନ୍ତ୍ରିତ ପାର୍ଲାମେଣ୍ଟ ଗୃହରେ ବସିଲା ବେଳେ ବାହାର ଦୁନିଆକୁ ଏପରିକି ଦେଶର ଓ ଦଶର ହାଲଚାଲକୁ ଭୁଲି ଯାଆନ୍ତି । ସେଠି କେବଳ ଚାଲେ ଛକାପଞ୍ଝା ଓ ଦଳୀୟ ବ୍ୟାପାର । ସେଠି ଯଦି କୌଣସି ବିରୋଧୀ ଦଳ ତରଫରୁ ଭଲ ସଂଶୋଧନ ପ୍ରସ୍ତାବ ଆସେ, ତେବେ ତାକୁ ଏଡ଼ାଇ ଦେବା ହିଁ ଶାସକ ଦଳର ମୁଖ୍ୟ ଉଦ୍ଦେଶ୍ୟ ଥାଏ । ନାମକୁ ମାତ୍ର ଆଲୋଚନା ହୁଏ । ଶେଷରେ ଦଳର ବଳପରୀକ୍ଷା ଭୋଟ ଦ୍ୱାରା ହୋଇ ପ୍ରସ୍ତାବ କାଟ ଖାଇଯାଏ । ସୁତରାଂ ପାର୍ଲାମେଣ୍ଟ ମେମ୍ବରଙ୍କ ସାମନାରେ ‘ଦଳର ବଳ ପରୀକ୍ଷା’ଟି ମୁଖ୍ୟ ଏବଂ ଦେଶ ଓ ଦଶର ଅବସ୍ଥା ବିଷୟଟା ଗୌଣ ହୋଇଯାଏ ।

 

ଦେଶ ସ୍ଵାଧୀନ ହେବା ଦିନଠାରୁ ହିନ୍ଦିକୁ ରାଷ୍ଟ୍ରଭାଷା କରାଯିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲାଣି । ଏଥିପାଇଁ ପାର୍ଲାମେଣ୍ଟରେ ବହୁ ଆଇନ ପ୍ରଣୟନ ହୋଇଛି । କାର୍ଯ୍ୟକାରୀ ମଧ୍ୟ ହେଉଛି । ଏଇ ଭାବପ୍ରବଣତା ଆଜି ଆମର ଜଙ୍ଗଲ ନଷ୍ଟ ନିମନ୍ତେ କେତେକାଂଶରେ ଦାୟୀ । ଦେଖାଯାଉଛି ଯେ, ଭାରତ ସରକାରଙ୍କର ସମସ୍ତ ପ୍ରକାର ଛାପା ଫର୍ମ, ପ୍ରଚାର ପତ୍ର ମୁଖ୍ୟତଃ ଇଂରାଜୀ ଏବଂ ହିନ୍ଦି ଉଭୟ ଭାଷାରେ ମୁଦ୍ରିତ ହେଉଛି । ଏହାଛଡ଼ା ଭାରତ ସରକାରଙ୍କ ପ୍ରଚାର ସଂସ୍ଥା ତାଙ୍କର ସମସ୍ତ ପ୍ରଚାର ପତ୍ରକୁ ହିନ୍ଦି, ଇଂରାଜୀ ଏବଂ ଆଞ୍ଚଳିକ ଭାଷାମାନଙ୍କରେ ମୁଦ୍ରଣ କରାଇ ବାଣ୍ଟୁଛନ୍ତି ।

 

ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ପ୍ରତି ଦୃଷ୍ଟି ପକାନ୍ତୁ । ତାହା ମାତ୍ର ୪ ପୃଷ୍ଠାରେ ଛାପାଯାଇ ପାରନ୍ତା । ମାତ୍ର ତାକୁ ହିନ୍ଦି ଏବଂ ଇଂରାଜୀ ଉଭୟ ଭାଷାରେ ଛପାଇ ଏବଂ ଅଯଥା ତା’ର କଳେବର ବୃଦ୍ଧି କରି ପ୍ରାୟ ୩୨ ରୁ ୪୦ ପୃଷ୍ଠା ଯାଏ କରାଯାଉଛି । ଯେଉଁଠି ଖଣ୍ଡେ କାଗଜରେ କାମ ଚଳନ୍ତା ସେଠି ତା’ର ୧୦ ଗୁଣା କାଗଜ ବ୍ୟବହୃତ ହେଉଛି । ଏଇ କାଗଜ କେଉଁଠୁ ଆସୁଛି ତା’ ପାର୍ଲାମେଣ୍ଟ ମେମ୍ବରମାନେ କେବେ ଚିନ୍ତା କରିଛନ୍ତି କି ? ଜଙ୍ଗଲ କଟା ନହେଲେ କାଗଜ ପ୍ରସ୍ତୁତ ହେବ କି ? କାଗଜର ବ୍ୟବହାର ଯେତେ ଅଧିକ ହେଉଥିବ, ତେଣେ ସେତିକି ଜଙ୍ଗଲ ନଷ୍ଟ ହେଉଥିବ । ଏ ବିଷୟରେ ଆମର ସମ୍ମାନିତ ଲୋକ ପ୍ରତିନିଧିମାନେ ଗଭୀର ଭାବରେ ଚିନ୍ତା କରିବା ଉଚିତ ।

 

ସରକାରୀ କାଗଜପତ୍ର, ସରକାରୀ କଳରେ ବ୍ୟବହୃତ ହେଉଥିବା କାଗଜପତ୍ର, ସରକାରଙ୍କର ପ୍ରଚାର ପତ୍ର, ଦ୍ଵିଭାଷୀ ପ୍ରଚାର ପୁସ୍ତକ-ପୁସ୍ତିକା ଆଦିକୁ ଯଦି ହିସାବକୁ ନିଆଯାଏ ତେବେ ମୋର ଅନୁମାନ କେବଳ ସରକାର ଓ ସରକାରୀ କଳ ହିଁ ଦେଶର ଅର୍ଦ୍ଧାଧିକ ଜଙ୍ଗଲ ନଷ୍ଟ କରୁ ଅଛନ୍ତି ।

 

ରେଲ୍‌ଓ୍ୟେ ସ୍ଲିପର ପାଇଁ ପୂର୍ବରୁ କାଠ ବ୍ୟବହାର ହେଉଥିଲା । ଆଜିକାଲି ତା’ର ବ୍ୟବହାର ବହୁତ କମିଯିବାକୁ ବାଧ୍ୟ ହୋଇଛି । କାରଣ ତାଙ୍କୁ କାଠ ମିଳୁନି । ମାତ୍ର ସେମାନେ ଆଇନ କରି କାଠର ବ୍ୟବହାରକୁ ରୋକି ନାହାନ୍ତି । କାଠ ସ୍ଲିପର ପାଇଁ ଟେଣ୍ଡର ବାହାରୁଛି । ଉଚ୍ଚ ହାରରେ ପଇସା ମଧ୍ୟ ଦିଆ ଯାଉଛି । ତେଣୁ ପ୍ରଲୋଭିତ ହୋଇ ଗାଁ ଗଣ୍ଡାର ଲୋକେ ନିଜ ବାଡ଼ି ବଗିଚାର ଗଛକୁ କାଟି ବିକି ଦେଉଛନ୍ତି ।

 

ସେହିପରି ସରକାର ଆଇନ ଦ୍ୱାରା ଅଫିସ ଫନିଚର, କୋଠାବାଡ଼ିର ଝରକା, କବାଟ ଆଦିକୁ କାଠରେ ନକରି ତା’ର ବିକଳ୍ପ ବିଷୟରେ କୌଣସି ପଦକ୍ଷେପ ନେଇ ନଥିବା ହେତୁ ଜଙ୍ଗଲ କଟା ଚାଲିଛି । ଏବେ ଯେଉଁ ଫନିଚର ଏବଂ ଝରକା କବାଟ ଆଦି ନାନା କାଠରେ ତିଆରି ହେଉଛି, ତା’ କାଠର ଅଭାବ ହେତୁ ହିଁ ହେଉଛି । ମାତ୍ର ତା’ପାଇଁ ପାର୍ଲାମେଣ୍ଟରେ କୌଣସି ଆଇନ ପ୍ରଣୟନ ହୋଇପାରିନି । ସରକାର ନିଜ ଗୃହରେ କାଠ ତିଆରି ଫନିଚର ଏବଂ ଗୃହ ନିର୍ମାଣରେ କାଠ ତିଆରି ଝରକା ଓ କବାଟ ଆଦି କରିବେ ନାହିଁ ବୋଲି ଏପର୍ଯ୍ୟନ୍ତ ଆଇନ କରି ନାହାନ୍ତି । ତେଣୁ ଜଙ୍ଗଲ ସଫା ହେବାକୁ ବାଧ୍ୟ ।

 

ଗାଁ ଗଣ୍ଡାର ଲୋକଙ୍କୁ ତାଙ୍କର ଦୈନନ୍ଦିନ ଖାଦ୍ୟ ରାନ୍ଧିବା ପାଇଁ ଏବେ କାଠ ହେଉଛି ମୁଖ୍ୟ ଜାଳେଣି । ଗୃହ ନିର୍ମାଣ ନିମନ୍ତେ କାଠ ବାଉଁଶ ହେଉଛି ମୁଖ୍ୟ ଉପକରଣ । ଏହାର ବିକଳ୍ପ ଚିନ୍ତା କରାଯାଉନି, କମ୍‌ ଖର୍ଚ୍ଚରେ କିପରି ଲୋକେ ଜାଳେଣି ଓ ଗୃହ ନିର୍ମାଣ ଉପକରଣ ପାଇ ପାରିବେ ତା’ ଆମକୁ ଜଣା ନାହିଁ । ତେଣୁ ଜଙ୍ଗଲ କଟା ଯିବାକୁ ବାଧ୍ୟ । ଯେତେ ଯା କଲେବି, ଯେତେ ଆଇନ କଲେବି ଖାନା, କପଡ଼ା, ମକାନ୍‌ ଏ ତିନୋଟି ହାସଲ କରିବା ପାଇଁ ମଣିଷ ହିତାହତ ଜ୍ଞାନ ଭୁଲିଯାଏ । ଆଇନ ଅମାନ୍ୟ କରେ । ଦଣ୍ଡ ପାଇଲେ ମଧ୍ୟ ସେ ତା’ ପରିତ୍ୟାଗ କରି ପାରିବ ନାହିଁ । ତେଣୁ ଖାଦ୍ୟ ସିଝାଇ ଖାଇବା ପାଇଁ କାଠ ଠାରୁ ଶସ୍ତା ଜାଳେଣି ଏବଂ ଗୃହ ନିର୍ମାଣ ପାଇଁ କାଠର ବିକଳ୍ପ କ’ଣ ? ଏ ବିଷୟରେ ପାର୍ଲାମେଣ୍ଟ ସଭ୍ୟମାନେ ବୈଜ୍ଞାନିକଙ୍କୁ ଡାକି ବୁଝନ୍ତୁ ଏବଂ ବିକଳ୍ପ ବ୍ୟବସ୍ଥା କରି ସାରି ଆଇନ କରନ୍ତୁ; ତା’ହେଲେ ସିନା କିଛି ସୁଫଳ ଫଳିବ ।

 

ପ୍ରକାଶନ ସଂସ୍ଥା ତଥା ସମ୍ବାଦପତ୍ର ସଂସ୍ଥାମାନଙ୍କ ଦ୍ୱାରା ପରିବେଶ କ୍ଷୟ

 

ସମ୍ବାଦପତ୍ରକୁ ସ୍ଵାଧୀନତା ଦିଆଯାଉ । ମାତ୍ର ସମ୍ବାଦପତ୍ରକୁ କାଗଜର ଯଥେଚ୍ଛାଚାର ବ୍ୟବହାର ନିମନ୍ତେ ସୁଯୋଗ ଦିଆ ନଯାଉ–ଏହାହିଁ ଆମର ମୁଖ୍ୟ ଅଭିଯୋଗ । ଏ ଲେଖକ ନିଜେ ଜଣେ ଜର୍ଣ୍ଣାଲିଷ୍ଟ, ଅତି କମରେ ଏକ ଡଜନ ପତ୍ରପତ୍ରିକାର ପ୍ରକାଶକ ତଥା ସମ୍ପାଦକ । ନିଜର ଅନୁଭୂତିକୁ ଥରେ ଆମର ଲୋକପ୍ରିୟ ସ୍ଵର୍ଗୀୟା ଇନ୍ଦିରା ଗାନ୍ଧୀଙ୍କୁ ଭେଟି ଜଣାଇଥିଲି । ଲେଖିକରି ଦେଇଥିଲି । ସ୍ଵର୍ଗୀୟା ଇନ୍ଦିରା ଗାନ୍ଧୀ ଲେଖାକୁ ପଢ଼ିଲେ ଏବଂ ସାରାଂଶ ମୋ ମୁହଁରୁ ଶୁଣିଲେ । ମୁରୁକି ହସା ମାରି ମୋର ଲେଖାଟିକୁ ସଂଗେ ସଂଗେ ମାର୍କ କରି ତତ୍କାଳୀନ କଂଗ୍ରେସ ସେକ୍ରେଟରୀ ଶ୍ରୀଯୁକ୍ତ ଶ୍ୟାମ ମହାପାତ୍ରଙ୍କ ହାତକୁ ବଢ଼ାଇ ଦେଇ କହିଲେ ‘ସାଠେଜୀଙ୍କ ପାଖକୁ ପଠାଇ ଦିଅନ୍ତୁ’ । (ବସନ୍ତ) ସାଠେଜୀଙ୍କ ହସ୍ତଗତ ହେଲା । ସାଠେଜୀ ଚାରୋଟି ପ୍ରସ୍ତାବ ବିଷୟରେ ଅବଗତ ହୋଇ ସେହି ପ୍ରସ୍ତାବର ସାରାଂଶକୁ କାର୍ଯ୍ୟକାରୀ କରିବେ ବୋଲି ବିଭିନ୍ନ ସଭାସମିତିରେ ଭାଷଣ ଦେଲେ-। ତେଣୁ ଏ ଦେଶର ପୁଞ୍ଜିପତିଙ୍କ ଦ୍ଵାରା ପରିଚାଳିତ ବଡ଼ ବଡ଼ ଖବରକାଗଜ ମାଲିକମାନେ ସାଠେକୁ ତାଙ୍କ ପଦରୁ ହଟାଇ ଦେଇ ଟେଲିଭିଜନ୍‌ ଆଡ଼କୁ ଠେଲି ଦେବାର ବ୍ୟବସ୍ଥା କରି ଦେଲେ-। ତେଣୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ।

 

ସେହି ପ୍ରସ୍ତାବ ମଧ୍ୟରୁ ପ୍ରଥମ ପ୍ରସ୍ତାବଟି ଥିଲା–ସରକାର ଛୋଟ ଛୋଟ ଖବରକାଗଜ ଗୁଡ଼ିକ ସାହାଯ୍ୟ କରିବାକୁ ଘୋଷଣା କରୁଛନ୍ତି ସତ; ମାତ୍ର ଯେତେ ଯା କଲେବି ସରକାର କେବେହେଲେ ଛୋଟ ଛୋଟ ଖବରକାଗଜର ଅସହାୟତାକୁ ଦୂର କରି ପାରିବେ ନାହିଁ । କାରଣ ବଡ଼ ବଡ଼ ଖବରକାଗଜ ଗୁଡ଼ିକ ଟଙ୍କାକର ଜିନିଷକୁ ୧୨ ପଇସାରେ ବିକୁଥିବା ବେଳେ ଛୋଟ ଛୋଟ ଖବରକାଗଜ ୨୫ ପଇସାର ଜିନିଷକୁ ୧୮ ପଇସାରେ ବିକୁଛନ୍ତି । ତେଣୁ ଯେଉଁମାନେ ଛୋଟ ଛୋଟ ଖବରକାଗଜର ପାଠକ ହୁଅନ୍ତେ ସେମାନେ ବଡ଼ ବଡ଼ ଖବରକାଗଜର ପାଠକ ବନି ଯାଉଛନ୍ତି । ଏହା କିପରି ହେଉଛି ସେକଥା ମଧ୍ୟ ବର୍ଣ୍ଣନା କରାଯାଇଥିଲା । ତାହାଥିଲା ଏହିପରି :

 

ସେତେବେଳେ ଏଇ ଲେଖକର ତତ୍ତ୍ଵାବଧାନରେ News of the World ନାମକ ଗୋଟିଏ ଦୈନିକ ଇଂରାଜୀ ଖବରକାଗଜ ପ୍ରକାଶ ପାଉଥାଏ । ଦାମ୍‌ ଥାଏ ଟ୦-୨୫ ପଇସା ପୃଷ୍ଠା ଥାଏ ୪ । ଅନ୍ୟପକ୍ଷରେ କଲିକତାରୁ ପ୍ରକାଶ ପାଉଥାଏ ପୂର୍ବାଞ୍ଚଳର ସବୁଠୁ ଅଧିକ ସର୍କୁଲେଶନ ଇଂରାଜୀ ଦୈନିକ Statesman. ଏହାର ପୃଷ୍ଠା ସଂଖ୍ୟା ଥାଏ ୧୬ ଏବଂ ମୂଲ୍ୟ ଥାଏ ୪୦ ପଇସା । ଯୁକ୍ତିଥିଲା ଜଣେ ପାଠକ ଆଜି ଖବରକାଗଜଟିକୁ ପଢ଼ିସାରି କାଲି ତାକୁ ଠୁଙ୍ଗା ତିଆରି କରୁଥିବା ଲୋକକୁ ବିକ୍ରି କରିଦିଏ । ପ୍ରତି ୪ ପୃଷ୍ଠା ଖବରକାଗଜକୁ ଓଜନ ଦରରେ ବିକିଲେ ମିଳେ ୭ ପଇସା । ତେଣୁ ୪ ପୃଷ୍ଠିଆ ଗୋଟିଏ ଛୋଟ ଖବରକାଗଜକୁ ପଢ଼ିସାରି ଯଦି ଠୁଙ୍ଗାବାଲାକୁ ବିକ୍ରୟ କରିଦିଏ ତେବେ ସେ ପାଇବ ୭ ପଇସା । ତେଣୁ ଖର୍ଦ୍ଦି ଦାମ୍‍ ୨୫ ପଇସାରୁ ଓ୍ୱେଷ୍ଟପେପର ବିକି ଯଦି ସେ ୭ ପଇସା ମିଳେ, ତେବେ ପ୍ରକୃତରେ ଜଣେ ପାଠକକୁ ଦେବାକୁ ପଡ଼ୁଛି (ଟ୦-୨୫–ଟ୦-୭= ଟ୦-୧୮ ପଇସା) ୧୮ ପଇସା । ଠିକ୍‌ ସେହିପରି ଜଣେ ପାଠକ ଯଦି ୧୬ ପେଜିଆ ଗୋଟିଏ ଖବରକାଗଜକୁ ୪୦ ପଇସାରେ କିଣେ ଏବଂ ପଢ଼ିସାରି ତାକୁ ଠୁଙ୍ଗାବାଲାକୁ ଓ୍ୟେଷ୍ଟପେପର ରେଟରେ ଓଜନ କରି ବିକେ ତେବେ ସେ ପାଇବ ପ୍ରତି ୪ ପୃଷ୍ଠାକୁ ୭ ପଇସା ହିସାବରେ (ଟ୦-୪ x ୭= ଟ୦-୨୮) ୨୮ ପଇସା । ସୁତରାଂ ଖର୍ଦ୍ଦିଦାମ୍‍ ୪୦ ପଇସାରୁ ଓ୍ୟେଷ୍ଟପେପର ବିକ୍ରୟ ଦାମ୍‍ ୨୮ ପଇସା ବାଦ୍‍ ଗଲେ ରହିଲା (ଟ୦-୪୦–ଟ୦-୨୮= ଟ୦-୧୨) ୧୨ ପଇସା । ଅତଏବ୍‌ ଏଠାରେ ୨୫ ପଇସା ଦେଇ ଜଣେ କାହିଁକି ଛୋଟିଆ ଖବରକାଗଜଟିଏ କିଣିବ ଏବଂ ୪୦ ପଇସା ଦେଇ ବଡ଼ ଖବରକାଗଜଟିଏ କାହିଁକି ନ କିଣିବ ? କାରଣ ୧୬ ପେଜିଆ ବଡ଼ ଖବରକାଗଜର ପ୍ରକୃତ ଖର୍ଦ୍ଦି ମୂଲ୍ୟ ୪୦ ପଇସା ହେଲେ ବି ତାକୁ ପ୍ରକୃତରେ ସେଥିପାଇଁ ଦେବାକୁ ପଡ଼ୁଛି ମାତ୍ର ୧୨ ପଇସା ଏବଂ ୪ ପେଜିଆ ଛୋଟ ଖବରକାଗଜର ମୂଲ୍ୟ ୨୫ ପଇସା ହେଲେବି ପ୍ରକୃତରେ ତାକୁ ଦେବାକୁ ପଡ଼ୁଛି ୧୮ ପଇସା । ବାସ୍ତବତାକୁ ଲକ୍ଷ୍ୟ କଲେ ଜଣାଯାଏ, ବଡ଼ କାଗଜଗୁଡ଼ାକ ଛୋଟ ଛୋଟ କାଗଜର ପାଠକମାନଙ୍କୁ ମଧ୍ୟ ଅପହରଣ କରି ନେଉଛନ୍ତି ବା କମ୍‌ ଦାମରେ ଦେଇ ପ୍ରଲୋଭିତ କରାଇ ପାରୁଛନ୍ତି । ତେଣୁ ଛୋଟ କାଗଜର ଗ୍ରାହକ କମିଯାଉଛନ୍ତି ।

 

ତେଣୁ ସେତେବେଳେ ମୋର ଲିଖିତ ପ୍ରସ୍ତାବ ଥିଲା ଯେ ଖବରକାଗଜର ପୃଷ୍ଠାପ୍ରତି ସର୍ବନିମ୍ନ ଦର କେତେ ହେବ ତା’ ସରକାର ଆଇନ ବଳରେ ସ୍ଥିର କରି ଦିଅନ୍ତୁ ଯେପରି ପୃଷ୍ଠାପ୍ରତି ୬ ପଇସାରୁ କେହି କମ୍‌ ଦାମ୍‌ କରିପାରିବେ ନାହିଁ । ତା’ହେଲେ News of the World ପରି ୪ ପେଜିଆ ଛୋଟ ଖବରକାଗଜର ମୂଲ୍ୟ ୨୫ ପଇସା ରହିବ ଏବଂ Statesman ପରି ୧୬ ପେଜିଆ ବଡ଼ ଖବରକାଗଜର ମୂଲ୍ୟ ୧ ଟଙ୍କାରୁ କମ୍‌ ହେବ ନାହିଁ । ଏହା ହେଲେ ୨୫ ପଇସା ମୂଲ୍ୟର ଖବରକାଗଜକୁ ବହୁତ ଲୋକ ପଢ଼ିବେ ଓ ଏହାର ଗ୍ରାହକ ସଂଖ୍ୟା ଖୁବ୍‌ ଅଧିକ ହୋଇପାରିବ । କାରଣ ୧୬ ପେଜିଆ ବଡ଼ ଖବରକାଗଜରେ News & Views ମିଶି ୪ ପେଜ ଏବଂ ବିଜ୍ଞାପନ ୧୨ ପେଜ ଥାଏ । ସେହିପରି ୪ ପେଜିଆ ଛୋଟ ଖବରକାଗଜରେ ମଧ୍ୟ News & Views ମିଶି ସାଢ଼େ ତିନି ପେଜଥାଏ; ବିଜ୍ଞାପନ ୧/୨ ପେଜ ଭଳି ଥାଏ ।

 

ବଡ଼ ବଡ଼ କାଗଜରେ News & Views ପ୍ରାୟ ଛୋଟ ଖବରକାଗଜ ସହିତ ସମାନ । ତେଣୁ ବଡ଼ କାଗଜର ୧୬ ପୃଷ୍ଠା ମଧ୍ୟରୁ ୪ ପୃଷ୍ଠା News & Views ବାଦ୍‍ ପଡ଼ିଲେ ବାକି ୧୨ ପୃଷ୍ଠାରେ ଥାଏ କେବଳ Commercial advertisement. ବହୁ ପାଠକପାଠିକାଙ୍କ ପାଇଁ Commercial advertisementର ଆବଶ୍ୟକତା ନଥାଏ । ସେମାନେ ଦାମ୍‍ କମ୍‌ ହେଲେ ଛୋଟ ଛୋଟ କାଗଜ ପଢ଼ନ୍ତେ । ମାତ୍ର ତା’ ହୋଇ ପାରୁନି । ଯେଉଁମାନେ ବ୍ୟବସାୟୀ ବା ଯେଉଁମାନଙ୍କର Commercial advertisement ପଢ଼ିବା ଦରକାର ସେମାନେ ୧ ଟଙ୍କା ଦେଇ ବଡ଼ କାଗଜ କିଣନ୍ତୁ । ମାତ୍ର ଯେଉଁମାନଙ୍କର ସେସବୁ ଦରକାର ନାହିଁ ସେମାନେ ଛୋଟ ଖବରକାଗଜକୁ କିଣି ପାରନ୍ତେ । ତେଣୁ ପ୍ରଥମେ ପୃଷ୍ଠା ପ୍ରତି ସର୍ବନିମ୍ନ ଦର ସ୍ଥିର କରାଯାଉ ଯେପରି ତାକୁ ସମସ୍ତେ ପାଳନ କରିବାକୁ ବାଧ୍ୟ ହେବେ ।

 

ଦ୍ୱିତୀୟ ପ୍ରସ୍ତାବ ଥିଲା ଏହିପରି :

 

ଖବରକାଗଜ ଛପାଯାଉଥିବା Newsprint Paper ଆମ ଦେଶରେ ଖୁବ୍‌ କମ୍‌ ଉତ୍ପାଦିତ ହେଉଛି । ତେଣୁ ସେସବୁ ବାହାର ଦେଶରୁ ଆମଦାନୀ କରାଯାଉଛି । ବାହାର ଦେଶରୁ ଆମଦାନୀ କରିବା ଅର୍ଥ against foreign exchange or against gold ଏହା ଅଣାଯାଉଛି । ଯଦି ବଡ଼ ବଡ଼ ଖବରକାଗଜ ମାଲିକମାନଙ୍କୁ ଏ ଦେଶର ସୁନା ବଦଳରେ ନିଉଜପ୍ରିଣ୍ଟ ଆମଦାନୀ କରି ସରକାର ଯୋଗାନ୍ତି ଏବଂ ସୁନା ବଦଳରେ ଆସୁଥିବା Newsprint କାଗଜକୁ Commercial Advtt. ଛାପିବାକୁ ସୁଯୋଗ ଦିଆଯାଏ ତେବେ ଏହାଠାରୁ ବଳି ଏକ ବିକାଶଶୀଳ ଦେଶ ପକ୍ଷରେ ଦୁଃଖଦାୟକ କଥା କିଛି ନାହିଁ । ଯଦି ଆମର ମନ୍ତ୍ରୀ ଏବଂ M.P.ମାନେ ପୁଞ୍ଜିପତିଙ୍କ ଦ୍ୱାରା ପ୍ରକାଶିତ ଖବରକାଗଜକୁ ଭୟ କରୁଥାନ୍ତି ତେବେ ସେ ଯା କରୁଛନ୍ତି ତା’ ଠିକ୍‌ । ମାତ୍ର ଯଦି ଦେଶବାସୀଙ୍କ ସ୍ଵାର୍ଥକୁ ପ୍ରଥମ ସ୍ଥାନ ଦେଉଥାନ୍ତି ତେବେ ତୁରନ୍ତ ଖବରକାଗଜର ପୃଷ୍ଠା ସଂଖ୍ୟା ନିୟନ୍ତ୍ରଣ କରନ୍ତୁ । ଏପରି କରାଯାଉ ଯେପରି କୌଣସି ଖବରକାଗଜ କସ୍ମିନକାଳେ ୮ ପୃଷ୍ଠାରୁ ଅଧିକ ଛପାଇ ପାରିବେ ନାହିଁ । ତା’ଛଡ଼ା ରିଡ଼ିଂ ମେଟିରିଆଲ (News & Views) ଯେତିକି ପୃଷ୍ଠା ହେବ ବିଜ୍ଞାପନ ତା’ଠୁ ଅଧିକ ପୃଷ୍ଠା ଛାପି ପାରିବେ ନାହିଁ । ଏହାକୁ ଯଦି ଏପରି କରାଯାଇ ପାରିଥାନ୍ତା ତେବେ ଆଜି foreign exchangeର ଅଭାବକୁ ଅନେକାଂଶରେ ହ୍ରାସ କରାଯାଇପାରିଥାନ୍ତା ଏବଂ ତା’ ସଂଗେ ସଂଗେ ଜଙ୍ଗଲର ସୁରକ୍ଷା ମଧ୍ୟ ହୋଇପାରନ୍ତା । କେବଳ ସେତିକି ନୁହେଁ, ପୃଷ୍ଠାପ୍ରତି ସର୍ବନିମ୍ନ ଦର ନିର୍ଣ୍ଣୟ ହୋଇଗଲେ ବଡ଼ ବଡ଼ ଖବରକାଗଜର ମୂଲ୍ୟ ବୃଦ୍ଧି ହେବା ଫଳରେ ସେମାନେ ସର୍କୁଲେଶନ ବାବଦରେ ଅଧିକ ଅର୍ଜନ କରନ୍ତେ ଓ ତାଙ୍କର ସର୍କୁଲେଶନ କମି ଗଲେ ବି ତାଙ୍କୁ ବାଧନ୍ତା ନାହିଁ । ଅନ୍ୟ ଦିଗରେ ପୃଷ୍ଠାପ୍ରତି ସର୍ବନିମ୍ନ ଦର ସ୍ଥିର ହୋଇଗଲେ ଛୋଟ ଛୋଟ ଖବରକାଗଜର ସର୍କୁଲେଶନ ବହୁତ ବଢ଼ି ଯାଆନ୍ତା ।

 

ବର୍ତ୍ତମାନ ଆମ ଦେଶରେ Newsprint ଉତ୍ପାଦନ ବୃଦ୍ଧି ପାଇଛି । କାଗଜର Raw Material ଯେଉଁଠୁ ଆସୁ ପଛକେ ତା’ ତ ଜଙ୍ଗଲ ଧ୍ୱଂସ କଲେ ଯାଇ ପ୍ରସ୍ତୁତ ହେଉଛି ନା ଶୂନ୍ୟରୁ ଉତ୍ପାଦିତ ହେଉଛି ? ଏକଥା କ’ଣ M.P.ମାନଙ୍କ ମୁଣ୍ଡକୁ ଢୁକୁନି ?

 

ପୃଥିବୀର ଗୋଟିଏ ପ୍ରାନ୍ତରେ ବିଶୃଙ୍ଖଳା ସୃଷ୍ଟି ହେଲେ ତା’ ଅନ୍ୟପ୍ରାନ୍ତକୁ ଆପେ ଆପେ ବ୍ୟାପିଯିବ । ସେହିପରି ଜଙ୍ଗଲର ସୁରକ୍ଷା ପାଇଁ ଜଙ୍ଗଲଜାତ ଦ୍ରବ୍ୟକୁ ଯେତେ କମ୍‌ ମାତ୍ରାରେ ବ୍ୟବହାର କରାଯାଇପାରେ ସେ ଦିଗରେ କେବଳ ଭାରତ ନୁହେଁ ସାରା ପୃଥିବୀବାସୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ।

 

ଖବରକାଗଜ ଛାପା ନିମନ୍ତେ ଯେତେ ପରିମାଣରେ କାଗଜ ବ୍ୟବହାର କରାଯାଉଛି ତାକୁ ବହୁମାତ୍ରାରେ କମାଇବା ପାଇଁ ଏଇ ଲେଖକ ପୃଥିବୀର ସମସ୍ତ ଦେଶର ନେତୃବୃନ୍ଦ ତଥା ଚିନ୍ତାଶୀଳ ବ୍ୟକ୍ତି ଯେଉଁମାନେ ପରିବେଶ ସୁରକ୍ଷା ନିମନ୍ତେ ଗଭୀରଭାବରେ ଚିନ୍ତିତ, ସେ ସମସ୍ତଙ୍କୁ ଏତଦ୍ଵାରା ଅନୁରୋଧ କରେ କି ଏପରି ଯୋଜନା କରାଯାଉ ଯେପରି ଜଙ୍ଗଲ ସମ୍ପଦକୁ ବ୍ୟବହାର କରି ତହିଁରୁ ଉତ୍ପାଦିତ କାଗଜର ବ୍ୟବହାରକୁ ବହୁମାତ୍ରାରେ କମାଇ ଦିଆଯାଇ ପାରିବ ।

 

ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଛାପା ଯାଉଥିବା ପାଠ୍ୟପୁସ୍ତକଗୁଡ଼ିକ ଭାରତ ସରକାରଙ୍କର ତଥା ରାଜ୍ୟ ସରକାର ମାନଙ୍କର ଏକ ବଡ଼ ବ୍ୟବସାୟରେ ପରିଣତ ହୋଇଯାଇଛି । ସରକାର Text Book ଛାପିବା ନାମରେ Teacher’s Hand Bookଗୁଡ଼ିକୁ ମଧ୍ୟ Text Book ଆଖ୍ୟା ଦେଇ ତା’ର କଳେବର ଅଯଥା ବୃଦ୍ଧି କରି ଅଧିକ ଦାମରେ ବିକୁଛନ୍ତି । କେବଳ ଗଣିତ (Mathematics) ଏବଂ ସାହିତ୍ୟ (Literature) କୁ ବାଦ୍‍ ଦେଲେ ବାକି ବିଷୟଗୁଡ଼ିକ Text Book ମଧ୍ୟରେ ଗଣ୍ୟ ନୁହେଁ । ବିଜ୍ଞାନ, ଇତିହାସ, ଭୂଗୋଳ, ନଗର ବିଜ୍ଞାନ ଏସବୁ Teacher’s Hand Book. ମାତ୍ର ସରକାର ତାକୁ Text Book କହି ସବୁ ଛାତ୍ରଛାତ୍ରୀଙ୍କୁ ତାହା କିଣିବା ପାଇଁ ବାଧ୍ୟ କରୁଛନ୍ତି । Teacher’s Hand Book ଅଳ୍ପ ଛପାଇ ତାକୁ କେବଳ Teacherଙ୍କ ବ୍ୟବହାର ପାଇଁ ଦିଆ ଯାଆନ୍ତା । ଶିକ୍ଷକମାନେ ସେ ବହିକୁ ଶ୍ରେଣୀରେ ପଢ଼ି ବୁଝାଇ ଦିଅନ୍ତେ, ବ୍ଲାକବୋର୍ଡ଼ରେ ଆବଶ୍ୟକୀୟ ଚିତ୍ର ଅଙ୍କନ କରି ଦେଖାଇ ଦିଅନ୍ତେ ଏବଂ ସାରାଂଶକୁ ନୋଟ୍‍ ଡାକି ଦିଅନ୍ତେ । ଛାତ୍ରଛାତ୍ରୀମାନେ ତା’ ତାଙ୍କ ନୋଟ୍‍ଖାତାରେ ଟିପି ନିଅନ୍ତେ ଓ ଘରେ ପଢ଼ନ୍ତେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ କମ୍‌ ପଢ଼ିବାକୁ ପଡ଼ନ୍ତା ଓ କେବଳ ସାରାଂଶ ପଢ଼ି ମନେରଖି ପାରନ୍ତେ । ଫଳରେ ପୁସ୍ତକ ସଂଖ୍ୟା କମିଯାନ୍ତା ଓ ଜଙ୍ଗଲର ସୁରକ୍ଷା ହୋଇପାରନ୍ତା ।

 

ଆଜିକାଲି ଇଲେକ୍ଟ୍ରୋନିକ୍‌ ଯୁଗରେ ଯଦି ପ୍ରତି ବିଦ୍ୟାଳୟ ଏବଂ କଲେଜମାନଙ୍କୁ ଉପଯୁକ୍ତ ପରିମାଣରେ T.V. ସେଟ୍‍ ଯୋଗାଇ ଦିଆଯାଇପାରନ୍ତା ଏବଂ ତା’ ସଂଗେ ସଂଗେ ପାଠ୍ୟପୁସ୍ତକ ପରିବର୍ତ୍ତେ କ୍ୟାସେଟ ଦିଆଯାଆନ୍ତା ତେବେ ଅଳ୍ପ ଖର୍ଚ୍ଚରେ ଓ ବିନା ଶିକ୍ଷକରେ ମଧ୍ୟ ପାଠ ପଢ଼ାଯାଇପାରନ୍ତା । ସ୍କୁଲ କଲେଜରୁ ଶିକ୍ଷକ ସଂଖ୍ୟା ମଧ୍ୟ କମାଇ ଦିଆଯାଇ ପାରନ୍ତା ଏବଂ ସ୍କୁଲ ଗୃହ ତିଆରି କରିବାର ଖର୍ଚ୍ଚକୁ ମଧ୍ୟ ବଞ୍ଚାଇ ଦିଆଯାଆନ୍ତା । ଗୃହ ତିଆରି ପାଇଁ ମଧ୍ୟ ଜଙ୍ଗଲ କଟା ଅନିର୍ବାର୍ଯ୍ୟ । ତେଣୁ ଜଙ୍ଗଲର ସୁରକ୍ଷା ଦୃଷ୍ଟିରୁ Text Book, Teacher’s Hand Book, Newsprintର ବ୍ୟବହାର, ସ୍କୁଲ କଲେଜ ପାଇଁ ନୂଆ ନୂଆ ଗୃହ ନିର୍ମାଣ, ସରକାରୀ କଳରେ ବ୍ୟବହୃତ କାଗଜର ବ୍ୟବହାର ଆଦିକୁ ନିୟନ୍ତ୍ରଣ କରାଗଲେ ଅଚିରେ ପରିବେଶ ସୁରକ୍ଷା ଦିଗରେ ବହୁତ କିଛି କରାଯାଇପାରନ୍ତା ଏବଂ ତା’ଛଡ଼ା ଆମ ଦେଶ ପରି ଏକ ବିକାଶଶୀଳ ରାଷ୍ଟ୍ରର ଋଣଭାର ତଥା ବୈଦେଶିକ ମୁଦ୍ରାର ସଞ୍ଚୟ ମଧ୍ୟ ସମ୍ଭବପର ହୁଅନ୍ତା ।

 

ଖୋଦ ସରକାର ଏବଂ ପ୍ରକାଶନ ସଂସ୍ଥା ତଥା ସମ୍ବାଦପତ୍ର ସଂସ୍ଥାମାନଙ୍କ ଦ୍ଵାରା କାଗଜର ଯଥେଚ୍ଛା ବ୍ୟବହାରକୁ ରୋକିବାପାଇଁ ସାରା ଜଗତବାସୀଙ୍କୁ ଏ ଲେଖକ ପୁଣି ଥରେ ନୁହେଁ, ବାରମ୍ବାର ବାରମ୍ବାର ଅନୁରୋଧ କରୁଛି ଏବଂ ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ ନ ହୋଇଛି ସେ ପର୍ଯ୍ୟନ୍ତ କରୁଥିବ ।

 

ପ୍ରତ୍ୟେକ ଦେଶର ପାର୍ଲାମେଣ୍ଟ ହେଉଛି ଆଇନ ପ୍ରଣୟନର ମୁଖ୍ୟ ସ୍ଥଳୀ । ଆଇନ କର୍ତ୍ତା ପାର୍ଲାମେଣ୍ଟ ମେମ୍ବରମାନଙ୍କର ପରିବେଶ ସୁରକ୍ଷା ଏବଂ ସୁସ୍ଥ ବାତାବରଣ ସୃଷ୍ଟି କରିବା ଦିଗରେ ଯଥେଷ୍ଟ ଭୂମିକା ରହିଛି । ସେମାନେ ଚାହିଁଲେ କେତେକ କ୍ଷେତ୍ରରେ କଡ଼ା ଆଇନ କରି ନଷ୍ଟଭ୍ରଷ୍ଟ ହୋଇଯାଉଥିବା ଜଙ୍ଗଲ ସମ୍ପଦର ସୁରକ୍ଷା ନିମନ୍ତେ ଫଳପ୍ରଦ ପଦକ୍ଷେପ ନେଇପାରିବେ ।

 

ଆଶା ଆମର ପାର୍ଲାମେଣ୍ଟ ସଭ୍ୟମାନେ ଦଳମତ ନିର୍ବିଶେଷରେ (୧) ଖବରକାଗଜର ପୃଷ୍ଠାପ୍ରତି ସର୍ବନିମ୍ନ ଦର ସ୍ଥିର କରି ଦିଅନ୍ତୁ; (୨) ଖବରକାଗଜର ସର୍ବୋଚ୍ଚ ପୃଷ୍ଠା କେତେ ରଖାଯିବ ତା’ପାଇଁ ଆଇନ କରନ୍ତୁ (୩) କାଠର ବିକଳ୍ପ ଚିନ୍ତା କରନ୍ତୁ (୪) ସରକାରୀ କଳରେ ବ୍ୟବହୃତ କାଗଜ, ଫର୍ମ, ପ୍ରଚାରପତ୍ରରେ ଯେପରି କାଗଜ ଖର୍ଚ୍ଚ କମ୍‌ ହେବ, ତା’ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରନ୍ତୁ; (୫) ସ୍କୁଲମାନଙ୍କରେ କେବଳ ଟେକ୍‌ଷ୍ଟବୁକ୍‌ ବ୍ୟତୀତ ଟିଚର୍ସ ହେଣ୍ଡ ବୁକ୍‌ ଗୁଡ଼ିକୁ ଖୁବ୍‌ କମ୍‌ ସଂଖ୍ୟାରେ ଛପାନ୍ତୁ (୬) ଖବରକାଗଜ News & Views କେତେ ପୃଷ୍ଠା ରହିବ ଓ ବିଜ୍ଞାପନ କେତେ ପୃଷ୍ଠା ରହିବ ତା’ର ସର୍ବୋଚ୍ଚ ସୀମା ଏବଂ ଅନୁପାତ ସ୍ଥିର କରାଯାଉ (୭) ସର୍ବୋପରି Newsprintର ଆମଦାନୀକୁ ଅତି ମାତ୍ରାରେ କମାଇ ଦିଆଯାଉ ।

 

ପରିବେଶ ଓ ମାନସିକ ସ୍ଥିତି

 

ପରିବେଶ ସୁରକ୍ଷା ନିମନ୍ତେ ଆଜି ସାରା ପୃଥିବୀବାସୀ ଚିନ୍ତିତ । ସେଥିପାଇଁ ବଣ ଜଙ୍ଗଲର ସୁରକ୍ଷା ସାଙ୍ଗକୁ ନୂଆ ନୂଆ ଜଙ୍ଗଲ ସୃଷ୍ଟି ନିମନ୍ତେ ପୃଥିବୀର ପ୍ରାୟ ଅଧିକାଂଶ ଦେଶ ନାନା ପ୍ରକାର ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି ।

 

ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ହେଉଥିବା ପ୍ରଦୂଷଣ ଓ ନାନାଦି ବଇର୍ଯ୍ୟ ବସ୍ତୁର ନଷ୍ଟିକରଣ ପାଇଁ ମଧ୍ୟ ଯୋଜନା ଚାଲିଛି । ଏ ସବୁ ହେଲା ବସ୍ତୁ ଜନିତ ନଷ୍ଟ ହେଉଥିବା ବା ପ୍ରଦୂଷିତ ହେଉଥିବା ପରିବଶର ସୁରକ୍ଷା ଯୋଜନା । କିନ୍ତୁ ମଣିଷର ମାନସିକ ସ୍ତରକୁ ପ୍ରଦୂଷିତ କରୁଥିବା ବିଷୟ ପ୍ରତି ଓ ମଣିଷର ମନକୁ ବିକୃତ କରୁଥିବା କାର୍ଯ୍ୟକଳାପ ପ୍ରତି ଆଦୌ ଧ୍ୟାନ ଦିଆଯାଉନି ।

 

କେବଳ ପରିବଶ ସୁରକ୍ଷା ନାମରେ କଳ କାରଖାନାର ବଇର୍ଯ୍ୟବସ୍ତୁର ନିରାକରଣ ଓ ନଷ୍ଟିକରଣ ଏବଂ ଜଙ୍ଗଲ ସୁରକ୍ଷା ଓ ସବୁଜିମା ସୃଷ୍ଟି ହୋଇଗଲେ ସମ୍ପୂର୍ଣ୍ଣଭାବରେ ପରିବେଶର ସୁରକ୍ଷା ହୋଇଯିବ–ଏକଥା ବିଚାରିବା ଠିକ୍‌ ନୁହେଁ ।

 

ତେଣୁ ବସ୍ତୁଜନିତ ପରିବେଶ ସୁରକ୍ଷା ସାଙ୍ଗକୁ ମାନସିକ ସୁଖ, ଶାନ୍ତି, ମାନସିକ ସ୍ଥିରତା ଓ ପବିତ୍ରତା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେବା ଉଚିତ ।

 

ଏହି ମଣିଷ ଭିତରେ ଅଛନ୍ତି ଦେବ ଓ ଦାନବ, ଅସୁସ୍ଥ, ବିକୃତ ମାନସିକ ରୋଗୀଙ୍କୁ ସମାଜ କହେ ପାଗଳ, ଡକାୟତ, ଉଗ୍ରପନ୍ଥୀ, ନକ୍ସଲାଇଟ, ଘାତକ ଇତ୍ୟାଦି । ମାତ୍ର ଏ ଲେଖକର ବିଶ୍ଵାସ ସେମାନେ ହେଉଛନ୍ତି ପ୍ରକୃତରେ ଗୋଟିଏ ଗୋଟିଏ ମାନସିକ ରୋଗୀ । ଜର, ଝାଡ଼ା, ଯକ୍ଷ୍ମା ଆଦି ରୋଗ ହେଲେ ଯେପରି ମଣିଷ ଔଷଧ ଖାଏ ସେହିପରି ବିକୃତ ମସ୍ତିଷ୍କ ଓ ଉଗ୍ରପନ୍ଥୀମାନଙ୍କୁ ଔଷଧ ନ ଦେଇ ସେମାନଙ୍କର ଉପଯୁକ୍ତ ଚିକିତ୍ସା ନ କରି, ଜେଲ, ଜୋରିମାନା ବା ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ନୁହେଁ । ବରଂ ସେମାନଙ୍କ ମନର ସେହି ଅବସ୍ଥା ସୁଧାର ପାଇଁ ଯଦି ଉପଯୁକ୍ତ ଚିକିତ୍ସା କରାଯାଇ ପାରନ୍ତା ତେବେ ତାଙ୍କର ଅସୁସ୍ଥ ମନ ମଧ୍ୟ ସୁସ୍ଥ ହୋଇ ଉଠନ୍ତା । ସରକାରଙ୍କର ଯେହେତୁ ସେମାନଙ୍କୁ ଚିକିତ୍ସା କରିବାର ଉପଯୁକ୍ତ ପନ୍ଥା ନାହିଁ ବା ଉପାୟ ଥିଲେ ମଧ୍ୟ ସେ ଉପାୟ ପ୍ରୟୋଗ କରିବାକୁ ସରକାର ଆଗ୍ରହୀ ନୁହଁନ୍ତି, ତେଣୁ ତାଙ୍କୁ ତ୍ରୁଟିପୂର୍ଣ୍ଣ ଆଇନ ବଳରେ ଜେଲ, ଜୋରିମାନା, ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଉଛି ।

 

କିନ୍ତୁ ଚିନ୍ତା କରିବାର ବିଷୟ ଏହି ଯେ, ସେହି ବ୍ୟକ୍ତିମାନେ କାହିଁକି ପାଗଳ ହୋଇଛନ୍ତି-? କାହିଁକି ସେମାନଙ୍କ ମନରେ ଭାବପ୍ରବଣତା ଅତ୍ୟଧିକ ହୋଇଉଠିଛି, ଯେଉଁଥିପାଇଁ ସେମାନେ ଟେରୋରିଷ୍ଟ ଓ ନକ୍ସଲାଇଟ୍‌ ହୋଇଯାଇଛନ୍ତି ?

 

ନିଶ୍ଚିତ ଭାବରେ ସେମାନଙ୍କ ମନ ଉପରେ ଦୂଷିତ ପ୍ରଭାବ ପଡ଼ିଛି । ମନ କଳୁଷିତ ହୋଇଛି । ଏହାର କାରଣ ଏହି ପୁସ୍ତକର ବିଭିନ୍ନ ସ୍ଥାନରେ ଉପସ୍ଥାପିତ ହୋଇଥିବାରୁ ତାହାର ପୁନରାବୃତ୍ତି କରୁନି ।

 

ଜନସମାଜ, ସରକାର, ଅସ୍ତ୍ରଶସ୍ତ୍ରଧାରୀ ଏବଂ କଲମ କାଗଜରେ ବଳୀୟାନ ବ୍ୟକ୍ତି ତଥା ସରକାରୀ କଳର ଅଫିସରମାନେ ଯେତେ ଦିନ ପର୍ଯ୍ୟନ୍ତ ନିଜର ଭୁଲ୍‌ ନୀତି ଓ ଅମାନବିକତା କାର୍ଯ୍ୟକଳାପରୁ ନିବୃତ୍ତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସେହିମାନେ ହିଁ ସଂସାର ରୂପୀ ଏହି ମଣିଷର ମନ ଓ ଶରୀର ଉପରେ କୁପ୍ରଭାବ ବିସ୍ତାର କରି ଚାଲିଥିବେ ଏବଂ ସେଥିରୁ ଦିନକୁ ଦିନ ଅସଂଖ୍ୟ ମାନସିକ ରୋଗୀ ସୃଷ୍ଟି ହେଉଥିବେ । ଯଦି ଆଇନକର୍ତ୍ତା, ସରକାର ସହିତ ସମ୍ପୃକ୍ତ ବ୍ୟକ୍ତି କଲମ ବଳରେ, ଅର୍ଥ ବଳରେ ଓ ଅସ୍ତ୍ର ବଳରେ ବଳୀୟାନ୍‌ ବା ଶକ୍ତିଶାଳୀ ଜନତା, ବ୍ୟବସାୟୀ, ଶିଳ୍ପସଂସ୍ଥା ଇତ୍ୟାଦି ସେମାନଙ୍କର ଭୁଲ୍‌ ନୀତିକୁ ନ ସୁଧାରନ୍ତି ତେବେ ଏପରି ଗୋଟିଏ ସମୟ ଆସିବ ଯେତେବେଳେ ଉକ୍ତ ବଳୀୟାନ୍‌ ବା କ୍ଷମତା ସମ୍ପନ୍ନ ସେହି ୫% ଲୋକଙ୍କୁ ନିରସ୍ତ୍ର, କ୍ଷମତାହୀନ, ବ୍ୟକ୍ତିମାନେ ଓଲଟି ପାଗଳ ଓ ଘାତକ କହି ବର୍ଜନ କରିବେ ।

 

ଆମରି ଆଖି ଆଗରେ କଡ଼ା ଆଇନ ଏବଂ ଅସ୍ତ୍ର ବଳରେ ବଳୀୟାନ ସେଇ ସୋଭିଏତ୍‌ ରାଷ୍ଟ୍ରସଂଘର ପତନ ଘଟିଲା ପରି ଦିନେ ଧନ ବଳରେ ବଳୀୟାନ ସେହି ଆମେରିକା ଏବଂ ତେଲ ବଳରେ ଗର୍ବୀ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସେମାନଙ୍କର ଗର୍ବ ତ୍ୟାଗ କରି ଶୋଷଣ ନୀତି ଏବଂ ଅହଂ ପରିହାର କରି, ଜଗତବାସୀଙ୍କ ପ୍ରତି ଉଦାରଭାବ ଆଣିବା ଦିଗରେ ଅକ୍ଷମ ହେଲେ ତାଙ୍କର ଅବସ୍ଥା ମଧ୍ୟ ରସାତଳକୁ ଚାଲିଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

 

ବର୍ତ୍ତମାନ ବିକଶିତ ରାଷ୍ଟ୍ରସମୂହର ବିକାଶଶୀଳ ରାଷ୍ଟ୍ରମାନଙ୍କ ପ୍ରତି ଶୋଷଣ ମନୋଭାବ, ଅର୍ଥନୈତିକ ବାସନ୍ଦ ମନୋଭାବ, ବୋଲ ନ ମାନିଲେ ବଳପ୍ରୟୋଗ ମନୋଭାବ ସମଗ୍ର ଦେଶବାସୀଙ୍କ ମନକୁ କଳୁଷିତ କରି ଦେଉଛି । ସେହିପରି ରାଷ୍ଟ୍ରର ଆଇନ, କାର୍ଯ୍ୟକଳାପ, ଦଣ୍ଡବିଧି ସେହି ଦେଶବାସୀଙ୍କର ମନକୁ ଦୂଷିତ କରିଦେଉଛି । ରାଜ୍ୟର କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ରାଜ୍ୟବାସୀଙ୍କ ମନ ଉପରେ ଆଘାତ ଆଣୁଛି । ଏହି କ୍ରମରେ ଆପଣ ଗ୍ରାମ, ସାହିବସ୍ଥି ଓ ପରିବାର ପର୍ଯ୍ୟନ୍ତ ଚାଲି ଆସନ୍ତୁ ଦେଖିବେ ଯେଉଁଠି ବଳ ପ୍ରୟୋଗ ଦ୍ୱାରା ଅନ୍ୟାୟକୁ ଜଣକ ଉପରେ ଚପାଇ ଦିଆଯାଉଛି ସେଠାରେ ତା’ର ମାନସିକ ବିକୃତି କି ରୂପ ନେଉଛି ।

 

ମୋଟ ଉପରେ ଆଲୋଚନାର ପ୍ରଧାନ ବିଷୟ ହେଉଛି ଏହିକି, ପରିବେଶ ନିର୍ମଳ କଥାଟା କେବଳ ଜଙ୍ଗଲ, ଅଳିଆ ଆବର୍ଜନା, ବିଷାକ୍ତ ଗ୍ୟାସ୍‌, ବଇର୍ଯ୍ୟବସ୍ତୁ ଇତ୍ୟାଦି ‘ବସ୍ତୁ-ସର୍ବସ୍ଵ’ ନ ହୋଇ ଈଶ୍ୱରଙ୍କ ସୃଷ୍ଟିରେ ସର୍ବଶ୍ରେଷ୍ଠ ଜୀବ ସେହି ପବିତ୍ର ମାନବର ‘ମନ’ କିପରି ଦୂଷିତ, କଳୁଷିତ, ଉତ୍‌କ୍ଷିପ୍ତ ନ ହେବ ସେ ଦିଗରେ ମଧ୍ୟ ସାରା ଜଗତବାସୀ ‘ଉଦ୍ଦେଶ୍ୟବିହୀନ ଭ୍ରାତୃଭାବ’ ପୋଷଣ ପୂର୍ବକ କାର୍ଯ୍ୟ କରନ୍ତୁ ।

 

ମଣିଷର ମନ ନିର୍ମଳ ଏବଂ ସ୍ଥିର ରହିଲେ ସେ ସମଗ୍ର ପରିବେଶକୁ ଆପେ ଆପେ ନିର୍ମଳ କରି ଦେବ ବୋଲି ମୋର ବିଶ୍ଵାସ ।

 

ମାନସିକ ପରିସ୍ଥିତିକୁ କଳୁଷିତ କରିବା ଦିଗରେ T.V., ସିନେମା ଏବଂ କଂସେଇଙ୍କ ଭୂମିକା

 

ସୁସ୍ଥ ପରିବେଶକୁ କଳୁଷିତ କରି ସୁସ୍ଥ ଓ ସ୍ଥିର ମନ ଉପରେ କୁପ୍ରଭାବ ବିସ୍ତାର ପୂର୍ବକ ସୁସ୍ଥ ମନକୁ ଅସୁସ୍ଥ କରିବା ଏବଂ ସ୍ଥିର ଚିତ୍ତକୁ ଅସ୍ଥିର କରିବାରେ ଏ ଯୁଗର ଟି.ଭି., ଫିଲିମ୍‌ ଏବଂ କଂସେଇମାନଙ୍କର ଭୂମିକା ପ୍ରଣିଧାନ ଯୋଗ୍ୟ ।

 

ଅଯଥାରେ କାଗଜ ନଷ୍ଟ କରି ଟେଲିଭିଜନ୍‌ ଉପରେ ଗୁଡ଼ାଏ ବଖାଣିବା ଆବଶ୍ୟକ ମନେ କରୁନି । ଟେଲିଭିଜନରେ ଆମେ ଗୀତ, ନାଚ, ଫିଲିମ୍‌ ଆଦି ଦେଖୁ । ତା’ଛଡ଼ା, ଶିକ୍ଷଣୀୟ ଏବଂ ଅଜ୍ଞାତ ବହୁ ବିଷୟ ମଧ୍ୟ ସେଠୁ ଦେଖିବାକୁ ମିଳିଥାଏ ।

 

ଏଠାରେ ଗୋଟିଏ କଥା କୁହାଯାଇ ପାରେ । ତା’ ହେଉଛି ଟେଲିଭିଜନରେ ସିନେମା ଗୀତ ପ୍ରଦର୍ଶନ । ‘ଗୀତ’କୁ ଶୁଣାଯାଏ କି ‘ଗୀତ’କୁ ଦେଖାଯାଏ ଆଜି ଏ ଲେଖକ ମନରେ ଗୋଟିଏ ବିରାଟ ପ୍ରଶ୍ନ । ସରକାରଙ୍କ ଦ୍ୱାରା ପରିଚାଳିତ ରେଡ଼ିଓରେ ‘ଗୀତ’ ପରିବେଷଣ ହୁଏ । ଶ୍ରବଣଯନ୍ତ୍ର ମାଧ୍ୟମରେ ରେଡ଼ିଓରୁ ଅଦର୍ଶିତ ଗୀତକୁ ଶୁଣିଲେ ମନରେ ଯେଉଁ ପ୍ରକାର ଭାବାବେଗ ହୁଏ, ଟି.ଭି.ରେ ପ୍ରଦର୍ଶିତ ସେଇ ଗୀତକୁ ଶୁଣିଲେ ଅନ୍ୟ ପ୍ରକାର ଭାବପ୍ରବଣତାର ଉଦ୍ରେକ ହୋଇଥାଏ । ବାସ୍ତବ କ୍ଷେତ୍ରରେ ଟି.ଭି.ରେ ଗୀତ ପରିବେଷଣ ନାମରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ ମୁଖ୍ୟ ହୋଇଥାଏ । ଫିଲ୍‌ମର ଯେଉଁ ଗୀତକୁ T.V.ରେ ପରିବେଷିତ ହୁଏ, ସେଥିରେ ନାୟକ ନାୟିକାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପକୁ ଯଦି ଜଣେ ଲେଖି ବସେ ତେବେ ତାହା ଏପରି ଏକ ସାହିତ୍ୟ ସୃଷ୍ଟି କରିବ, ଯାହାକୁ ‘ଅସଭ୍ୟ ସାହିତ୍ୟ’ ବ୍ୟତୀତ ଅନ୍ୟ କିଛି କୁହାଯାଇ ପାରିବ ନାହିଁ । କିନ୍ତୁ କୌଣସି ପ୍ରକାଶନ ତା’ର ୧୦ ଭାଗରୁ ଭାଗେ କଥାକୁ ଯଦି ପତ୍ରପତ୍ରିକା ବା ପୁସ୍ତକରେ ଛପାଯାଏ ତେବେ ଆଇନ ବଳରେ ଉଚିତ ଶାସ୍ତିଦେବାର ବ୍ୟବସ୍ଥା ରହିଛି । ସିନେମାରେ ସେହିପରି ମାର୍‌ ଧର୍‌, ଫାଇଟିଂ, ରକ୍ତାକ୍ତ ଦୃଶ୍ୟ ସାଙ୍ଗକୁ ବଳାତ୍କାର ଓ ଧର୍ଷଣ ଆଦି ପ୍ରଦର୍ଶିତ ହେଉଛି । ବ୍ଲୁ ଫିଲିମ୍‌ ବରଂ ତା’ଠୁ ଭଲ-। କାରଣ ବ୍ଲୁ ଫିଲିମରେ ମଣିଷର ମାନସିକ ପ୍ରବୃତ୍ତିକୁ ପ୍ରାକୃତିକ ରୂପ ଦିଆଯାଇଥାଏ । ସେଥିରେ ଅପ୍ରାକୃତିକ କିମ୍ବା ଅପ୍ରାସଙ୍ଗିକ କଥା ପ୍ରାୟ ନଥାଏ । କିନ୍ତୁ ଆମ ଭାରତୀୟ ଫିଲିମରେ ନାରୀ ନିର୍ଯାତନା, ବଳାତ୍କାର ଏବଂ ଧର୍ଷଣ ଆଦି ଅପ୍ରାକୃତିକ ଦୃଶ୍ୟ ସାଙ୍ଗକୁ ରକ୍ତାକ୍ତ ଆକ୍ରମଣ ଆଦି ମଣିଷର ମନକୁ ବହୁ ଭାବରେ କଳୁଷିତ କରିବା ସଂଗେ ସଂଗେ କ୍ରିମିନାଲମାନଙ୍କୁ ନୂଆ ନୂଆ ତଥ୍ୟ ଓ ଉପାୟ ଯୋଗାଇ ଥାଏ–ଯାହା ସେମାନେ ସାରା ଜୀବନ କାଳ ମଧ୍ୟରେ ବି ଶିଖିବାର ଓ ଜାଣିବାର ସୁଯୋଗ ପାଇ ନଥାନ୍ତେ ।

 

ଟି.ଭି.ରେ କଳା ପ୍ରଦର୍ଶନ ପାଇଁ ନୃତ୍ୟ ପ୍ରଦର୍ଶନ, ହସ୍ତକଳା ପ୍ରଦର୍ଶନ ଆଦି କରାଯାଇ ପାରେ । ମାତ୍ର ଫିଲିମ୍‌ ଗୀତକୁ ଦୋହରାଇବା ଠିକ୍‌ କି ଭୁଲ୍‍ ଏହା ବିଚାରବନ୍ତ ଲୋକେ ଚିନ୍ତା କରନ୍ତୁ ।

 

ଯେପରି ‘ପାଣି’କୁ ଭକ୍ଷଣ କରା ନଯାଇ ପିଆଯାଏ, ସେହିପରି ‘ଗୀତ’କୁ ଦେଖା ନଯାଇ ଶୁଣାଯାଏ । ଏହାହିଁ ହେଉଛି ଏ ଆଲୋଚନାର ସାରାଂଶ । ଆମର ଆଇନକର୍ତ୍ତା ଗଣ ଏହାକୁ ହୃଦୟଙ୍ଗମ କଲେ ଯଥେଷ୍ଟ ହେବ ।

 

ଟି.ଭି. ପରି ଗୋଟିଏ ଗଣମାଧ୍ୟମରେ ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ, ଥିଲାବାଲାଙ୍କର ନଥିଲାବାଲାଙ୍କର ପ୍ରତି ଦୟା ଓ ଅନୁଗ୍ରହ ପ୍ରଦର୍ଶନ, ଖାଉଟି ସ୍ଵାର୍ଥରକ୍ଷା ପାଇଁ ସେମାନଙ୍କୁ ସଚେତନ କରାଇବା ନିମନ୍ତେ ବହୁ ଉପାଦେୟ କାର୍ଯ୍ୟକ୍ରମ ରଖାଯାଇ ପାରନ୍ତା । ଯେଉଁ ସମୟରେ ଆଜେବାଜେ ସିରିଏଲ, ଗୀତ, ଫିଲିମ୍‌ ଆଦି ପ୍ରଦର୍ଶିତ ହେଉଛି ତାକୁ ବିବାକ୍ ବାଦ ଦେଇ ସେଇ ସମୟରେ ଅନ୍ୟ କାର୍ଯ୍ୟକ୍ରମ, ଯଥା–ଶିକ୍ଷା, କଳା, ବିଜ୍ଞାନ ଆଦି ବହୁତ ତଥ୍ୟ ଲୋକଙ୍କୁ ଦିଆଯାଆନ୍ତା ।

 

ଟି.ଭି.ରେ ବିଜ୍ଞାପନକୁ ମଧ୍ୟ ନିୟନ୍ତ୍ରଣ କରାଯାଆନ୍ତା । କାରଣ ଯେଉଁ ଜିନିଷର ବିଜ୍ଞାପନ ଟି.ଭି.ରେ ପ୍ରଦର୍ଶିତ ହେଉଛି ସେଇ ଜିନିଷର ପ୍ରକୃତ ଦାମରେ ମୋଟା ବିଜ୍ଞାପନ ଖର୍ଚ୍ଚ ଯୋଡ଼ା ଯାଇ ଖାଉଟିମାନଙ୍କୁ ଶୋଷଣ କରାଯାଉଛି । ଏହା କ’ଣ ଖୋଦ୍‌ ସରକାରଙ୍କ ଦ୍ୱାରା ପ୍ରଣିତ ଖାଉଟି ସୁରକ୍ଷା ଆଇନର ବିରୁଦ୍ଧାଚରଣ କରୁ ନାହିଁ କି ?

 

ସିନେମା ଗୃହରେ ଫିଲିମ୍‌ ପ୍ରଦର୍ଶିତ ହୋଇଥାଏ । ଯଦି ଟି.ଭି.ରେ ତା’ ପୁନଃ ପ୍ରଦର୍ଶିତ ହୁଏ ତେବେ ସିନେମା ଶିଳ୍ପ ଉପରେ ତା’ ଆଞ୍ଚ ଆଣୁ ନାହିଁ କି ?

 

ଯେଉଁ ପ୍ରଡ଼୍ୟୁସରମାନେ ଫିଲିମ୍‌କୁ ଦୁଇ ଭାଗରେ ବିଭକ୍ତ କରି ଗୋଟିଏ ସିନେମା ଗୃହକୁ ଓ ଅନ୍ୟଟି କ୍ୟାସେଟବାଲାଙ୍କୁ ଦେଉଛନ୍ତି ସେପରି ନ କରି କେବଳ ଫିଲିମ୍‌ ବା କ୍ୟାସେଟ ୟା’ମଧ୍ୟରୁ ଗୋଟିଏ କରନ୍ତେ । ଯେଉଁ ଫିଲିମ୍‌ କ୍ୟାସେଟ ହେବ, ତା’ ସିନେମା ହଲ ପାଇଁ ବିବାକ୍‌ ବାରଣ କରି ଦିଆଯାନ୍ତା ଏବଂ ଯେ ସିନେମା ହଲ୍‌କୁ ଯିବ ତାକୁ ସେହିପରି କ୍ୟାସେଟ ପାଇଁ ବାରଣ କରାଯାନ୍ତା । ଏପରି ହେଲେ ବରଂ ଭଲ ହୁଅନ୍ତା । ବର୍ତ୍ତମାନ ଯାର ଟି.ଭି. ଅଛି ସେ କ୍ୟାସେଟ ଆଣି ଘରେ ବସି ଫିଲିମ୍‌ ଦେଖି ଦେଇଛି । ଏହାଦ୍ୱାରା ନା କ୍ୟାସେଟବାଲା ନା ଫିଲିମ୍‌ ହଲ୍‌ବାଲା କେହି ସମ୍ପୂର୍ଣ୍ଣ ରୂପେ ଫାଇଦା ଉଠାଇପାରୁ ନାହାନ୍ତି । ଫିଲିମ୍‌ ସିନେମା ହଲରେ ପ୍ରଦର୍ଶିତ ହେଲେ ସରକାର ଟିକସ ପାଆନ୍ତି । ମାତ୍ର କ୍ୟାସେଟବାଲାଙ୍କ ଠାରୁ ସରକାର କିଛି ଟିକସ ପାଆନ୍ତି ନାହିଁ । କ୍ୟାସେଟ ଉପରେ ମଧ୍ୟ ଟିକସ ବସାଯିବା ନେଇ ଚିନ୍ତା କରିବାର ସମୟ ଆସିଛି ।

 

‘କଂସେଇ’ଙ୍କ କଥା ଶୁଣନ୍ତୁ । ଆଜିକାଲି ବହୁ ଜନଗହଳି ରାସ୍ତା କଡ଼ରେ ଅବାଧ ପଶୁ ପକ୍ଷୀ ବଧ ଚାଲିଛି । ଲୋକେ ମାଂସ ଖାଆନ୍ତି । କିନ୍ତୁ ମଣିଷ ସାମନାରେ ଜୀବବଧ ହେଲେ ତାହା ସୁସ୍ଥ ମନକୁ ଦୁଃସ୍ଥ କରିବାରେ ସାହାଯ୍ୟ କରିଥାଏ । ସମସ୍ତଙ୍କ ମନ ତ ସମାନ ନୁହେଁ । ତେଣୁ କେବଳ କିଲ୍‌ଖାନାରେ ବଧ ହେବା ଉଚିତ ।

 

ସରକାରଙ୍କ ତରଫରୁ ଏହାର ବିହିତ ପ୍ରତିକାର କରାଯିବା ନିହାତି ଆବଶ୍ୟକ । ତା’ଛଡ଼ା ସର୍ବସାଧାରଣଙ୍କ ତରଫରୁ ମଧ୍ୟ ପ୍ରତିରୋଧ ହେବା ଉଚିତ । କିନ୍ତୁ ଦେଖାଯାଉଛି ଯେ କଂସେଇ ସାଇ ଦାଦାଙ୍କୁ ହାତକରି ଏପରି କୁକର୍ମ କରୁଛନ୍ତି । ତେଣୁ ସର୍ବସାଧାରଣଙ୍କର ତାକତ୍‌ ସେଠି କେତେ ?

 

ମଣିଷର ମନଟି ଯଦି ଦୂଷିତ, କଳୁଷିତ, ବିକୃତ, ଅସୁସ୍ଥ, ଅସ୍ଥିର ହୋଇଯାଏ, ତେବେ ସେ ମଧ୍ୟ ମାନବିକତା ହରାଇ ବସେ । ଏ କଥା ବୁଝୁଛି କିଏ ?

 

ବଣିଆମାନଙ୍କ ଦ୍ୱାରା ସହରର ସାଇ ବସ୍ତି ପ୍ରଦୂଷଣ

 

ସମସ୍ତେ ଜାଣନ୍ତି ସାଇ ଓ ବସ୍ତିମାନଙ୍କରେ ବଣିଆମାନେ ସୁନା ରୂପା କାମ କରନ୍ତି । ସେହିସବୁ କାମ କଲାବେଳେ ସେମାନେ Nitric Acid ବା ତେଜାପ ବ୍ୟବହାର କରିଥାନ୍ତି । ତେଜାପ ବ୍ୟବହାରବେଳେ ସେଥିରୁ ବିଷାକ୍ତ ତଥା ଅତି କଟୁ ଧୂଆଁ ବାହାରେ । ଏହି ତେଜାପ ଧୂଆଁ ନିକଟସ୍ଥ ବ୍ୟକ୍ତିଙ୍କୁ ଯଥେଷ୍ଟ ଭାବରେ ଆକ୍ରାନ୍ତ କରିଥାଏ । ରକ୍ତ ଆମାଶୟ, ରକ୍ତସ୍ରାବ, ଏପରିକି ଯନ୍ତ୍ରଣାଦାୟକ ମୁଣ୍ଡବିନ୍ଧା ଓ କ୍ୟାନ୍‌ସର ମଧ୍ୟ ହୋଇଥାଏ । ସେମାନେ ସୁନାରେ ଯଥେଷ୍ଟ ପରିମାଣରେ ଖାଦ ମିଶାଇ ପ୍ରଚୁର ଲାଭ କରୁଥିବା ହେତୁ ଅତିରିକ୍ତ ଘର ଭଡ଼ା ଦେଇ ଘର ନିଅନ୍ତି-। ଆରପଟ ଘରେ ଲୋକ ରହୁଥିବା ବେଳେ ଏପଟ ଘରକୁ ଅତିରିକ୍ତ ଭଡ଼ା ଲୋଭରେ ଲୋକେ ବଣିଆମାନଙ୍କୁ ଭଡ଼ାରେ ଦିଅନ୍ତି । ଜନବସତି ତଥା ସାଇ ବସ୍ତି ଭିତରେ ବଣିଆମାନଙ୍କର ଏତାଦୃଶ ପ୍ରଦୂଷଣ ଯେ କେତେଦୂର କ୍ଷତିକାରକ ସେଥିପ୍ରତି ନା ସରକାରଙ୍କର ନା ସରକାରୀ ସଂସ୍ଥାର ଅଫିସରମାନଙ୍କର ଏପରିକି ମ୍ୟୁନିସିପାଲଟି ହେଲ୍‌ଥ ଅଫିସରମାନଙ୍କର ମଧ୍ୟ ନଜର ଯାଏନା-। ଯଦିଓ ନଜର ଯାଏ ତେବେ ସେମାନେ ହାତଗୁଞ୍ଜା ଦେଇ ଖସି ଯାଆନ୍ତି । ବଣିଆମାନେ ମଧ୍ୟ ସାଇ ବସ୍ତିର ଦାଦାମାନଙ୍କୁ ହାତ କରି ସେମାନଙ୍କୁ ମାସିକିଆ ପ୍ରିମିୟମ ଦେଇ ଲୋକଙ୍କୁ ପ୍ରଚୁର ଖାଦ ମିଶା ଗହଣା ଦେଇ ଠକିବା ସଂଗେ ସଂଗେ ନାଇଟ୍ରିକ ଏସିଡ଼ର ପ୍ରଚୁର ବ୍ୟବହାର କରି ଜନବସତିକୁ ପ୍ରଦୂଷିତ କରି ଚାଲିଛନ୍ତି ।

 

ଯଦି ବଣିଆମାନଙ୍କୁ ଜନବସତିମାନଙ୍କଠାରୁ ହଟାଇ ଦିଆଯାଆନ୍ତା ଏବଂ ସେମାନଙ୍କୁ କୌଣସି Chemical Industry ଅଞ୍ଚଳରେ ତାଙ୍କର କାର୍ଯ୍ୟ କରିବାକୁ ଦିଆ ଯାଆନ୍ତା ତେବେ ବହୁପରିମାଣରେ ଜନସାଧାରଣଙ୍କର ସ୍ଵାସ୍ଥ୍ୟ ସେବା କରାଯାଇ ପାରନ୍ତା ।

 

(୨୯)

ମତାମତ

ଏ ପୁସ୍ତକର ଲେଖକ ଶ୍ରୀ ନବକିଶୋର ମହାପାତ୍ରଙ୍କ ସଂକ୍ଷିପ୍ତ ପରିଚୟ

 

ବଂଶ ପରିଚୟ:

 

ଓଡ଼ିଶାରୁ ରାଜା ଜମିଦାରଙ୍କ ଶାସନ ଉଚ୍ଛେଦ ହେବା ପୂର୍ବରୁ ଗଡ଼ଜାତ ଏବଂ ମୋଗଲବନ୍ଦି ଏପରି ଦୁଇ ଭାଗରେ ବିଭକ୍ତ ଥିଲା । ଗଡ଼ଜାତରେ ରାଜାଙ୍କ ଶାସନ ଚାଲୁଥିଲା ଓ ମୋଗଲବନ୍ଦିରେ ପ୍ରଥମେ ମୋଗଲ ଶାସନ ଏବଂ ପରେ ବ୍ରିଟିଶ ଶାସନ ଜାରି ହୋଇଥିଲା । ଏ ରାଜ୍ୟରେ ଶ୍ରୀକ୍ଷେତ୍ରସ୍ଥ ଠାକୁର ରାଜାଙ୍କର ଏକ ସ୍ଵତନ୍ତ୍ର ସ୍ଥାନ ଥିଲା । କାରଣ ଗଡ଼ଜାତର ରାଜାମାନେ ଠାକୁର ରାଜାଙ୍କୁ ବଡ଼ ଭାଇ ପରି ଖାତିର ଦେଖାଉ ଥିଲେ । ପ୍ରତି ରାଜାଙ୍କ ରାଜ୍ୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ମନ୍ଦିର ଥିଲା ଓ ସେମାନେ ନିୟମିତ ପୂଜା ପାଉଥିଲେ । ପ୍ରତିବର୍ଷ ଗଡ଼ଜାତମାନଙ୍କରେ ଠିକ୍‌ ପୁରୀର ରଥଯାତ୍ରା ପରି ରଥଯାତ୍ରା ମହା ସମାରୋହରେ ପାଳିତ ହେଉଥିଲା ।

 

ସ୍ୱାଧୀନ ଭାବେ ରହିଥିବା କେତେକ ରାଜା ମହାରାଜଙ୍କୁ ବାଦ୍‌ ଦେଲେ ଠାକୁର ରାଜାଙ୍କ ନିମନ୍ତ୍ରଣ ପାଇ ଅନ୍ୟ କେତେକ ରାଜା ଭାରତର ବିଭିନ୍ନ ପ୍ରଦେଶରୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ମହନିପୁର ରାଜ୍ୟର ରାଜକୁମାର ଶ୍ରୀ ଶ୍ରୀ ବିକ୍ରମାଜିତ୍‌ ସିଂହ ଅନ୍ୟତମ । ଶ୍ରୀ ଶ୍ରୀ ବିକ୍ରମାଜିତ୍‌ ସିଂହ ୧୩୦୦ ଶତାବ୍ଦୀରେ ଓଡ଼ିଶା ଆସି ବୈତରଣୀ ନଦୀର ଉତ୍ତରପଟେ ଥିବା ମଞ୍ଜୁରୀ ପ୍ରଗଣାରେ ନିଜର ସ୍ଥାୟୀ ବାସଗୃହ ନିର୍ମାଣ କଲେ ଓ ସେଠାରେ ଜଗନ୍ନାଥ ମନ୍ଦିରଟିଏ ନିର୍ମାଣ କରାଇ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କର ଘଟ ପ୍ରତିଷ୍ଠା କରି ନିୟମିତ ପୂଜା କାର୍ଯ୍ୟ କରିବାକୁ ଲାଗିଲେ ।

 

ବୈତରଣୀ ନଦୀଠାରୁ ଆରମ୍ଭ କରି ଭଦ୍ରକ ସୀମା ଅଞ୍ଚଳଯାଏ କେବଳ ହରିଜନ ଏବଂ ଆଦିବାସୀମାନେ ରହୁଥାନ୍ତି । ଶିକ୍ଷା ଓ ସଂସ୍କୃତି ସେମାନଙ୍କ ପାଖରେ ସ୍ଵପ୍ନ । କେବଳ ହିଂସା ଥିଲା ତାଙ୍କର ଦୈନନ୍ଦିନ କାର୍ଯ୍ୟ । ବଣ ଜଙ୍ଗଲ ପୂର୍ଣ୍ଣ ଏଇ ଅଞ୍ଚଳରେ ବଣ୍ୟଯନ୍ତୁ ଏବଂ ତତ୍କାଳୀନ ମଣିଷଙ୍କ ପ୍ରକୃତି ଭିତରେ ବିଶେଷ ପାର୍ଥକ୍ୟ ନ ଥିଲା ।

 

ଏ ଅଞ୍ଚଳରେ ଶ୍ରୀ ଶ୍ରୀ ବିକ୍ରମାଜିତ୍‌ ସିଂ କିଛିଦିନ ରହି ହିଂସ୍ର-ମାନବଙ୍କ ସହିତ ସଂଘର୍ଷ କରି ସେମାନଙ୍କୁ ନିଜ ଅକ୍ତିଆରକୁ ଆଣିଥିଲେ । ସେ ସାରା ମଞ୍ଜୁରୀ ପ୍ରଗଣାରେ ଥିବା ହିଂସ୍ର ମାନବଙ୍କୁ ଜିଣି ଥିବାରୁ ତାଙ୍କୁ ଠାକୁର ରାଜା ‘ଜିଣା’ ଉପାଧି ପ୍ରଦାନ କଲେ । କ୍ରମେ କ୍ରମେ ଏଇ ‘ଜିଣା’ ଅପଭ୍ରଂଶ ହୋଇ ‘ଜେନା’ରେ ରୂପାନ୍ତରିତ ହୋଇଥିଲା । ତେଣୁ ସେ ହେଲେ ରାଜା ଶ୍ରୀ ଶ୍ରୀ ବିକ୍ରମାଜିତ ସିଂ ଜିଣା (ଜେନା) ।

 

ବଂଶକ୍ରମ ସଂକ୍ଷେପରେ ଏହିପରି–

 

ରାଜା ଶ୍ରୀ ଶ୍ରୀ ବିକ୍ରମାଜିତ ସିଂ ଜିଣା ।

 

ଶ୍ରୀ ଶ୍ରୀ ରାମ କଦମ୍ବା ସିଂ ଜିଣା ।

 

ଶ୍ରୀ ଶ୍ରୀ ଜଗବନ୍ଧୁ ମର୍ଦ୍ଦରାଜ ଜିଣା ।

 

ସାମନ୍ତ ଚୌଧୁରୀ ଶ୍ରୀ ଶ୍ରୀ ଜୟଦେବ ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ୟାଙ୍କର ଦଶପୁତ୍ର ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ହେଲେ–

 

ଶ୍ରୀ ଶ୍ରୀ ସାମନ୍ତ ଗୋପାଳ ଚନ୍ଦ୍ର ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ଶ୍ରୀ ଶ୍ରୀ ସାମନ୍ତ ଚନ୍ଦ୍ରଶେଖର ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ଶ୍ରୀ ଶ୍ରୀ ସାମନ୍ତ ଶ୍ରୀଧର ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ଶ୍ରୀ ଶ୍ରୀ ସାମନ୍ତ ଚୌଧୁରୀ ପରମାନନ୍ଦ ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ଶ୍ରୀ ଶ୍ରୀ ସାମନ୍ତ ଚୌଧୁରୀ ଗିରିଧାରୀ ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ଶ୍ରୀ ଶ୍ରୀ ସାମନ୍ତ ଚୌଧୁରୀ କୁଞ୍ଜବିହାରୀ ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ଏହାଙ୍କର ୪ ପୁତ୍ର ମଧ୍ୟରୁ ୩ୟ ପୁତ୍ର ହେଲେ–

 

ଶ୍ରୀ ରାସ ବିହାରୀ ମହାପାତ୍ର

 

ଶ୍ରୀ ଫକିର ଚରଣ ମହାପାତ୍ର

 

ଶ୍ରୀ ସୁଦର୍ଶନ ମହାପାତ୍ର

 

ଶ୍ରୀ ବାଉରୀବନ୍ଧୁ ମହାପାତ୍ର

 

ଶ୍ରୀ ଦିଗମ୍ବର ମହାପାତ୍ର

 

ଶ୍ରୀ ନବକିଶୋର ମହାପାତ୍ର (ଏ ପୁସ୍ତକର ସଂକଳକ)

 

ଦୂରଦ୍ରଷ୍ଟା, ଚିନ୍ତକ, ଲେଖକ ଓ ସଂସ୍କାରକ :

 

ଶ୍ରୀ ନବକିଶୋର ମହାପାତ୍ର କ୍ରମାଗତ ଭାବେ ସମାଜ ସଂସ୍କାର, ଅର୍ଥନୀତି ଓ ରାଜନୀତି ଉପରେ ବହୁ ଉପାଦେୟ ଲେଖା ଲେଖି ଆସୁଛନ୍ତି । ଏହାଛଡ଼ା ସେ ନିମ୍ନଲିଖିତ ବହିଗୁଡ଼ିକର ପ୍ରଣେତା ଅଟନ୍ତି ।

 

ପତିତପାବନ (ଓଡ଼ିଆ ପ୍ରଥମ ମୁଦ୍ରଣ ୧୯୬୯)

 

ପତିତପାବନ (ବଙ୍ଗାନୁବାଦ ୧୯୭୦)

 

A New Horizon (‘ପତିତପାବନ’ର ଇଂରାଜୀ ଅନୁବାଦ ୧୯୭୦)

 

ମତାନ୍ତର (ଓଡ଼ିଆ ପ୍ରଥମ ମୁଦ୍ରଣ–୧୯୭୩)

 

ମତାନ୍ତର (ବଙ୍ଗଳା ଅନୁବାଦ–୧୯୭୪)

 

You May Not Agree (‘ମତାନ୍ତର’ର ଇଂରାଜୀ ଅନୁବାଦ ୧୯୭୪)

 

A Challange to Our Leaders (ତତ୍କାଳୀନ ଓଡ଼ିଶାର ଏକମାତ୍ର ଇଂରାଜୀ ଦୈନିକ News of the Worldରେ ପ୍ରକାଶିତ କେତେକ ଅତି ଉପାଦେୟ ତଥ୍ୟ ଓ ଚିନ୍ତାମୂଳକ ପ୍ରବନ୍ଧ ଯାହା ସମ୍ପାଦକୀୟ ଏବଂ ଅନ୍ୟାନ୍ୟ ସ୍ତମ୍ଭରେ ପ୍ରକାଶ ପାଇଥିଲା, ତା’ର ଏକତ୍ରିକରଣ–୧୯୭୨ରୁ ୧୯୭୭)

 

ମହର୍ଷି ବାତ୍ସାୟନଙ୍କ ‘କାମସୂତ୍ର’ (ଓଡ଼ିଆ ଅନୁବାଦ ୧୯୮୯; ପ୍ରକାଶ ୧୯୯୧)

 

କୋକଶାସ୍ତ୍ର (ଓଡ଼ିଆ ଅନୁବାଦ ୧୯୯୦; ପ୍ରକାଶ ୧୯୯୧)

 

ଧର୍ମ ଓ ଈଶ୍ୱର (ଓଡ଼ିଆରେ ଲିଖିତ ୧୯୯୦ ଏବଂ ପ୍ରଥମ ପ୍ରକାଶ ୧୯୯୨)

 

The Religion & the God (‘ଧର୍ମ ଓ ଈଶ୍ୱର’ ଓଡ଼ିଆ ପୁସ୍ତକର ଇଂରାଜୀ ଅନୁବାଦ–ଯନ୍ତ୍ରସ୍ଥ)

 

ଆସନ୍ତା କାଲିର ଚିନ୍ତା (ଓଡ଼ିଆରେ ଲିଖିତ ୧୯୯୧ ଏବଂ ପ୍ରଥମ ପ୍ରକାଶ ୧୯୯୨)

 

Thought for Tomorrow (‘ଆସନ୍ତାକାଲିର ଚିନ୍ତା’ର ଇଂରାଜୀ ଅନୁବାଦ–ଯନ୍ତ୍ରସ୍ଥ)

 

ଏହାବ୍ୟତୀତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରୀ ମହାପାତ୍ର ବହୁତ ଗୁଡ଼ିଏ ବହି ଲେଖି ଅଛନ୍ତି-। ତନ୍ମଧ୍ୟରୁ କେତୋଟି ହେଲା–

 

ଛାତ୍ରସାଥି ମଧୁ ବର୍ଣ୍ଣବୋଧ

 

ଆମ ଛବି ବହି (୧ମ ଓ ୨ୟ ଭାଗ)

 

ପହିଲି ଗଣିତ

 

My First Book

 

ଏହାଛଡ଼ା ମୁଁ ନିଜେ ଶ୍ରୀ ମହାପାତ୍ରଙ୍କ ଠାରୁ ଶୁଣିବାକୁ ପାଇଛି ଯେ ସେ ୧୯୬୭ ମସିହାରୁ ଗୋଟିଏ ନୂଆ ଧରଣର ଡିକ୍‌ସିନାରୀ ପ୍ରକାଶ କରିବାର ପରିକଳ୍ପନା କରିଛନ୍ତି । ପ୍ରସ୍ତାବିତ ଡିକ୍‌ସିନାରୀଟି ଏକ ଲକ୍ଷ ଶବ୍ଦ ବିଶିଷ୍ଟ ଓଡ଼ିଆ, ଇଂରାଜୀ, ହିନ୍ଦି ଏବଂ ବଙ୍ଗଳା ଏଇ ଚାରିଭାଷାରେ ଗୋଟିଏ ଭଲ୍ୟୁମରେ ଏପରି ଭାବରେ ଛାପାଯିବ ଯେପରି ପ୍ରତ୍ୟେକ ଭାଷାର ବର୍ଣ୍ଣାନୁକ୍ରମିକ ଶବ୍ଦ କ୍ରମାନ୍ୱୟରେ ସୁସଜ୍ଜିତ ହୋଇ ରହିଥିବ । ଏହାଦ୍ଵାରା ଜଣେ ୪ ଭାଷା ମଧ୍ୟରୁ ଯେ କୌଣସି ଭାଷା ମାଧ୍ୟମରେ କୌଣସି ଶବ୍ଦର ଅର୍ଥ ଜାଣିବାକୁ ଚାହିଁଲେ ସେ ସୁସଜ୍ଜିତ ସେହି ଭାଷାର ବର୍ଣ୍ଣକ୍ରମ ଅନୁସାରେ ଶବ୍ଦଟିକୁ ପାଇବ ଏବଂ ଅନ୍ୟ ତିନିଟି ଭାଷାର ପ୍ରତିଶବ୍ଦ ମଧ୍ୟ ସେଇଠୁ ପାଇଯିବ । ବସ୍ତୁତଃ ଏହି ଡିକ୍‌ସିନାରୀ ୧୬ଟି ଡିକ୍‌ସିନାରୀକୁ replace କରିବ । ଅଥଚ ଭଲ୍ୟୁମ ବିଶେଷ ବଢ଼ିବ ନାହିଁ । ଏହାର ପାଣ୍ଡୁଲିପି ପ୍ରସ୍ତୁତ ହୋଇସାରିଛି ।

 

ତାଙ୍କଦ୍ଵାରା ଲିଖିତ ‘ପତିତପାବନ’ ପୁସ୍ତକଟି ସଂସ୍କାର ମୂଳକ । ଶିକ୍ଷା, ସମାଜ, ସ୍ଵାସ୍ଥ୍ୟ ଏବଂ ଅନ୍ଧାନୁସରଣ ଉପରେ ଗୁଡ଼ିଏ ଅତି ଚିନ୍ତାପୂର୍ଣ୍ଣ ତାତ୍ତ୍ୱିକ ଲେଖାରେ ପରିପୂର୍ଣ୍ଣ । ଏହି ଓଡ଼ିଆ ବହିର ବଙ୍ଗଳା ଅନୁବାଦ କରିଥିଲେ ସୁନାମଧନ୍ୟା ସୁଲେଖିକା ଶ୍ରୀମତୀ ରମଳା କର (ବାଗ୍ମୀ ବିଶ୍ଵନାଥ କରଙ୍କ ବୋହୂ) । ବଙ୍ଗଳା ବହିର ନାମ ମଧ୍ୟ ସେହି ‘ପତିତପାବନ’ ଅଟେ । ଉକ୍ତ ‘ପତିତପାବନ’ ଓଡ଼ିଆ ବହିର ଇଂରାଜୀ ଅନୁବାଦ କରିଥିଲେ ପ୍ରଫେସର ହୁମାୟୁନ କବିର । ଇଂରାଜୀ ଅନୁବାଦ ବହିର ନାମ ହେଉଛି A New Horizon.

 

‘ମତାନ୍ତର’ ନାମକ ଓଡ଼ିଆ ପୁସ୍ତକଟିରେ ଶ୍ରୀ ମହାପାତ୍ର ଏପରି ଗୁଡ଼ିଏ ବିଷୟ ଉପରେ ତାଙ୍କର ମତାମତ ଦେଇ ଅଛନ୍ତି ଯାହାକୁ ପଢ଼ିଲେ ସାଧାରଣଙ୍କ ମନରେ ଥିବା ବହୁ ଅମୀମାଂସିତ ପ୍ରଶ୍ନର ଉତ୍ତର ମିଳିଯିବା ସଂଗେ ସଂଗେ ମନର ସାଧାରଣ ଚିନ୍ତା ଓ ଧାରଣାକୁ ପୂରାପୂରି ଓଲଟାଇ ଦିଏ ବା ବଦଳାଇ ଦିଏ । ‘ମତାନ୍ତର’ ପୁସ୍ତକର ବଙ୍ଗଳା ଅନୁବାଦ ଏବଂ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶ ପାଇଛି । ବଙ୍ଗଳା ଅନୁବାଦ କରିଛନ୍ତି ଶ୍ରୀମତୀ ରମଳା କର ଏବଂ ଇଂରାଜୀ ଅନୁବାଦ ‘You May Not Agree’ କରିଛନ୍ତି ଶ୍ରୀକୁମାର କିଶୋର ମହାନ୍ତି ।

 

ଶ୍ରୀ ମହାପାତ୍ର News of the Worldର ପରିଚାଳନା ସମ୍ପାଦକ ଥିବା ସମୟରେ ବିଭିନ୍ନ ସମସ୍ୟା ଉପରେ ଯେଉଁ ସମାଲୋଚନା ପ୍ରବନ୍ଧମାନ ସେହି ଦୈନିକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଗଲା, ତା’ର ଗୋଟିଏ ସଂକଳନ ‘A challange to our Leaders’ ନାମରେ ପ୍ରକାଶ ପାଇଥିଲା । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋରାଜୀ ଦେଶାଇ ପ୍ରଧାନମନ୍ତ୍ରୀ ରୂପେ ପ୍ରଥମେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଗଭର୍ଣ୍ଣର ହାଉସରେ ଉକ୍ତ A Challange to our Leaders ବହିଟି ତାଙ୍କୁ ଉପହାର ଦିଆ ଯାଇଥିଲା । ସେହି ବହିଟିରେ ସମାଜର ବହୁ ସମସ୍ୟା ଏବଂ ତା’ର ସମାଧାନ କିପରି କରାଯାଇ ପାରିବ ସେହି ବିଷୟରେ ଅତି ଗଭୀର ଚିନ୍ତାମୂଳକ ପ୍ରବନ୍ଧମାନ ସ୍ଥାନ ପାଇଛି । ଦୁଃଖର କଥା ଏହାର ମୂଳ ଓଡ଼ିଆ ଲେଖାଗୁଡ଼ିକର ମୁଦ୍ରଣ ଏପର୍ଯ୍ୟନ୍ତ ହୋଇ ପାରିନି ।

 

‘ଧର୍ମ ଓ ଈଶ୍ୱର’ ବହିଟି ଏପରି ହୋଇଛି ଯେ, ଏହା କୌଣସି ଧର୍ମ ବା ମତବାଦ ଉପରେ ଲେଖା ହୋଇନି । ବରଂ ଏହା ‘ମାନବ ଧର୍ମ’ ଉପରେ ଲିଖିତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଏହା ବ୍ୟତୀତ ସେ ଓଡ଼ିଆ ବର୍ଣ୍ଣମାଳାରେ ବହୁ ସଂସ୍କାର ଆଣିଛନ୍ତି । ଯଥା ଭାଷା ପ୍ରଚଳନ କାଳରୁ କୁହାଯାଉଥିବା ‘ଯ’ ଫଳାକୁ ସେ ‘ୟ’ ଫଳା ଏବଂ ‘ବ’ ଫଳାକୁ ସେ ‘ଓ୍ୱ’ ଫଳା ଆଖ୍ୟା ଦେଇ ଅଛନ୍ତି ।

 

ତାଙ୍କର ବହୁତ ଲେଖା ବିଭିନ୍ନ ମାଗାଜିନ ଏବଂ ନିଉଜ୍‌ ପେପରରେ ପ୍ରକାଶପାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ସବୁ ସଂଗୃହିତ ହୋଇ ପୁସ୍ତକ ରୂପେ ପ୍ରକାଶ ପାଇପାରିନି ।

 

ସାମ୍ବାଦିକ :

 

ଶ୍ରୀ ନବକିଶୋର ମହାପାତ୍ର ନିମ୍ନଲିଖିତ ଦୈନିକ ଇଂରାଜୀ ଖବରକାଗଜ ଏବଂ ମାସିକ ମାଗାଜିନ ଗୁଡ଼ିକର ପରିଚାଳନା ସମ୍ପାଦକ ।

 

Managing Editor of ‘News of the World’ Since 1975.

 

ପରିଚାଳନା ସମ୍ପାଦକ: ମନପବନ (ମାସିକ ଶିଶୁ ପତ୍ରିକା)

 

ଛାତ୍ରସାଥି (ମାସିକ କିଶୋର ପତ୍ରିକା)

 

ବିଜ୍ଞାନ ପ୍ରଭା (ମାସିକ ବିଜ୍ଞାନ ପତ୍ରିକା)

 

ଆଲୋକ (ମାସିକ ଓଡ଼ିଆ ଡାଇଜେଷ୍ଟ)

 

କାମନା (ମାସିକ ଯୌନ ବିଜ୍ଞାନ ପତ୍ରିକା)

 

ଶାରଳା (ମାସିକ ପାରିବାରିକ ପତ୍ରିକା)

 

ସତକଥା (ମାସିକ ଅପରାଧ ପତ୍ରିକା)

 

ଚିତ୍ରକଥା (ମାସିକ ସିନେମା ପତ୍ରିକା)

 

ରହସ୍ୟ ଉପନ୍ୟାସ (ମାସିକ ଡିଟେକ୍‌ଟିଭ)

 

The Cream (International Monthly)

 

Cartoon Doonia (Cartoon International in Oriya, Hindi, English Languages)

 

ବିଜ୍ଞାନ ଏବଂ କାରିଗରୀ କଳା :

 

ଶ୍ରୀ ନବକିଶୋର ମହାପାତ୍ର ବିଜ୍ଞାନ ଓ କଳା ବିଦ୍ୟାରେ ଯେଉଁ ଯେଉଁ ଆବିଷ୍କାର ଏବଂ ଉଦ୍ଭାବନ କରିଅଛନ୍ତି, ସଂକ୍ଷିପ୍ତରେ ତା’ର ସୂଚନା ଦିଆଯାଉଛି ।

 

(୧) ୧୯୬୬ରେ ଓଡ଼ିଆରେ ଲିପି ସଂସ୍କାର କରିଥିଲେ ।

 

(୨) ୧୯୬୭ଠାରୁ ସେ ଓଡ଼ିଆ ଲିପି ବିଜ୍ଞାନ (Typographic Science) ବିଷୟରେ ରିସର୍ଚ୍ଚ କରି ତଦନୁସାରେ ବହୁ ନୂଆ ନୂଆ ଡିଜାଇନ୍‌ର ଛାଞ୍ଚ (ମେଟ୍ରିସ୍‌) ଓଡ଼ିଆ ଛାପା ଅକ୍ଷର ନିମନ୍ତେ ପ୍ରସ୍ତୁତ କରି ଆସୁଛନ୍ତି । ଉକ୍ତ ନୂଆ ଛାଞ୍ଚରୁ ନୂଆ ନୂଆ ଫେସ୍‌ର ଓଡ଼ିଆ ଅକ୍ଷର ପ୍ରସ୍ତୁତ ହେଉଛି ଏବଂ ତାକୁ ଛାପାଖାନାମାନେ ବ୍ୟବହାର କରୁଛନ୍ତି । ଓଡ଼ିଶାରେ ଏପର୍ଯ୍ୟନ୍ତ କେହି ହେଲେ ଏପରିକି ଖୋଦ ସରକାର ଚେଷ୍ଟା କରି ମଧ୍ୟ ତାଙ୍କର ଏଇ ନୂଆ ପଦ୍ଧତିରେ ଛାଞ୍ଚ (ମେଟ୍ରିସ୍‌) ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରି ନାହାନ୍ତି ।

 

(୩) ୧୯୮୨ରେ ତାଙ୍କର ନୂଆ ଚିନ୍ତାଧାରା ଅନୁସାରେ ଦିଲ୍ଲୀର ଏକ ମେସିନ୍‌ ନିର୍ମାତା Multisized Web Offset Press ତିଆରି କରି ପାରିଥିଲେ । ମଲ୍‌ଟିସାଇଜ୍‌ଡ଼ ଓ୍ୱେବ୍‌ ଅଫସେଟ ମେସିନଟି ଭାରତରେ ସର୍ବପ୍ରଥମ ଯାହାର ମୂଳ ଡିଜାଇନ ଶ୍ରୀ ମହାପାତ୍ର ହିଁ ମେସିନ୍‌ ନିର୍ମାତା M/s Dadiala Engineering Worksକୁ ଦେଇଥିଲେ ।

 

(୪) ଓଡ଼ିଆ ଫଟୋ ଟାଇପ୍‌ ସେଟର୍‌ ତିଆରି ନିମନ୍ତେ ଶ୍ରୀ ମହାପାତ୍ର ସୁଇଜରଲ୍ୟାଣ୍ଡର ଏକ ନିର୍ମାତାଙ୍କୁ ତାଙ୍କର ଭାରତୀୟ ଏଜେଣ୍ଟ Manubhai Saha & Co (P) Ltd.ଙ୍କ ଜରିଆରେ ଓଡ଼ିଆରେ ଏକ Key-Charactersର ତାଲିକା ଯୋଗାଇ ଦେଇଥିଲେ । ଏଇ Key-Charactersରେ ବିଶେଷତ୍ଵ ହେଉଛି ମାତ୍ର ୧୨୬ଟି Key-Characters ଦ୍ୱାରା ପ୍ରାୟ ୪୦୦ Characters ସୃଷ୍ଟି ହୋଇଥାଏ । ତେଣୁ Type setting ସମୟରେ ଅପରେଟର ଅଳ୍ପ ପରିଶ୍ରମରେ ଅଧିକ କମ୍ପୋଜ କରିପାରନ୍ତି । ହିନ୍ଦି, ବଙ୍ଗଳା ପ୍ରଭୃତି ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନ୍ୟୂନ ୨୫୨ଟି କ୍ୟାରେକ୍ଟର ନିଆଯାଇଛି । ଓଡ଼ିଆ ବ୍ୟତୀତ ଏତେ କମ୍‌ ଅର୍ଥାତ୍‌ ତା’ର ଅଧା ୧୨୬ଟି କ୍ୟାରେକ୍ଟରରେ Key Board ଏପର୍ଯ୍ୟନ୍ତ କୌଣସି ଭାରତୀୟ ଭାଷାରେ ହୋଇ ପାରିନି । ଏହାହିଁ ଆଶ୍ଚର୍ଯ୍ୟ ।

 

(୫) ୧୯୭୯ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ଶ୍ରୀ ମହାପାତ୍ର ଏପରି ଏକ ଡିଭାଇସ୍‌ ଉଦ୍ଭାବନ କଲେ ଯାହାକୁ ଯେକୌଣସି ଟାଇପ୍‌ ମେସିନରେ ଲଗାଇ ଟାଇପ୍‌ କଲେ କମ୍ପୋଜ ବା ଟାଇପ୍‌ ସେଟିଂ ହୋଇଯାଏ । ଅର୍ଥାତ୍‌ ପ୍ରତ୍ୟେକ ଧାଡ଼ିର ବାମ ଓ ଡାହାଣ ଉଭୟପଟ ଉପରୁ ତଳକୁ ସିଧା ହୋଇଯାଏ । ଏପରି ଏକ ଉଦ୍ଭାବନ ହେଉଛି ପୃଥିବୀରେ ସର୍ବପ୍ରଥମ । ଏହାକୁ ସେ Cold Process Mechanical Type Setting ନାମରେ ନାମିତ କରିଅଛନ୍ତି ଏବଂ ଏହା ଉପରେ ତାଙ୍କର Copyright Registration ମଧ୍ୟ ସାବ୍ୟସ୍ତ ହୋଇଅଛି ।

 

କାରଣ ଟାଇପରାଇଟର ସୃଷ୍ଟି ହେବା ଦିନରୁ ୧୯୭୯ ମାର୍ଚ୍ଚ ୨୩ ଯାଏ ଅଡ଼ିନାରୀ ଟାଇପ ମେସିନରେ ଟାଇପ ସେଟିଂ ଆଦୌ ସମ୍ଭବପର ହୋଇପାରି ନଥିଲା । ଶ୍ରୀ ମହାପାତ୍ର ଖଣ୍ଡିଏ ଛିଣ୍ଡା କାଗଜରେ ଗୋଟିଏ ମନ୍ତ୍ର ବା ସୂତ୍ର ଲେଖି ଯେ କୌଣସି ଟାଇପରାଇଟରରେ ଲଗାଇ ଦେଇ ସେହି ମେସିନରେ ଟାଇପ କଲେ, ଟାଇପ କରାଯାଉଥିବା ବିଷୟବସ୍ତୁର ବାମ ଓ ଡାହାଣ ଉଭୟ ପାଖ ଉପରୁ ତଳକୁ ସିଧା ହୋଇଯାଏ । ପୁଣି ସେହି ଡିଭାଇସଟିକୁ (ମନ୍ତ୍ର ବା ସୂତ୍ର ଲେଖା କାଗଜ ଖଣ୍ଡିକୁ) ମେସିନ୍‌ରୁ କାଢ଼ି ନେଲେ ଟାଇପିଷ୍ଟ ଆଉ ବାମ ଓ ଡାହାଣ ପଟ ଉପରୁ ତଳକୁ ସିଧା ଭାବରେ ରଖି ଟାଇପ କରି ପାରେନା । ତାଙ୍କ କହିବା ଅନୁସାରେ ମଣିଷ ଭିତରେ ଥିବା ହ୍ୟୁମାନ କମ୍ପୁଟରକୁ ମନ୍ତ୍ର ବା ସୂତ୍ର ଲେଖା ସେହି କାଗଜ ଟୁକୁରା ମାଧ୍ୟମରେ ମେକାନାଇଜ କରି ଦିଆଯିବା ହେତୁ ବିନା କମ୍ପୁଟରରେ ମଧ୍ୟ ଏହା ସମ୍ଭବ ହେଉଛି ।

 

ପ୍ରକାଶ ଥାଉକି, ଏହି ନୂତନ ହୋଇ ଉଦ୍ଭାବିତ ହୋଇଥ‌ିବା Cold Process Mechanical Typesetting System ବିଷୟରେ ବିସ୍ତୃତ ବିବରଣୀ U.N.I. ସମ୍ବାଦ ସଂସ୍ଥା ଦ୍ୱାରା ପରିବେଷିତ ହୋଇଥିଲା ଏବଂ ସେହି ସମ୍ବାଦ ଭାରତର ବିଭିନ୍ନ ଭାଷା ତଥା ଇଂରାଜୀ ଖବରକାଗଜ ମାନଙ୍କରେ ପ୍ରକାଶ ପାଇଥିଲା (୧୯୭୯ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୦ ତାରିଖ ମଧ୍ୟରେ) ।

 

ତା’ଛଡ଼ା ଉକ୍ତ ନୂତନ ଉଦ୍ଭାବନ ବିଷୟରେ ଦିଲ୍ଲୀସ୍ଥିତ ଅଶୋକ ହୋଟେଲରେ Research Institute for News Paper Development (RIND) ଦ୍ୱାରା ଆୟୋଜିତ ଏକ ଜ୍ଞାନ ଆହରଣ ସଂକ୍ରାନ୍ତୀୟ ସମ୍ମିଳନୀରେ ଶ୍ରୀ ନବକିଶୋର ମହାପାତ୍ରଙ୍କ ଦ୍ୱାରା ଉଦ୍ଭାବିତ ଉକ୍ତ Cold Process Mechanical Type Setting System ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ପଦ୍ଧତିରେ ମୁଦ୍ରିତ The News of the World ର Orissa Day (1st April 1979) special issue ଟିକୁ ସମ୍ମିଳନୀର ଡାଇରେକ୍ଟର ତଥା The Hindu ଦୈନିକ ଇଂରାଜୀର କମର୍ସିଆଲ୍‌ ଡାଇରେକ୍ଟର Mr. C.G.K.Reddy ସମ୍ମିଳନୀରେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଦେଖାଇ ମହାପାତ୍ରଙ୍କର ଏତାଦୃଶ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ । ସେହି ସମ୍ମିଳନୀରେ ଉପସ୍ଥିତ ଥିବା ଭାରତର ବିଭିନ୍ନ ରାଜ୍ୟରୁ ପ୍ରକାଶିତ ଖବରକାଗଜର ସମ୍ପାଦକ, ପରିଚାଳକମାନେ ସେଠାରେ ଶ୍ରୀ ମହାପାତ୍ରଙ୍କୁ ପାଇ କୃତକୃତ୍ୟ ହୋଇ ବଧେଇ ଜଣାଇଥିଲେ ଏବଂ ଗତ କେତେଦିନ ତଳେ ସେହି ସମ୍ବାଦ ସେମାନଙ୍କ ଦୈନିକରେ ପ୍ରକାଶ ପାଇଥିଲା ବୋଲି କହିଥିଲେ ।

 

RIND ତରଫରୁ ଆୟୋଜିତ ଏହି ଜ୍ଞାନ ଆହରଣ ସମ୍ମିଳନୀରେ U.K.ର ପ୍ରସିଦ୍ଧ Printing Technologist ଦୁଇଜଣ ସାହେବଙ୍କୁ RIND ତରଫରୁ ନିମନ୍ତ୍ରଣ କରି ଭାରତ ଅଣାଯାଇଥିଲା । ସେହି ସାହେବ ଦୁଇଜଣ (Mr. Crage ଓ Mr. Cameron) ସମ୍ମିଳନୀର ବିଷୟବସ୍ତୁ ‘ଜ୍ଞାନ ପ୍ରଦାନ’ର ମୁଖ୍ୟ ବ୍ୟକ୍ତି ଥିଲେ । ଏହି ସମ୍ମିଳନୀ ମେ ୯ ଓ ୧୦, ୧୯୭୯ରେ ଦିଲ୍ଲୀସ୍ଥିତ ଅଶୋକ ହୋଟେଲ କନ୍‌ଫରେନ୍‌ସ ହଲରେ ଅନୁଷ୍ଠିତ ହୋଇଥିଲା ।

 

ଓଡ଼ିଶାରୁ ତତ୍କାଳୀନ ଓଡ଼ିଶା ଗଭର୍ଣ୍ଣମେଣ୍ଟ ପ୍ରେସର ଡାଇରେକ୍ଟର ଶ୍ରୀଯୁକ୍ତ ଶକ୍ତିପ୍ରସାଦ ମିଶ୍ର, ଡେପୁଟି ଡାଇରେକ୍ଟର ଶ୍ରୀଯୁକ୍ତ ବ୍ରଜସୁନ୍ଦର ମହାପାତ୍ର, Text Book Pressର ମେନେଜର ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।

 

ଆଉରି ଏକ ମଜାର କଥା ଉକ୍ତ Cold Process Mechanical Type Setting System ଉଦ୍ଭାବିତ ହେବା ପରେ ପରେ ଅର୍ଥାତ୍‌ ତା ୨୩.୪.୭୯ ଠାରୁ ପ୍ରାୟ ୩ ମାସ ଯାଏ CPI ପରିଚାଳିତ କର୍ମଚାରୀ ଇଉନିୟନମାନଙ୍କ ତରଫରୁ ବିନା ନୋଟିସରେ News of the World ଧର୍ମଘଟ ଚାଲିଥିଲା । ମାତ୍ର Industrial Disputeଟି Dr. Harekrushna Mahatabଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଯିବା ପରେ ପୁଣି ସେହି Cold Process Mechanical Type Setting Systemରେ ୧୯୭୯ରୁ ୧୯୮୨ ଯାଏ ପ୍ରକାଶ ପାଇଥିଲା ।

 

(୬) Graphic Art ଉପରେ ଗବେଷଣା କରି ସେ ବିନା ଫିଲମରେ ଅର୍ଥାତ୍‌ ଫିଲମ୍‌ ବ୍ୟବହାର ନକରି ଗୋଟିଏ ଟାଇପ୍‌ ମେଟରକୁ ସିଧାସଳଖ ଅଫସେଟ୍‌ ପ୍ଲେଟ ଉପରକୁ ଟ୍ରାନ୍‌ସଫର କରି ନେବାର କୌଶଳ ଉଦ୍ଭାବନ କରିଅଛନ୍ତି । ଏବେ ମଧ୍ୟ ଓଡ଼ିଶାର କେତେକ Offset Printer ସଟ ରନ୍‌ ପାଇଁ ତାଙ୍କ ଉଦ୍ଭାବିତ ଏହି ଉପାୟ ଅବଲମ୍ବନ କରୁ ଅଛନ୍ତି ।

 

(୭) ଶ୍ରୀ ମହାପାତ୍ରଙ୍କ ଏପରି ନାନା କୃତି ସହିତ ସେ ପିଲାଦିନରୁ ଚିକିତ୍ସା ବିଜ୍ଞାନ ପ୍ରତି ଅତିମାତ୍ରାରେ ଆକୃଷ୍ଟ ହେବାର ଦେଖାଯାଏ । ତାଙ୍କର କେତୋଟି ମୂଲ୍ୟବାନ୍‍ ପ୍ରବନ୍ଧରୁ ଜଣାପଡ଼େ, ସେ ଏଲୋପ୍ୟାଥି, ଆୟୁର୍ବେଦିକ୍‌ ଏବଂ ହୋମିଓପ୍ୟାଥି ଚିକିତ୍ସାର ଆରୋଗ୍ୟ ନୀତି ଓ ପଦ୍ଧତି ବିଷୟରେ ଗଭୀର ଜ୍ଞାନ ଅର୍ଜନ କରିଅଛନ୍ତି; ମାତ୍ର ହୋମିଓପ୍ୟାଥି ଚିକିତ୍ସାକୁ ସେ ଖୁବ୍‌ ପସନ୍ଦ କରନ୍ତି ଏବଂ ଏଇ ହୋମିଓପ୍ୟାଥିର ସେ ଜଣେ ବିଜ୍ଞ ତଥା ସୌଖିନ ଚିକିତ୍ସକ ।

 

ତାଙ୍କ ମତରେ ପୃଥିବୀରେ ଏପରି କୌଣସି ରୋଗ ନାହିଁ ଯାହାକୁ ହୋମିଓପ୍ୟାଥି ଚିକିତ୍ସା ପଦ୍ଧତିରେ ଆରୋଗ୍ୟ କରାଯାଇ ନ ପାରେ । ବହୁ ଅସାଧ୍ୟ ରୋଗୀଙ୍କୁ ସେ ହୋମିଓପ୍ୟାଥି ଔଷଧ ଦେଇ ଆରୋଗ୍ୟ କରିଥିବାର ଦେଖାଯାଇଛି । ଏପରିକି କଲିକତା, ଦିଲ୍ଲୀ ଯେଉଁ ମହାନଗରୀମାନଙ୍କରେ ଅଭିଜ୍ଞ ଚିକିତ୍ସକଙ୍କର ଅଭାବ ନାହିଁ, ସେଠାକାର ଦୁରାରୋଗ୍ୟ ରୋଗୀଙ୍କୁ ମଧ୍ୟ ସେ ହୋମିଓପ୍ୟାଥିକ୍‌ ଚିକିତ୍ସାରେ ସମ୍ପୂର୍ଣ୍ଣ ଆରୋଗ୍ୟ କରି ଦେଇପାରିଛନ୍ତି ।

 

୧୯୭୬ ମସିହାରେ ଓଡ଼ିଶାସ୍ଥ ବାଣିବିହାରଠାରେ Science Congress ଅନୁଷ୍ଠିତ ହୋଇଥିଲା । ସେହି ଉଦ୍ଦେଶ୍ୟରେ News of the Worldର ଗୋଟିଏ Special issue ପ୍ରକାଶ ପାଇଥାଏ । ତହିଁରେ ବହୁ ବିଶିଷ୍ଟ ବୈଜ୍ଞାନିକଙ୍କ ଲେଖା ସହିତ ଶ୍ରୀ ନବକିଶୋର ମହାପାତ୍ରଙ୍କର ମଧ୍ୟ ଗୋଟିଏ ତଥ୍ୟମୂଳକ ଲେଖା ପ୍ରକାଶ ପାଇଥିଲା । ତା’ ଥିଲା–‘‘No Disease Not Even Cancer is Incurable’’ ସେହି ଲେଖାଟି ପଢ଼ି ସେଠାରେ ଥିବା Medical Scientistମାନେ ଶ୍ରୀ ମହାପାତ୍ରଙ୍କ ବିଷୟରେ ଅନୁସନ୍ଧାନ ମଧ୍ୟ କରିଥିଲେ । ସେଠାରେ ପ୍ରେସ ଚାର୍ଜରେ ରହିଥିବା ବିଶିଷ୍ଟ ସାମ୍ବାଦିକ ଶ୍ରୀ ରାମହରି ମିଶ୍ରଙ୍କୁ ସେମାନେ ପଚାରିଥିଲେ ‘‘Dr. N.K.Mohapatra କିଏ ?’’ ମାତ୍ର ଶ୍ରୀ ମିଶ୍ର କହିଥିଲେ ‘‘ସେ ଡକ୍ଟର ନୁହଁନ୍ତି–ସାମ୍ବାଦିକ, କଟକରେ ଥାନ୍ତି ।’’

 

(୮) ଶ୍ରୀ ମହାପାତ୍ର ଧର୍ମ, ପୁରାଣ, ସାମାଜିକ ପ୍ରଥା ବା ପ୍ରଚଳିତ ଯେ କୌଣସି ବିଷୟକୁ ସଠିକ୍‌ ଭାବରେ ନ ବୁଝି ଗ୍ରହଣ କରନ୍ତି ନାହିଁ । ତେଣୁ ସେ ସବୁବେଳେ ପ୍ରକୃତ ତଥ୍ୟ, ସତ୍ୟ ଏବଂ ବୈଜ୍ଞାନିକ ସିଦ୍ଧାନ୍ତର ଅନୁସନ୍ଧିଷ୍ଣୁ ।

 

(୯) ଏହାଛଡ଼ା ସେ ପ୍ରଚଳିତ କୌଣସି ସାମାଜିକ ରୀତିନୀତିକୁ ମଧ୍ୟ ହତାଦର କରନ୍ତି ନାହିଁ ବା ଅନ୍ଧବିଶ୍ଵାସ କହି ପରିତ୍ୟାଗ କରିଦିଅନ୍ତି ନାହିଁ । ବରଂ ତା’ ଭିତରେ କି ରହସ୍ୟ ଓ ସତ୍ୟ ନିହିତ ସେ ବିଷୟରେ ଅନୁସନ୍ଧାନ କରିଥାନ୍ତି । ସତ୍ୟର ସନ୍ଧାନ ନ ପାଇଲେ ସେ ଅନ୍ଧ ଭାବରେ କୌଣସି ସାମାଜିକ ପ୍ରଥାକୁ ଗ୍ରହଣ କରନ୍ତି ନାହିଁ ।

 

(୧୦) ଶ୍ରୀ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ‘କଳା ଓ ସାହିତ୍ୟ ବିକାଶ’ ନାମକ ଅନୁଷ୍ଠାନ ତରଫରୁ ୧୯୭୫ ମସିହା ଅଗଷ୍ଟ ୧୫ ତାରିଖ ଠାରୁ ୧୩ ବର୍ଷ ଯାଏ ‘News of the World’ ନାମରେ ଗୋଟିଏ ଇଂରାଜୀ ଦୈନିକ ଖବରକାଗଜ କଟକରୁ ପ୍ରକାଶ ପାଇ ଆସୁଥିଲା ।

 

ମାତ୍ର ସେ ସମୟର ମୁଖ୍ୟମନ୍ତ୍ରୀଙ୍କ ଜ୍ଵାଇଁଙ୍କ ଦ୍ୱାରା ଗୋଟିଏ ଇଂରାଜୀ ଦୈନିକ ପ୍ରକାଶ ପାଇବାରୁ News of the World ସରକାରୀ ପ୍ରୋତ୍ସାହନ ତଥା ବିଜ୍ଞାପନ ପାଇବାରୁ ବହୁମାତ୍ରାରେ ବଞ୍ଚିତ ହୋଇ କ୍ରମାଗତ ଭାବେ କ୍ଷତିରେ ଚାଲି ଚାଲି ଶେଷରେ ବନ୍ଦ ହୋଇଗଲା । ଏହାର ଅନ୍ୟ ଏକ କାରଣ ଥିଲା News of the Worldରେ ନିରାଟ ସତ୍ୟ ସମ୍ବାଦ ପରିବେଷଣ ଏବଂ ନିର୍ଭିକ-ନିରପେକ୍ଷ ମତାମତ ପ୍ରକାଶନ ।

 

(୧୧) ଶ୍ରୀ ମହାପାତ୍ର ‘କଳା ଓ ସାହିତ୍ୟ ବିକାଶ’ର ପ୍ରେସିଡେଣ୍ଟ ଅଛନ୍ତି । ତାଙ୍କର ଗବେଷଣା ଓ ଉଦ୍ଭାବନରେ ଭାରତ ସରକାରଙ୍କ Department of Science & Technologyର ନିର୍ଦ୍ଦେଶକ ଏଇ ‘କଳା ଓ ସାହିତ୍ୟ ବିକାଶ’କୁ ଗୋଟିଏ Research and Development ଅନୁଷ୍ଠାନ ରୂପେ ଅନୁମୋଦନ କରିବା ସଙ୍ଗେ ସଙ୍ଗେ ରେଜେଷ୍ଟ୍ରିଭୁକ୍ତ କରିଅଛନ୍ତି ।

 

(୧୨) ଆଉ ଗୋଟିଏ ବିଶେଷ କଥା ହେଲା, ନିହାତି ଦରକାର ନ ପଡ଼ିଲେ ବା ଏକାନ୍ତ ଆବଶ୍ୟକ ନହେଲେ ସେ ନିଜର ଫଟୋ ଉଠାନ୍ତି ନାହିଁ କିମ୍ବା କୌଣସି ଫଟୋଗ୍ରାଫରଙ୍କୁ ତାଙ୍କ ଫଟୋ ଉଠାଇବାକୁ ଅନୁମତି ଦିଅନ୍ତି ନାହିଁ ।

 

ତେଣୁ ତାଙ୍କ ଆନୁକୁଲ୍ୟରେ ବହୁ ପତ୍ରପତ୍ରିକା ଓ ଗୋଟିଏ ଦୈନିକ ଖବରକାଗଜ ପ୍ରକାଶ ପାଉଥିଲେ ମଧ୍ୟ କେବେହେଲେ କୌଣସି ମାଗାଜିନ ବା ଖବରକାଗଜରେ ତାଙ୍କର ଫଟୋ କେହି କେବେ ଦେଖିବାକୁ ପାଆନ୍ତି ନାହିଁ ।

 

ଶ୍ରୀ ନବକିଶୋର ମହାପାତ୍ର ଯେଉଁ ବଂଶରୁ ଜନ୍ମ ମୁଁ ମଧ୍ୟ ସେହି ବଂଶର ଅନ୍ୟତମ ବ୍ୟକ୍ତି; ତା’ଛଡ଼ା ତାଙ୍କ ମାତା ଓ ମୋ ମାତା ଯଥାକ୍ରମେ ଝିଆରୀ ଏବଂ ପିଉସୀ ଅଟନ୍ତି । ସେ ଦୃଷ୍ଟିରୁ ଅର୍ଥାତ୍‌ ଆମ ଉଭୟଙ୍କର ମାମୁଁଘର ହେଉଛି ଏକା ବଂଶରେ । ତାହା ବିରଜାପୀଠ (ଯାଜପୁର ଅନ୍ତର୍ଗତ ମଇଁନ୍ଦା ଗ୍ରାମ ଦକ୍ଷିଣ କବାଟଙ୍କ ଘର । ଅନ୍ୟପକ୍ଷରେ ଆମ୍ଭ ଉଭୟଙ୍କର ମାମୁଘର ସମ୍ପର୍କକୁ ନେଇ ସେହି ଯାଜପୁର ଅନ୍ତର୍ଗତ ବାଲିଆ ଗ୍ରାମସ୍ଥ କବି ଅଭିମନ୍ୟୁ ସାମନ୍ତ ସିଂହାର ହେଉଛନ୍ତି ଆମ୍ଭର ପଣ ଅଜା । ଏକ ବଂଶୋଦ୍ଭବ ହେଲେ ମଧ୍ୟ ନିକଟତମ ମାତୁଳ ବଂଶକୁ ଧରିଲେ ମୁଁ ତାଙ୍କର ମାମୁ ଏବଂ ସେ ମୋର ଭଣଜା ହୁଅନ୍ତି ।

 

କଥାରେ ଅଛି ‘ଭଜଣା କୁଳ ନନ୍ଦନ’ । ବାସ୍ତବିକ୍‌ ମୋର ଯୋଗ୍ୟ ଭଣଜା ଶ୍ରୀ ନବକିଶୋର ମହାପାତ୍ରଙ୍କ କୃତିରେ ମୁଁ ଏବଂ ମୋର ସହଧର୍ମିଣୀ, ଆଜି ବିଶେଷଭାବେ ଗର୍ବିତ ।

 

ଶ୍ରୀ ନବକିଶୋର ମହାପାତ୍ରଙ୍କ ଜନ୍ମ: ମାତା ଶ୍ରୀମତୀ ଧ୍ଵଜାମଣି ଦେବୀଙ୍କ ଅଷ୍ଟମ ଗର୍ଭରୁ, ୧୯୨୮ ମସିହା ଜୁଲାଇ ମାସ ୧୧ ତାରିଖ ସନ୍ଧ୍ୟା ।

 

ଚୌଧୁରୀ ବିମ୍ବାଧର ଦକ୍ଷିଣରାୟ ମହାପାତ୍ର ବୀରବର୍ମା

 

ସା: ଜଗନ୍ନାଥ ପ୍ରସାଦ (ମଞ୍ଜୁରୀ ପ୍ରଗଣା)

 

ପୋ: ଆଖୁଆ ପଦା, ଥାନା: ଭଣ୍ଡାରୀ ପୋଖରୀ

 

ଜିଲ୍ଲା–ବାଲେଶ୍ୱର ତା ୧ । ୧ । ୧୯୯୨

Image